କଲମ୍ବୋ: ଦ୍ରୁତ ବୋଲର ସେହାନ୍ ମଦୁଶଙ୍କାଙ୍କୁ ମଙ୍ଗଳବାର ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ସମସ୍ତ ପ୍ରକାର କ୍ରିକେଟ୍ରୁ ନିଲମ୍ବିତ କରିଛି। ନିଜ ପାଖରେ ହେରୋଇନ୍ ମହଜୁଦ୍ ରଖିଥିବା ଅପରାଧରେ ଗିରଫ ହେବାର ଦୁଇ ଦିନ ପରେ ସିଂହଳୀ ବୋର୍ଡ ତାଙ୍କୁ ନିଲମ୍ବିତ କରିଛି। ଏହି ୨୫ ବର୍ଷ ବୟସ୍କ ଡାହାଣହାତୀ ବୋଲର ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ କାର୍ ଚଳାଇ ଯାଉଥିଲା ବେଳେ ରବିବାର ପୁଲିସ ଅଟକାଇଥିଲା। ସେତେବେଳେ ତାଙ୍କ ପାଖରେ ୨ ଗ୍ରାମ୍ ଓଜନର ନିଶାଦ୍ରବ୍ୟ ରଖିଥିବା ପୁଲିସ ସନ୍ଧାନ ପାଇଥିଲା।
ଏହି ମାମଲାରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଆଉ ମଙ୍ଗଳବାର ଶ୍ରୀଲଙ୍କା ବୋର୍ଡ ତାଙ୍କୁ ନିଲମ୍ବିତ କରିଛି। ମଦୁଶଙ୍କା ୨୦୧୮ ଜାନୁଆରିରେ ଶ୍ରୀଲଙ୍କା ପକ୍ଷରୁ ଦିନିକିଆ ଆନ୍ତର୍ଜାତିକ ପଦାର୍ପଣ କରିଥିଲେ। ବାଂଲାଦେଶ ବିପକ୍ଷ ସେହି ପଦାର୍ପଣ ମ୍ୟାଚ୍ରେ ହ୍ୟାଟ୍ରିକ୍ (କ୍ରମାଗତ ୩ ୱିକେଟ୍) ଅର୍ଜନ କରିଥିଲେ। ସେହିବର୍ଷ ସେ ମଧ୍ୟ ବାଂଲାଦେଶ ବିପକ୍ଷରେ ୨ଟି ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଥିଲେ। ହେଲେ ଆହତ ଯୋଗୁଁ ସେବେଠାରୁ ସେ ଆଉ ଆନ୍ତର୍ଜାତିକ ମ୍ୟାଚ୍ ଖେଳିପାରିନଥିଲେ। ନିଶାଦ୍ରବ୍ୟ ହେରୋଇନ୍ ରଖିଥିବା ଅପରାଧରେ ଗିରଫ ହେବା ପରେ ତାଙ୍କୁ ନିଲମ୍ବିତ କରାଯାଇଥିଲା ବେଳେ ଅନ୍ତଃ ଶୃଙ୍ଖଳାଗତ ତଦନ୍ତ ଜାରି ରହିବ ବୋଲି ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ସଂପାଦକ ମୋହନ ଡି ସିଲ୍ଭା କହିଛନ୍ତି। ତଦନ୍ତ ନସରିବା ପର୍ଯ୍ୟନ୍ତ ସେ କୌଣସି ପ୍ରକାର କ୍ରିକେଟ୍ରେ ଅଂଶଗ୍ରହଣ କରପାରିବେନି ବୋଲି ସିଲ୍ଭା କହିଛନ୍ତି।