ଖାତା ଖୋଲିଲା ସନ୍‌ରାଇଜର୍ସ

ଚେନ୍ନାଇ: ଚଳିତ ଆଇପିଏଲ୍‌ରେ ପୂର୍ବ ବିଜେତା ସନ୍‌ରାଇଜର୍ସ ହାଇଦ୍ରାବାଦ ଶେଷରେ ବିଜୟ ଖାତା ଖୋଲିଛି। ପ୍ରଥମ ତିନିଟି ମ୍ୟାଚ୍‌କୁ ହାରି ଅଲୋଡ଼ା ହ୍ୟାଟ୍ରିକ୍ କରିଥିବା ଏହି ଦଳର ଭାଗ୍ୟ ଉଦୟ ଚତୁର୍ଥ ମ୍ୟାଚ୍‌ରେ ହୋଇଛି। ବୁଧବାର ବୋଲର ଓ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜନି ବେୟାରଷ୍ଟୋଙ୍କ ଚମକରେ ପଞ୍ଜାବ କିଙ୍ଗ୍ସକୁ ୯ ୱିକେଟ୍‌ରେ ହରାଇ ପ୍ରଥମ ବିଜୟ ହାସଲ କରିଥିବା ଡେଭିଡ୍ ୱାର୍ନରଙ୍କ ଦଳ ପଏଣ୍ଟ ତାଲିକାରେ ଏକାଥରକେ ସବାଶେଷ ଅଷ୍ଟମରୁ ପଞ୍ଚମ ସ୍ଥାନକୁ ଲମ୍ଫ ମାରିଛି। ବିଳମ୍ବରେ ହେଲେ ମଧ୍ୟ ଏହି ଦଳର ପ୍ରଶଂସକଙ୍କ ମୁହଁରେ ବି ହସ ଫୁଟିଛି।
ସ୍ଥାନୀୟ ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ର ମନ୍ଥର ପିଚ୍‌ରେ ପ୍ରତିପକ୍ଷ ପଞ୍ଜାବ କିଙ୍ଗ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ତେବେ ଏହି ନିଷ୍ପତ୍ତି ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା। ସନ୍‌ରାଇଜର୍ସ ସ୍ପିନରମାନେ ପାୱାର ପ୍ଲେ ଭିତରେ ପଞ୍ଜାବ କିଙ୍ଗ୍ସର ରନ୍ ସ୍ରୋତକୁ ସଫଳତାର ସହ ଅଟକାଇ ଦେଇଥିଲେ।

ଫଳରେ ବଡ଼ ସଟ୍ ଖେଳିବା ଲୋଭରେ ଜଣେ ପରେ ଜଣେ ପଞ୍ଜାବ ବ୍ୟାଟ୍ସମ୍ୟାନ୍ ନିଜ ନିଜ ୱିକେଟ୍ ଫିଙ୍ଗି ଚାଲିଥିଲେ। ଅଧିନାୟକ କେଏଲ୍ ରାହୁଲ, ମୟଙ୍କ ଅଗ୍ରୱାଲ, କ୍ରିସ୍ ଗେଲ୍, ନିକୋଲାସ ପୂରନ, ଦୀପକ ହୁଦା, ମୋଜେସ୍ ହେନରିକ୍ସଙ୍କ ଭଳି ତାରକା ଖଚିତ ପଞ୍ଜାବ ବ୍ୟାଟିଂକ୍ରମ ତାସ ଘର ଭଳି ଭୁଶୁଡ଼ି ଯାଇଥିଲା। ଫଳରେ ୧୯.୪ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୨୦ ରନ୍ କରିପାରିଥିଲା। ମୟଙ୍କ ଏବଂ ନବାଗତ ଶାହରୁଖ ଖାନ୍ କରିଥିବା ୨୨ ରନ୍ ହିଁ ଦଳର ଯୁଗ୍ମ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ଥିଲା। ଅନ୍ୟପକ୍ଷରେ ଭୁବନେଶ୍ବର କୁମାରଙ୍କ ନେତୃତ୍ବରେ ସନ୍‌ରାଇଜର୍ସ ବୋଲିଂ ବାହିନୀ ଚେନ୍ନାଇ ପାଗ ଓ ପରିବେଶର ପୂରା ଫାଇଦା ଉଠାଇ ନିଜ ଦଳର ପ୍ରଥମ ବିଜୟ ପାଇଁ ଦୃଢ଼ ମୂଳଦୁଆ ପକାଇଥିଲେ। ଦଳର ସଫଳତମ ବୋଲର ଭାବେ ଖଲିଲ ଅହମ୍ମଦ ତିନିଟି ଓ ଭୁବନେଶ୍ବର କୁମାର ଦୁଇଟି ୱିକେଟ୍ କରାୟତ୍ତ କରିଥିଲେ।

୧୨୧ ରନ୍‌ର ଛୋଟିଆ ଲକ୍ଷ୍ୟକୁ ପିଛା କରୁଥିବା ସନ୍‌ରାଇଜର୍ସର ଦୁଇ ବିଦେଶୀ ଓପନିଂ ଯୋଡ଼ି ଅଧିନାୟକ ଡେଭିଡ୍ ୱାର୍ନର (୩୭) ଓ ଜନି ବେୟାରଷ୍ଟୋ (୬୩*, ୫୬ ବଲ୍, ୩ ଛକା, ୩ ଚୌକା) ବିଗତ ତିନି ମ୍ୟାଚ୍‌ର ବିଫଳତାକୁ ଭୁଲି ପ୍ରଥମ ୱିକେଟ୍‌ରେ ୭୩ ରନ୍ ସଂଗ୍ରହ କରିନେଇଥିଲେ। ୱେଷ୍ଟଇଣ୍ଡିଆନ୍ ତାରକା ଫାବିଏନ୍ ଆଲେନ୍ ପ୍ରତିପକ୍ଷ ଅଧିନାୟକ ୱାର୍ନରଙ୍କୁ ମୟଙ୍କ ଅଗ୍ରୱାଲଙ୍କ ହାତରେ କ୍ୟାଚ୍ କରାଇ ପଞ୍ଜାବକୁ ପ୍ରଥମ ସଫଳତା ଦେବା ପୂର୍ବରୁ ସନ୍‌ରାଇଜର୍ସ ବିଜୟ ଏକପ୍ରକାର ପକ୍କା ହୋଇଯାଇଥିଲା। ଏହା ପରେ ଚଳିତ ଋତୁର ପ୍ରଥମ ମ୍ୟାଚ୍ ଖେଳୁଥିବା କେନ୍ ୱିଲିୟମସନ୍ (୧୬*)ଙ୍କୁ ସାଥୀ କରି ବେୟାରଷ୍ଟୋ ୮ ବଲ୍ ପୂର୍ବରୁ ନିଜ ଦଳକୁ ପ୍ରତୀକ୍ଷିତ ବିଜୟ ଉପହାର ଦେଇଥିଲେ। ସେ ମଧ୍ୟ ଆଶାଜନକ ଭାବେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସନ୍‌ରାଇଜର୍ସ ପଏଣ୍ଟ୍‌ ତାଲିକାର ତିନିଟି ସ୍ଥାନ ଉପରକୁ ଉଠିଥିଲା। ପଞ୍ଜାବ ଚତୁର୍ଥ ମ୍ୟାଚ୍‌ରୁ ତୃତୀୟ ପରାଜୟ ବରଣ କରି ସବାଶେଷ ସ୍ଥାନକୁ ଖସି ଯାଇଥିଲା। ଅବଶ୍ୟ ଚଳିତ ଋତୁରେ ବିଜୟ ଖାତା ଖୋଲିବାରେ ସନ୍‌ରାଇଜର୍ସ ଶେଷ ଦଳ ହୋଇଥିଲା।

ସମ୍ବନ୍ଧିତ ଖବର