ମୁସ୍ତାକ ଅଲୀ ଟ୍ରଫିରୁ ‘ବଦଳ ଖେଳାଳି’ ନିୟମ

ନୂଆଦିଲ୍ଲୀ: ଆସନ୍ତା ମାସରୁ ଆରମ୍ଭ ହେଉଥିବା ଘରୋଇ ଟ୍ବେଣ୍ଟି-୨୦ ପ୍ରତିଯୋଗିତା ସୟଦ ମୁସ୍ତାକ ଅଲୀ ଟ୍ରଫିରୁ ବିସିସିଆଇ ବଦଳ ଖେଳାଳି ନିୟମ ଲାଗୁ କରିବ। ବିବିଏଲ୍‌ ଢାଞ୍ଚାରେ ବିସିସିଆଇ ‘ଇମ୍ପାକ୍ଟ ଖେଳାଳି’ ନାମରେ ଏହି ‘ଟାକ୍ଟିକାଲ୍‌ ସବଷ୍ଟିଚ୍ୟୁସନ୍‌’ ନିୟମ ଲାଗି କରିବାକୁ ଯୋଜନା କରିଛି। ସଫଳ ହେଲେ ଏହାକୁ ଆସନ୍ତା ୨୦୨୩ ଆଇପିଏଲ୍‌ରେ ମଧ୍ୟ ପ୍ରଚଳନ କରାଯିବ। ଅକ୍ଟୋବର ୧୧ ତାରିଖରୁ ସୟଦ ମୁସ୍ତାକ ଅଲୀ ଟ୍ବେଣ୍ଟି-୨୦ ପ୍ରତିଯୋଗିତା ଆରମ୍ଭ ହେଉଛି। ବଦଳ ଖେଳାଳି ନିୟମ ସମ୍ପର୍କରେ ବିସିସିଆଇ ସମସ୍ତ ରାଜ୍ୟ ସଂଘଗୁଡିକୁ ଇମେଲ୍ ମାଧ୍ୟମରେ ଅବଗତ କରିଦେଇଛି। ଏହା କିଭଳି ଭାବେ ଲାଗୁ ହେବ ତାହା ମଧ୍ୟ ସ୍ପଷ୍ଟ କରିଛି। ଟ୍ବେଣ୍ଟି-୨୦ କ୍ରିକେଟ୍‌ର ଲୋକପ୍ରିୟତାକୁ ନଜରରେ ରଖି ଏହାର ନୂଆ ଦିଗ ସମ୍ପର୍କରେ ବିସିସିଆଇ ବିଚାର କରିଛି। ଦର୍ଶକଙ୍କ ପାଇଁ ଏହ‌ି ଫର୍ମାଟ କ୍ରିକେଟ୍‌କୁ ଅଧିକ ଆକର୍ଷଣୀୟ ଓ ମଜାଦାର କରିବା ଲକ୍ଷ୍ୟରେ ବିସିସିଆଇ ‘ଇମ୍ପାକ୍ଟ ଖେଳାଳି’ ବ୍ୟବସ୍ଥା କରିଛି ବୋଲି କହିଛି।

କିଭଳି ହେବ ବଦଳ ଭୂମିକା
ଉଭୟ ଦଳ ପ୍ରଥମ ଏକାଦଶ ସହିତ ଅତିରିକ୍ତ ୪ ଜଣ ବଦଳ ଖେଳାଳି ତାଲିକା ପ୍ରଦାନ କରିବେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ବଦଳ ଖେଳାଳି ଭାବେ ବ୍ୟବହାର କରିହେବ। ସମ୍ପୃକ୍ତ ଖେଳାଳି କୌଣସି ପାଳିର ୧୪ତମ ଓଭର ପୂର୍ବରୁ ଜଣଙ୍କ ବଦଳ ଖେଳାଳି ଭାବେ ଆସିପାରିବେ। ସେ ବ୍ୟାଟିଂ ସହ ସମ୍ପୂର୍ଣ୍ଣ କୋଟା ଓଭର ବୋଲିଂ କରିପାରିବେ। ଇମ୍ପାକ୍ଟ ଖେଳାଳି ପାଇଁ ବ୍ୟାପକ ବିକଳ୍ପ ଖୋଲା ରହିବ। ତାଙ୍କ ଖେଳ ଭୂମିକା ଉପରେ କୌଣସି ବାସ୍ତବ କଟକଣା ନାହିଁ। ଉଦାହରଣ ଭାବେ ଜଣେ ‘ଇମ୍ପାକ୍ଟ ଖେଳାଳି’ ଆଉଟ୍ ହୋଇ ସାରିଥିବା ଜଣେ ବ୍ୟାଟର୍‌ଙ୍କ ପାଇଁ ବି ଆସି ୧୧ ଜଣଙ୍କ ବ୍ୟାଟିଂ ପୂର୍ବରୁ ବ୍ୟାଟିଂ କରିପାରିବେ। ସେହିଭଳି ଜଣେ ବୋଲର ଯଦି କିଛି ଓଭର ବୋଲିଂ କରିସାରିଥିବ ଏବଂ ବଦଳ ଖେଳାଳି ଭାବେ ବାହାରକୁ ଯିବ ତେବେ ଆସୁଥିବା ‘ଇମ୍ପାକ୍ଟ ଖେଳାଳି’ ସମ୍ପୂର୍ଣ୍ଣ ୪ ଓଭର କୋଟା ବୋଲିଂ କରିପାରିବ।

ସୁପର୍‌ ସବ୍‌ଠୁ ଭିନ୍ନ
ପୂର୍ବରୁ ୨୦୦୫ ଓ ୨୦୦୬ରେ ଦିନିକିଆ ଅନ୍ତର୍ଜାତୀୟରେ ସୁପର୍‌ ସବ୍‌ ନିୟମ ଲାଗୁ ହୋଇଥିଲା। ସେତେବେଳେ ଯେଉଁ ଖେଳାଳିଙ୍କ ବଦଳ ଭାବେ ଆସୁଥିଲେ ସେ ବ୍ୟାଟିଂ କରି ସାରିଥିଲେ ନୂଆ ଖେଳାଳି ବ୍ୟାଟିଂ କରିପାରୁନଥିଲେ। କେବଳ କୋଟାର ବଳକା ଓଭର ବୋଲିଂ କରିପାରୁଥିଲେ। ବିସିସିଆଇର ‘ଇମ୍ପାକ୍ଟ ଖେଳାଳି’ ନିୟମ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ୧୪ ଓଭର ଭିତରେ ଆସିବେ, ଅନ୍ୟ କୌଣସି କଟକଣା ନାହିଁ। ଅଷ୍ଟ୍ରେଲିଆର ଟ୍ବେଣ୍ଟି-୨୦ ଲିଗ୍‌ ବିବିଏଲ୍‌ରେ ରହିଥିବା ଏକ୍ସ ଫ୍ୟାକ୍ଟର ନିୟମରେ ବଦଳ ଖେଳାଳି ପ୍ରଥମ ପାଳି ଅଧା (୧୦ ଓଭର) ବେଳକୁ ଆସିଥା’ନ୍ତି। କିନ୍ତୁ ପୂର୍ବ ଖେଳାଳି ବ୍ୟାଟିଂ କରି ସାରିଥିଲେ ଆଉ ବ୍ୟାଟିଂ କରିପାରିବେ ନାହିଁ, ପୂର୍ବ ଖେଳାଳି ଅନ୍ୟୁନ ଗୋଟିଏ ଓଭର ବୋଲିଂ କରିଥିଲେ ବଦଳ ଖେଳାଳି ବୋଲିଂ କରିପାରିବେ ନାହିଁ ବୋଲି ନିୟମ ରହିଛି।

ପ୍ରଭାବ ଓ ଦୃଶ୍ୟପଟ୍ଟ
ବିସିସିଆଇର ନିୟମ ଟସ୍ ପ୍ରଭାବକୁ ହ୍ରାସ କରିପାରିବ ବୋଲି ବିଶ୍ବାସ ରହିଛି। ଉଦାହରଣ ଭାବେ ଯଦି ଏକ ଦଳ ଟସ୍ ହାରି ବ୍ୟାଟିଂ କରୁଛି ତେବେ କାକର ପ୍ରଭାବକୁ ପ୍ରତିହତ କରିବାକୁ ବୋଲିଂ ଆକ୍ରମଣକୁ ଦୃଢ଼ କରିବାକୁ ଅତିରିକ୍ତ ବୋଲରଙ୍କୁ ବଦଳ ଖେଳାଳି ଭାବେ ଆଣିପାରିବ। ସେହିଭଳି ଟର୍ଣ୍ଣିଂ ଟ୍ରାକ୍‌ ଥିଲେ ଏକ ଦଳ ଦ୍ବିତୀୟ ପାଳି ବେଳକୁ ଅତିରିକ୍ତ ବ୍ୟାଟର୍‌ଙ୍କୁ ସାମିଲ କରିପାରିବ। ଏପରିକି ମ୍ୟାଚ୍‌ ସମୟରେ ଜଣେ ଖେଳାଳି ଆହତ ହେଲେ ତାହାକୁ ପ୍ରତିହତ କରିବାକୁ ଦଳ ବଦଳ ଖେଳାଳିକୁ ବ୍ୟବହାର କରିପାରିବ।

ପ୍ରଭାବିତ ମ୍ୟାଚ୍‌ ଓ ଅନ୍ୟ ନିୟମ
‌କୌଣସି କାରଣରୁ ମ୍ୟାଚ୍‌ ଓଭର ହ୍ରାସ ହୋଇଥିଲେ ସେହି ଅନୁସାରେ ଇମ୍ପାକ୍ଟ ଖେଳାଳି ପ୍ରବେଶ ପାଇଁ ଅଲଗା ଓଭର ଧାର୍ଯ୍ୟ ରହିବ। ଉଦାହରଣ ଭାବେ ୧୭ ଓଭରିଆ ମ୍ୟାଚ୍‌ ପାଇଁ ୧୩ ଓଭର ପୂର୍ବରୁ, ୧୧ ଓଭରିଆ ମ୍ୟାଚ୍‌ ପାଇଁ ୯ ଓଭର ପୂର୍ବରୁ ସେ ଆସିବେ। ପ୍ରଥମ ପାଳି ସମ୍ପୂର୍ଣ୍ଣ ହୋଇଥିବ କିନ୍ତୁ ଦ୍ବିତୀୟ ପାଳି ୧୦ ଓଭର ତଳକୁ କମିଲେ ବି ଇମ୍ପାକ୍ଟ ଖେଳାଳି ବ୍ୟବହାର କରିହେବ। କୌଣସି ଓଭର ମଝିରେ କିନ୍ତୁ ଖେଳାଳି ପରିବର୍ତନ କରାଯାଇପାରିବ ନାହିଁ। ପ୍ରଥମରୁ ଖେଳି ବଦଳିଥିବା ଖେଳାଳି କିନ୍ତୁ ସେହି ମ୍ୟାଚ୍‌ରେ ଆଉ ଖେଳିବାର ସୁଯୋଗ ପାଇପାରିବ ନାହିଁ।

ସମ୍ବନ୍ଧିତ ଖବର