ଟେନିସ ଜଗତ ଚକିତ, ୨୫ ବର୍ଷ ବୟସରେ ଅବସର ନେଲେ ବାର୍ଟି

ମେଲ୍‌ବର୍ଣ୍ଣ: ବିଶ୍ବର ଏକ ନମ୍ବର ମହିଳା ଟେନିସ୍‌ ଖେଳାଳି ଆସ୍‌ଲେ ବାର୍ଟି ବୁଧବାର ମାତ୍ର ୨୫ ବର୍ଷ ବୟସରେ ଅଚାନକ ଅବସର ନେଇ ଟେନିସ ଜଗତକୁ ଚକିତ କରିଦେଇଛନ୍ତି। ଅବଶ୍ୟ ଏହା ତାଙ୍କର ଦ୍ବିତୀୟ ଅବସର। ୨୦୧୪ରେ ଭ୍ରମଣଜନିତ ଅସୁବିଧା ଯୋଗୁଁ ସ୍ବଳ୍ପ ବୟସରେ ସେ ଅବସର ନେଇଯାଇଥିଲେ। ଏହା ପରେ ନିଜ ରାଜ୍ୟ କୁଇନ୍ସଲାଣ୍ଡ ପକ୍ଷରୁ କ୍ରିକେଟ୍‌ ଖେଳିଥିଲେ। ପ୍ରଶଂସକଙ୍କ ଭଲପାଇବା ସାଙ୍ଗକୁ ଭଲ ପ୍ରାୟୋଜକ ମିଳିଯିବାରୁ ସେ ପୁଣି ଥରେ ୨୦୧୬ରେ ଟେନିସକୁ ପ୍ରତ୍ୟାବର୍ତ୍ତନ କରିଥିଲେ। କିନ୍ତୁ ଏବର ଅବସର କାରଣ ନେଇ ସେ କୌଣସି ସୂଚନା ଦେଇନାହାନ୍ତି। ଗୁରୁବାର ସମସ୍ତ ତଥ୍ୟ ଦେବେ ବୋଲି କହିଛନ୍ତି। ‘‘ମୁଁ ଜାଣିଛି, ନିଜ ପାଇଁ ଶ୍ରେଷ୍ଠ ତୋଳିବାକୁ କେତେ ପରିଶ୍ରମ କରିବାକୁ ପଡ଼େ…. ମୋ ପାଖରେ ବର୍ତ୍ତମାନ ଏହା ନାହିଁ। ଆଗକୁ ବଢ଼ିବାକୁ, ଭାବପ୍ରବଣତା, ସର୍ବୋଚ୍ଚ ସ୍ତରର ଚ୍ୟାଲେଞ୍ଜ ଲାଗି ଆବଶ୍ୟକ ଶକ୍ତି ଏବଂ ଅନ୍ୟନ୍ୟ ଜିନିଷ ନାହିଁ। ଏସବୁ ମୁଁ ଶେଷ କରି ଦେଇଛି। ଜାଣିଛି ଏପରି ପୂର୍ବରୁ କରିଛି। କିନ୍ତୁ ଏହା ଭିନ୍ନ ଅନୁଭବ। ଟେନିସ ନିକଟରେ ମୁଁ କୃତଜ୍ଞ। ଏହା ମୋତେ ସ୍ବପ୍ନଠୁ ଅଧିକ ଦେଇଛି। କିନ୍ତୁ ରୢାକେଟ୍‌କୁ ତଳକୁ କରିବା ଏବଂ ଅନ୍ୟ ସ୍ବପ୍ନ ଦେଖିବା ଲାଗି ଏହା ପ୍ରକୃଷ୍ଟ ସମୟ ବୋଲି ମୁଁ ଅନୁଭବ କରୁଛି’’। ବୁଧବାର ଇନ୍‌ଷ୍ଟାଗ୍ରାମରେ ଅବସର ଘୋ‌ଷଣା ବେଳେ ଏକ ଭିଡିଓ ବାର୍ତ୍ତାରେ ବାର୍ଟି ଏଭଳି ପ୍ରକାଶ କରିଛନ୍ତି। ଅବସର ଘୋଷଣା ପୂର୍ବରୁ ଘନିଷ୍ଠ ବନ୍ଧୁ ତଥା ଯୁଗଳ ସାଥୀ କାସେ ଡେଲାକ୍ବାଙ୍କ ସହ ଏକ ଭିଡିଓ ସାକ୍ଷାତକାରରେ କହିଛନ୍ତି ଯେ, ‘‘ଆସ୍‌ ବାର୍ଟି ଏପରି ଜଣେ ମଣିଷ ଯାହା ନିକଟରେ ଅନେକ ସ୍ବପ୍ନ ରହିଛି। ଏଥିପାଇଁ ମୋତେ ବିଶ୍ବ ଯାତ୍ରା କରିବାର ଆବଶ୍ୟକତା ନାହିଁ। ନିଜ ଘର, ପରିବାର ଏବଂ ଯାହା ସହ ରହିବାକୁ ସର୍ବଦା ଚାହେଁ ତାକୁ ଛାଡ଼ି ପାରିବେନି। ଟେନିସକୁ ଭଲ ପାଇବା ବି କେବେ ଛାଡ଼ିବିନି। ଏହା ମୋ ଜୀବନର ଏକ ବୃହତ ଅଂଶବିଶେଷ। କିନ୍ତୁ ମୁଁ ଭାବୁଛି ମୋ ଜୀବନର ପରବର୍ତ୍ତୀ ସମୟକୁ କ୍ରୀଡ଼ାବିତ୍‌ ଆସ୍‌ ବାର୍ଟି ନୁହେଁ କେବଳ ଆସ୍‌ ବାର୍ଟି ଭାବେ ବଞ୍ଚିବାକୁ ଚାହେଁ’’। ଏଭଳି ବର୍ଣ୍ଣନା କରିବା ବେଳେ ବାର୍ଟିଙ୍କ ଆଖିରୁ ଲୋତକ ଝରିପଡ଼ିଥିଲା।

ବାର୍ଟି ୪୪ ବର୍ଷ ପରେ ଚଳିତ ବର୍ଷ ପ୍ରଥମ ଘରୋଇ ଖେଳାଳି ଭାବେ ଅଷ୍ଟ୍ରେଲିଆନ୍‌ ଓପନ୍‌ ବିଜୟୀ ହେବାର ଗୌରବ ଅର୍ଜନ କରିଥିଲେ ଏବଂ ଜାତୀୟ ହିରୋ ପାଲଟିଯାଇଥିଲେ। ଅଷ୍ଟ୍ରେଲିଆନ୍‌ ଓପନ୍‌ ଜିତିବା ‌ପରେ ସେ ତାଙ୍କ ଗ୍ରାଣ୍ଡ ସ୍ଲାମ୍‌ ମୁକୁଟ ସଂଖ୍ୟା ୩ରେ ପହଞ୍ଚାଇଥିଲେ। ଏହାର ୩ ମାସ ପୂର୍ବରୁ ସେ ୱିମ୍ବଲଡନ୍‌ ଏବଂ ୨୦୧୯ରେ ଫ୍ରେଞ୍ଚ୍‌ ଓପନ୍‌ କରାୟତ୍ତ କରିଥିଲେ। ଏହାବାଦ୍‌ ଚମତ୍କାର ଖେଳ ପାଇଁ ସେ ତାରକା ଖେଳାଳିଙ୍କ ମଧ୍ୟରେ ଗଣତି ହୋଇଥିଲେ। ବଡ଼ବଡ଼ ପ୍ରତିଯୋଗିତାରେ ବିଜୟୀ ହେବା ସହ ୧୨୧ ସପ୍ତାହ ଧରି ବିଶ୍ବର ଏକ ନମ୍ବରରେ ରହିବାର ଶକ୍ତି ସେ ଦେଖାଇଥିଲେ। କୋଭିଡ ମହାମାରୀ ଯୋଗୁଁ ଟେନିସ ପ୍ରତିଯୋଗିତା ପ୍ରାୟ ବର୍ଷେ ବନ୍ଦ ରହିବାରୁ ସେ ଏହି ସମୟ ପରିବାର ସହ ବିତାଇଥିଲେ। ଏହା ପରେ ଯେତେବେଳେ ପୁଣି ଟେନିସ ପ୍ରତିଯୋଗିତା ଆରମ୍ଭ ହେଲା ସେ କୋର୍ଟକୁ ଫେରିଥିଲେ। ବାର୍ଟି ନିଜ ଟେନିସ ଜୀବନରେ ପ୍ରାୟ ୨୪ ନିୟୁତ ଡଲାର ଅଥବା ଭାରତୀୟ ମୂଦ୍ରାରେ ୧୮୪ କୋଟି ଟଙ୍କାର ପୁରସ୍କାର ରାଶି ପାଇଛନ୍ତି। ତାଙ୍କ ଅବସର ୨୦୦୮ରେ ୨୫ ବର୍ଷ ବୟସରେ ବିଶ୍ବର ଏକ ନମ୍ବର ଏବଂ ୭ ଗ୍ରାଣ୍ଡ ସ୍ଲାମଧାରୀ ଜଷ୍ଟିନ ହେନିନଙ୍କ ଅବସର ଭଳି ରହିଛି। ବେଲଜିୟମର କିମ୍‌ କ୍ଲାଇଷ୍ଟର୍ସଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ୨୦୧୦ରେ ହେନିନ ଟେନିସକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ୨୦୦୫ ୟୁଏସ୍‌ ଓପନ୍‌ ବିଜୟିନୀ କ୍ଲାଇଷ୍ଟର୍ସ ୨୦୦୭ରେ ୨୩ ବର୍ଷ ବୟସ‌ରେ ଅବସର ନେଇଥିଲେ। କିନ୍ତୁ ଏହାର ଦୁଇ ବର୍ଷ ପରେ ଫେରି ୩ ଗ୍ରାଣ୍ଡ ସ୍ଲାମ୍‌ ନିଜ ନାମରେ କରିଥିଲେ।

ସମ୍ବନ୍ଧିତ ଖବର