୨୦ ବର୍ଷରୁ କମ୍‌ ବିଶ୍ବ ଦୌଡ଼କୁଦ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ୨୦ ବର୍ଷରୁ କମ୍‌ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାର ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ନାଇରୋବିରେ ଆୟୋଜିତ ଏହି ପ୍ରତିଯୋଗିତାରେ ୨ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ସହ ମୋଟ ୩ ପଦକ ଭାରତ ଜିତିଥିଲା। ଯାହା ୨୦ ବର୍ଷରୁ କମ୍‌ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ଇତିହାସରେ ଭାରତର ଶ୍ରେଷ୍ଠ ସଫଳତା। ଲମ୍ବ ଡିଆଁରେ ଶାଇଲି ସିଂହ ଓ ୧୦,୦୦୦ ମିଟର ରେସ୍ ଚାଲିରେ ଅମିତ ଖତ୍ରୀ ରୌପ୍ୟ ଏବଂ ବାରାଥ ଶ୍ରୀଧର, ପ୍ରିୟା ମୋହନନ, ସୁମି ଓ କପିଳଙ୍କୁ ନେଇ ଗଠିତ ୪ ଗୁଣା ୪୦୦ ମିଟର ମିଶ୍ରିତ ଭାରତୀୟ ଦଳ କାଂସ୍ୟ ପଦକ ଜିତିଥିଲା। ସମ୍ବର୍ଦ୍ଧନା ଉତ୍ସବରେ ଏହି ସମସ୍ତ ଖେଳାଳିଙ୍କ ସହ ବିଶ୍ବ ପ୍ରତିଯୋଗିତା ଲମ୍ବଡିଆଁ ପଦକ ବିଜେତା ଅଂଜୁ ବବି ଜର୍ଜ, ମୁଖ୍ୟ ପ୍ରଶିକ୍ଷକ (କନି‌ଷ୍ଠ) କମଲ ଅଲୀ ଖାନ ଏବଂ କ୍ରୀଡ଼ା ବିଭାଗ, ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍‌ଆଇ) ଓ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅନୁରାଗ ଖେଳାଳିମାନଙ୍କୁ କହିଥିଲେ ଯେ ‘‘ଆମେ କେବଳ ତୁମମାନଙ୍କଠୁ ପଦକ ଆଶା କରୁନୁ। ତୁମେମାନେ ଅନ୍ୟମାନଙ୍କ ପାଇଁ ଆଦର୍ଶ। କରୋନା ମହାମାରୀ ଭଳି ସମୟରେ ମଧ୍ୟ ତୁମେ କଠିନ ଯାତ୍ରାରେ ସଫଳତା ପାଇଛ। ମୁଁ ଅଶ୍ବାସନା ଦେଉଛି ତୁମର କ୍ରୀଡ଼ା ଯାତ୍ରା ପାଇଁ ଆମେ ‌ସବୁପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ’’।

ସମ୍ବନ୍ଧିତ ଖବର