ଲଣ୍ଡନ୍: ଭାରତୀୟ ଟେଷ୍ଟ୍ ଦଳର ଉପଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ଲଗାତାର ବିଫଳତା ଏବେ ଚିନ୍ତାର କାରଣ ହୋଇଛି। ଚଳିତ ଇଂଲଣ୍ଡ ଗସ୍ତରେ ରାହାଣେ ଖରାପ ଫର୍ମ ଦେଇ ଗତି କରୁଥିବାରୁ ଦଳର ପ୍ରଦର୍ଶନ ମଧ୍ୟ ପ୍ରଭାବିତ ହୋଇଛି। ଅଦ୍ୟାବଧି ସେ ୭ ପାଳିରୁ ୧୦୯ ରନ୍ କରି ନିରାସ କରିଛନ୍ତି। ଚତୁର୍ଥ ଟେଷ୍ଟ୍ରେ ସେ ତାଙ୍କ ୫ ନମ୍ବର ସ୍ଥାନ ହରାଇଥିଲେ। ଏହି ସ୍ଥାନରେ ରବୀନ୍ଦ୍ର ଜାଦେଜା ବ୍ୟାଟିଂ କରିଥିଲେ। ଚଳିତ ବର୍ଷ ପ୍ରାରମ୍ଭରେ ରାହାଣେଙ୍କ ନେତୃ୍ତ୍ବରେ ଭାରତ ଅଷ୍ଟ୍ରେଲିଆରେ ଐତିହାସିକ ଟେଷ୍ଟ୍ ବିଜୟ ଅର୍ଜନ କରିବା ପରଠାରୁ ସେ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଅଷ୍ଟ୍ରେଲିଆ ଗସ୍ତଠାରୁ ଆରମ୍ଭ କରି ଶେଷ ୨୦ ପାାଳିରେ ରାହାଣେ ଶତକ ହାସଲ କରିନାହାନ୍ତି। କିନ୍ତୁ ବକ୍ସିଂ ଡେ’ ଟେଷ୍ଟ୍ରେ ଶତକ ହାସଲ କରିଥିଲେ। ରାହାଣେଙ୍କ ଫର୍ମକୁ ନେଇ କିନ୍ତୁ ଦଳୀୟ ଶିବିର ଚିନ୍ତିତ ନୁହେଁ ବୋଲି କହିଛନ୍ତି ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର୍।
ରାହାଣେ କିନ୍ତୁ ଶେଷ ୧୦ ପାଳିରେ ସ୍କୋର୍ କରିଥିବା ୨୭, ୪୯, ୧୫, ୫, ୧, ୬୧, ୧୮, ୧୦, ୧୪, ୦ ରନ୍କୁ ନେଇ ଅସନ୍ତୁଷ୍ଟ ଅଛନ୍ତି। ୨୦୧୯ ନଭେମ୍ବର ମାସଠାରୁ ଅଧିନାୟକ ବିରାଟ କୋହଲି ଶତକ ହାସଲ କରିନଥିବାରୁ ମଧ୍ୟକ୍ରମରେ ଚେତେଶ୍ବର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କ ଉପରେ ଚାପ ରହୁଛି। ଶ୍ରୀଲଙ୍କାରୁ ସ୍ବତନ୍ତ୍ର ଡାକରା କ୍ରମେ ଇଂଲଣ୍ଡ ଗସ୍ତ କରିଥିବା ପୃଥ୍ବୀ ସ’ ଏବଂ ସୂର୍ଯ୍ୟକୁମାର ଯାଦବ ଏବେ ଦଳ ବାହାରେ ବସିଥିବାରୁ ଏମାନଙ୍କ ମଧ୍ୟରୁ କେହି ରାହାଣେଙ୍କ ସ୍ଥାନ ନେଇ ପାରନ୍ତି ବୋଲି ଆଲୋଚନା ହେଉଛି। ଚତୁର୍ଥ ଟେଷ୍ଟ୍ ଦଳରୁ ରାହାଣେଙ୍କୁ ବାଦ୍ ଦିଆଯିବା ଉଚିତ୍ ବୋଲି ଭିଭିଏସ୍ ଲକ୍ଷ୍ମଣ ମତ ଦେଇଥିଲେ ମଧ୍ୟ ବ୍ୟାଟିଂ କିଂବଦନ୍ତି ସୁନିଲ ଗାଭାସ୍କର ଭିନ୍ନ ମତ ରଖିଛନ୍ତି। ରାହାଣେ ଦଳ ପାଇଁ ବୋଝ ନୁହନ୍ତି ସମ୍ପତ୍ତି ଭଳି ବୋଲି ସେ କହିଛନ୍ତି।