କୋଭିଡ୍‌-୧୯ ଟିକା ବାହାରିବା ପୂର୍ବରୁ କ୍ରୀଡ଼ା ସ୍ବାଭାବିକ ସ୍ଥିତିକୁ ଫେରିପାରିବ ତ? ଅପେକ୍ଷା ହିଁ ଏକମାତ୍ର ବିକଳ୍ପ

କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ସାଂପ୍ରତିକ କରୋନା ମହାମାରୀ ସାରା ବିଶ୍ବରେ କ୍ରୀଡ଼ାକୁ କବଳିତ କରିରଖିଛି। ସେହି ଦୃଷ୍ଟିରୁ ଭାରତରେ ମଧ୍ୟ କ୍ରୀଡ଼ାଜଗତ ପୂରା ଠପ୍‌ ହୋଇଯାଇଛି। ପୁଣି ଥରେ ପ୍ରତିଯୋଗିତା ଆୟୋଜନ କେବେ ହେବ ସେନେଇ ସମସ୍ତେ ସନ୍ଦେହରେ। ଅପେକ୍ଷାର ଧୈର୍ଯ୍ୟ ବନ୍ଧ ଭାଙ୍ଗିବାକୁ ବସିଥିଲା ବେଳେ ପ୍ରକୃତରେ କରୋନା ସଂକଟ ଟଳିଯିବା ପରେ ପରେ କ’ଣ କ୍ରୀଡ଼ା ପୂର୍ବସ୍ଥିତିକୁ ଫେରିଆସିବ? କୋଭିଡ୍‌-୧୦ ଟିକା ବାହାରିଯିବା ପରେ କ’ଣ କ୍ରୀଡ଼ାଜଗତ ଜୀବନ୍ତ ହୋଇଉଠିବ? ପୂର୍ବପରି କ’ଣ ଦର୍ଶକମାନେ ଷ୍ଟାଡିୟମ୍‌କୁ ଫେରିବେ? ସେମାନଙ୍କୁ କ’ଣ ଷ୍ଟାଡିୟମ୍‌କୁ ପ୍ରବେଶ ପାଇଁ ଅନୁମତି ମିଳିବ? ଏଭଳି ନାନା ପ୍ରଶ୍ନ ଏବେ ଉଭୟ ଏବର ଓ ପୂର୍ବତନ କ୍ରୀଡ଼ାବିତ୍‌, ପ୍ରଶିକ୍ଷକ ଏବଂ କ୍ରୀଡ଼ା ପ୍ରଶାସକଙ୍କୁ ଅଥୟ କରିସାରିଲାଣି। କରୋନା ବିପକ୍ଷ ଲଢ଼େଇ ପରେ କ୍ରୀଡ଼ା ଦୁନିଆ ପୁଣି ଥରେ ଚଳଚଞ୍ଚଳ ହେବ। ସବୁକିଛି ପୂର୍ବ ସ୍ଥିତିକୁ ଫେରିଆସିବ ବୋଲି ଅବଶ୍ୟ ଅଧିକାଂଶ କ୍ରୀଡ଼ା ବିଶେଷଜ୍ଞମାନେ ମତ ରଖିଛନ୍ତି। ହେଲେ ଏଥିପାଇଁ ନିର୍ଦିଷ୍ଟ କେତେ ସମୟ ଲାଗିବ ତାହା କହିବା କଷ୍ଟକର ବୋଲି ସେମାନେ ମତ ରଖିଛନ୍ତି। ସ୍ବାଭାବିକସ୍ତରକୁ ଫେରିବା ଏବେ ସହଜ ହେବନି। ତଥାପି ପ୍ରୟାସ ବଳରେ କିଛି ଖେଳ ଆଗୁଆ ସମ୍ଭବ ହୋଇପାରିବ ବୋଲି କହିଛନ୍ତି। ଆମେ ଏଠାରେ ସେଭଳି ବିଭିନ୍ନ ବର୍ଗର ୧୦ ଜଣ ବିଶେଷଜ୍ଞଙ୍କ ମତ ଉପସ୍ଥାପନ କରୁଛୁ। ଆସନ୍ତୁ ଦେଖିବା ସେମାନେ କ’ଣ କହୁଛନ୍ତି।

ପୁଲେଲା ଗୋପୀଚାନ୍ଦ
(ଜାତୀୟ ବ୍ୟାଡ୍‌ମିଣ୍ଟନ୍‌ ମୁଖ୍ୟ ପ୍ରଶିକ୍ଷକ)

କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ପାଇଁ କଷ୍ଟକର ସମୟ। ହେଲେ ମୋ ମତରେ କ୍ରୀଡ଼ା କଦାପି ବନ୍ଦ ହେବା ଉଚିତ ନୁହେଁ। ମୁଁ ଭାବୁଛି, ସୀମିତ ଯାତ୍ରା ଓ ସୁଯୋଗ ସହିତ ଆମେ ଖେଳିପାରିବା, ଆମେ ନିହାତି ପକ୍ଷେ କ୍ଲଷ୍ଟର ଓ ସ୍ଥାନୀୟ ଇଭେଣ୍ଟ ଧୀରେଧୀରେ ଆରମ୍ଭ କରିବା ପାଇଁ ଚେଷ୍ଟା ଚଳାଇବା ଉଚିତ। ତାହାହେଲେ ଖେଳାଳିମାନେ ପ୍ରତିଦ୍ବନ୍ଦ୍ବିତା କରିବାର ସୁଯୋଗ ପାଇବେ ଏବଂ ଲୋକମାନେ ମଧ୍ୟ ଖେଳ ଦେଖିବାର ସୁଯୋଗ ପାଇବେ। କିନ୍ତୁ ସାଧାରଣ ଭାବେ କହିବାକୁ ଗଲେ, ଏଭଳି କଲେ କୌଣସି ମତେ ବିପୁଳ ସଂଖ୍ୟକ ଜନଗହଳିକୁ ରୋକିବା ସହଜ ହେବନି। ତେଣୁ ଏପରିସ୍ଥଳେ ଆମେ କେବଳ ଟେଲିଭିଜନ୍‌ ଓ ଅନ୍‌ଲାଇନ୍‌ ଜରିଆରେ ହିଁ ପରବର୍ତୀସ୍ତରର କ୍ରୀଡ଼ାକୁ ଉପଭୋଗ କରିବା ଠିକ୍‌ ହେବ ବୋଲି ମୁଁ ଭାବୁଛି। ଏହାସତ୍ତ୍ବେ ଏଭଳି କଟକଣା ସମୟରେ ମୁଁ ସ୍ଥାନୀୟ ଖେଳ ଦେଖିବାକୁ ଭଲ ପାଇବି ବୋଲି ଗୋପୀଚାନ୍ଦ କହିଛନ୍ତି।

ବିଶ୍ବନାଥନ୍‌ ଆନନ୍ଦ
(୫ ଥର ବିଶ୍ବ ଚେସ୍‌ ବିଜେତା)

ଯଥାଶୀଘ୍ର ସମ୍ଭବ ଯୋଜନା ମୁତାବକ ସବୁ କ୍ରୀଡ଼ା ଆଗୁଆ ଆରମ୍ଭ ହେବା ଉପରେ ମୁଁ ବିଶ୍ବାସ କରେ। କ୍ରୀଡ଼ା ପୁନଃଆରମ୍ଭ ହେବା ପାଇଁ କିଛି ମାସ ଲାଗିବ ବୋଲି ଯାହା କୁହାଯାଉଛି ତାହା ଠିକ୍‌ ନୁହେଁ, ବରଂ ଯୋଜନା ଅନୁଯାୟୀ ଆଗୁଆ କ୍ରୀଡ଼ା ଆରମ୍ଭ ହୋଇଯିବା କଥା। ଏମିତି ସମୟ ଆସିବ, ଯେତେବେଳେ କ୍ରୀଡ଼ା କାର୍ଯ୍ୟକଳାପ ଆରମ୍ଭ କରିବା ସମ୍ଭବ ହେବ ଭାବିବା ଭୁଲ୍‌। ଏହାହେଲେ କ୍ରୀଡ଼ା କ୍ଷେତ୍ର ସଂକୁଚିତ ହୋଇଯିବ। ତେଣୁ ଏବେ ଅଳ୍ପ କିଛି ଇଭେଣ୍ଟ ହେଉ। ଲୋକେ ଦେଖିବା ପାଇଁ ହୁଏତ ଭିଡ଼ ଜମାଇବେନି। କିନ୍ତୁ କ୍ରୀଡ଼ା ପୁଣି ଥରେ ଆରମ୍ଭ କରିବାଟା ହିଁ ଗୁରୁତ୍ବପୂର୍ଣ୍ଣ। ପ୍ରତିଦ୍ବନ୍ଦ୍ବିତା ପୁଣି ଥରେ ଆରମ୍ଭ କରିବା ପାଇଁ କ୍ରୀଡ଼ାବିତ୍‌ମାନେ ମଧ୍ୟ କେତେଦୂର ସମର୍ଥ ତାହା ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା। ତେଣୁ ଏପରି ଘଟଣାରେ ସ୍ଥିତି ଯେବେ ପୂରା ସ୍ବାଭାବିକ ହୋଇଯିବ, ସେତେବେଳେ କ୍ରୀଡ଼ା ପ୍ରସ୍ତୁତ ହୋଇପାରିବ ବୋଲି ମୋର ଆଶା।

ଅଭିନବ ବିନ୍ଦ୍ରା
(ଅଲିମ୍ପିକ୍‌ ସ୍ବର୍ଣ୍ଣ ବିଜେତା ବନ୍ଧୁକଚାଳକ)

ଯେତେବେଳେ ଅଧିକାରୀମାନେ ନିରାପଦ ମନେକରିବେ ସେତେବେଳେ ହିଁ କ୍ରୀଡ଼ା ପ୍ରତ୍ୟାବର୍ତନ କରିବା ଉଚିତ। ଦର୍ଶକଙ୍କ ନିରାପତ୍ତାକୁ ଗୁରୁତ୍ବ ଦେଇ ଯେତେବେଳେ ଫାଙ୍କା ପଡ଼ିଆରେ ପ୍ରତିଯୋଗିତା କରିବାକୁ ଯୋଜନା କଥା ଉଠିଲା ସେତେବେଳେ ବିଶେଷ ପ୍ରତିକ୍ରିୟା ମିଳିଲାନି। ଆଥ୍‌ଲେଟ୍‌ଙ୍କ ସମେତ କ୍ରୀଡ଼ା ସହ ଜଡ଼ିତ ସମସ୍ତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ହିଁ ଗୁରୁତ୍ବପୂର୍ଣ୍ଣ। ଆଉ ‌ଯେପର୍ଯ୍ୟନ୍ତ ତାହା ଅସୁରକ୍ଷିତ ରହିଥିବ ସେପର୍ଯ୍ୟନ୍ତ ଆମେ କ୍ରୀଡ଼ାକୁ ଧୈର୍ଯ୍ୟର ସହ ଅପେକ୍ଷା କରିବା ଠିକ୍‌ ହେବ।

ଏଲିନା ନର୍ମାନ୍‌
(ହକି ଇଣ୍ଡିଆ ସିଇଓ)

ପରିସ୍ଥିତି ବା ପରିବେଶ କିପରି ରହିଛି ତାହା ବଡ଼ କଥା ନୁହେଁ, ସକାରାତ୍ମକ ଚିନ୍ତାଧାରା ସବୁବେଳ ପାଇଁ ଭଲ। କ୍ରୀଡ଼ା ସ୍ଥିର ବୋଲି ମୁଁ ବିଶ୍ବାସ କରେ। ବିଶ୍ବରେ କ୍ରୀଡ଼ା ପାଇଁ ସବୁବେଳେ ଏକ ସ୍ଥାନ ରହିଥାଏ। ତେଣୁ ଅନ୍ୟସବୁ ପରି ପୁଣି ଥରେ କ୍ରୀଡ଼ା ଫେରିବ ବୋଲି ଆମେ ସମସ୍ତେ ଆଶା ରଖିବା। କ୍ରୀଡ଼ା ସର୍ବଦା ବିଶ୍ବକୁ ଇଛା ଶକ୍ତି ଓ ଲଢ଼େଇ ପାଇଁ ସାମର୍ଥ୍ୟର ସକାରାତ୍ମକ ବାର୍ତା ଦେଇଥାଏ। ଏହା ହିଁ ବିଶ୍ବର କୋଟି କୋଟି ଲୋକଙ୍କୁ ପ୍ରେରିତ କରିବାର ଶକ୍ତି ଯୋଗାଇଥାଏ। କିନ୍ତୁ ଏବର ସମୟରେ କେବେ କ୍ରୀଡ଼ା ପୁଣି ଆରମ୍ଭ ହେବ ତାହା ସମସ୍ତଙ୍କ ମନରେ ପ୍ରଶ୍ନ ହୋଇଛି। ହେଲେ ସାଂପ୍ରତିକ ସଂକଟ ସମୟରେ ଧୈର୍ଯ୍ୟ ରଖି ଭଲ ସ୍ଥିତି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବା ହିଁ ବୁଦ୍ଧିମାନର କାମ ହେବ। ସେପର୍ଯ୍ୟନ୍ତ ଆମେ କେନ୍ଦ୍ର ସରକାର ଜାରି କରିଥିବା ମାର୍ଗଦର୍ଶିକା ଅନୁଯାୟୀ କାର୍ଯ୍ୟ କରିବା ଠିକ୍‌ ହେବ।

ଗଗନ ନାରଙ୍ଗ
(ଅଲିମ୍ପିକ୍‌ କାଂସ୍ୟ ପଦକ ବିଜେତା ବନ୍ଧୁକଚାଳକ)

ସାଂପ୍ରତିକ ପରିସ୍ଥିତିରେ ପ୍ରକୃତରେ କ୍ରୀଡ଼ା କିପରି ଫେରିବ ସେନେଇ ମୋ ପାଖରେ କିଛି ଉତ୍ତର ନାହିଁ। ସାମାଜିକ ଦୂରତା ବଜାୟ ରହିବା ସମ୍ଭବ ହେବନାହିଁ ବୋଲି ତ ରେଳ ଓ ବିମାନ ସେବା ସଂପୂର୍ଣ୍ଣ ବାତିଲ ହୋଇଯାଇଛି। ଏପରିସ୍ଥଳେ କ୍ରୀଡ଼ା କିପରି ଆରମ୍ଭ ହୋଇପାରିବ? ମୋ ମତରେ ଯେତେବେଳେ କରୋନା ସଂପୂର୍ଣ୍ଣ ନିୟଂତ୍ରଣାଧୀନ ହୋଇଯିବ ସେତେବେଳେ କ୍ରୀଡ଼ା ଫେରୁ। ହେଲେ ଏହା ବି କ’ଣ ସମ୍ଭବ? କେବଳ ଡାକ୍ତର ଓ ଭୂତାଣୁ ବିଶେଷଜ୍ଞମାନେ ହିଁ କହିପାରିବେ। ଏବେ ଅଣାୟତ ପରିସ୍ଥିତି। ତେଣୁ କ୍ରୀଡ଼ା ପୁନଃଆରମ୍ଭ ପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ।

ସୁରେଶ ରାଇନା
(ଭାରତୀୟ କ୍ରିକେଟର୍‌)

ଏବେ ଏକ କଷ୍ଟକର ପରିସ୍ଥିତି ଦେଇ ଗତିକରୁଛେ। କେବେ ଆମେ କୋଭିଡ୍‌-୧୯ରୁ ସଂପୂର୍ଣ୍ଣ ମୁକ୍ତ ହୋଇପାରିବା ସେ ନେଇ କେହି ନିଶ୍ଚିତ ନୁ‌ହଁନ୍ତି। କେବଳ ଯାହା କୋଭିଡ୍‌-୧୯ ଟିକା ବାହାରିବା ପର୍ଯ୍ୟନ୍ତ ଅପେକ୍ଷା। ତେଣୁ କ୍ରୀଡ଼ା ପ୍ରତ୍ୟାବର୍ତନ ପାଇଁ ବୈଷୟିକ ଜ୍ଞାନ କୌଶଳ ହିଁ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ। ଅତି କମ୍‌ ସଂଖ୍ୟକ ଷ୍ଟାଫ୍‌ଙ୍କୁ ନେଇ ଏକ ଘରୋଇ ଢାଞ୍ଚାରେ କିପରି ମ୍ୟାଚ୍‌ ଖେଳାଯାଇପାରିବ ଏବଂ କେବଳ ଟିଭି ଦର୍ଶକ ଥିବେ ସେଭଳି କଥା ଭାବିବା କଥା। ପୁଣି ମ୍ୟାଚ୍‌ ପୂର୍ବରୁ ସୀମିତ ଦର୍ଶକଙ୍କ ସଂଗରୋଧକୁ ମଧ୍ୟ ଗୁରୁତ୍ବ ଦେବା ଉଚିତ। ଏପରିକି ସେମାନଙ୍କୁ ପରୀକ୍ଷା ପରେ ଷ୍ଟାଡିୟମ୍‌କୁ ପ୍ରବେଶ ଅନୁମତି ଦେବା ଉଚିତ।

ଯଶ୍‌ପାଲ ରାଣା
(ଜାତୀୟ କନିଷ୍ଠ ପିସ୍ତଲ ସୁଟିଂ ପ୍ରଶିକ୍ଷକ)

ପରବର୍ତୀ ଦୁଇ ତିନି ମାସ ଧରି କୌଣସି ପ୍ରତିଯୋଗିତା ଆୟୋଜନ ହେବା ମୁଁ ଭାବିପାରୁନି। ଆଉ ଯଦି କିଛି ପ୍ରତିଯୋଗିତାର ଯୋଜନା ରହୁଛି ତାହାଲେ ବନ୍ଧୁକଚାଳକମାନେ ମଧ୍ୟ ଯିବା ଉଚିତ ନୁହେଁ। ରେଞ୍ଜ୍‌, ଦ୍ବାରର ହ୍ୟାଣ୍ଡେଲ୍‌, ଏସ୍କାଲେଟର, ସରଞ୍ଜାମ ଓ ଯିଏ ଏହାକୁ ପରିଷ୍କାର କରୁଛି, କାବ୍‌ ନେବା, ରେଜିଷ୍ଟରରେ ଦସ୍ତଖତ କରିବା, ଗୋଟିଏ ପେନ୍‌କୁ‌ ବ୍ୟବହାର କରିବା ଭଳି ଏକାଧିକ ପ୍ରସଙ୍ଗ ଉପରେ ଦୃଷ୍ଟି ଦେବାକୁ ପଡ଼ିବ। ତୁମେ କାହିଁକି ତୁମର ଅଲିମ୍ପିକ୍‌ ଆଶାୟୀ ଆଥ୍‌ଲେଟ୍‌ଙ୍କୁ ବିପଦରେ ପକାଇବ। ‌ବରଂ ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ଅପେକ୍ଷା କର। ଅଲିମ୍ପିକ୍ସ ପୂର୍ବରୁ ଆମ ପାଖରେ ଗୋଟିଏ ବର୍ଷ ଓ କିଛି ମାସ ସମୟ ରହିଛି। ତେଣୁ ଆମେ ଅପେକ୍ଷା କରିପାରିବା। ଆମ ନିକଟରେ ଖୁବ୍‌ ଦକ୍ଷ ଦଳ ରହିଛି। ସେମାନଙ୍କୁ କରୋନା ଭଳି ମହାମାରୀ ସ୍ଥିତିରେ ପଦାକୁ ଆସିବାକୁ ଉତ୍ସାହିତ କରନ୍ତୁନି। ଆମେ ସେମାନଙ୍କୁ ସୁରକ୍ଷିତ ରଖିବା ଉଚିତ।

ଅଚନ୍ତ ଶରତ କମଲ
(ଭାରତୀୟ ଟେବୁଲ ଟେନିସ୍‌ ତାରକା)

କ୍ରୀଡ଼ା କେବେ ପ୍ରକୃତରେ ଫେରିବ ଠିକ୍‌ ସେହି କଥା ମୁଁ ବି ଭାବୁଛି। କରୋନା ଟିକା ନବାହାରିବା ପର୍ଯ୍ୟନ୍ତ କୌଣସି ବି କ୍ରୀଡ଼ା ଆୟୋଜନ କଥା ମୁଁ ଭାବିପାରୁନି। କାରଣ ଗୋଟିଏ ପ୍ରତିଯୋଗିତାରେ ସାମାଜିକ ଦୂରତା ରଖିହେବନି। ଆମେ ଏକାଠି ପାଖାପାଖି ହୋଇ ଖେଳୁଛେ, ପ୍ରଶିକ୍ଷଣ ନେଉଛେ, ହଲ୍‌ ମଧ୍ୟ ବ୍ୟବହାର କରୁଛେ। ସେହି ହଲ୍‌ରେ ସଂଖ୍ୟାଧିକ ଲୋକଙ୍କ ଗହଳି ରହିଥାଏ। ତେଣୁ କରୋନାରୁ ସଂପୂର୍ଣ୍ଣ ମୁକୁଳିବାକୁ ହେଲେ ଚଳିତ ବର୍ଷ ଶେଷ ସୁଦ୍ଧା କାହିଁକି ‌କ୍ରୀଡ଼ା ପ୍ରତିଯୋଗିତା ହେଲାଭଳି ମୋ‌ତେ ଲାଗୁନାହିଁ। ୨୦୨୧ରେ ମଧ୍ୟ ଅଲିମ୍ପିକ୍‌ ହେବା ନେଇ ନିଶ୍ଚିତ ନଥିବା ଏକ ଖବର‌ରୁ ପଢ଼ିଥିଲି। ତେଣୁ କରୋନା ଟୀକା ନବାହାରିବା ପର୍ଯ୍ୟନ୍ତ ଏକାଧିକ ଆଥ୍‌ଲେଟ୍‌ ଗୋଟିଏ ସ୍ଥାନରେ ଏକାଠି ହେବା ଏବଂ ଖେଳିବା କଥା କେମିତି ସମ୍ଭବ ହେବ। ତଥାପି ଏଭଳି ଏକ କଥା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା ବେଳେ ସବୁକିଛି ଅନିଶ୍ଚିତତତା ମଧ୍ୟରେ ଗତି କରୁଛି।

ଅଜୟ ସିଂଘାଣିଆ
(ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ସଂଘର ମହାସଚିବ)

କ୍ରୀଡ଼ାର ପୁନଃଆରମ୍ଭ ନେଇ ଏବେ କି କୌଣସି ଚିତ୍ର ସ୍ପଷ୍ଟ ନୁହେଁ। ଘରୋଇ ସୂଚୀକୁ କାର୍ଯ୍ୟକାରୀ କରିବା ଏବଂ ଆରମ୍ଭର ନିର୍ଦିଷ୍ଟ ତାରିଖ ଜାଣିବା ପୂର୍ବରୁ ଆମକୁ ଭାରତୀୟ ବ୍ୟାଡ୍‌ମିଣ୍ଟନ ସଂଘ (ବାଇ)ର କ୍ୟାଲେଣ୍ଡର ପ୍ରକାଶ କରିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଆମେ ମଧ୍ୟ ସାମାଜିକ ଦୂରତା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଚୂଡାନ୍ତ ଭଳି ଅନ୍ୟାନ୍ୟ ବିଭିନ୍ନ ପ୍ରାକ୍‌ ସତର୍କତାମୂଳକ ପଦକ୍ଷେପ ସଂପର୍କିତ ସରକାରଙ୍କ ପ୍ରୋଟୋକଲକୁ ବୁଝିବା ଜରୁରି।

ମାଇକେଲ ନବ୍ସ
(ଭାରତୀୟ ହକି ଦଳର ପୂର୍ବତନ ପ୍ରଶିକ୍ଷକ)

ସୁରକ୍ଷିତ ପରିବେଶ ଓ ପରିସ୍ଥିତିରେ ହିଁ କ୍ରୀଡ଼ା ଜଗତକୁ ସ୍ବାଭାବିକ ସ୍ଥିତିକୁ ଫେରାଇ ଆଣିବା ଦରକାର। ଏଭଳି ନିଷ୍ପତ୍ତି ବେଳେ ସବୁ ଦିଗକୁ ବିଚାରକୁ ନେବା ଉଚିତ। କାରଣ ଜୀବନଧାରଣ ଏବଂ ବଞ୍ଚିବା ଲାଗି ଅର୍ଥ ଉପାର୍ଜନ ମଧ୍ୟରେ ଗଭୀର ସଂପର୍କ ରହିଛି। ସାଂପ୍ରତିକ ସ୍ଥିତିରେ କ୍ରୀଡ଼ା ମାଲିକର କାର୍ଯ୍ୟ କରି ପାରିବ। ତଥାପି କୌଣସି ପ୍ରତି‌ଷେଧକ ବ୍ୟବସ୍ଥା କିମ୍ବା ଟୀକା ବିନା ଖେଳ ଆରମ୍ଭ କରିବା ଠିକ୍ ହେବ ନାହିଁ। ମୁଁ ଅନେକ ଡାକ୍ତରଙ୍କ ସହ ଏଥିନେଇ ଆଲୋଚନା କରିଛି। ଟିକା ହିଁ କରୋନାର ସଠିକ୍ ଉତ୍ତର ବୋଲି ସେମାନେ ମତ ରଖିଛନ୍ତି। ନଚେତ ଆମକୁ ଏଚ୍ଆ‌ଇଭି ନିୟନ୍ତ୍ରଣ ଭଳି ବ୍ୟବସ୍ଥା କରିବାକୁ ହେବ। ପ୍ରଶଂସକଙ୍କ କଥା କହିଲେ, ସେମାନଙ୍କୁ ସାମାଜିକ ଦୂରତ୍ବ ମାନିବାକୁ କୁହାଯିବା ସହ ତ୍ବରିତ ପରୀକ୍ଷଣ ବ୍ୟବସ୍ଥାକୁ ଆପଣା ଯାଇ ପାରିବ।

ସମ୍ବନ୍ଧିତ ଖବର