ନୂଆଦିଲ୍ଲୀ: ନିଷିଦ୍ଧ ଡ୍ରଗ୍ସ ସେବନ କରିଥିବା ଅଭିଯୋଗରେ ଫସିଥିବା ଦକ୍ଷିଣ ଆଫ୍ରିକୀୟ ବୋଲର କାଗିସୋ ରବାଡ଼ା ଏଥିରୁ ମୁକ୍ତ ହୋଇଛନ୍ତି। ସେ ମାସକର ନିଲମ୍ବନ ଅବଧି ଶେଷ କରିଥିବାରୁ ତୁରନ୍ତ ଖେଳ ପଡିଆକୁ ଫେରି ପାରିବେ। ଏହି ଖବର ମିଳିବାରୁ ଆଇପିଏଲ୍ ଦଳ ଗୁଜରାଟ ଟାଇଟନ୍ସ ବଡ଼ ଆଶ୍ବସ୍ତ ହୋଇଛି। ଦଳର ଆଗାମୀ ମ୍ୟାଚ୍ ପାଇଁ ସେ ଉପଲବ୍ଧ ହେବେ ବୋଲି ମଧ୍ୟ ଆଶା କରାଯାଉଛି।
ରବାଡ଼ା ଏକ ମାସର ନିଲମ୍ବନକୁ କାର୍ଯ୍ୟକାରୀ କରିସାରିଥିବାରୁ ଏବେ ତୁରନ୍ତ ପଡ଼ିଆକୁ ଫେରିପାରିବେ ବୋଲି ଦକ୍ଷିଣ ଆଫ୍ରିକା ଇନ୍ଷ୍ଟିଚ୍ୟୁଟ୍ ଫର୍ ଡ୍ରଗ୍ ଫ୍ରି ସ୍ପୋର୍ଟସ (ଏସ୍ଏଆଇଡିଏସ୍) ସ୍ପଷ୍ଟ କରିଛି।
ଆଇପିଏଲରେ ପ୍ରଥମ ସପ୍ତାହରେ ରବାଡ଼ା ଗୁଜରାଟ ପାଇଁ ମାତ୍ର ୨ ମ୍ୟାଚ୍ ଖେଳିବା ପରେ ଦକ୍ଷିଣ ଆଫ୍ରିକା ଫେରିଯାଇଥିଲେ। ସେ ବ୍ୟକ୍ତିଗତ କାରଣରୁ ଫେରିଯାଉଥିବା କହିଥିଲେ। ପରେ କିନ୍ତୁ ସେ ଡ୍ରଗ୍ ଟେଷ୍ଟ୍ରେ ବିଫଳ ହୋଇଥିବାରୁ ମାସକର ବାସନ୍ଦ ଦଣ୍ଡ ପାଇଁ ଦଳଠାରୁ ଦୂରେଇ ଯାଇଥିଲେ ବୋଲି ଘୋଷଣା କରିଥିଲେ। ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ରେ ମୁମ୍ବାଇ କେପ୍ ଟାଉନ୍ ଦଳ ପାଇଁ ଖେଳୁଥିବାବେଳେ ରବାଡ଼ା ଏହି ଡ୍ରଗ୍ ଟେଷ୍ଟ୍ ଦେଇଥିଲେ। ୭୦ ଟେଷ୍ଟରୁ ୩୨୭ ୱିକେଟ୍ ନେଇଥିବା ରବାଡ଼ା ଦେଶର ପଞ୍ଚମ ଅଗ୍ରଣୀ ଟେଷ୍ଟ୍ ବୋଲର ଅଛନ୍ତି। ଚଳିତ ବର୍ଷ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍ ଫାଇନାଲ୍ରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବେ ବୋଲି ବିଶ୍ବାସ କରାଯାଉଛି।