ଆଜିଠୁ ବୌଦ୍ଧ ଓ କନ୍ଧମାଳରେ ରାଜ୍ୟ ଭଲିବଲ୍‌: ଭାଗନେବେ ୧୫୦୦ ଖେଳାଳି ପ୍ରଥମ ଥର ପାଇଁ ପୁରସ୍କାର ବ୍ୟବସ୍ଥା

ଭୁବନେଶ୍ବର: ଆସନ୍ତାକାଲିଠାରୁ ୬୯ତମ ବରିଷ୍ଠ ରାଜ୍ୟ ଭଲିବଲ୍‌ (ପୁରୁଷ ଓ ମହିଳା) ଏବଂ ପାରମ୍ପରିକ ଭଲିବଲ୍‌ (ସୁଟିଂ) ପ୍ରତିଯୋଗିତାର ପ୍ରଥମ ସଂସ୍କରଣ ଆରମ୍ଭ ହେବ। ଏହି ୪ ଦିନିଆ ପ୍ରତିଯୋଗିତା ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ୬ ଭେନ୍ୟୁରେ ଆୟୋଜିତ ହେବ। ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ଏହି ପ୍ରତିଯୋଗିତା କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଟିକାବାଲି, ରାଇକିଆ ଓ ବାଲିଗୁଡା ସାଙ୍ଗକୁ ବୌଦ୍ଧ ଜିଲ୍ଲାର ବୌଦ୍ଧ ସହରର ଦୁଇଟି ଭେନ୍ୟୁରେ ହିଁ ଅନୁଷ୍ଠିତ ହେବ। ତେବେ ଏହି ବଡ଼ ପ୍ରତିଯୋଗିତା ମୁଖ୍ୟତଃ ୬୮ ବର୍ଷ ପରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଆୟୋଜିତ ହେବ। ଓଡ଼ିଶା ସରକାର ଏବଂ କିଟ୍‌ ଓ କିସ୍‌ ଏଥିପାଇଁ ଆର୍ଥିକ ସହାୟତା ଯୋଗାଇଦେବେ। ପୁଣି କନ୍ଧମାଳ ସାଂସଦ ପ୍ରଫେସର ଅଚ୍ୟୁତ ସାମନ୍ତଙ୍କ ମାର୍ଗଦର୍ଶନରେ ଓଡ଼ିଶା ଭଲିବଲ୍‌ ସଂଘ ଏବଂ ଉଭୟ ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ଦୌଡ଼କୁଦ ସଂଘ ମିଳିତ ଭାବେ ପ୍ରଥମ ଥର ପାଇଁ ଏଭଳି ଐତିହାସିକ ପ୍ରତିଯୋଗିତାକୁ ଆୟୋଜନ କରୁଛନ୍ତି। ଏହି ପ୍ରତିଯୋଗିତାରେ ମୋଟ ୭୨ ଦଳ ଭାଗ ନେବେ। ସେଥିରେ ବରିଷ୍ଠ ରାଜ୍ୟ ପ୍ରତିଯୋଗିତାରେ ୩୨ ପୁରୁଷ ଏବଂ ୨୦ ମହିଳା ଦଳ ଅଂଶଗ୍ରହଣ କରୁଥିଲା ବେଳେ ସୁଟିଂରେ ୨୦ ପୁରୁଷ ଦଳ ସାମିଲ ହେବେ। ପୂରା ପ୍ରତିଯୋଗିତାରେ ରାଜ୍ୟର ୩୦ ଜିଲ୍ଲା ଏବଂ ୬ ୟୁନିଟ୍‌ରୁ ମୋଟ ୧୫୦୦ରୁ ଅଧିକ ପୁରୁଷ ଓ ମହିଳା ଭଲିବଲ୍‌ ଖେଳାଳିଙ୍କ ବ୍ୟତୀତ ୨୦୦ ପାଖାପାଖି ଅଫିସିଆଲ ‌ସାମିଲ ରହିବେ।

ଅନ୍ୟପକ୍ଷରେ ପାରମ୍ପରିକ ଭଲିବଲ୍‌ (ସୁଟିଂ) ପ୍ରତିଯୋଗିତାର ପ୍ରଥମ ସଂସ୍କରଣ କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ଅନୁଷ୍ଠିତ ହେବ। ଏହି କ୍ରୀଡ଼ାରେ ଅଧିକ ସୁଯୋଗ ମିଳୁନଥିବାରୁ ସ୍ଥାନୀୟ ପ୍ରତିଭାଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ଲାଗି ପାରମ୍ପରିକ ଭଲିବଲ୍‌ (ସୁଟିଂ)ର ପରିକଳ୍ପନା କାଯାଇଛି। ଓଡ଼ିଶା ଭଲିବଲ୍‌ ସଂଘ ଏବଂ ବୌଦ୍ଧ-କନ୍ଧମାଳ ଜିଲ୍ଲା ଦୌଡ଼କୁଦ ସଂଘର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହେବ।
ପ୍ରଥମ ଥର ପାଇଁ ବିଜେତା, ଉପବିଜେତା ଏବଂ ତୃତୀୟ ସ୍ଥାନ ପାଇଥିବା ‌ଖେଳାଳିଙ୍କ ପାଇଁ ପୁରସ୍କାର ରାଶି ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳି ଓ ଅଫିସିଆଲଙ୍କୁ କ୍ରୀଡ଼ା ଗଣପୋଷାକ ପ୍ରଦାନ କରାଯିବା ସହିତ ସମସ୍ତ ଦଳକୁ ଗୋଟିଏ ପଟ ଯାତାୟାତ ଖର୍ଚ୍ଚ ଦିଆଯିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ମହିଳା ପ୍ରତିଯୋଗିତାର ଉଦ୍‌ଘାଟନୀ ସମାରୋହ ବୌଦ୍ଧରେ ୧୧ ତାରିଖରେ ଏବଂ ପୁରୁଷ ଓ ସୁଟିଂ ପ୍ରତିଯୋଗିତାର ଉଦ୍‌ଘାଟନୀ ଉତ୍ସବ ଫୁଲବାଣୀରେ ଅନୁଷ୍ଠିତ ହେବ। ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପ୍ରତାପ ଜେନା, ତୁଷାରକାନ୍ତି ବେହେରା, କନ୍ଧମାଳ ସାଂସଦ, ଉଭୟ ଜିଲ୍ଲାର ବିଧାୟକ, ଜିଲ୍ଲା ପ୍ରଶାସନ, ଜିଲ୍ଲା ଦୌଡ଼କୁଦ ସଂଘର ସଦସ୍ୟମାନେ ଉତ୍ସବରେ ଉପସ୍ଥିତ ରହିବେ। କେବେ ବି ଗୋଟିଏ ରାଜ୍ୟ ପ୍ରତିଯୋଗିତା ଆୟୋଜନ କରିପାରିନଥିବା କନ୍ଧମାଳ ଓ ବୌଦ୍ଧରେ ଏଭଳି ସମ୍ମାନଜନକ ପ୍ରତିଯୋଗିତା ଆୟୋଜନ ପାଇଁ ଭଲିବଲ୍‌ ପଡ଼ିଆ ଏବଂ ଫ୍ଲଡ୍‌ ଲାଇଟ୍‌ ସୁବିଧା ଯୋଗାଇଦେଇଥିବାରୁ ଓଡ଼ିଶା ଭଲିବଲ୍‌ ସଂଘ ସାଧାରଣ ସଂପାଦକ ଡ. ଗଗନେନ୍ଦୁ ଦାଶ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର