ରାଉରକେଲା: ହକିଗ୍ରାମ ଭାବେ ସାରା ଦେଶରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସୁନ୍ଦରଗଡ଼ ଜିଲ୍ଲା ବାଲିଶଂକରା ବ୍ଲକ୍ର ସଉନାମରା ଯେ କେବଳ ଅମିତ ରୋହିଦାସ ବା ଦିଲୀପ ତିର୍କିଙ୍କ ଭଳି ମହାନ ହକି ଖେଳାଳିଙ୍କୁ ଜନ୍ମ ଦେଇଛି ତାହା ନୁହେଁ, ଏହି ଗାଁର ପୁଅ ଶ୍ରେଷ୍ଠ ପ୍ରଶିକ୍ଷକ ଭାବେ ବି ନାଁ କରୁଛନ୍ତି। ରାଜ୍ୟର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ଭାବେ ଜଣାଶୁଣା ବିଜୁ ପଟ୍ଟନାୟକ ଶ୍ରେଷ୍ଠ ହକି ପ୍ରଶିକ୍ଷକ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ଏହି ଗାଁର ହକି ଗୁରୁ ବିଜୟ ଲାକ୍ଡ଼ା। ବର୍ତ୍ତମାନ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସରେ ହକି ପ୍ରଶିକ୍ଷକ ଭାବେ କାର୍ଯ୍ୟରତ ୫୮ ବର୍ଷୀୟ ଶ୍ରୀ ଲାକଡ଼ା ଜିଲ୍ଲାର ସାଧାରଣ ଆଦିବାସୀ ପିଲାଙ୍କ ପରି ହକିକୁ ପିଲାବେଳୁ ଆପଣାଇ ଥିଲେ। ମଧ୍ୟଭାଗ ଖେଳାଳି ଭାବେ ନିଜ ଦକ୍ଷତା ଦେଖାଇଥିବା ବିଜୟ ସମ୍ବଲପୁର ବିଶ୍ବବିଦ୍ୟାଳୟ ଦଳରେ ତିନିଥର ତଥା ରାଜ୍ୟ କନିଷ୍ଠ ଓ ବରିଷ୍ଠ ଦଳରେ ଓଡ଼ିଶାର ପ୍ରତିନିଧିତ୍ବ କରିବା ପରେ ଦିନେ ଦେଶ ପାଇଁ ଖେଳିବାର ସ୍ବପ୍ନ ଦେଖିଥିଲେ। କିନ୍ତୁ କ୍ରୀଡ଼ାବିତ ଭାବେ ଦେଖିଥିବା ସ୍ବପ୍ନ ପୂରଣ ନହେବାରୁ ସେ ପ୍ରଶିକ୍ଷକ ଭାବେ ହକି ସହ ଆଜୀବନ ଯୋଡ଼ି ହୋଇ ରହିବାକୁ ସ୍ଥିର କରିଥିଲେ। ଏନ୍ଆଇଏସ୍ କୋଲକାତାରୁ ୧୯୯୨ରେ ପ୍ରଶିକ୍ଷକ ଡିପ୍ଲୋମା ହାସଲ କରି ସେ ୧୯୯୩ରେ ରାଉରକେଲା କ୍ରୀଡ଼ା ଛାତ୍ରାବାସରେ ନିଯୁକ୍ତି ପାଇଥିଲେ। ତା’ପରଠାରୁ ସେ ରାଉରକେଲା ଓ ସୁନ୍ଦରଗଡ଼ରେ ହିଁ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରି ଆସିଛନ୍ତି।
ଗତ ୩୧ ବର୍ଷର ପ୍ରଶିକ୍ଷକ ଜୀବନରେ ଶ୍ରୀ ଲାକଡ଼ା ଅନେକ ଖେଳାଳି ତିଆରି କରିଛନ୍ତି। ତାଙ୍କ ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରେ ଅମିତ ରୋହିଦାସ, ୱିଲିୟମ ଖାଲ୍କୋ, ରୋଶନ ମିଞ୍ଜ, ବିକାଶ ଟୋପୋ, ସୁଭଦ୍ରା ପ୍ରଧାନ, ସୁନିତା ଲାକ୍ରାଙ୍କ ଭଳି ଅନ୍ତର୍ଜାତୀୟ ଖେଳାଳି ରହିଛନ୍ତି। ଏମାନଙ୍କ ବ୍ୟତୀତ ଶ୍ରୀ ଲାକଡ଼ାଙ୍କ ନିଜ ପୁଅ ଅମନଦୀପ ଲାକଡ଼ା ଭାରତୀୟ କନିଷ୍ଠ ଦଳର ସଦସ୍ୟ ଭାବେ ଖେଳି ସାରିଛନ୍ତି। ଭାରତ ଓ ଓଡ଼ିଶା ହକି ସମ୍ପର୍କରେ ପଚାରିଲେ ସେ କହନ୍ତି, ‘ଜାତୀୟସ୍ତରରେ ଆମର ହକି ବହୁତ ଉପରକୁ ଯାଇପାରିଛି। ରାଜ୍ୟରେ ସରକାର ତୃଣମୂଳ ସ୍ତରରେ ସବୁପ୍ରକାର ଆବଶ୍ୟକ ସୁବିଧା ଯୋଗାଇ ଦେଉଛନ୍ତି। ଏବେ ପ୍ରଶିକ୍ଷକ ଓ ଖେଳାଳିଙ୍କ ଦାୟିତ୍ବ, ସେମାନେ କେମିତି ଅନୁରୂପ ପରିଣାମ ଦେବେ। ପ୍ରଶିକ୍ଷକଭାବେ ତାଙ୍କୁ ରାଜ୍ୟ ଦଳର ଅଧିକ ଦାୟିତ୍ବ ମିଳି ନଥିଲେ ବି ମନରେ ତାଙ୍କର କୌଣସି ଦୁଃଖ ନଥିବା କହନ୍ତି ଶ୍ରୀ ଲାକଡ଼ା।
ଅଧିକ ପିଲାଙ୍କୁ ଅଧିକ ବୟସ କହି ପ୍ରତିବନ୍ଧକ ଲଗାଇଦେଲେ ଓ ଖେଳିବା ସୁଯୋଗ ଦେଲେ ନାହିଁ। କିନ୍ତୁ ମାତ୍ର ଆଠଜଣ ଖେଳାଳିଙ୍କ ସହ ଖେଳି ଦଳ ଫାଇନାଲ୍ରେ ପହଞ୍ଚି ପାରିଥିଲା। ଫାଇନାଲ୍ରେ ମଧ୍ୟ କଡ଼ା ମୁକାବିଲା କରି ପେନାଲ୍ଟି ସୁଟ୍ଆଉଟ୍ରେ ହାରିଥିଲୁ। ଏହା ମୋ କ୍ରୀଡ଼ା ଜୀବନର ଶ୍ରେଷ୍ଠ ମୁହୂର୍ତ୍ତ ବୋଲି ସେ ମତ ଦିଅନ୍ତି। ସରଳ ଓ ମୃଦୁଭାଷୀ ଶ୍ରୀ ଲାକଡ଼ା ବିଜୁ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବାରୁ ବେଶ ଆନନ୍ଦିତ ବୋଲି କହିଛନ୍ତି।