ମୁମ୍ବାଇ: ଚଳିତ ବର୍ଷ ଭାରତରେ ଖେଳାଯିବାକୁ ଥିବା ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ୟୁଏଇ ସ୍ଥାନାନ୍ତର ହେବା ଏକ ପ୍ରକାର ନିଶ୍ଚିତ ହୋଇଛି। ଆଇପିଏଲ୍‌ର ଅବଶିଷ୍ଟ ଭାଗ ଖେଳାଯିବା ପରେ ସେଠାରେ ହିଁ ବିଶ୍ବକପ୍‌ ଆୟୋଜନ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇସାରିଛି। କେବଳ ଆଇସିସି ଅନୁମୋଦନର ଔପଚାରିକତା ଏବଂ ଖେଳସୂଚୀ ଚୂଡାନ୍ତ ପରେ ଆନୁଷ୍ଠାନିକ ଭାବେ ବିସିସିଆଇ ଏହା ଘୋଷଣା କରିବ। ଏମିତି ବି ଶନିବାର ସକାଳେ ବିସିସିଆଇ ସମ୍ପାଦକ ଜୟ ସାହା କହିଥିଲେ ‘ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ୟୁଏଇ ସ୍ଥାନାନ୍ତର ପାଇଁ ବିଚାର କରାଯାଉଛି। କୋଭିଡ୍‌ ମହାମାରୀ ପରିସ୍ଥିତି କାରଣରୁ ଖେଳାଳିଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦେଉଥିବାରୁ ଏଭଳି ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ଖୁବ୍ ଶୀଘ୍ର ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଥିଲେ।

Advertisment

ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ୟୁଏଇରେ ଅକ୍ଟୋବର ୧୭ରୁ ଆରମ୍ଭ ହୋଇ ନଭେମ୍ବର ୧୪ ତାରିଖ ଫାଇନାଲ୍ ସହ ଶେଷ ହେବାର ଖସଡ଼ା ପ୍ରସ୍ତୁତ ‌ହୋଇସାରିଛି। ଏହା ପୂର୍ବରୁ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଆଇପିଏଲ୍‌ର ଦ୍ବିତୀୟ ଭାଗ ଖେଳାଯିବ। ବିଶ୍ବକପ୍‌କୁ ସ୍ଥାନାନ୍ତର କରାଯିବା ସମ୍ପର୍କରେ ଆଇସିସିକୁ ବିସିସିଆଇ ଲେଖିନଥିଲେ ମଧ୍ୟ ମୌଖିକ ଭାବେ ଆଲୋଚନା କରିସାରିଛି। ବିଶ୍ବକପ୍‌କୁ ଦୁଇଟି ଭାଗରେ ବିଭକ୍ତ କରାଯିବ। ପ୍ରାରମ୍ଭିକ ଲିଗ୍‌ ପର୍ଯ୍ୟାୟ ୟୁଏଇ ଓ ଓମାନରେ ଖେଳାଯିବ। ରାଉଣ୍ଡ-୧ରେ ଥିବା ୮ ଦଳ ମଧ୍ୟରୁ ୪ଟି ଶୀର୍ଷ ୮ ସହ ସାମିଲ ହେବେ। ସୁପର୍‌ ୧୨କୁ ନେଇ ବିଶ୍ବକପ୍‌ ଖେଳାଯିବ। ଯୋଗ୍ୟତା ପର୍ଯ୍ୟାୟରେ ଥିବା ଏହି ୮ ଦେଶ ହେଲେ-ବାଂଲାଦେଶ, ଶ୍ରୀଲଙ୍କା, ଆୟର୍ଲାଣ୍ଡ୍‌, ନେଦରଲାଣ୍ଡ୍, ସ୍କଟଲାଣ୍ଡ୍‌, ନାମ୍ବିଆ, ଓମାନ ଏବଂ ପପୁଆ ନିୟୁ ଗିନି। ରାଉଣ୍ଡ-୧ର ୧୨ ମ୍ୟାଚ୍‌ ପରେ ଅକ୍ଟୋବର ୨୪ରୁ ୩୦ ମ୍ୟାଚ୍‌ ବିଶିଷ୍ଟ ମୁଖ୍ୟ ପର୍ଯ୍ୟାୟ ଖେଳାଯିବ। ଏଗୁଡିକ ଦୁବାଇ, ଆବୁଧାବି ଓ ସାରଜାରେ ଖେଳାଯିବ। ଏହା ପରେ ଦୁଇ ସେମିଫାଇନାଲ୍ ଓ ଗୋଟିଏ ଫାଇନାଲ୍‌ ଧାର୍ଯ୍ୟ ରହିଛି।

ଜୁନ୍ ୧ ତାରିଖ ବୈଠକରେ ଆଇସିସି ମଧ୍ୟ ବିସିସିଆଇକୁ ଚଳିତ ମାସ ଶେଷ ପର୍ଯ୍ୟନ୍ତ ନିଷ୍ପତ୍ତି ନେବାକୁ ସମୟ ଦେଇଥିଲା। ସୂଚନାଯୋଗ୍ୟ, କୋଭିଡ୍‌ କାରଣରୁ ଗତବର୍ଷର ବିଶ୍ବକପ୍‌ ଅଷ୍ଟ୍ରେଲିଆରେ ଖେଳାଯାଇ ପାରିନଥିଲା। ଏହା ୨୦୨୨କୁ ଘୁଞ୍ଚାଇ ଦିଆଯାଇଥିଲା। ଭାରତ କିନ୍ତୁ ଆୟୋଜନ ଅଧିକାରକୁ କୌଣସି ମତେ ସଫଳ ରୂପାୟନ କରିବାକୁ ବଦ୍ଧ ପରିକର ରହିଥିଲା। ଏପରିକି ୯ଟି ଭାରତୀୟ ସହରକୁ ଭେନ୍ୟୁ ତାଲିକାରେ ରଖି ପ୍ରସ୍ତୁତିରେ ରହିଥିଲା। କୋଭିଡ୍ ପରିସ୍ଥିତି କିନ୍ତୁ ବିସିସିଆଇକୁ ବିଶ୍ବକପ୍‌କୁ ଦେଶ ବାହାରକୁ ନେବାକୁ ବାଧ୍ୟ କରିଛି। ବିଶେଷ କରି ତୃତୀୟ ଲହରର ଆଶଙ୍କା ବିସିସିଆଇକୁ ଏଭଳି ସ୍ଥାନାନ୍ତର ପାଇଁ ବାଧ୍ୟ କରିଛି।