ଭୁବନେଶ୍ବର: ତାଲାବନ୍ଦ ପରେ ଓଡ଼ିଶାରେ ଥିବା କ୍ରୀଡ଼ା ଛାତ୍ରାବାସ ଓ ବିଭିନ୍ନ କ୍ରୀଡ଼ା ଭିତ୍ତିଭୂମିର ସୁବିଧା ସୁଯୋଗକୁ ଖୋଲିବା ଲାଗି ରାଜ୍ୟ କ୍ରୀଡ଼ା ବିଭାଗ ମଙ୍ଗଳବାର ସାଧାରଣ ପରିଚାଳନା ପ୍ରକ୍ରିୟା ବା ଏସ୍ଓପି ଜାରି କରିଛି। କରୋନା ସଂକ୍ରମଣକୁ ରୋକିବା ଲାଗି ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରି ପୁନର୍ବାର ପ୍ରଶିକ୍ଷଣ ଓ ଅଭ୍ୟାସ ଆରମ୍ଭ କରିବା ଉପରେ ବିଭାଗ ଜୋର ଦେଇଛି। ଏହି ଏସ୍ଓପି କ୍ରୀଡ଼ା ବିଭାଗର ସମସ୍ତ ଅଭ୍ୟାସ କେନ୍ଦ୍ର, କ୍ରୀଡ଼ା ଛାତ୍ରାବାସ ଓ କ୍ରୀଡ଼ା ଭିତ୍ତିଭୂମିରେ ଲାଗୁହେବ। ଖେଳାଳିମାନେ ଏହାକୁ ନିୟମିତ ଭାବେ ଅନୁସରଣ କରିବେ। ସେହିଭଳି ଅଭ୍ୟାସ ଆରମ୍ଭ ଯୋଜନାବଦ୍ଧ ଏବଂ ପର୍ଯ୍ୟାୟକ୍ରମେ ସରକାରୀ ନିର୍ଦ୍ଦେଶାବଳୀ ଅନୁସାରେ ହେବ ବୋଲି ବିଭାଗ କହିଛି। ସମସ୍ତ କର୍ମଚାରୀ, ବୈଷୟିକ ଓ ଅଣବୈଷୟିକ, ପ୍ରଶାସନିକ, କ୍ରୀଡ଼ା ଛାତ୍ରାବାସ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀ ଏବଂ ସମସ୍ତ ଅବିଭାବକ ଏହାକୁ ମାନିବେ। ଏହି ବିଷୟରେ ନିଜ ମତ ରଖିବାକୁ ଯାଇ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ ଆମ ପାଇଁ ଖେଳାଳିଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ସେଥିପାଇଁ ଆମେ ଯୋଜନାବଦ୍ଧ ଭାବେ ଓ ପର୍ଯ୍ୟାୟକ୍ରମେ ପଦକ୍ଷେପ ନେବୁ। ଏହା ସଂପୂର୍ଣ୍ଣ ଭାବେ କେନ୍ଦ୍ରୀୟ ନିର୍ଦ୍ଦେଶାବଳୀକୁ ଆଖି ଆଗରେ ରଖି କରାଯିବ। କ୍ରୀଡ଼ା ଓ ମନୋରଞ୍ଜନ କାର୍ଯ୍ୟକ୍ରମକୁ ପୁଣି ଥରେ ଆରମ୍ଭ କରିବା ପୂର୍ବରୁ ଆମେ ବେଶ୍ ଯତ୍ନବାନ ଅଛୁ।
କୌଣସି ପରିସ୍ଥିତିରେ ଆମେ ବ୍ୟକ୍ତି ଓ ଗୋଷ୍ଠୀର ସ୍ବାସ୍ଥ୍ୟକୁ ନେଇ ସାଲିସ କରିବୁ ନାହିଁ। ଏସ୍ଓପି ଜାରି ହେବା ପରେ କିନ୍ତୁ ରାଜ୍ୟର କ୍ରୀଡ଼ା ଛାତ୍ରାବାସ ଓ ଅନ୍ୟାନ୍ୟ କ୍ରୀଡ଼ା ସୁବିଧା ସୁଯୋଗର ସୁଗମ ପରିବର୍ତନ ହୋଇପାରିବ ଏବଂ ଏହା ଦ୍ବାରା ଏହି ପ୍ରଶିକ୍ଷଣ ଭିତ୍ତିଭୂମିଗୁଡ଼ିକ ନିଜ ପୂର୍ଣ୍ଣ କାର୍ଯ୍ୟକ୍ଷମତା ଫେରି ପାଇବେ ବୋଲି ଆଶା କରାଯାଉଛି। ରାଜ୍ୟ ସରକାରଙ୍କ ଏସ୍ଓପି ସହ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଜାରି କରିଥିବା ନିର୍ଦ୍ଦେଶାବଳୀକୁ ମଧ୍ୟ ଓଡ଼ିଶାର କ୍ରୀଡ଼ା ଛାତ୍ରାବାସ ଓ କ୍ରୀଡ଼ା ଭିତ୍ତିଭୂମିଗୁଡ଼ିକରେ ଲାଗୁ କରାଯିବ। ଏସ୍ଓପିକୁ ମୁଖ୍ୟତଃ ଚାରିଟି ବିଭାଗରେ ବିଭକ୍ତ କରାଯାଇଛି। ୧-ବୟସବର୍ଗ ଓ ପ୍ରଦର୍ଶନ ଅନୁସାରେ ଖେଳାଳିଙ୍କ ବିଭାଗୀକରଣ। ୨. ପ୍ରଶିକ୍ଷଣ ପଦ୍ଧତିର ଅଗ୍ରାଧିକାର ଓ ନିୟୋଜନ। ୩. ପ୍ରଶିକ୍ଷଣ ଭିତ୍ତିଭୂମିକୁ ଯିବା ପୂର୍ବରୁ କୋଭିଡ-୧୯ ନିୟନ୍ତ୍ରଣ ବିରୋଧରେ ପ୍ରତିଷେଧକ ବ୍ୟବସ୍ଥା କିମ୍ବା ପ୍ରତିବନ୍ଧକ। ୪. ନିୟୋଜନ ପାଇଁ ଅନ୍ୟାନ୍ୟ ପ୍ରଶାସନିକ ନିର୍ଦେଶ। ସେହିଭଳି ସମସ୍ତ କ୍ରୀଡ଼ା ଓ ଖେଳକୁ ବ୍ୟକ୍ତିଗତ ଫିଟସେନ୍ ଓ କୌଶଳ, ଏହିଭଳି ଦୁଇଟି ବିସ୍ତୃତ ବିନ୍ଦୁରେ ବିଭକ୍ତ କରାଯାଇଛି। କୋଭିଡ୍-୧୯ ବିରୋଧରେ ପ୍ରତିଷେଧକ ବ୍ୟବସ୍ଥା ସହ ଅନ୍ୟାନ୍ୟ ନିୟମାବଳୀ ମଧ୍ୟ ବିଭାଗ ତରଫରୁ ଜାରି ହୋଇଛି। ଖେଳାଳି ଓ ଅଧିକାରୀମାନେ ଅଧିକ ବିବରଣୀ ବିଭାଗର ୱେବସାଇଟରୁ ପାଇ ପାରିବେ।
କୋଭିଡ୍-୧୯ ପ୍ରତିଷେଧକ ବ୍ୟବସ୍ଥା
୧. କ୍ରୀଡ଼ାବିତ୍ମାନେ ଆସିବା ପୂର୍ବରୁ ସମସ୍ତ କ୍ରୀଡ଼ା ଛାତ୍ରାବାସ ଓ କ୍ରୀଡ଼ା ଅଭ୍ୟାସ ଭିତ୍ତିଭୂମିକୁ ବିଶୋଧନ କରାଯିବ। ସମସ୍ତ କ୍ରୀଡ଼ାବିତ୍ କୋଭିଡ୍-୧୯ କ୍ବାରାଣ୍ଟିନ୍ ନିୟମ ପାଳନ କରିବେ। ସଂକ୍ରମଣ ରୋକିବା ଲାଗି ସମସ୍ତଙ୍କର କୋଭିଡ୍-୧୯ ପରୀକ୍ଷା କରାଯିବ।
୨. କ୍ରୀଡ଼ା ଛାତ୍ରାବାସକୁ ଫେରୁଥିବା ଖେଳାଳିମାନଙ୍କୁ ସେମାନଙ୍କ ପରୀକ୍ଷା ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ କ୍ବାରାଣ୍ଟିନରେ ରଖାଯିବ। ନିକଟସ୍ଥ ସରକାରୀ ଡାକ୍ତରଖାନାର ଭାରପ୍ରାପ୍ତ ଅଧିକାରୀ ପ୍ରମାଣପତ୍ର ଦେବା ପରେ ଯାଇ ସେମାନଙ୍କୁ ପ୍ରଶିକ୍ଷଣ ସ୍ଥଳକୁ ଛଡ଼ାଯିବ।
୩. କ୍ରୀଡ଼ାବିତମାନେ ପହଞ୍ଚିବା ପୂର୍ବରୁ ବିଶୋଧନ ସୁବିଧା ସ୍ଥାପିତ କରଯିବା ସହ ବିଶୋଧନ ସାମଗ୍ରୀ ମଧ୍ୟ ରଖାଯିବ।
୪. ରେଡ୍ ଜୋନ୍ରେ ରହୁଥିବା ଖେଳାଳିଙ୍କୁ ଛାତ୍ରାବାସକୁ ଫେରିବା ନିର୍ଦ୍ଦେଶ ଦିଆଯିବ ନାହିଁ। ସଂପୃକ୍ତ ଅଞ୍ଚଳ ନାରଙ୍ଗୀ ଓ ସବୁଜ ହେଲା ପରେ ଏଭଳି ଖେଳାଳିଙ୍କ ବିଷୟରେ ନିଷ୍ପତ୍ତି ନିଆଯିବ।
୫. ପ୍ରଥମ ପର୍ଯ୍ୟାୟରେ ୫୦ ପ୍ରତିଶତରୁ କମ୍ ସଂଖ୍ୟକ ଖେଳାଳିଙ୍କୁ ଫେରିବା ଡାକରା ମିଳିବ। ସେମାନେ ରହିବା ଓ ଖାଇବା ବେଳେ ସାମାଜିକ ଦୂରତା ନିୟମକୁ କଡ଼ା କଡ଼ି ଭାବେ ଲାଗୁ କରାଯିବ।
୬. ଖେଳାଳିଙ୍କ ପ୍ରବେଶ ପୂର୍ବରୁ ସେମାନଙ୍କୁ ସାମାଜିକ ଦୂରତା ଓ ଅନ୍ୟାନ୍ୟ ନିୟମ ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇ ଦିଆଯିବ।
୭. ପ୍ରବେଶ ଓ ପ୍ରସ୍ଥାନକୁ ନିୟନ୍ତ୍ରଣ କରାଯିବ। ଖୁବ୍ କମ୍ ଲୋକଙ୍କୁ ଯିବା-ଆସିବା ଲାଗି ଅନୁମତି ମିଳିବ।
୮. ପରିଦର୍ଶକ ଓ ଅବିଭାବକମାନେ ମଧ୍ୟ ସାମାଜିକ ଦୂରତା ନିୟମ ପାଳନ କରିବେ।