ଦେବାଶିଷ ସୁନ୍ଦରାୟ
ଭୁବନେଶ୍ବର: କ୍ରିକେଟ୍, ହକି, ଟେନିସ୍, ଚେସ୍, ଫୁଟ୍ବଲ୍ ଓ ଦୌଡ଼କୁଦ ଭଳି ଖେଳର ପ୍ଲାବନ ଭିତରେ ଓଡ଼ିଶା ଟେବୁଲ ଟେନିସ୍ (ଟିଟି)କୁ ମିଳିଛି ନୂଆ ଉଡ଼ାଣ। ବଛା ବଛା ସହର ଭିତରୁ ବାହାରି ଛୋଟ ସହର ଓ ଗ୍ରାମରେ କାୟା ବିସ୍ତାର କରିବା ଲାଗି ତାକୁ ମିଳିଯାଇଛି ଶକ୍ତିଶାଳୀ ଡେଣା। ପୂର୍ବରୁ ରାଜ୍ୟରେ କିଛି ହାତଗଣତି ଟିଟି ପ୍ରତିଯୋଗିତା ଆୟୋଜିତ ହେଉଥିଲା ବେଳେ ଏବେ ଭାରତର ନୂଆ କ୍ରୀଡ଼ା କ୍ୟାପିଟାଲ୍ ଭୁବନେଶ୍ବରରେ ଶନିବାରୁଠୁ ପ୍ରଥମ ଥର ଆୟୋଜିତ ହେବାକୁ ଯାଉଛି ଆଇଟିଟିଏଫ୍-ଏଟିଟିୟୁ ଏସୀୟ ଦଳଗତ ଟିଟି। କଳିଙ୍ଗ ଷ୍ଟାଡିୟମ୍ ଇନ୍ଡୋର ଆଥଲେଟିକ୍ସର ସୁଉଚ୍ଚ ସୌଧ ଭିତରେ ସ୍ଥାପିତ ଅସ୍ଥାୟୀ ଭିତ୍ତିଭୂମିରେ ଖେଳାଯିବ ଏହି ଆନ୍ତଃମହାଦେଶୀୟ ପ୍ରତିଯୋଗିତା। ଭାରତୀୟ ଦଳ ମଧ୍ୟ ଗତ ସଂସ୍କରଣରେ କରିଥିବା ଐତିହାସିକ ପ୍ରଦର୍ଶନକୁ ଦୋହରାଇବା ଲକ୍ଷ୍ୟ ନେଇ ଏହି ପ୍ରତୀକ୍ଷିତ ପ୍ରତିଯୋଗିତାକୁ ଓହ୍ଲାଇବ। ଓଡ଼ିଶାର ଜଣେ ହେଲେ ବି ଖେଳାଳି ପ୍ରତ୍ୟକ୍ଷ ଭାବେ ମୁଖ୍ୟ ପ୍ରତିଦ୍ବନ୍ଦ୍ବିତାରେ ଜଡ଼ିତ ନଥିଲେ ସୁଦ୍ଧା ଏହା ଓଡ଼ିଶା ଟିଟିକୁ ଏହା ନୂଆ ମୋଡ଼ ଦେବ ବୋଲି ଦାବି କରିଆସୁଛି ରାଜ୍ୟ ସଂଘ। ତେବେ ଖେଳାଳିଙ୍କ ସଫଳତା ଅପେକ୍ଷା ଖେଳ ଆୟୋଜନକୁ ଅସ୍ତ୍ର କରି ସମଗ୍ର ଦେଶରେ କ୍ରୀଡ଼ା ମହାଶକ୍ତି ଭାବେ ଉଭା ହେବାକୁ ଲକ୍ଷ୍ୟ ରଖିଥିବା ଓଡ଼ିଶା ଆଗକୁ କେବଳ ଆୟୋଜକ ଓ ପ୍ରାୟୋଜକରେ ସୀମିତ ରହୁଛି, ନା ବିଶ୍ବସ୍ତରୀୟ ଖେଳାଳି ସୃଷ୍ଟି କରିପାରୁଛି, ତାହା କେବଳ ସମୟ କହିବ। ଏହି ପ୍ରତିଯୋଗିତା କିନ୍ତୁ ରାଜ୍ୟରେ ଟିଟି ବିପ୍ଳବର ମୂଳଦୁଆ ପକାଇବା ପାଇଁ ଏକ ବଡ଼ ବାଟ ହୋଇପାରେ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଚଳିତ ଅକ୍ଟୋବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାର ବଜେଟ୍ କିମ୍ବା ଓଡ଼ିଶା ସରକାରଙ୍କ ଆର୍ଥିକ ଅନୁଦାନ ଓ ଅବଦାନ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନଥିଲେ ବି ଅନ୍ତତଃ ଏହି ଲକ୍ଷ୍ୟ ପୂରଣ ହେବ ବୋଲି କ୍ରୀଡ଼ାପ୍ରେମୀ ଆଶା ରଖିଛନ୍ତି। ପୁଣି ଟିକେଟ ବିକ୍ରି ଉତ୍ସାହଜନକ ଥିବାରୁ ଅନ୍ୟ ଖେଳଗୁଡ଼ିକ ଭଳି ଟିଟିକୁ ମଧ୍ୟ ଓଡ଼ିଶା ଦର୍ଶକ ଅଜସ୍ର ଭଲପାଇବା ଅଜାଡ଼ି ଦେବା ଏକପ୍ରକାର ସ୍ପଷ୍ଟ ହୋଇଛି। ଏହି ପ୍ରତିଯୋଗିତା ନେଇ ହେଉଥିବା ପ୍ରଚାରପ୍ରସାର ପାଇଁ ରାଜ୍ୟରେ ଟିଟି ଅଧିକ ଲୋକପ୍ରିୟ ହେବା ସହ ଏହାର ଖେଳାଳି ସଂଖ୍ୟା ବଢ଼ିବ ବୋଲି ବି ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଏହି ପ୍ରତିଯୋଗିତାର ସଫଳ ଆୟୋଜନ ପରେ ଟିଟି ରାଜ୍ୟ ସରକାରଙ୍କ ସ୍ବୀକୃତିପ୍ରାପ୍ତ ଖେଳ ତାଲିକାର 'ବି' ରୁ 'ଏ' ବର୍ଗକୁ ଉନ୍ନୀତ ହେବ ବୋଲି ଓଡ଼ିଶା ଟିଟିର ମଙ୍ଗୁଆଳମାନେ ଦୃଢ଼ ଆଶା ରଖିଛନ୍ତି। ଓଡ଼ିଶା ପୂର୍ବରୁ ସଫଳତାର ସହ ୨୦୧୯ ରାଜ୍ୟଗୋଷ୍ଠୀ ଟିଟିର ଆୟୋଜକ ହୋଇଥିଲା। ଏଣୁ ଏସୀୟ ସ୍ତରୀୟ ପ୍ରତିଯୋଗିତାର ସଫଳ ଆୟୋଜନ ନେଇ ମଧ୍ୟ ଦ୍ବନ୍ଦ୍ବ ନାହିଁ।
ଆସ୍ତାନାରେ ଭାରତ ଜିତିଥିଲା ଯୁଗଳ କାଂସ୍ୟ
ଉଭୟ ମହିଳା ଓ ପୁରୁଷ ବର୍ଗରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତା ଦୁଇଟି ବିଭାଗ ଚାମ୍ପିଅନ୍ସ ଡିଭିଜନ୍ ଏବଂ ପ୍ରଥମ ଡିଭିଜନ୍ରେ ଖେଳାଯିବ। ୨୦୨୪ ଏସୀୟ ଦଳଗତ ପ୍ରତିଯୋଗିତାର ଶୀର୍ଷ ୬ ସ୍ଥାନରେ ରହିଥିବା ଦଳ ସିଧାସଳଖ ଚାମ୍ପିଅନ୍ସ ଡିଭିଜନ୍ ଖେଳିବେ। ପ୍ରଥମ ଡିଭିଜନ୍ ଯୋଗ୍ୟତା ପର୍ଯ୍ୟାୟ ଭଳି କାମ କରିବ। ଏହି ଡିଭିଜନ୍ର ଫାଇନାଲିଷ୍ଟ ଚାମ୍ପିଅନ୍ସ ଡିଭିଜନ୍ ଖେଳିବାର ଟିକେଟ ହାସଲ କରିବେ। ଶୀର୍ଷ ୧୬ଦଳ ଲଣ୍ଡନରେ ଆସନ୍ତାବର୍ଷ ଖେଳାଯିବାକୁ ଥିବା ବିଶ୍ବ ଦଳଗତ ଟେବୁଲ୍ ଟେନିସ୍ ଲାଗି ଯୋଗ୍ୟତା ଅର୍ଜନ କରିବେ। ଅନ୍ୟ ୬ଟି ଦଳ ଅନ୍ତର୍ଜାତୀୟ ଟେବୁଲ୍ ଟେନିସ୍ ମହାସଂଘ ମାନ୍ୟତା ଅନୁସାରେ ଏଥିଲାଗି ଯୋଗ୍ୟତା ଅର୍ଜନ କରିବେ। ଏଣୁ ଭାରତୀୟ ଦଳ ପାଇଁ ଭୁବନେଶ୍ବରରୁ ହିଁ ବିଶ୍ବ ଟେବୁଲ୍ ଟେନିସ୍ ଲାଗି ଯୋଗ୍ୟତା ଅର୍ଜନ କରିବା ସୁଯୋଗ ରହିବ। ଭଲ କଥା ହେଲା ଗତବର୍ଷ ଅର୍ଥାତ୍ ୨୦୨୪ରେ କାଜାଖସ୍ତାନର ଆସ୍ତାନାଠାରେ ଆୟୋଜିତ ଏସୀୟ ଦଳଗତ ଟେବୁଲ୍ ଟେନିସ୍ ପ୍ରତିଯୋଗିତାରେ ଭାରତୀୟ ଦଳ ଉଭୟ ପୁରୁଷ ଓ ମହିଳା ବର୍ଗରେ କାଂସ୍ୟ ପଦକ ଜିତିଥିଲା। ପୁରୁଷ ବର୍ଗର ସ୍ବର୍ଣ୍ଣ ଚୀନ ଏବଂ ମହିଳାର ସ୍ବର୍ଣ୍ଣ ଜାପାନ ଜିତିଥିଲା ବେଳେ ଭାରତ ଉଭୟ ବର୍ଗର ତୃତୀୟ ସ୍ଥାନରେ ରହିବାର ସ୍ମରଣୀୟ ସଫଳତା ଲାଭ କରିଥିଲା। ତେବେ ଆୟିକା ମୁଖାର୍ଜୀ ଓ ସୁତୀର୍ଥ ମୁଖାର୍ଜୀ ମହିଳା ଯୁଗଳରେ ଐତିହାସିକ ସ୍ବର୍ଣ୍ଣ ଜିତିବା ଉଲ୍ଲେଖନୀୟ ରହିଥିଲା।
ଭାରତୀୟ ମହିଳା ଦଳ: ଶ୍ରୀଜା ଆକୁଲା, ସ୍ବସ୍ତିକା ଘୋଷ, ଦିୟା ଚିତାଲେ, ମନିକା ବାତ୍ରା, ଯଶସ୍ବିନୀ ଘୋରପଡ଼େ। ପୁରୁଷ ଦଳ: ସ୍ନେହିତ ସୁରଭାଜୁଲା, ମାନବ ଠକର, ମନୁଷ ଶାହ, ପାୟସ୍ ଜୈନ, ଅଙ୍କୁର ଭଟ୍ଟାଚାର୍ଯ୍ୟ।
ଓଡ଼ିଶା ପାଇବ କ’ଣ?
ଏଭଳି ଏକ ପ୍ରତିଯୋଗିତା, ଯେଉଁଥିରେ ଜଣେ ହେଲେ ବି ଓଡ଼ିଆ ଖେଳାଳି ସାମିଲ ନାହାନ୍ତି, ତା’ର ଆୟୋଜନ କରି ଓଡ଼ିଶା ପାଇବ କ’ଣ? ଏ ପ୍ରଶ୍ନ ଏବେ ସାଧାରଣ ଓଡ଼ିଆଙ୍କ ସହ ରାଜ୍ୟର କ୍ରୀଡ଼ାପ୍ରେମୀଙ୍କ ମନକୁ ଆନ୍ଦୋଳିତ କରୁଛି। ତେବେ ଭାରତୀୟ ଟେବୁଲ ଟେନିସ୍ ମହାସଂଘ ଏବଂ ଓଡ଼ିଶା ଟେବୁଲ ଟେନିସ୍ ସଂଘର କର୍ମକର୍ତ୍ତାମାନେ ଏଭଳି ପ୍ରଶ୍ନର ପ୍ରାସଙ୍ଗିକତା ନେଇ ପ୍ରଶ୍ନ ଉଠାଇଛନ୍ତି। ସେମାନେ ଦାବି କରନ୍ତି, ଏହା ଦ୍ବାରା ଭାରତ ବିଶ୍ବ ଟେବୁଲ୍ ଟେନିସ୍ ଦୁନିଆରେ ଅଧିକ ଦୃଶ୍ୟମାନ ହେବ। ଭାରତୀୟ ଖେଳାଳି ଘରୋଇ ପରିବେଶରେ ବିଶ୍ବ ଚାମ୍ପିଅନସିପ୍ ଲାଗି ଯୋଗ୍ୟତା ଅର୍ଜନ କରିବାର ସୁଯୋଗ ପାଇବେ। ଦେଶର କ୍ରୀଡ଼ା ରାଜଧାନୀ ଭାବେ ଭୁବନେଶ୍ବରର ଖ୍ୟାତି ଆହୁରି ବଢ଼ିବ। ଓଡ଼ିଶା କ୍ରୀଡ଼ା ପାଇଁ ନିଜର ବିଶ୍ବ ଭିତ୍ତିଭୂମି ଏବଂ ବଡ଼ ପ୍ରତିଯୋଗିତା ଆୟୋଜନ ଦକ୍ଷତାକୁ ପୁଣି ଥରେ ପ୍ରତିପାଦିତ କରିପାରିବ।
ହେଲେ ଓଡ଼ିଶାରେ ଯଦି ଟିଟିର ସ୍ଥିତି ତଥା ବିକାଶ କଥା ବିଚାରକୁ ନିଆଯାଏ, ତାହେଲେ ଏହି ଖେଳ କଟକ, ଭୁବନେଶ୍ବର ଓ ପୁରୀ ଭଳି ସହର ଭିତରେ ଆପାତତଃ ସୀମିତ। ସଂପ୍ରତି ରାଜ୍ୟ ସରକାର ଅବଶ୍ୟ ବିଭିନ୍ନ ସ୍ଥାନରେ ଟିଟି ଭିତ୍ତିଭୂମି ବଢ଼ାଇବାକୁ ଅଗ୍ରାଧିକାର ଦେଉଛନ୍ତି। ଓଡ଼ିଶା ଟିଟି ସହ ଗତ ଦେଢ଼ ଦଶନ୍ଧି ହେବ ଜଡ଼ିତ ଥିବା ତଥା ଅନେକଥର ଓଡ଼ିଶା ଟିଟି ଦଳର ପ୍ରବନ୍ଧକ ଦାୟିତ୍ବ ତୁଲାଇଥିବା ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ଦେବୀ ମହାନ୍ତିଙ୍କ ଅନୁସାରେ ଓଡ଼ିଶାରେ ଏବେ ପାଖାପାଖି ୧୫୦୦-୨୦୦୦ ପିଲା ଟିଟି ଖେଳୁଛନ୍ତି। ଭୁବନେଶ୍ବରର ଲକ୍ଷ୍ମୀସାଗର ଏବଂ ସହିଦନଗରରେ କ୍ରୀଡ଼ା ବିଭାଗ ପକ୍ଷରୁ ଟିଟି ଭିତ୍ତିଭୂମି ଓ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଇଛି। କଟକର ସିଡିଏସ୍ଥିତ ଷ୍ଟାଡିୟମ୍ରେ ସବୁଠୁ ଅଧିକ ପିଲା ଟିଟି ଖେଳୁଛନ୍ତି। ଏଠାରେ ପୂର୍ବତନ ଭାରତୀୟ ପ୍ରଶିକ୍ଷକ ରାଜ ସୁବ୍ରମଣ୍ୟମଙ୍କ ସହ ୩ଜଣ ପ୍ରଶିକ୍ଷକ ପ୍ରଶିକ୍ଷଣ ଦେଉଛନ୍ତି। ୱାଇଜିଟିଟିଏ ଟେବୁଲ୍ ଟେନିସ୍ ପ୍ରତିଯୋଗିତାରେ ପୂର୍ବଠାରୁ ଅଧିକ ପିଲା ଅଂଶଗ୍ରହଣ କରୁଛନ୍ତି। ଏଣୁ ପ୍ରୋତ୍ସାହନ ଓ ପ୍ରଚାରପ୍ରସାର ମିଳିଲେ ଓଡ଼ିଶା ଟିଟିରେ ନିଶ୍ଚିତ ଆଗକୁ ବଢ଼ି ପାରିବ। ଗତବର୍ଷ ଓଡ଼ିଶା କନିଷ୍ଠ ଦଳ ଜାତୀୟ ପ୍ରତିଯୋଗିତାର ତୃତୀୟ ସ୍ଥାନରେ ରହିବା ଏହାର ଏକ ବଳିଷ୍ଠ ଉଦାହରଣ। ସେହିଭଳି ଓଡ଼ିଆ ପୁଅ ସତୀଶ ଆର୍ଯ୍ୟ ଏବେ ଜାତୀୟ ୧୭ବର୍ଷରୁ କମ୍ ବର୍ଗରେ ଦେଶର ଏକନମ୍ବର ଖେଳାଳି। କନିଷ୍ଠରେ ଆମେ ଭଲକରୁଛୁ। ବରିଷ୍ଠରେ କିଭଳି ଭଲକରିପାରିବୁ ସେ କଥା ଅନୁଶୀଳନ ହେବା ଉଚିତ। ଏସୀୟ ଦଳଗତ ଟିଟିର ଆୟୋଜନ ଏହି ଦିଗରେ ଏକ ବଡ଼ ପଦକ୍ଷେପ ହୋଇପାରେ।