ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଅକ୍ଟୋବର-ନଭେମ୍ବରରେ ଖେଳାଯିବାକୁ ଥିବା ଆଇସିସି ଟି-୨୦ ବିଶ୍ବକପ୍ ହେବ କି ନା ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ନିଷ୍ପତ୍ତି ନେବାର ଥିଲା। କିନ୍ତୁ କୋଭିଡ୍-୧୯ ମହାମାରୀ କାରଣରୁ ଚୂଡାନ୍ତ ନିଷ୍ପତ୍ତିରେ ପରିଷଦ ପହଞ୍ଚିପାରିନାହିଁ। ଏବେ ଜୁନ୍ ୧୦ ତାରିଖରେ ପରବର୍ତୀ ବୈଠକ ବସିବ ଏବଂ ସେଦିନ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି। ଚଳିତ ବର୍ଷର ଆଇସିସି ଟି-୨୦ ବିଶ୍ବକପ୍ ଅଷ୍ଟ୍ରେଲିଆର ବିଭିନ୍ନ ସହରରେ ଅକ୍ଟୋବର ୧୮ ତାରିଖରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଗୁରୁବାରର ଟେଲିକନଫରେନସିଂ ବୈଠକରୁ କୌଣସି ସୁଫଳ ନମିଳିବା ଫଳରେ ବିସିସିଆଇ ମଧ୍ୟ ଅଡୁଆରେ ପଡ଼ିଛି।
ଆଇସିସି ଯଦି ଟି-୨୦ ବିଶ୍ବକପ୍କୁ ଘୁଞ୍ଚାଇଦିଏ ତେବେ ସେହି ସମୟରେ ବିସିସିଆଇ ଏହାର ଆଇପିଏଲ୍-୧୩କୁ କାଣ୍ଟଛାଣ୍ଟରେ କରାଇନେବା ସୁଯୋଗ ଅପେକ୍ଷାରେ ରହିଛି। କିନ୍ତୁ ଆଇପିଏଲ୍ ହେବ କି ନ ହେବ ଭାରତ ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରିବ ବୋଲି ଦୁଇ ଦିନ ତଳୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ଟି-୨୦ ବିଶ୍ବକପ୍ ୨୦୨୨କୁ ଘୁଞ୍ଚିବ ବୋଲି ଖବର ପ୍ରସାରିତ ହେବା ପରେ ଏହାକୁ ଆଇସିସି ବୁଧବାର ଖଣ୍ଡନ କରିଥିଲା।