ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ୍‌ ଆଜିଠୁ

୫୦ ବର୍ଷ ତଳର ବିଜୟକୁ ମନେ ପକାଇଲେ ଶାସ୍ତ୍ରୀ

ଲିଡ୍ସ: ଲର୍ଡସରେ ନାଟକୀୟ ବିଜୟ ହାସଲ ପରେ ଆତ୍ମବିଶ୍ବାସରେ ଥିବା ବିରାଟ କୋହଲିଙ୍କ ଦଳ ବୁଧବାରଠାରୁ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍‌ ଖେଳିବ। ଭାରତ ୧-୦ରେ ଆଗୁଆ ଥିବାରୁ ଶୃଙ୍ଖଳାରେ ପ୍ରଧାନ୍ୟ ଜାରି ରଖିବାକୁ ଚାହିଁବ। ଆଉ ଏକ ବିଜୟ ପାଇଲେ ଭାରତ ମଧ୍ୟ ଶୃଙ୍ଖଳାରେ ସୁରକ୍ଷିତ ରହିପାରିବ। ଅନ୍ୟପକ୍ଷରେ ଆହତ ସମସ୍ୟା ଭିତରେ ଯୁଝୁଥିବା ଘରୋଇ ଜୋ ରୁଟ୍‌ଙ୍କ ଦଳ ପ୍ରତ୍ୟାବର୍ତନ କରିବାକୁ ଆଶା ରଖିଛି। ପ୍ରଥମ ଦୁଇ ଟେଷ୍ଟରେ ଭାରତ ସବୁ ଦିଗରୁ ଚାପ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲା। ଏପରିକି ଭାରତର ଶୀର୍ଷ ମଧ୍ୟକ୍ରମରେ ଚେତେଶ୍ବର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ ଲମ୍ବା ପାଳି ଖେଳିପାରିନଥିଲେ ମଧ୍ୟ ଦଳ ବିଜୟୀ ହୋଇଛି। ଅବଶ୍ୟ ଚେତେଶ୍ବର ପୂଜାରା ଓ ଅଜିଙ୍କ୍ୟ ରାହାଣେ ଲର୍ଡସ ଟେଷ୍ଟର ଦ୍ବିତୀୟ ପାଳିରେ ଗଢ଼ିଥିବା ୧୦୦ ରନ୍‌ ଭାଗୀଦାରି ନିର୍ଣ୍ଣାୟକ ହୋଇଥିଲା। ଉଭୟ ପ୍ରାୟ ୫୦ ଓଭର ବ୍ୟାଟିଂ କରିବା ସେମାନଙ୍କ ଦାୟିତ୍ବବୋଧତାର ପରିଚୟ ଦେଇଥିଲା। ଏବେ କୋହଲିଙ୍କଠାରୁ ଏକ ବଡ଼ ତଥା ବହୁ ପ୍ରତୀକ୍ଷିତ ଶତକୀୟ ପାଳିର ଆଶା କରାଯାଉଛି। ୨୦୧୯ ନଭେମ୍ବର ମାସ ପରଠାରୁ ବିରାଟ କୋହଲିଙ୍କ ବ୍ୟାଟରୁ ଅନ୍ତର୍ଜାତୀୟ ଶତକ ମିଳିନାହିଁ। ପ୍ରଥମ ଦୁଇ ଟେଷ୍ଟ୍‌ରେ କୋହଲି ଅଫଷ୍ଟମ୍ପ୍‌ ଲାଇନ୍ ବଲ୍‌କୁ ଠିକ୍‌ ଭାବେ ‌ଖେଳିନପାରି ନିରାଶ କରିଛନ୍ତି। ହେଡିଙ୍ଗଲେରେ କିନ୍ତୁ ଚତୁର୍ଥ ଷ୍ଟମ୍ପ୍‌ ଲାଇନ୍ ବଲ୍‌କୁ ମୁକାବିଲା କରିବାକୁ ସେ ନିଶ୍ଚିତ ନିଜ ଟେକ୍‌ନିକରେ ସୁଧାର କରିଥିବେ।

ପ୍ରାରମ୍ଭିକ ଯୋଡ଼ି ରୋହିତ ଶର୍ମା ଏବଂ କେଏଲ୍ ରାହୁଲଙ୍କ ଜରିଆରେ ଭାରତର ବ୍ୟାଟିଂ ଦୃଢ଼ ରହିଛି। ଉଭୟଙ୍କ ଟେମ୍ପରାମେଣ୍ଟ୍‌ ଓ ‌ଟେକ୍‌ନିକ୍‌ ଇଂଲିସ କଣ୍ଡିସନ୍‌ର ଆହ୍ବାନକୁ ପ୍ରତିହତ କରିପାରିଛି। ଭଲ ଆରମ୍ଭ ଦେଉଥିବାରୁ ଦଳର ଦୃଢ଼ ମୂଳଦୁଆ ପଡୁଛି। ଶୁବମନ୍ ଗିଲ୍‌ ଓ ମୟଙ୍କ ଅଗ୍ରୱାଲଙ୍କ ଆହତ ସମସ୍ୟା କାରଣରୁ ସୁଯୋଗ ପାଇଥିବା କେଏଲ୍ ରାହୁଲ ଏହି ସୁଯୋଗକୁ ଦୁଇ ହାତରେ ମାଡ଼ି ବସିଛନ୍ତି। ପ୍ରତିଟି ପାଳିରେ ସେ ଉନ୍ନତି କରୁଥିବାରୁ ଝଲକ ‌ବି ଦେଖାଉଛନ୍ତି। ଚଳିତ ଗସ୍ତରେ ଏକମାତ୍ର ଭାରତୀୟ ଭାବେ ଶତକ ଜମାଇ ସାରିଛନ୍ତି। କେଉଁ ବଲ୍‌କୁ ଛାଡିବେ, କେଉଁ ବଲ୍‌କୁ ଖେଳିବେ ଭଲ ଭାବେ ବୁଝିଗଲେଣି, ଯାହାକି ଇଂଲିସ୍ କଣ୍ଡିସନ୍‌ରେ ଅତି ଗୁରୁତ୍ବପୂର୍ଣ୍ଣ। ରୋହିତ ଶର୍ମା କେବଳ ନିଜ ଟ୍ରେଡ୍‌ମାର୍କ ପୁଲ୍‌ ସଟ୍‌ ଖେଳିବାରେ ସାମାନ୍ୟ ଅସୁବିଧାରେ ପଡୁଛନ୍ତି। ଏଭଳି ସଟ୍‌ ଖେଳି ସେ ଚଳିତ ଶୃଙ୍ଖଳାରେ ଆଉଟ୍ ହୋଇ ସାରିଛନ୍ତି। ଋଷଭ ପନ୍ତ୍‌ ତାଙ୍କ ସ୍ବାଭାବିକ ଖେଳ ଖେଳିବେ ଏବଂ ରବୀନ୍ଦ୍ର ଜାଦେଜା ମଧ୍ୟ ୭ ନମ୍ବରରେ ଭଲ ବ୍ୟାଟିଂ କରୁଛନ୍ତି। ଜାଦେଜା ଦଳରେ ଜଣେ ବାମହାତୀ ସ୍ପିନର୍‌ ଭାବେ ନୁହେଁ ବ୍ୟାଟ୍ସମ୍ୟାନ୍‌ ଭାବେ ଖେଳୁଥିବାର ବିଶ୍ବାସ ଆସିଛି।

ଲିଡ୍‌ସର ହେଡିଙ୍ଗଲେ ପିଚ୍‌ ମଧ୍ୟ ଦ୍ରୁତ‌ ବୋଲରଙ୍କୁ ସୁହାଇବ। ଏହି କାରଣରୁ ଭାରତ ଏହାର ୪ ଜଣିଆ ପେସ୍‌ ଆକ୍ରମଣ‌ ଯୋଜନାରେ ଅଟଳ ରହିବ ବୋଲି ବିଶ୍ବାସ କରାଯାଉଛି। ଫଳରେ ଯଶପ୍ରୀତ୍ ବୁମରା, ଈଶାନ୍ତ ଶର୍ମା, ମହମ୍ମଦ ସାମି, ମହମ୍ମଦ ସିରାଜ ଖେଳିବା ନିଶ୍ଚିତ। ଶାର୍ଦୁଳ ଠାକୁର ଫିଟ୍‌ ‌ହୋଇଯାଇଥିଲେ ମଧ୍ୟ ଈଶାନ୍ତ ଶର୍ମାଙ୍କ ବଦଳରେ ତାଙ୍କୁ ଖେଳାଇବା ଧୃଷ୍ଟାମି ହେବ। ଏପରିକି ଈଶାନ୍ତଙ୍କ ବଦଳରେ ଅତିରିକ୍ତ ବ୍ୟାଟ୍ସମ୍ୟାନ୍‌ ଭାବେ ହନୁମା ବିହାରୀଙ୍କୁ ଖେଳାଇବା ଚର୍ଚ୍ଚା ହେଉଛି। ପିଚ୍ ସ୍ଲୋ ଥିବାରୁ ବିହାରୀଙ୍କ ଆବଶ୍ୟକତା ରହିଛି। ପିଚ୍‌ରେ ବିଶେଷ ଘାସ ନଥିବାରୁ ଅଫ୍‌ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନଙ୍କୁ ଖେଳାଯାଇ ପାରେ। ତଥାପି ଭାରତ ଲର୍ଡସ ବିଜୟୀ ଦଳକୁ ପରିବର୍ତ୍ତନ କରିବା ସପକ୍ଷରେ ନାହିଁ। ଶେଷ ଥର ପାଇଁ ଭାରତ ୨୦୦୨ରେ ହେଡିଙ୍ଗ୍‌ଲେରେ ଖେଳିଥିଲା। ସେଥର ମଧ୍ୟ ଏକ ପାଳି ଓ ୪୬ ରନ୍‌ରେ ଏକ ବିଖ୍ୟାତ ବିଜୟ ହାସଲ କରିଥିଲା। ତେବେ ସେହି ଦଳରୁ କୌଣସି ସଦସ୍ୟ ଏବେ ନଥିବାରୁ ଏବର ଦଳ ମଧ୍ୟରୁ କେତେଜଣ ଏଠାକାର ଆହ୍ବାନକୁ ମୁକାବିଲା କରିପାରିବେ ଦେଖିବାର ଅଛି।
ଅନ୍ୟପକ୍ଷରେ ଇଂଲଣ୍ଡ ଏହାର ବ୍ୟାଟିଂ ଲାଇନ୍‌କୁ ସଜାଡ଼ିବା ଲାଗି ଧଳାବଲ୍‌ ବିଶେଷଜ୍ଞ ଦାୱିଦ ମଲାନଙ୍କୁ ଡାକିବା ଯୋଜନା କରିଛି। ମଲାନ କିନ୍ତୁ ଶେଷ ଥର ପାଇଁ ୩ ବର୍ଷ ତଳେ ଟେଷ୍ଟ୍‌ ଖେଳିଥିଲେ। ରୋରି ବର୍ଣ୍ଣସଙ୍କ ସହ ହସିବ୍ ହମିଦ୍ ପାଳି ଆରମ୍ଭ କରିବେ ଏବଂ ମଲାନ ୩ ନମ୍ବର ସ୍ଥାନରେ ଖେଳିବେ। ତଥାପି ଜୋ ରୁଟଙ୍କ ଉପରେ ଇଂଲଣ୍ଡ ବ୍ୟାଟିଂ ନିର୍ଭର କରିବ। ଆହତ ମାର୍କ ଉଡଙ୍କ ବଦଳରେ ସକିବ୍ ମେହମ୍ମୁଦ କିମ୍ବା କ୍ରେଗ୍‌ ଓଭରଟନ୍‌ଙ୍କୁ ସୁଯୋଗ ମିଳିବେ। ମାର୍କ ଉଡ୍ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ବେଶ ଅସୁବିଧାରେ ପକାଉଥିଲେ। ବୁଧବାର ସକିବ୍ ଟେଷ୍ଟ୍ ପଦାର୍ପଣ କରିବାର ସୁଯୋଗ ପାଇବେ। ଲର୍ଡସରେ ଭାରତୀୟ ଖେଳାଳିଙ୍କୁ ଅନାବଶ୍ୟକ କଥା କହି ଉତ୍ତେଜିତ କରିବା ଭଳି ଘଟଣାର ପୁନରାବୃତ୍ତି ନକରିବାକୁ ରୁଟ୍ ମଧ୍ୟ ନିଜ ଖେଳାଳିମାନଙ୍କୁ ପରାମର୍ଶ ଦେଇଛନ୍ତି।

ଭାରତ ସମ୍ଭାବ୍ୟ ୧୧: କେଏଲ୍ ରାହୁଲ, ରୋହିତ ଶର୍ମା, ଚେତେଶ୍ବର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ୍‌ (ୱିକେଟରକ୍ଷକ), ରବୀନ୍ଦ୍ର ଜାଦେଜା, ମହମ୍ମଦ ସାମି, ହନୁମା ବିହାରୀ/ଈଶାନ୍ତ ଶର୍ମା, ଯଶପ୍ରୀତ୍ ବୁମରା, ମହମ୍ମଦ ସିରାଜ।

ଇଂଲଣ୍ଡ ସମ୍ଭାବ୍ୟ ୧୧: ରୋରି ବର୍ଣ୍ଣସ, ହସିବ୍ ହମିଦ୍‌, ଦାୱିଦ ମଲାନ, ‌ଜୋ ରୁଟ୍‌ (ଅଧିନାୟକ), ଜନି ବେୟାରଷ୍ଟୋ, ଜୋସ୍ ବଟ୍ଟଲର୍‌ (ୱିକେଟ୍‌ରକ୍ଷକ), ମୋଇନ୍ ଅଲୀ, ସାମ୍ କରନ୍‌, ଓଲି ରବିନ୍‌ସନ୍‌, କ୍ରେଗ୍‌ ଓଭରଟନ୍‌/ସକିବ୍ ମେହମ୍ମୁଦ, ଜେମ୍ସ ଆଣ୍ଡରସନ୍।

ପିଚ୍‌ ଓ ପରିବେଶ: ଇଂଲଣ୍ଡର ଅଧିକାଂଶ ପିଚ୍‌ ସିମ୍ ବୋଲରଙ୍କୁ ସୁହାଉଥିଲେ ମଧ୍ୟ ହେଡିଙ୍ଗ୍‌ଲେରେ ଏଥର ସେତେଟା ଗତି ମିଳିବ ନାହିଁ ବୋଲି ପୂର୍ବାନୁମାନ କରାଯାଇଛି। ପ୍ରାକ୍‌ ମ୍ୟାଚ୍‌ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ କୋହଲି ସୂଚନା ଦେଇଛନ୍ତି ପିଚ୍‌ରେ ସେଭଳି ଘା‌ସ ନାହିଁ। ପାଗ କିନ୍ତୁ ସମସ୍ତ ୫ ଦିନ ଭଲ ରହିବ ବୋଲି ସୂଚନା ମିଳିଛି। ତଥାପି ଆକାଶ ମେଘୁଆ ରହିବ।

୫୦ ବର୍ଷ ତଳର ବିଜୟକୁ ମନେ ପକାଇଲେ ଶାସ୍ତ୍ରୀ
ଲିଡ୍‌ସ: ଆଜକୁ ଠିକ୍‌ ୫୦ ବର୍ଷ ତଳେ (୨୪ ଅଗଷ୍ଟ, ୧୯୭୧) ଭାରତ ପ୍ରଥମ ଥର ଇଂଲଣ୍ଡରେ ଟେଷ୍ଟ୍ ଶୃଙ୍ଖଳା ଜିତିଥିଲା। ମଙ୍ଗଳବାର ଏହାର ୫୦ତମ ବାର୍ଷିକୀ ଅବସରରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ‌ ଐତିହାସିକ ବିଜୟର ସ୍ମୃତି ଚାରଣ କରିଥିଲେ। ଏହା ପୂର୍ବରୁ ଭାରତୀୟ ଦଳ ପ୍ରଥମ ଥର ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ମଧ୍ୟ ଟେଷ୍ଟ୍ ଶୃଙ୍ଖଳା ଜିତି ଇଂଲଣ୍ଡ ଆସିଥିଲା। ବିସିସିଆଇ ୱେବସାଇଟ୍‌ରେ ଛାଡ଼ିଥିବା ଏକ ଭିଡିଓରେ ରବି ଶାସ୍ତ୍ରୀ କହୁଛନ୍ତି, ‘ମୁଁ ମାତ୍ର ୯ ବର୍ଷର ହୋଇଥିଲି ଏବଂ ସେହି ଟେଷ୍ଟର ପ୍ରତିଟି ବଲ୍‌କୁ ମନେ ପକାଇ ପାରିବି। ରେଡିଓରେ ସବୁ ଶୁଣୁଥିଲି। ଫାରୁକ୍‌ ଇଂଜିନିୟର୍‌ ଉଭୟ ପାଳିରେ ଭଲ ରନ୍‌ କରିଥିଲେ। ଭିସି (ବିଶ୍ବନାଥ), ଅଜିତ ୱା‌ଦେକର ବି ରନ୍‌ କରିଥିଲେ। କିନ୍ତୁ ଚନ୍ଦ୍ରଶେଖର (୬/୩୮)ଙ୍କ ଚମତ୍କାରିତା ସବୁ କିଛି କରିଥିଲା। ଏବେ ବି ମୋର ସେହି‌ ବୋଲିଂ ଚିତ୍ର ମନେ ଅଛି’। ୧୯୭୧ ମସିହାର ସେହି ବିଜୟ ଭାରତକୁ ବିଦେଶ ମାଟିରେ ସଫଳ ହେବାର ଆତ୍ମବିଶ୍ବାସ ଦେଇଥିଲା। ଭାରତୀୟ କ୍ରିକେଟ୍‌କୁ ବଡ଼ ଉତ୍ସାହ ଯୋଗାଇଥିଲା‌ ବୋଲି ଶାସ୍ତ୍ରୀ କହିଥିଲେ।

ସୂଚନାଯୋଗ୍ୟ, ଲର୍ଡସ ଏବଂ ମା‌‌ଞ୍ଚେଷ୍ଟର୍‌ ଟେଷ୍ଟକୁ ଅମୀମାଂସିତ ରଖି ଭାରତ ଓ ଇଂଲଣ୍ଡ ଦଳ ଲଣ୍ଡନ୍‌ର କେନିଙ୍ଗଟନ୍‌ ଓଭାଲରେ ତୃତୀୟ ତଥା ‌ଶେଷ ଟେଷ୍ଟ ଖେଳିବାକୁ ଯାଇଥିଲେ। ଇଂଲଣ୍ଡର ୩୫୫ ରନ୍ ଜବାବରେ ଭାରତ ୨୮୪ ରନ୍‌ କରିଥିଲା। ଦିଲୀପ ସରଦେଶାଇ ଓ ଫାରୁକ୍‌ ଇଂଜିନିୟର୍‌ ଅର୍ଦ୍ଧଶତକ କରିଥିଲେ। ଅଜିତ ୱାଦେକର (୪୮) ଓ ଏକନାଥ ସୋଲକାର (୪୪) ଭଲ ବ୍ୟାଟିଂ କରିଥିଲେ। ଇଂଲଣ୍ଡ ପ୍ରଥମ ପାଳିରେ ଏକନାଥ ୩ ୱିକେଟ୍ ନେଇଥିଲେ। ବେଦୀ, ଚନ୍ଦ୍ରଶେଖର, ଭଙ୍କେଟରାଘବନ ପ୍ରତ୍ୟେକ ୨ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ। ଚନ୍ଦ୍ରଶେଖରଙ୍କ ୬/୩୮ କିନ୍ତୁ ଇଂଲଣ୍ଡର ଦ୍ବିତୀୟ ପାଳିକୁ ୧୦୧ ରନ୍‌ରେ ଶେଷ କରିଦେଇଥିଲା। ୧୭୩ ରନ୍‌ ବିଜୟ ଲକ୍ଷ୍ୟକୁ ଭାରତ ୧୦୧ ଓଭର ଖେଳି ୬ ୱିକେଟ୍ ହରାଇ ହାସଲ କରି ନେଇଥିଲା। ଅଜିତ ୱାଦେକର (୪୫), ଦିଲୀପ ସରଦେଶାଇ (୪୦), ଗୁଣ୍ଡାପ୍ପା ବିଶ୍ବନାଥ (୩୩) ଏବଂ ଫାରୁକ ଇଂଜିନିୟର୍‌ (୨୮*) ଭାରତକୁ ଐତିହାସିକ ବିଜୟ ଦେଇଥିଲେ।

ସମ୍ବନ୍ଧିତ ଖବର