କେନ୍ଦୁଝର: କେନ୍ଦୁଝରରେ ହ୍ୟାଣ୍ଡବଲ୍ ଖେଳକୁ ଅଧିକ ଲୋକପ୍ରିୟ କରିବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛି। ସହରର ଥାନାଛକ ନିକଟରେ ଥିବା ଶିଶୁ ଉଦ୍ୟାନରେ ନିର୍ମାଣ ହୋଇଥିବା ଆନ୍ତର୍ଜାତିକ ସ୍ତରର ହ୍ୟାଣ୍ଡବଲ୍ ଷ୍ଟାଡିୟମରେ ବିଛାଯାଇଛି ରାଜ୍ୟର ପ୍ରଥମ ସିନ୍ଥେଟିକ୍ ଟର୍ଫ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଏହାକୁ ଉଦ୍ଘାଟନ କରିଛନ୍ତି। ଏହି ସିନ୍ଥେଟିକ୍ ଟର୍ଫରେ ଖେଳିବା ଦ୍ବାରା ଖେଳାଳିଙ୍କ ଦକ୍ଷତା ବଢ଼ିବ।
ହ୍ୟାଣ୍ଡବଲ୍ ଷ୍ଟାଡିୟମରେ ସିନ୍ଥେଟିକ୍ ଟର୍ଫ ବିଛାଯିବା ସହ ଫ୍ଲଡ୍ଲାଇଟ୍ ବ୍ୟବସ୍ଥା ରହିଛି। ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର ଜିମ୍ନାସିୟମ ରହିଛି। ଏହାଛଡ଼ା ନିକଟରେ ଶିଶୁ ଉଦ୍ୟାନ, ଓପନ ଜିମ୍, ଯୋଗ କରିବାପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଏବଂ ୱାକିଂପାଥ୍ ନିର୍ମାଣ କରାଯାଇଛି। ୧.୬ ଏକର ଜମିରେ ଏହି ଷ୍ଟାଡିୟମ ନିର୍ମାଣ ହୋଇଛି। ଏଥିପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ୩ କୋଟି ୨୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏହି ଷ୍ଟାଡିୟମ ନିର୍ମାଣ ପରେ ହ୍ୟାଣ୍ଡବଲ୍ ଖେଳାଳିଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଏହି ଷ୍ଟାଡିୟମରେ ଜାତୀୟ ତଥା ଆନ୍ତର୍ଜାତିକ ସ୍ତରର ପ୍ରତିଯୋଗିତା ହୋଇପାରିବ ବୋଲି କିଛି ପୁରୁଖା ଖେଳାଳି ମତ ଦେଇଛନ୍ତି।
ଏ ସମ୍ପର୍କରେ କେନ୍ଦୁଝରରେ ରହୁଥିବା ପୂର୍ବତନ ଜାତୀୟସ୍ତରର ହ୍ୟାଣ୍ଡବଲ୍ ଖେଳାଳି ତଥା ରେଫରି ପ୍ରଣୟ ପାଣି କହିଛନ୍ତି, କେନ୍ଦୁଝର ଜିଲ୍ଲା ପ୍ରଶାସନର ଏହା ଏକ ଏୗତିହାସିକ ପଦେକ୍ଷେପ। ହ୍ୟାଣ୍ଡବଲ୍ର ବିକାଶ ପାଇଁ ଏହା ନିତ୍ୟାନ୍ତ ଆବଶ୍ୟକ ଥିଲା। ଏହି ସିନ୍ଥେଟିକ୍ ଟର୍ଫ ଦ୍ବାରା ଖେଳାଳିମାନେ ଅଧିକ ଉତ୍ସାହିତ ହେବ। ପୂର୍ବରୁ କେନ୍ଦୁଝର ଖେଳାଳିମାନେ ଖୋଲା ପଡ଼ିଆରେ ଖେଳୁଥିଲେ। ବର୍ଷା ହେଲେ ପଡ଼ିଆ କାଦୁଅ ଏବଂ ଖରା ହେଲେ ପ୍ରବଳ ଧୂଳି ଉଡ଼ୁଥିଲା। ଖେଳିବା ପାଇଁ ପ୍ରତିଦିନ ଚୂନ ପକାଇ ଅଯଥା ଖର୍ଚ୍ଚାନ୍ତ ହେଉଥିଲେ। ବର୍ତ୍ତମାନ ଆଉ ଏହି ସମସ୍ୟା ରହିବ ନାହିଁ। ରାତିରେ ମଧ୍ୟ ଖେଳାଳିମାନେ ଫ୍ଲଡ୍ଲାଇଟ୍ରେ ଅଭ୍ୟାସ କରିପାରିବେ। ବିଭିନ୍ନ ପ୍ରତିଯୋଗିତା ଆୟୋଜନ ହୋଇପାରିବ ବୋଲି ଶ୍ରୀ ପାଣି କହିଛନ୍ତି। କେନ୍ଦୁଝରର ଖେଳାଳିମାନେ ଖୋଲାପଡ଼ିଆରେ ଅଭ୍ୟାସ କରିବା ଯୋଗୁଁ ରାଜ୍ୟ ବାହାରେ ସିନ୍ଥେଟିକ୍ ଟର୍ଫରେ ଖେଳିବା ବେଳେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏଠାରେ ଅଭ୍ୟାସ କରିବା ଦ୍ବାରା ସେମାନଙ୍କ ଦକ୍ଷତା ବଢ଼ିବ। ସିନ୍ଥେଟିକ୍ ଟର୍ଫର ଉପଯୁକ୍ତ ରକ୍ଷଣାବେକ୍ଷଣ ବ୍ୟବସ୍ଥା ସାଙ୍ଗକୁ ଖେଳାଳିଙ୍କ ପାଇଁ କୋଚ୍ ନିଯୁକ୍ତ କରାଯାଉ ବୋଲି ଶ୍ରୀ ପାଣି କହିଛନ୍ତି।
ସୂଚନାଯୋଗ୍ୟ, ୧୯୭୪ ମସିହାରେ ଏସିଆଡ ଟେନିସ୍ ଅଫିସିଆଲ ସ୍ବର୍ଗତ ଦୁଃଶାସନ ଦେଓ ଓଡ଼ିଶାର କେନ୍ଦୁଝରରେ ପ୍ରଥମେ ହ୍ୟାଣ୍ଡବଲ୍ ଖେଳ ଆରମ୍ଭ କରିଥିଲେ। ସେହିବର୍ଷ କେନ୍ଦୁଝର କ୍ରୀଡ଼ାପ୍ରେମୀଙ୍କ ସହଯୋଗରେ ସହରରେ ଚତୁର୍ଥ ଜୁନିଅର ଜାତୀୟ ହ୍ୟାଣ୍ଡବଲ୍ ଚମ୍ପିଅନସିପ୍ ଆୟୋଜିତ ହୋଇଥିଲା। ପରେ କ୍ରୀଡ଼ାପ୍ରେମୀ ସ୍ବର୍ଗତ ଚୈତନ୍ୟ ସାହୁଙ୍କ ସହାୟତାରେ ଏହି ଖେଳର ପ୍ରଚାରପ୍ରସାର ଆରମ୍ଭ ହୋଇଥିଲା। ସମୟକ୍ରମେ ମୟୂରଭଞ୍ଜ, କଟକ, ସୁନ୍ଦରଗଡ଼, ଭୁବନେଶ୍ବର, ଢେଙ୍କାନାଳ, ପୁରୀ, ଗଞ୍ଜାମ, ଖୋର୍ଦ୍ଧା ଆଦି ଜିଲ୍ଲାର ଖେଳାଳିମାନେ ଏହି ଖେଳ ପ୍ରତି ଆକୃଷ୍ଟ ହୋଇଥିଲେ। କେନ୍ଦୁଝର ସହରରୁ ଇମ୍ରାନ ଖାନ୍, ସିଦ୍ଧାର୍ଥ ଗୌତମ ନନ୍ଦଙ୍କ ପରି ଆନ୍ତର୍ଜାତିକ ସ୍ତରର ହ୍ୟାଣ୍ଡବଲ୍ ବାହାରିଛନ୍ତି। ଜିଲ୍ଲାର ୩ ଶହରୁ ଊର୍ଦ୍ଧ୍ବ ଖେଳାଳି ବିଭିନ୍ନ ସରକାରୀ ପଦପଦବିରେ ନିଯୁକ୍ତି ପାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/18-6.jpg)