ଭାରତୀୟ ଚୟନକର୍ତା ଅଡୁଆରେ ପଡ଼ିବେ: ଚାପେଲ୍‌

ଟେଷ୍ଟ୍ ଦଳରେ ହାର୍ଦିକ ପାଣ୍ଡ୍ୟା ରହିବା ଉଚିତ

ମେଲବର୍ନ: ବିଶ୍ବବ୍ୟାପୀ ଲକ୍‌ଡାଉନ୍ କୋହଳ ହେବାରେ ଲାଗିଥିବା ବେଳେ କ୍ରିକେଟ୍ କାର୍ଯ୍ୟକଳାପ ମଧ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। କ୍ରିକେଟ୍ ଅଷ୍ଟ୍ରେଲିଆା ମଧ୍ୟ ବର୍ଡର-ଗାଭାସ୍କର ଟ୍ରଫି ଡିସେମ୍ବରରୁ ଖେଳାଯିବ ବୋଲି ସୂଚୀ ଘୋଷଣା କରିସାରିଛି। ଅଷ୍ଟ୍ରେଲିଆର ମହାନ ଖେଳାଳି ଇଆନ୍ ଚାପେଲ ଏହି ଅବସରରେ କହିଛନ୍ତି, ଚଳିତ ବର୍ଷର ଅଷ୍ଟ୍ରେଲିଆ ଗସ୍ତ ଭାରତୀୟ ଦଳ ପାଇଁ ଅନେକ ଆହ୍ବାନ ନେଇ ଆସିବ। ଖେଳାଳି ବାଛିବା ଭାରତୀୟ ଚୟନକର୍ତାଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହେବ। ୨୦୧୮-୧୯ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ୨-୧ ଶୃଙ୍ଖଳା ବିଜୟକୁ‌ ଦୋହରାଇବା ମଧ୍ୟ କୋହଲିଙ୍କ ପାଇଁ ଆହ୍ବାନ‌ଭରା ରହିବ ବୋଲି ଚାପେଲ୍ ଆକଳନ କରିଛନ୍ତି।

ଭାରତୀୟ ଟେଷ୍ଟ ଦଳରେ ୩ ଜଣ ପ୍ରତିଭାମାନ ସ୍ପିନର୍‌ ରହିଛନ୍ତି। ରବିଚନ୍ଦ୍ରନ ଅଶ୍ବିନ୍‌ ନିଜକୁ ପ୍ରମାଣିତ କରିସାରିଛନ୍ତି। ରବୀନ୍ଦ୍ର ଜାଦେଜା ଜଣେ ଅଲରାଉଣ୍ଡର୍‌ ଯିଏ ବ୍ୟାଟ୍‌ ଓ ବଲ୍‌ରେ ଭଲ କରିଥା’ନ୍ତି। ଚାଇନାମ୍ୟାନ୍‌ ବୋଲର୍‌ କୁଲଦୀପ ଯାଦବ ମଧ୍ୟ ମାରାତ୍ମକ ବିକଳ୍ପ ଉଭା ହୋଇଛନ୍ତି। ଏହି ୩ ସ୍ପିନରଙ୍କ ମଧ୍ୟରୁ କାହାକୁ ନେବେ ନ ନେବେ ଚୟନକର୍ତା ନିଶ୍ଚିତ ଦ୍ବନ୍ଦ୍ବରେ ପଡ଼ିବେ। ଅଷ୍ଟ୍ରେଲିଆ ପିଚ୍‌ରେ କୁଲଦୀପଙ୍କ କଚଟି ସ୍ପିନ୍‌ ଘରୋଇ ଦଳ ପାଇଁ ବଡ଼ ଆହ୍ବାନ ଆଣିପାରେ। ତେଣୁ ସ୍ପିନରଙ୍କ ଚୟନ‌ ବେ‌ଳେ ଭାରତୀୟ ଚୟନକର୍ତାଙ୍କ ମୁଣ୍ଡବ୍ୟଥା ବଢ଼ିବ। ଏଥିପାଇଁ ସେମାନଙ୍କୁ ସାହସିକ ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ଚାପେଲ୍ ପ୍ରକାଶ କରିଛନ୍ତି।

ଟେଷ୍ଟ୍ ଦଳରେ ହାର୍ଦିକ ପାଣ୍ଡ୍ୟା ରହିବା ଉଚିତ
ଅଲରାଉଣ୍ଡର୍‌ ହାର୍ଦିକ ପାଣ୍ଡ୍ୟା ଟେଷ୍ଟ୍ ଦଳକୁ ‌ଫେରନ୍ତୁ ବୋଲି ଆଶା ରଖିଛନ୍ତି ଇଆନ୍‌ ଚାପେଲ୍‌। ୨୦୧୮ ମସିହାରୁ ପାଣ୍ଡ୍ୟା ଟେଷ୍ଟ୍ ମ୍ୟାଚ୍‌ ଖେଳିନାହାନ୍ତି। ପିଠି ସମସ୍ୟାରୁ ସୁଧୁରିଥିବାରୁ ତାଙ୍କୁ ଦଳରେ ନିଆଯିବା ଉଚିତ୍ ବୋଲି ଚାପେଲ୍ କହିଛନ୍ତି। ଘରୋଇ ଦଳର ଦୃଢ଼ ବ୍ୟାଟିଂ ଲାଇନ୍ ଅପ୍ ଲାଗି ସେ ଆହ୍ବାନ ଆଣିପାରିବେ। ହାର୍ଦିକ ଉପଲବ୍‌ଧ ହେଉଥିଲେ ତାଙ୍କୁ ଦଳରେ ନିଆଯିବା ଉଚିତ, ଏହା ଭାରତକୁ ଅତିରିକ୍ତ ବୋଲିଂ ବିକଳ୍ପ ଯୋଗାଇଦେବ। ଭାରତୀୟ ଦଳର ପ୍ରମୁଖ ବୋଲରମାନେ ବିଶ୍ରାମ ଆବଶ୍ୟକ କରୁଥିବା ବେଳେ ପାଣ୍ଡ୍ୟା ଏହା ସମ୍ଭାଳି ପାରିବେ। ପାଣ୍ଡ୍ୟାଙ୍କୁ ତୃତୀୟ ସିମର ଭାବେ ଖେଳାଗଲେ ଦ୍ବିତୀୟ ସ୍ପିନର ମଧ୍ୟ ଖେଳିପାରିବେ। ପାଣ୍ଡ୍ୟା ୭ ନମ୍ବର ଏବଂ ଋଷବ ପନ୍ତ୍‌ ୬ ନମ୍ବରରେ ବ୍ୟାଟିଂ କରିବେ ବୋଲି ଚାପେଲ କହିଛନ୍ତି।

ଅଷ୍ଟ୍ରେଲିଆ ବ୍ୟାଟିଂ ଦୃଢ଼
ଅଷ୍ଟ୍ରେଲିଆର ବ୍ୟାଟିଂ ଏବେ ସୁଦୃଢ଼ ରହିଛି‌ ବୋଲି ଚାପେଲ୍ ପ୍ରକାଶ କରିଛନ୍ତି। ଗତ ଗସ୍ତ ତୁଳନାରେ ଏଥର ଭାରତକୁ ଏକ ଭିନ୍ନ ଅଷ୍ଟ୍ରେଲିଆ ଦଳକୁ ସମ୍ମୁଖୀନ ହେବାକୁ ପଡ଼ିବ। ସାତ ଦଶନ୍ଧିର ପ୍ରୟାସ ପରେ ୨୦୧୮-୧୯ରେ ଭାରତ ପ୍ରଥମ ଥର ଟେଷ୍ଟ୍ ଶୃଙ୍ଖଳା ଜିତି ଐତିହାସିକ ସଫଳତା ପାଇଥିଲା। କିନ୍ତୁ ସେହି ଗସ୍ତରେ ବଲ୍ ବିକୃତ ବିବାଦ ପାଇଁ ନିଲମ୍ବିତ ଦୁଇ ପ୍ରମୁଖ ଖେଳାଳି ଷ୍ଟିଭେନ୍ ସ୍ମିଥ୍‌ ଓ ଡେଭିଡ୍‌ ୱାର୍ନର ଖେଳିନଥିଲେ। ଏହ‌ି ଦୁଇ ‌ଖେଳାଳିଙ୍କ ପ୍ରତ୍ୟାବର୍ତନ ସହିତ ଯୁବ ପ୍ରତିଭା ମାର୍ନସ ଲବୁସାନଙ୍କ ଉତ୍‌ଥାନ ଦଳର ବ୍ୟାଟିଂକୁ ଦୃଢ଼ୀଭୂତ କରିଛି। ଏପରିକି ଲବୁସାନଙ୍କ ଆଗମନ ପରେ ସ୍ମିଥ୍‌ ଓ ୱାର୍ନରଙ୍କ ଉପରେ ଦଳ ଅଧିକ ନିର୍ଭରଶୀଳ ହେବନାହିଁ ବୋଲି ଚାପେଲ୍ କହିଛନ୍ତି। ଅଷ୍ଟ୍ରେଲିଆର ଜଣେ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଏବଂ ମଧ୍ୟକ୍ରମ ଦୁର୍ବଳ ଥିବାରୁ ଭାରତକୁ ଏଥିରୁ ଫାଇଦା ଉଠାଇବା ଉଚିତ୍। ୱାର୍ନରଙ୍କ ସହିତ ଜୋ ବର୍ନସ ପାଳି ଆରମ୍ଭ କରିବା ଯୋଜନା ରହିଛି। ବର୍ନସ ପ୍ରଥମରୁ ଏତେ ପ୍ରଭାବୀ ରୁହନ୍ତି ନାହିଁ, ‌ଏଣୁ ଭାରତ ଏହାର ଫାଇଦା ଉଠାଇବା ସହ ସ୍ମିଥ୍‌ ଓ ୱାର୍ନରଙ୍କ ଉପରେ ଚାପ ପକାଇପାରିବ। ମଧ୍ୟକ୍ରମରେ ଥିବା ଟ୍ରାଭିସ୍‌ ହେଡ୍, ମାଥ୍ୟୁ ୱାଦେ ଓ ମିଚେଲ୍‌ ମାର୍ସଙ୍କ ମଧ୍ୟରୁ ୨ ଜଣ ଖେଳିବେ।

ଦ୍ରୁତ ବୋଲିଂ ଶାଣିତ
ଅଷ୍ଟ୍ରେଲିଆର ଦ୍ରୁତ ବୋଲିଂ ବିଭାଗ ଭଲ ରୂପରେଖରେ ରହିଛି। ପ୍ୟାଟ୍ କମିନ୍ସ, ମିଚେଲ୍ ଷ୍ଟାର୍କ, ଜୋସ୍ ହାଜେଲଉଡ୍‌ ଓ ଜେମ୍ସ ପାଟିନସନ୍‌ଙ୍କୁ ନେଇ ଏହି ବିଭାଗ ଅଧିକ ଶାଣିତ। ସ୍ପିନର୍‌ ନିଷ୍ପତ୍ତି ଅତି ସାଧାରଣ-ନାଥନ୍ ଲାୟନ୍ ନିଶ୍ଚିତ। ଏହି ବୋଲିଂ ଆକ୍ରମଣ ବିପଜ୍ଜନକ ବିରାଟ କୋହଲି ଓ ଚେତେଶ୍ବର ପୂଜାରାଙ୍କୁ ରୋକିପାରିବ ବୋଲି ଚାପେଲ୍ ଆଶା ରଖିଛନ୍ତି। ସେହି ଦୃଷ୍ଟିରୁ ଡିସେମ୍ବର-ଜାନୁଆରି ମାସର ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆର ‘ବିଗ୍‌ ଥ୍ରୀ’ ବନାମ ଭାରତର ‘ବିଗ୍‌ ବ୍ୟାଟ୍‌’ ମଧ୍ୟରେ ମୁକାବିଲା ହେବ ବୋଲି କ୍ରିକେଟପ୍ରେମୀ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର