ଭାରତ ଗସ୍ତ ପାଇଁ ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ଦଳ: ନର୍ଖିୟା, ପାର୍ଣ୍ଣେଲ୍ଙ୍କ ପ୍ରତ୍ୟାବର୍ତନ
ଜୋହାନ୍ସବର୍ଗ: ଆସନ୍ତା ମାସରେ ଭାରତ ଗସ୍ତ କରିବାକୁ ଥିବା ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ଦଳ ମଙ୍ଗଳବାର ଘୋଷିତ ହୋଇଛି। ଦ୍ରୁତ ବୋଲର ଅନରିକ୍ ନର୍ଖିୟା ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ଦଳକୁ ପ୍ରତ୍ୟାବର୍ତନ କରିଥିବା ବେଳେ ନବାଗତ ଯୁବ ବ୍ୟାଟର୍ ତ୍ରିସ୍ତାନ୍ ଷ୍ଟବ୍ସଙ୍କୁ ସାମିଲ କରାଯାଇଛି। ନର୍ଖିୟା ନିଜକୁ ପ୍ରମାଣିତ କରି ସାରିଥିବା ବେଳେ ୨୧ ବର୍ଷୀୟ ଷ୍ଟବ୍ସ ଚଳିତ ବର୍ଷ ଉଭା ହୋଇଛନ୍ତି। ଫେବ୍ରୁଆରିରେ ଘରୋଇ ଟ୍ବେଣ୍ଟି-୨୦ରେ ୧୭ ମ୍ୟାଚ୍ରୁ ୫୦୬ ରନ୍ ସଂଗ୍ରହ କରିଥିବା ଷ୍ଟବ୍ସଙ୍କୁ ଗତ ମାସରେ ମୁମ୍ବାଇ ଇଣ୍ଡିଆନ୍ସ ଆହତ ଟାଇମଲ୍ ମିଲ୍ସଙ୍କ ବଦଳରେ ଚୁକ୍ତିବଦ୍ଧ କରିଥିଲା। ଷ୍ଟବ୍ସ କିନ୍ତୁ ଗତ ଗୁରୁବାର ମୁମ୍ବାଇର ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ଚେନ୍ନାଇ ସୁପର୍ କିଙ୍ଗ୍ସ ବିପକ୍ଷରେ ଆଇପିଏଲ୍ ପଦାର୍ପଣ କରି ଦ୍ବିତୀୟ ବଲ୍ରେ ମୁକେଶ ଚୌଧୁରୀଙ୍କ ଦ୍ବାରା ବୋଲ୍ଡ ହୋଇଯାଇଥିଲେ। ଦକ୍ଷିଣ ଆଫ୍ରିକା ଦଳରେ ସ୍ଥାନ ପାଇଥିବା ଅଧିକାଂଶ ଖେଳାଳି ବର୍ତମାନ ଆଇପିଏଲ୍ ଖେଳୁଥିବାରୁ ଏହା ଫାଇଦା ଦେବ ବୋଲି କ୍ରିକେଟ୍ ଦକ୍ଷିଣ ଆଫ୍ରିକା ଚୟନ ସମିତି ଆବାହକ ଭିକ୍ଟର ମିତ୍ସାଙ୍ଗ ପ୍ରକାଶ କରିଛନ୍ତି। ଗତ ନଭେମ୍ବରରେ ଶେଷ ହୋଇଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଆହତ କାରଣରୁ ନର୍ଖିୟା ଦଳର ପରବର୍ତୀ ୧୪ ମ୍ୟାଚ୍ ଖେଳିପାରିନାହାନ୍ତି। ଏହି କାରଣରୁ ସେ ଦିଲ୍ଲୀ କ୍ୟାପିଟାଲ୍ସର ୧୩ ମ୍ୟାଚ୍ରୁ ମଧ୍ୟ ମାତ୍ର ୫ଟି ଖେଳିଛନ୍ତି। ଅନ୍ୟପକ୍ଷରେ ଦୀର୍ଘ ୫ ବର୍ଷ ପରେ ଦଳକୁ ଫେରିଛନ୍ତି ଦ୍ରୁତ ବୋଲର ୱେନ୍ ପାର୍ଣ୍ଣେଲ୍। ଷ୍ଟବ୍ସଙ୍କ ସହିତ ବିୟନ୍ ଫର୍ଟୁନ୍, ୱିଆନ୍ ମଲ୍ଡର୍ ନୂଆ ମୁହଁ ଭାବେ ଦଳରେ ସ୍ଥାନ ପାଇଛନ୍ତି।
ଅଷ୍ଟ୍ରେଲିଆରେ ଅକ୍ଟୋବର-ନଭେମ୍ବରରେ ଖେଳାଯିବାକୁ ଥିବା ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ଭାରତ-ଦକ୍ଷିଣ ଅଫ୍ରିକା ପାଇଁ ଏହି ଶୃଙ୍ଖଳା ପ୍ରସ୍ତୁତିର ଶୁଭାରମ୍ଭ ହେବ। ଏହି ଫର୍ମାଟରେ ଭାରତ ୧ ନମ୍ବର ଓ ଦକ୍ଷିଣ ଆଫ୍ରିକା ୪ ନମ୍ବର ରହିଛି। ଜୁନ୍ ୯, ୧୨, ୧୪, ୧୭, ୧୯ ତାରିଖରେ ଏହି ଶୃଙ୍ଖଳାର ମ୍ୟାଚ୍ଗୁଡ଼ିକ ଯଥାକ୍ରମେ ଦିଲ୍ଲୀ, କଟକ, ବିଶାଖାପାଟଣା, ରାଜକୋଟ, ବେଙ୍ଗାଲୁରୁରେ ଖେଳାଯିବ।
ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ଦଳ: ତମ୍ବା ବଭୁମା (ଅଧିନାୟକ), କ୍ବିଣ୍ଟନ୍ ଡି’କକ୍, ରିଜା ହେଣ୍ଡ୍ରିକ୍ସ, ହେନରିକ୍ କ୍ଲାସେଁ, କେଶବ ମହାରାଜ, ଏଦୈନ ମର୍କରାମ, ଡେଭିଡ୍ ମିଲର, ଲୁଙ୍ଗି ଏନ୍ଗିଡି, ଅନରିକ୍ ନର୍ଖିୟା, ୱେନ୍ ପାର୍ଣ୍ଣେଲ୍, ଡ୍ବାନ୍ ପ୍ରିଟୋରିୟସ୍, କାଗିସୋ ରବାଦା, ତାବ୍ରାଇଜ୍ ସାମସୀ, ତ୍ରିସ୍ତାନ୍ ଷ୍ଟବ୍ସ, ରାଜି ଭାନ୍ ଡେର୍ ଦସେନ୍, ମାର୍କୋ ଜାନ୍ସେନ୍।