ଆଇସିସି ମୋହର: ତୃତୀୟ ଟେଷ୍ଟ୍ ପିଚ୍‌ ସାଧାରଣ, ଟ୍ବେଣ୍ଟି-୨୦ ବହୁତ ଭଲ

ଅହମଦାବାଦ: ମାତ୍ର ଦୁଇ ଦିନ ଭିତରେ ଶେଷ ହୋଇଥିବା ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ୍ ଲାଗି ବ୍ୟବହୃତ ହୋଇଥିବା ନବନିର୍ମିତ ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମ୍ ପିଚ୍‌କୁ ଆଇସିସି ‘ସାଧାରଣ’ ବା ‘ଆଭରେଜ୍’ ରେଟିଂ ପ୍ରଦାନ କରିଛି। ପାଞ୍ଚ ଦିନିଆ ଟେଷ୍ଟ୍ ମ୍ୟାଚ୍ ଦୁଇ ଦିନ ଭିତରେ ‌ଶେଷ ହେବା ପରେ ଏହି ପିଚ୍‌କୁ ବାସନ୍ଦ କରିବାକୁ ବହୁ ବିଦେଶୀ କ୍ରିକେଟ୍ ବିଶେଷଜ୍ଞ ଦାବି କରିଥିଲେ। ବିଶେଷ କରି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଭନ୍ ଏହି ପିଚ୍‌କୁ ତୀବ୍ର ସମାଲୋଚନା କରିଥିଲେ। ଭିଭିଏସ୍ ଲକ୍ଷ୍ମଣ ଏବଂ ଯୁବରାଜ ସିଂହଙ୍କ ଭଳି କେତେକ ଭାରତୀୟ କ୍ରିକେଟର ମଧ୍ୟ ପିଚ୍‌କୁ ‌ନେଇ ଅସନ୍ତୋଷ ଜାହିର କରିଥିଲେ।

ଆଇସିସି ଏହି ପିଚ୍‌କୁ ସାଧାରଣ ମାନ୍ୟତା ଦେବା ପରେ କିନ୍ତୁ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ ଉପରେ ଝୁଲୁଥିବା କାର୍ଯ୍ୟାନୁଷ୍ଠାନ ଖଣ୍ଡା ଆପାତତଃ ଦୂର ହୋଇଛି। ଷ୍ଟାଡିୟମ୍ ମଧ୍ୟ ଡିମେରିଟ୍ ପଏଣ୍ଟ୍‌ ପାଇବାରୁ ବର୍ତ୍ତି ଯାଇଛି। ତେବେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାର ପିଚ୍‌କୁ ଆଇସିସି ‘ଭେରି ଗୁଡ୍’ ବା ‘ବହୁତ ଭଲ’ ଆଖ୍ୟା ଦେବା ଆୟୋଜକଙ୍କୁ ଉତ୍ସାହିତ କରିଛି। ଚେନ୍ନାଇରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ୍ ପିଚ୍‌କୁ ‘ବହୁତ ଭଲ’ ଏବଂ ଦ୍ବିତୀୟ ଟେଷ୍ଟ୍ ପିଚ୍‌କୁ ‘ସାଧାରଣ’ ମାନ୍ୟତା ମିଳିଛି। ମୋଟେରାରେ ଖେଳା ଯାଇଥିବା ଚତୁର୍ଥ ତଥା ଶେଷ ଟେଷ୍ଟ୍ ପିଚ୍‌କୁ ବି ‘ବହୁତ ଭଲ’ ବୋଲି କହିଛି ଆଇସିସି। ମଜାଦାର କଥା ହେଲା ସିଡ୍‌ନିରେ ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ୍ ପାଇଁ ବ୍ୟବହୃତ ପିଚ୍‌କୁ ମଧ୍ୟ ଆଇସିସି ସାଧାରଣ ମାନ୍ୟତା ଦେଇଛି। ଏହି ମ୍ୟାଚ୍ ସଂପୂର୍ଣ୍ଣ ପାଞ୍ଚ ଦିନ ଖେଳା ଯାଇଥିଲା ବେଳେ ଦୁଇ ଦଳ କେହି କାହାରିକୁ ହରାଇ ପାରି ନଥିଲେ।

ସମ୍ବନ୍ଧିତ ଖବର