ନୂଆଦିଲ୍ଲୀ: ଆପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ରାଜନେତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ସୁଯୋଗ ନେଦେବାକୁ କେନ୍ଦ୍ର ସରକାର ଆଗ୍ରହୀ ଅଛନ୍ତି କି? କେନ୍ଦ୍ର ସରକାରଙ୍କୁ ସୁପ୍ରିମ କୋର୍ଟ ବୁଧବାର ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ପଚାରିଛନ୍ତି। ଆଇନଜୀବୀ ଅଶ୍ବିନୀ କୁମାର ଉପାଧ୍ୟାୟଙ୍କ ଦ୍ବାରା ହୋଇଥିବା ଏକ ଆବେଦନର ଶୁଣାଣି ବେଳେ କୋର୍ଟ ଏହା ପଚାରିଛନ୍ତି। ଉପାଧ୍ୟାୟ ଯୁକ୍ତି ଦର୍ଶାଇଥିଲେ ଯେ ଅପରାଧୀ ସାବ୍ୟସ୍ତ ସାଂସଦ ଓ ବିଧାୟକମାନଙ୍କୁ ଅମଲାଙ୍କ ଭଳି ବ୍ୟବହାର କରାଯିବା ଉଚିତ। ଅମଲାମାନେ ଅପରାଧରେ ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କୁ ଚାକିରିରୁ ବିଦା କରି ଦିଆଯାଉଛି। ଜଣେ ଅପରାଧୀ ସାବ୍ୟସ୍ତ ବ୍ୟକ୍ତି କିରାଣି ହୋଇ ପାରୁନାହାନ୍ତି କିନ୍ତୁ ମନ୍ତ୍ରୀ ହୋଇ ପାରୁଛନ୍ତି ବୋଲି ସେ ଅଦାଲତଙ୍କୁ କହିଥିଲେ। ମାମଲାର ଶୁଣାଣି କରୁଥିବା ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଏନ୍ଭି ରମଣା ଏହା ଉପରେ ସରକାରଙ୍କ ମତ କ’ଣ ବୋଲି ଅତିରିକ୍ତ ସଲିସିଟର ଜେନେରାଲ ଏସ୍ଭି ରାଜୁଙ୍କୁ ପଚାରିଥିଲେ। ତେବେ ଅତିରିକ୍ତ ସଲିସିଟର ଜେନେରାଲ କହିଥିଲେ, ତାଙ୍କୁ ଏ ସଂପର୍କରେ ପ୍ରଥମେ ସରକାରଙ୍କ ସହ ପରାମର୍ଶ କରିବାକୁ ହେବ। ସରକାରଙ୍କ ଠାରୁ ନ ବୁଝିବା ପର୍ଯ୍ୟନ୍ତ ସେ ନିଜ ଆଡ଼ୁ କିଛି କହିପାରିବେ ନାହିଁ ବୋଲି କହିଥିଲେ।
ତେବେ ୨୦୨୦ ମସିହାରେ କେନ୍ଦ୍ର ସରକାର ଉପାଧ୍ୟାୟଙ୍କ ପିଟିସନକୁ ବିରୋଧ କରିଥିଲେ। ତେବେ ରାଜୁ କହିଥିଲେ, ଅମଲାମାନେ ଚାକିରି ସର୍ତ୍ତାବଳୀ ଅଧୀନରେ ଆସିଥାନ୍ତି। କିନ୍ତୁ ସାଂସଦ ଓ ବିଧାୟକମାନଙ୍କ ପାଇଁ ଏଭଳି କୌଣସି ନିୟମ ନାହିଁ। ସରକାର ତାଙ୍କ ଶପଥପାଠରେ ଦର୍ଶାଇଥିଲେ ଯେ, ରାଜନେତାମାନେ ଜନ ପ୍ରତିନିଧି ଆଇନ ଅଧୀନରେ ଆସୁଛନ୍ତି। ଏହି ଆଇନ ଅନୁଯାୟୀ ଦୁଇ କିମ୍ବା ତାହାଠାରୁ ଅଧିକ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ ୬ ବର୍ଷ ନିମନ୍ତେ ନିର୍ବାଚନ ଲଢ଼ିବା ପାଇଁ ଅଯୋଗ୍ୟ ଘୋଷଣାର ବ୍ୟବସ୍ଥା ରହିଛି। ଉଲ୍ଲେଖଯୋଗ୍ୟ, ନିର୍ବାଚନ କମିସନ ୨୦୧୭ରେ ଦୋଷୀ ସାବ୍ୟସ୍ତ ରାଜନେତାମାନଙ୍କୁ ଆଜୀବନ ନିର୍ବାଚନ ନଲଢ଼ିବା ସପକ୍ଷରେ କହିଥିଲେ। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଉକ୍ତିରୁ କମିସନ ଓହରି ଯାଇଥିଲେ। ସବୁଦିନ ବାସନ୍ଦ ପରିବର୍ତ୍ତେ ରାଜନୀତିକୁ ଅପରାଧମୁକ୍ତ କରିବା ଲାଗି କମିସନ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/f654h65sf4h65fh4hf654hfs65hfhhfs.jpg)