କ୍ରୀଡ଼ା ପ୍ରେମୀ ଥିଲେ ‘ଟ୍ରାଜେଡି କିଙ୍ଗ୍‌’

ମୁମ୍ବାଇ: ଟ୍ରାଜେଡି କିଙ୍ଗ୍, ମହାନ ଅଭିନେତା ଏବଂ ପ୍ରସିଦ୍ଧ ‘ମୋଗ୍‌ଲେ ଆଜମ’ ଚଳଚ୍ଚିତ୍ରର ‘ସଲିମ୍’ ଦିଲୀପ କୁମାର ଆଉ ନାହାନ୍ତି। ବୁଧବାର ୯୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। ସେଥିପାଇଁ କେବଳ ଭାରତବର୍ଷ ନୁହେଁ ସମଗ୍ର ବିଶ୍ବରେ ଥିବା ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି। ଦିଲୀପଙ୍କ ଆବର୍ତ୍ତମାନ କ୍ରୀଡ଼ା ଜଗତ ପାଇଁ ମଧ୍ୟ ଏକ ଅପୂରଣୀୟ କ୍ଷତି। କାରଣ ଏହି କିଂବଦନ୍ତି ଅଭିନେତା ହୃଦୟର ଗଭୀରତ କୋଣରୁ କ୍ରୀଡ଼ାକୁ ଭଲପାଉଥି‌ଲେ। ଯାହା ତାଙ୍କ ବିଭିନ୍ନ ପୁରୁଣା ଫଟୋରୁ ସ୍ପଷ୍ଟ ‌ହୋଇଥାଏ।

ଦିଲୀପ ସୁଟିଂ ସେଟ୍‌ରେ ଅନେକ ସମୟରେ ସାଥୀ ଖେଳାଳିଙ୍କ ସହ କ୍ରିକେଟ୍ ଖେଳୁଥିଲେ। ଏପରିକି ସେ ଧୋତି ପିନ୍ଧି କ୍ରିକେଟ୍ ଖେଳୁଥିବାର ସ୍ମୃତି ବହନ କରୁଥିବା ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ତେବେ ଦିଲୀପ ସବୁ ଖେଳ ଭିତରୁ ‘ସୁନ୍ଦର ଖେଳ’ ଫୁଟବଲ୍‌କୁ ସର୍ବାଧିକ ଭଲ ପାଉଥିଲେ। ଏକଥା ଦାବି କରିଛି ସର୍ବଭାରତୀୟ ଫୁଟବଲ୍ ମହାସଂଘ। ମହାସଂଘ ମଧ୍ୟ ‌ଦେଶର ଅନ୍ୟତମ ସମ୍ମାନଜନକ ଫୁଟବଲ୍ ପ୍ରତିଯୋଗିତା ଥିବା ରୋଭର୍ସ କପ୍‌ର ୧୯୭୨-୭୩ ସଂସ୍କରଣରେ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କ ସହ ପରିଚୟ ହେଉଥିବାର ଏକ କଳା ଧଳା ଫଟୋ ପ୍ରକାଶ କରିଛି। ବିଗତ ଦିନର ଅନେକ ମହାନ ଫୁଟବଲ୍ ଖେଳାଳି ମଧ୍ୟ ଦିଲୀପଙ୍କ ଫୁଟବଲ୍ ପ୍ରେମ ବିଷୟରେ ବିସ୍ତୃତ ବିବରଣୀ ଦେଇଛନ୍ତି।

ପୂର୍ବତନ ଭାରତୀୟ ରକ୍ଷଣଭାଗ ଖେଳାଳି ସୁବ୍ରତ ଭଟ୍ଟାଚାର୍ଯ୍ୟ ଯିଏକି ୧୯୮୪ ଏଏଫ୍‌ସି ଏସିଆନ୍ କପ୍ ଖେଳିଥିବା ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଥିଲେ, ଦିଲୀପ ସହାବଙ୍କ ସହ କଟାଇଥିବା ସମୟକୁ ରୋମନ୍ଥନ କରି କହିଛନ୍ତି ଯେ ସେ ଅନେକ ସମୟରେ ରୋଭର୍ସ କପ୍ ଦେଖିବାକୁ ଆସୁଥିଲେ। ୧୯୭୮-୭୯ ମସିହାରେ କାଶ୍ମୀରରେ ଖେଳାଯାଇଥିବା ସନ୍ତୋଷ ଟ୍ରଫି ଫାଇନାଲ୍‌ର ମୁଖ୍ୟ ଅତିଥି ଥିଲେ। ଯେତେବେଳେ ବି ଭେଟୁଥିଲେ ଫୁଟବଲ୍ କଥା ଚର୍ଚ୍ଚା କରୁଥିଲେ। ୧୯୭୦ରେ ଏସୀୟ କ୍ରୀଡ଼ାରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ଫୁଟବଲ୍ ଦଳର ସଦସ୍ୟ ସୁବାଷ ଭୌମିକ ଓ ପୂର୍ବତନ ଅନ୍ତର୍ଜାତୀୟ ଫୁଟବଲର୍‌ ପ୍ରଶାନ୍ତ ବାନାର୍ଜୀ ପ୍ରମୁଖ ଦିଲୀପଙ୍କ ନିଧନରେ ଗଭୀର ଶୋକବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର