ଲିଡ୍ସ: ଏଠାରେ ଚାଲିଥିବା ଇଂଲଣ୍ଡ-ନ୍ୟୁଜିଲାଣ୍ଡ ତୃତୀୟ ଟେଷ୍ଟ୍ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ଜାକ୍ ଲିଚ୍ ପୁଣି ୫ ୱିକେଟ୍ ସଫଳତା ହାସଲ କରିବାରୁ ପ୍ରଥମ ପାଳିରେ ୩୨୯ ରନ୍ କରିଥିବା ଭ୍ରମଣକାରୀ ନ୍ୟୁଜିଲାଣ୍ଡର ଦ୍ବିତୀୟ ପାଳି ସ୍କୋର୍ ୩୨୬ ରନ୍ରେ ଶେଷ ହୋଇଯାଇଛି। ଫଳରେ ପ୍ରଥମ ପାଳିରେ ୩୬୦ ରନ୍ କରି ୩୧ ରନ୍ର ଅଗ୍ରଣୀ ପାଇଥିବା ଘରୋଇ ଇଂଲଣ୍ଡ ସମ୍ମୁଖରେ ୨୯୬ ରନ୍ର ବିଜୟ ଲକ୍ଷ୍ୟ ରହିଛି। ରବିବାର ଚତୁର୍ଥ ଦିବସର ଶେଷ ଅଧିବେସନ ସାଙ୍ଗକୁ ଆସନ୍ତାକାଲି ପୂରା ଦିନ ମ୍ୟାଚ୍ ବାକିଥିବାରୁ ଏହି ଟେଷ୍ଟ୍ର ଫଳାଫଳ ବାହାରିବା ନିଶ୍ଚିତ ହୋଇଯାଇଛି।
ପ୍ରଥମ ପାଳିରେ ୧୦୦ ରନ୍ରେ ୫ ୱିକେଟ୍ ଦଖଲ କରିଥିବା ଲିଚ୍ ଦ୍ବିତୀୟ ପାଳିରେ ୬୬ ରନ୍ରେ ୫ ୱିକେଟ୍ ଅକ୍ତିଆର କରିଛନ୍ତି। ଫଳରେ ଡାରିଲ ମିଚେଲ (୫୬) ଏବଂ ଟମ୍ ବ୍ଲଣ୍ଡେଲ (୮୮*)ଙ୍କ ଅପରାଜିତ ଶତକ ସତ୍ତ୍ବେ ନ୍ୟୁଜିଲାଣ୍ଡ ୩୨୬ ରନ୍ରେ ଅଟକି ଯାଇଥିଲା। ମିଚେଲ ଓ ବ୍ଲଣ୍ଡେଲ ଷଷ୍ଠ ୱିକେଟ୍ରେ ମହତ୍ବପୂର୍ଣ୍ଣ ୧୧୩ ରନ୍ ଯୋଡ଼ିଥିଲେ। ତେବେ ଟ୍ରେଣ୍ଟ୍ ବୋଲ୍ଟ (୪)ଙ୍କୁ ଆଉଟ୍ କରି ଲିଚ୍ କ୍ରମାଗତ ଦ୍ବିତୀୟ ୫ ୱିକେଟ୍ ସଫଳତା ପାଇବା ସାଙ୍ଗକୁ ନ୍ୟୁଜିଲାଣ୍ଡ ପାଳିର ଅନ୍ତ ଘଟାଇଥିଲେ। ଏଥି ସହିତ ଚତୁର୍ଥ ଦିବସର ଚା’ପାନ ବିରତି ମଧ୍ୟ ହୋଇଯାଇଥିଲା। ଲିଚ୍ ଉଭୟ ପାଳିରେ ୧୬୬ ରନ୍ ବିନିମୟରେ ୧୦ ୱିକେଟ୍ ଅକ୍ତିଆର କରି ଇଂଲଣ୍ଡକୁ ବିଜୟ ସୁଯୋଗ ଦେଇଛନ୍ତି। ଲିଚ୍ଙ୍କ ବ୍ୟତୀତ ନ୍ୟୁଜିଲାଣ୍ଡ ଦ୍ବିତୀୟ ପାଳିରେ ମାଟି ପଟ୍ସ ୩, ଜାମି ଓଭରଟନ୍ ଏବଂ ଜୋ ରୁଟ୍ ଗୋଟିଏ ଲେଖାଏଁ ୱିକେଟ୍ ଦଖଲ କରିଥିଲେ। ଜବାବରେ ଚତୁର୍ଥ ଦିବସ ରିପୋର୍ଟ ଲେଖାହେଲା ବେଳକୁ ଇଂଲଣ୍ଡ ୨ ୱିକେଟ୍ ହରାଇ ୧୨୭ ରନ୍ କରିଛି। ଫଳରେ ହାତରେ ୮ ୱିକେଟ୍ ଥାଇ ବିଜୟଠୁ ୧୬୯ ରନ୍ ଦୂରରେ ରହିଛି। ଆଲେକ୍ସ ହେଲ୍ସ (୯) ଏବଂ ଜାକ୍ କ୍ରଲି (୨୫) ଆଉଟ୍ ହୋଇଯାଇଥିଲା ବେଳେ ଓଲି ପୋପ୍ (୫୨) ଏବଂ ଜୋ ରୁଟ୍ (୩୩) କ୍ରିଜ୍ରେ ଜମି ରହିଛନ୍ତି।
ବେନ୍ ଫୋକ୍ସ କରୋନା ପଜିଟିଭ୍: ହେଡିଙ୍ଗ୍ଲେ ଟେଷ୍ଟ୍ରୁ ବାଦ୍
ଲଣ୍ଡନ: ଇଂଲଣ୍ଡ ୱିକେଟ୍ରକ୍ଷକ/ବ୍ୟାଟର୍ ବେନ୍ ଫୋକ୍ସ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି। ଫଳରେ ସେ ଚଳିତ ନ୍ୟୁଜିଲାଣ୍ଡ ବିପକ୍ଷ ହେଡିଙ୍ଗ୍ଲେ ଟେଷ୍ଟ୍ରୁ ବାଦ୍ ପଡ଼ିଛନ୍ତି। ଚଳିତ ତୃତୀୟ ଟେଷ୍ଟ୍ର ତୃତୀୟ ଦିବସରୁ ହିଁ ସେ ଦଳ ବାହାରେ ରହିଥିଲେ। ତାଙ୍କ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ତାଙ୍କର ଅସୁସ୍ଥତା ଆକନଳ ବେଳେ କୋଭିଡ୍ ପଜିଟିଭ୍ ବାହାରିଥିଲା। ସେ ନ୍ୟୁଜିଲାଣ୍ଡ ବିପକ୍ଷ ଅବଶିଷ୍ଟ ଶୃଙ୍ଖଳାରୁ ବାଦ୍ ପଡ଼ିଥିଲେ ମଧ୍ୟ ଭାରତ ବିପକ୍ଷ ଟେଷ୍ଟ୍ ବେଳକୁ ଫିଟ୍ ହୋଇଯାଇଥିବେ ବୋଲି ଦଳ ପକ୍ଷରୁ ଆଶା ରଖାଯାଇଛି। ତଥାପି ତାଙ୍କ ବଦଳ ଖେଳାଳି ଭାବେ ସାମ୍ ବିଲିଙ୍ଗ୍ସଙ୍କୁ ଇଂଲଣ୍ଡ ବୋର୍ଡ ଅନୁ ମୋଦନ ଦେଇଛି।