ଚୀନ୍‌ ସାମଗ୍ରୀ ବର୍ଜନ ବେଳେ ଚୀନ୍‌ ପ୍ରଶିକ୍ଷକଙ୍କ ଚୁକ୍ତି ମିଆଦ ବଢ଼ିଲା

ନୂଆଦିଲ୍ଲୀ: ଏଲ୍‌ଏସିରେ ଯୁଦ୍ଧର ବାତାବରଣ ନେଇ ଭାରତ ଓ ଚୀନ୍‌ ମଧ୍ୟରେ ସଂପର୍କ ତିକ୍ତ ରହିଛି। ଏହାକୁ କେନ୍ଦ୍ର କରି ଭାରତରେ ଚୀନ୍‌ ସାମଗ୍ରୀକୁ ବର୍ଜନ କରିବାର ସ୍ବର ତୀବ୍ର ହୋଇଛି। ଏପରିକି ଭାରତ ସରକାର ମଧ୍ୟ ଚୀନ୍‌ର ୫୯ଟି ଆପ୍‌କୁ ବନ୍ଦ କରିସାରିଲେଣି। ପୁଣି ଭାରତୀୟ କ୍ରୀଡ଼ା ସହ ସଂପୃକ୍ତ ଚୀନ୍‌ ଉପକରଣ ଏବଂ ଚୀନ୍‌ ପ୍ରଶିକ୍ଷକଙ୍କୁ କାର୍ଯ୍ୟାନ୍ତର କରିବା ନେଇ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ଦାବିର ସ୍ବର ମଧ୍ୟ ଉଠିଥିଲା। ଏପରିସ୍ଥଳେ ଭାରତୀୟ ‌ଟେନିସ୍‌ ସଂଘ ଏବେ ତା’ର ଚୀନ୍‌ ପ୍ରଶିକ୍ଷକ ୟିନ୍‌ ୱି’ଙ୍କ ସହ ଚୁକ୍ତି ମିଆଦକୁ ବୃଦ୍ଧି କରିବାର ନିଷ୍ପତ୍ତି ନେଇଛି।

‘ସାଇ’ ଦ୍ବାରା ସୁପାରିସକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଗ୍ରହଣ କରିନେଇଥିବା ଜଣାପଡ଼ିଛି। ଏକ ସୂତ୍ରରୁ ଜଣାପଡ଼ିଛି ୟିନ୍‌ ଭାରତରେ ରହି ଟ୍ୟାଲେଣ୍ଟ ହଣ୍ଟ୍‌ କରିବା ପାଇଁ ସହମତି ଜଣାଇଛନ୍ତି। ତେଣୁ ଆସନ୍ତାବର୍ଷ ଜୁନ୍‌ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ବର୍ଦ୍ଧିତ ଅବଧି ମଧ୍ୟରେ ସେ ମାସିକ ୩୫୦୦ ଆମେରିକୀୟ ଡଲାର ହିସାବରେ ମୋଟ ୨.୬୨ ଲକ୍ଷ ଟଙ୍କାର ବେତନ ପାଇବେ।

ସମ୍ବନ୍ଧିତ ଖବର