ଭୁବନେଶ୍ବର: ଓଡ଼ିଶା ଦୌଡ଼କୁଦ ସଂଘ ଆନୁକୂଲ୍ୟରେ କିଟ୍ ବିଶ୍ବବିଦ୍ୟାଳୟସ୍ଥିତ ଦୂତି ଚାନ୍ଦ ଆଥ୍ଲେଟିକ୍ ଷ୍ଟାଡିୟମରେ ଆୟୋଜିତ ୬୯ତମ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା ରବିବାର ଉଦ୍ଯାପିତ ହୋଇଯାଇଛି। ଏଥିରେ କଟକ ଦଳ ବିଜେତା ଏବଂ ସୁନ୍ଦରଗଡ଼ ଉପବିଜେତା ହୋଇଛି। ଏହି ପ୍ରତିଯୋଗିତାରେ ୧୭୦୦ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିଲେ। ପ୍ରଥମ ଥର ଲାଗି ଏହି ପ୍ରତିଯୋଗିତାରେ ୪୧ଟି ନୂଆ କୀର୍ତ୍ତିମାନ ଦେଖିବାକୁ ମିଳିଥିଲା। ଚତୁର୍ଥ ତଥା ଶେଷ ଦିନରେ ୨ ରାଜ୍ୟ ଏବଂ ୧୨ ମିଟ୍ କୀର୍ତ୍ତିମାନ ହୋଇଥିଲା। ଓଡ଼ିଶା ପୁଲିସର ଅଶୋକ ଦଣ୍ଡସେନା ବ୍ୟକ୍ତିଗତ ଭାବେ ଦ୍ବିତୀୟ ରାଜ୍ୟ କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ପୁରୁଷ ୧୦୦୦୦ ମିଟର ଦୌଡ଼କୁ ସେ ୩୧:୨୪.୬ ସେକେଣ୍ଡରେ ଶେଷ କରି କଟକର ଟି.କେ ତିର୍କି (୩୧:୩୬.୦)ଙ୍କ କୀର୍ତ୍ତିମାନ ଭାଙ୍ଗିଥିଲେ। ତିର୍କିଙ୍କ ନାମରେ ଏହି କୀର୍ତ୍ତିମାନ ୧୯୮୦ରୁ ଅତୁଟ ରହିଥିଲା।
ପ୍ରଥମ ଦିନରେ ଅଶୋକ ୫୦୦୦ ମିଟର ଦୌଡ଼ରେ ନୂଆ କୀର୍ତ୍ତିମାନ କରିଥିଲେ। ୧୮ ବର୍ଷରୁ କମ୍ ବାଳିକା ସଟ୍ପୁଟ୍ରେ ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳଙ୍କ ଝିଅ କଟକର ଆଂଶିକା ରାଉତରାୟ ନୂଆ କୀର୍ତ୍ତିମାନ କରିଛନ୍ତି। ସେ ୧୧.୭୫ ମିଟର୍ ସଟ୍ପୁଟ୍ ଫିଙ୍ଗି ପୂର୍ବ କୀର୍ତ୍ତିମାନ ୧୧.୪୩ ମିଟରକୁ ଡେଇଁଥିଲେ। ସୁନ୍ଦରଗଡ଼ର ମାରି ମୁକ୍ତା ସୋରେଙ୍ଗ ୨୦ ବର୍ଷରୁ କମ୍ ବାଳିକା ଟ୍ରିପଲ ଜମ୍ପ୍ରେ ୧୧.୪୯ ମିଟର ଡେଇଁ ପୂର୍ବ କୀର୍ତ୍ତିମାନ ୧୧.୪୦ ମିଟରକୁ ଭାଙ୍ଗିଥିଲେ। ୨୦ ବର୍ଷରୁ କମ୍ ବାଳକ ୨୦୦ ମିଟରରେ ଭୁବନେଶ୍ବରର ଆର୍ଯ୍ୟନ ଏକ୍କା (୨୨.୦ ସେକେଣ୍ଡ) ନୂଆ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ୧୪ ବର୍ଷରୁ କମ୍ ବାଳିକାରେ ଭୁବନେଶ୍ବର ଓ ବାଳକରେ କେନ୍ଦୁଝର ବିଜେତା ହୋଇଛି। ସେହିଭଳି ୧୬ ବର୍ଷରୁ କମ୍ ବାଳିକାରେ ଜଗତସିଂହପୁର ଏବଂ ବାଳକରେ ଭୁବନେଶ୍ବର ଏବଂ ୧୮ ଓ ୨୦ ବର୍ଷରୁ କମ୍ ବାଳିକାରେ ସୁନ୍ଦରଗଡ଼ ବୀଜେତା ହୋଇଥିଲା। ୧୮, ୨୦, ୨୩ ବର୍ଷରୁ କମ୍ ବାଳକ ସହ ୨୩ ବର୍ଷରୁ କମ୍ ବାଳିକା ଓ ପୁରୁଷରେ କଟକ ଟ୍ରଫି ହାତେଇଥିଲା। ମହିଳାରେ ଓଡ଼ିଶା ପୁଲିସକୁ ଟ୍ରଫି ମିଳିଥିଲା।
ରବିବାର ଉଦ୍ଯାପନୀ ଉତ୍ସବରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନା, ସିଓଓ ଗ୍ରୁପ୍ କ୍ୟାପ୍ଟେନ ଦିନେଶ ସୁରି, ଓଡ଼ିଶା ଦୌଡ଼କୁଦ ସଂଘ (ଓଏଏ) ସମ୍ପାଦକ ଆଶୀର୍ବାଦ ବେହେରା, ଓଡ଼ିଶା କ୍ରିକେଟ୍ ସଂଘ ଉପସଭାପତି ପଙ୍କଜ ଲୋଚନ ମହାନ୍ତି, ଓଏଏର ସଭାପତି ଜିଏସ୍ ପଟ୍ଟନାୟକ, ଉପସଭାପତି ଦୁଲାଲ ଚନ୍ଦ୍ର ପ୍ରଧାନ, ଯୁଗ୍ମ ସମ୍ପାଦକ ରବି ନାୟକ, ଓଡ଼ିଶା ଅଲିମ୍ପିକ୍ ସଂଘ କୋଷାଧ୍ୟକ୍ଷ ରବି ପ୍ରତିହାରୀ, ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳ ଏବଂ କିଟ୍ ଓ କିସ୍ର କ୍ରୀଡ଼ା ମହାପ୍ରବଂଧକ ଗଗନେନ୍ଦୁ ଦାଶ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।