ମୋଟେରା ଷ୍ଟାଡିୟମ୍ରୁ ସୁରେଶ ସ୍ବାଇଁଙ୍କ ରିପୋର୍ଟ
ଅହମଦାବାଦ: ଦଶ ଦଳକୁ ନେଇ ୭୪ ଦିନର ଯାତ୍ରା ଏବେ ଦୁଇଟି ଦଳକୁ କମି ଆସିଛି। ୭୪ତମ ମ୍ୟାଚ୍ ସହ ମଙ୍ଗଳବାର ଶେଷ ହେବାକୁ ଯାଉଛି ଆଇପିଏଲ୍ର ଅଷ୍ଟାଦଶ ସଂସ୍କରଣ। ଏହି ଦୁଇ ଦଶନ୍ଧିରେ ଯେଉଁ ଦୁଇଟି ଦଳ ନିଜ ଟ୍ରଫି ସ୍ବପ୍ନକୁ ସାକାର କରିପାରିନାହାନ୍ତି ସେମାନେ ଏବେ ଅବତୀର୍ଣ୍ଣ ଅଛନ୍ତି ଟାଇଟଲ୍ ଟକ୍କରରେ। ଗୋଟିଏ ରୟାଲ୍ (ଆର୍ସିବି) ଏବଂ ଅନ୍ୟଟି କିଙ୍ଗ୍ସ (ପଞ୍ଜାବ କିଙ୍ଗ୍ସ), କିନ୍ତୁ କେବେ ରାଜ କରିପାରିନାହାନ୍ତି ଟ୍ରଫି ଉପରେ। ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ମଙ୍ଗଳବାରର ଏହି ଫାଇନାଲ୍ ମ୍ୟାଚ୍କୁ ଅଧୁରା ସ୍ବପ୍ନର ମଧୁର ଲଢ଼େଇ କହିହେବ। ୬ ମାସ ତଳେ ଯେଉଁ ଦୁଇ ଅଧିନାୟକ ଘରୋଇ କ୍ରିକେଟର୍ ପ୍ରମୁଖ ଟ୍ବେଣ୍ଟି-୨୦ କ୍ରିକେଟ୍ ପ୍ରତିଯୋଗିତା ସୟଦ ମୁସ୍ତାକ ଅଲୀ ଟ୍ରଫି ଫାଇନାଲରେ ଅବତୀର୍ଣ୍ଣ ହୋଇଥିଲେ ଏବେ ସେହି ଦୁଇ ଜଣ ହିଁ ସମାନ ଭୂମିକାରେ ରହିଛନ୍ତି। ପ୍ରତିଯୋଗିତା କେବଳ ଭିନ୍ନ ରହିଛି। ଏଥର ମହାମଞ୍ଚ ଆଇପିଏଲ୍ ଅପେକ୍ଷା କରିଛି ନୂଆ ବିଜେତାକୁ ପାଇବାକୁ। ମୁସ୍ତାକ ଅଲୀ ଟ୍ରଫିରେ ଶ୍ରେୟସ ଆୟରଙ୍କ ଦଳ ମୁମ୍ବାଇ ୫ ୱିକେଟ୍ରେ ରଜତ ପଟିଦାରଙ୍କ ମଧ୍ୟପ୍ରଦେଶ ଦଳକୁ ହରାଇଥିଲା। ଆଇପିଏଲ୍ରେ ନିଜ ନିଜ ଫ୍ରାଞ୍ଚାଇଜ୍ର ପ୍ରଥମ ନେତୃତ୍ବରେ କିନ୍ତୁ ଫାଇନାଲ୍ ଖେଳିବାକୁ ଯାଉଛନ୍ତି ଏହି ଦୁଇ ଭାରତୀୟ ତାରକା। ଫାଇନାଲ୍ ମ୍ୟାଚ୍ ପୂର୍ବରୁ ସୋମବାର ମିଳିତ ସାମ୍ବାଦିକ ସମ୍ମିଳନୀରେ ବି ଉଭୟ ସ୍ବୀକାର କରିଛନ୍ତି ଏହାର ଚାପ ଓ ଆହ୍ବାନକୁ ନେଇ। ଚାପ ପରିସ୍ଥିତିକୁ ଭଲ ପାଏ, ଖେଳାଳିଙ୍କଠାରୁ ଏହା ଶ୍ରେଷ୍ଠ ବାହାର କରିବାର ମଉକା ବି ଦିଏ ବୋଲି ଆୟର କହିଛନ୍ତି।
ଗତ ଋତୁରେ କେକେଆର୍କୁ ବିଜେତା କରିଥିବା ଶ୍ରେୟସ ଆୟରଙ୍କ ପାଇଁ କିନ୍ତୁ ହ୍ୟାଟ୍ରିକ୍ ଟ୍ବେଣ୍ଟି-୨୦ ଟ୍ରଫି ଜିତିବା ଅଧିନାୟକର ଗୌରବ ମିଳିପାରିବ। ଦିଲ୍ଲୀ କ୍ୟାପିଟାଲ୍ସ, କେକେଆର୍ ପରେ ତୃତୀୟ ଦଳକୁ ଫାଇନାଲ୍ ନେବାର ବିରଳ ସଫଳତା ବି ପାଇଛନ୍ତି। ପଞ୍ଜାବ କିଙ୍ଗ୍ସ ୧୧ ବର୍ଷ ପରେ ଫାଇନାଲ୍ ଖେଳିବାକୁ ଯାଉଛି। ଲିଗ୍ ଟପ୍ପର ହେବାର ଆତ୍ମବିଶ୍ବାସ ଓ କ୍ବାଲିଫାୟାର-୨ରେ ୫ ଥର ବିଜେତା ମୁମ୍ବାଇକୁ ପରାସ୍ତ କରିବା ପରେ ଆୟରଙ୍କ ଦଳର ଆତ୍ମବିଶ୍ବାସ ବି ଆକାଶଛୁଆଁ ରହିଛି। କିନ୍ତୁ ରବିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଖେଳିଥିବାରୁ ଦଳ ଉପରେ କ୍ଲାନ୍ତିର ବୋଝ ରହିଥିବା କହିଛନ୍ତି। ‘‘ଗତ ମ୍ୟାଚ୍ ପରେ ମୁଁ ମାତ୍ର ୪ ଘଣ୍ଟା ଶୋଇଛି। ପୁଣି ଅଭ୍ୟାସ ଓ କୌଶଳ ପ୍ରସ୍ତୁତିରେ ରହିଛି। ଯୁବ ଖେଳାଳିଙ୍କୁ ନେଇ ପ୍ରବର୍ତ୍ତାଇବାର କାମ ବି କରୁଛି’’ ବୋଲି ଆୟର ପ୍ରକାଶ କରିଛନ୍ତି। ବସ୍ତୁତଃ ବିରାଟ କୋହଲିଙ୍କ ନେତୃତ୍ବରେ ଖେଳୁଥିବା ଆର୍ସିବି ସହ କଡ଼ା ମୁକାବଲା ହେବ ବୋଲି ସେ ପରୋକ୍ଷରେ ପ୍ରକାଶ ବି କରିଛନ୍ତି। ୧୮ ନମ୍ବର ଜର୍ସି ଓ ୧୮ ବର୍ଷର ପ୍ରତୀକ୍ଷାରେ ରହିଥିବା ବିରାଟ କୋହଲି ବି ନିଜ ଟ୍ରଫି କ୍ୟାବିନେଟ୍ର ଏହି ବିରଳ ବ୍ୟତିକ୍ରମକୁ ମଙ୍ଗଳବାର ରାତିରେ ଶେଷ କରିଦେବେ ବୋଲି ବିଶ୍ବାସ ରଖିଛନ୍ତି। ଚତୁର୍ଥ ଥର ପାଇଁ ଫାଇନାଲ୍ ଖେଳିବାକୁ ଯାଉଛି ଆର୍ସିବି ଏବଂ ଦ୍ବିତୀୟ ଥର ପାଇଁ ପଞ୍ଜାବ କିଙ୍ଗ୍ସ। ଆର୍ସିବି ପୂର୍ବରୁ ୨୦୦୯,୨୦୧୧ ଓ ୨୦୧୬ରେ ଫାଇନାଲ୍ ଖେଳିଥିବା ବେଳେ ପଞ୍ଜାବ ୨୦୧୪ରେ ଥରେ ମାତ୍ର ଖେଳିଥିଲା।
ଫାଇନାଲ୍ ଆସିବା ପଥରେ ଉଭୟ ଦଳ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ପଞ୍ଜାବ କିନ୍ତୁ ଅହମଦାବାଦରେ ଘରୋଇ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିବା ବେଳେ ଏବେ ସେହିଠାରେ ଫାଇନାଲ୍ ଖେଳିବାକୁ ଯାଉଛି। ଆର୍ସିବି ମଧ୍ୟ ଉଦ୍ଘାଟନୀ ମ୍ୟାଚ୍ରେ ବିଜେତା କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିବା ପରେ ଏବେ ସ୍ବପ୍ନ ସାକାର ଦିଗରେ ଫାଇନାଲ୍ରେ ପହଞ୍ଚିଯାଇଛି। ଦୁଇ ଦଳ ମଧ୍ୟରେ ଚଳିତ ବର୍ଷ ଖେଳାଯାଇଥିବା ୩ ମ୍ୟାଚ୍ରୁ ଆର୍ସିବି ୨-୧ରେ ନିଜ ସପକ୍ଷରେ ରଖିଛି। ବିଶେଷ କରି କ୍ବାଲିଫାୟାର-୧ରେ ମୁଲାନପୁରରେ ଘରୋଇ ପଞ୍ଜାବକୁ ଆର୍ସିବି ପରାସ୍ତ କରିବା ପଟିଦାରଙ୍କ ଦଳକୁ ଆତ୍ମବିଶ୍ବାସ ଦେଇଛି। କିନ୍ତୁ ଯୁବ ଦଳକୁ ନେଇ ଭୟଙ୍କର କ୍ରିକେଟ୍ ଖେଳୁଥିବା କିଙ୍ଗ୍ସ ଅହମଦାବାଦରେ ପାଇଥିବା ପୂର୍ବ ୨ ବିଜୟ ଫାଇଦାରେ ରଖିବ। ଅନ୍ୟ ଏକ ବରାବର ସ୍ଥିତି ହେଉଛି ଆଇପିଏଲ୍ ଇତିହାସରେ ଦୁଇ ଦଳ ମଧ୍ୟରେ ୩୬ ମ୍ୟାଚ୍ ମଧ୍ୟରୁ ଫଳାଫଳ ୧୮-୧୮ ରହିଛି। ଭିନ୍ନ ପିଚ୍, ପରିବେଶ ଓ ପଡ଼ିଆରେ କିନ୍ତୁ ମ୍ୟାଚ୍ ରାତିରେ ଯିଏ ଭଲ ଖେଳିବ ନିଶ୍ଚିତ ବାଜି ମାରିନେବ ବୋଲି ବିଶ୍ବାସ ରହିଛି।ଆର୍ସିବି ବ୍ୟାଟିଂ ବନାମ ପଞ୍ଜାବ ସ୍ପିନ୍, ପଞ୍ଜାବ ଶୀର୍ଷକ୍ରମ ବ୍ୟାଟର୍ ବନାମ ଆର୍ସିବି ସିମର୍ସ, ସୂୟାଶ ଶର୍ମା ବନାମ ପଞ୍ଜାବ ମଧ୍ୟକ୍ରମ, ଅର୍ଶଦୀପ ସିଂହଙ୍କ ନୂଆ ବଲ୍ ପ୍ରଦର୍ଶନ, ଶ୍ରେୟସ ଆୟରଙ୍କ ମୋଟେରା ଫର୍ମ, ବିରାଟ କୋହଲିଙ୍କ ଭାଗ୍ୟ ଆଦି ଏକାଧିକ କଥା କିନ୍ତୁ ମଙ୍ଗଳବାର ଫାଇନାଲ୍ ଅବସରରେ ନଜରରେ ରହିବ। ଅହମଦାବାଦରେ ଆୟର ୩ ପାଳିରୁ ୨୪୨ ରନ୍ କରି କେବେ ବି ଆଉଟ୍ ହୋଇନାହାନ୍ତି। କିନ୍ତୁ ଚଳିତ ଋତୁରେ ଆର୍ସିବି ପକ୍ଷରେ ୭, ୬, ୨ ରନ୍ କରିବା ତାଙ୍କୁ ଚାପରେ ପକାଇପାରେ। ମୋଟରା ପିଚ୍ କିନ୍ତୁ ରନ୍ ବର୍ଷା ପାଇଁ ପରିଚିତ ଥିବାରୁ ପାଗ ଭଲ ରହିଲେ ପୁଣି ଦୁଇଟି ୨୦୦+ ପାଳି ଦେଖିବାର ସୁଯୋଗ ପାଇବା ନିଶ୍ଚିତ ଲାଗୁଛି।
ସମ୍ଭାବ୍ୟ ପଞ୍ଜାବ କିଙ୍ଗ୍ସ: ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମରନ୍ ସିଂହ, ଜୋସ୍ ଇଙ୍ଗ୍ଲିସ, ଶ୍ରେୟସ୍ ଆୟର (ଅଧିନାୟକ), ନେହଲ ୱାଧେରା, ଶଶାଙ୍କ ସିଂହ, ମାର୍କସ ଷ୍ଟୋଇନିସ୍, ଅଜମାତୁଲ୍ଲା ଓମାରଜାଇ, କାଇଲ ଜାମିସନ୍, ହରପ୍ରୀତ୍ ବ୍ରାର୍, ଅର୍ଶଦୀପ ସିଂହ, ୟୁଝବେନ୍ଦ୍ର ଚହଲ।
ସମ୍ଭାବ୍ୟ ଆର୍ସିବି: ବିରାଟ କୋହଲି, ଫିଲ୍ ସଲ୍ଟ, ମୟଙ୍କ ଅଗ୍ରୱାଲ୍, ରଜତ ପଟିଦାର (ଅଧିନାୟକ), ଜିତେଶ ଶର୍ମା, କ୍ରୁନାଲ ପାଣ୍ଡ୍ୟା, ଲିୟାମ ଲିଭିଂଷ୍ଟୋନ, ରୋମାରିଓ ସେଫର୍ଡ, ଭୁବନେଶ୍ବର କୁମାର, ୟଶ୍ ଦୟାଲ, ଜୋସ୍ ହାଜେଲଉଡ୍, ସୂୟାଶ ଶର୍ମା।
ବର୍ଷାର ପୂର୍ବାନୁମାନ
କ୍ବାଲିଫାୟାର-୨ ଭଳି ମଙ୍ଗଳବାର ବି ବର୍ଷାର ପ୍ରତିବଂଧକ ରହିବ ବୋଲି ଅହମଦାବାଦ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କିନ୍ତୁ ଅଳ୍ପରୁ ସାଧାରଣ ବର୍ଷାର ସମ୍ଭାବନା ଥିବାରୁ ମ୍ୟାଚ୍ ଧୋଇନେବା ସ୍ଥିତି ରହିବ ନାହିଁ ବୋଲି କୁହାଯାଉଛି। ତଥାପି ଫାଇନାଲ୍ ମ୍ୟାଚ୍ ପାଇଁ ରିଜର୍ଭ ଦିବସ ରହିଛି।