ନୂଆଦିଲ୍ଲୀ: ବେଦାନ୍ତ ମୁଖ୍ୟ ଅନିଲ ଅଗ୍ରୱାଲ୍ ନିଜ ସଂଘର୍ଷ କାହାଣୀକୁ ସୋସିଆଲ ମିଡିଆରେ ବିଭିନ୍ନ ଭାଗରେ ବର୍ଣ୍ଣନା କରୁଛନ୍ତି। ପ୍ରଥମ ଭାଗରେ ସେ କିଭଳି ମୁମ୍ବାଇ ଆସିଥିଲେ ଓ ବିଭିନ୍ନ ଲୋକଙ୍କଠାରୁ କରଜ କରି ଏକ ସଂସ୍ଥା କିଣିଥିଲେ ତାହା ଜଣାଇଥିଲେ। କାହାଣୀର ଦ୍ବିତୀୟ ଭାଗରେ ସେ କିଭଳି ଆମେରିକା ଯାଇଥିଲେ ତାହା ବର୍ଣ୍ଣନା କରିଛନ୍ତି।
ଅନିଲ ଲେଖିଛନ୍ତି ଯେ ମୁମ୍ବାଇରେ ଷ୍ଟର୍ଲିଂ କେବଲ କଂପାନିକୁ ୧୯୭୬ରେ କିଣିବା ଓ ତାହାର ପରିଚାଳନା କରିବା ପରେ ତାଙ୍କ ପାଇଁ ଆମେରିକା ଯିବାର ସୁଯୋଗ ସୃଷ୍ଟି ହୋଇଥିଲା। ସେତେବେଳେ ତାଙ୍କୁ ମାତ୍ର ୨୪ ବର୍ଷ ହୋଇଥିଲା। ଭଲ ଇଂରାଜି କହିପାରୁନଥିଲେ। କିନ୍ତୁ ବଡ଼ ସ୍ବପ୍ନ ଦେଖିବା ଓ ତାକୁ ପୂରଣ କରିବା ଲାଗି ତାଙ୍କ ପ୍ରବଳ ଆଗ୍ରହ ଆଗରେ ଏହି ଛୋଟ ଦୁର୍ବଳତା ହାର ମାନିଥିଲା। ଟେଲିଫୋନ୍ ତାର ତିଆରି କରିବା ଲାଗି ୧୯୮୬ରେ ସରକାର ଘରୋଇ ସଂସ୍ଥାଗୁଡ଼ିକୁ ଅନୁମତି ଦେଇଥିଲେ। ସେଥିରେ ବଡ଼ ସୁଯୋଗ ରହିଥିବା ଅନିଲ ଜାଣିପାରିଥିଲେ। ପ୍ରଥମେ ସେ ନିଜ କଂପାନିର ଆଇପିଓ ଜାରି କରି ୪ କୋଟି ଟଙ୍କା ଯୋଗାଡ଼ କରିଥିଲେ। ନିଜ କେବୁଲ ବ୍ୟବସାୟକୁ ବଢ଼ାଇବା ଲାଗି ତାଙ୍କୁ ସେକେଣ୍ଡ୍ ହାଣ୍ଡ୍ ଉପକରଣ ଦରକାର ଥିଲା ଯାହା ସେହି ସମୟରେ ଆମେରିକାରେ ମିଳୁଥିଲା।
ବିହାରର ଜଣେ ବନ୍ଧୁ ବିଜୟ ଆନନ୍ଦଙ୍କୁ ନେଇ ସୁଟ୍କେସ୍ରେ ଘର ରନ୍ଧା ଖାଦ୍ୟ ଧରି ସେ ଆମେରିକା ବାହାରିଥିଲେ। ଆମେରିକାରେ ରହିବାକୁ ସେ ଘର ମଧ୍ୟ ଯୋଗାଡ଼ କରିନଥିଲେ। ବିମାନରେ ଯାତ୍ରା କରିବା ବେଳେ ତାଙ୍କର ସେହି ସମସ୍ୟା ଦୂର ହୋଇଯାଇଥିଲେ। ତାଙ୍କ ପାଖ ସିଟ୍ରେ ବସିଥିବା ରାଜସ୍ଥାନର ଜଣେ ବ୍ୟକ୍ତି ତାଙ୍କ ଜେଜେବାପାଙ୍କୁ ଚିହ୍ନିଥିଲେ। ସେହି ଆଧାରରେ ସେ ଆମେରିକାରେ ଥିବା ତାଙ୍କ ଘରେ ରହିବାକୁ ସୁଯୋଗ ଦେଇଥିଲେ। ଅବଶ୍ୟ, ସେଥିପାଇଁ ଅନିଲଙ୍କୁ ବହୁ କାର୍ଯ୍ୟ କରିବାକୁ ପଡ଼ିଥିଲା। ସେହି ବ୍ୟକ୍ତିଙ୍କ ପିଲାମାନଙ୍କୁ ସ୍କୁଲ, ଟେନିସ୍ ଓ ଅନ୍ୟାନ୍ୟ କ୍ଲାସ୍ରେ ଛାଡ଼ିବା ଓ ତାଙ୍କ ଅତିଥିମାନଙ୍କୁ ଚର୍ଚ୍ଚା ଆଦି କରିବାକୁ ପଡ଼ିଥିଲା। ଆମେରିକା ରହଣୀ ବେଳେ ସୁଲଭ ମୂଲ୍ୟରେ ସେକେଣ୍ଡ ହାଣ୍ଡ୍ ମେସିନ ପାଇବା ପାଇଁ ସେ ଫାଙ୍କା ସମୟରେ ଦିନକୁ ୩୦-୪୦ଟି କଲ୍ କରୁଥିଲେ। ପକେଟମାରଙ୍କ ଠାରୁ ବଞ୍ଚିବା ଲାଗି ନ୍ୟୁୟର୍କ ସହରରେ ବୁଲିବା ବେଳେ ସେ ନଗଦ ରାଶିକୁ ନିଜ କୋଟ୍ର ଭିତରେ ଥିବା ପକେଟ୍ରେ ସିଲାଇ କରି ରଖୁଥିଲେ।