ମାଞ୍ଚେଷ୍ଟର: କରୋନା ମହାମାରୀ ସଙ୍କଟ ପାଇଁ ଜୈବ ସୁରକ୍ଷିତ ପରିବେଶ ଓ ବିନା ଦର୍ଶକରେ ଖେଳାଯାଉଥିବା ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍ ତିନି ଟିକିଆ ଟେଷ୍ଟ୍ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ୍ ଶୁକ୍ରବାରଠାରୁ ଆରମ୍ଭ ହେବ। ଶୃଙ୍ଖଳାରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ବରାବର ସ୍ଥିତିରେ ଥିବାରୁ ଏହି ମ୍ୟାଚ୍‌ର ଗୁରୁତ୍ବ ପୂର୍ବ ଦୁଇ ମ୍ୟାଚ୍ ଅପେକ୍ଷା ଢେର ବଢ଼ି ଯାଇଛି। ୧୪ ଦିନର ସଙ୍ଗରୋଧରେ ରହି ସାଉଥମ୍ପଟନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍‌କୁ ଜିତି ଇଣ୍ଡିଜ୍ ଘରୋଇ ଇଂଲଣ୍ଡକୁ ଚକିତ କରି ଦେଇଥିଲା। ତେବେ ଇଂଲଣ୍ଡ ତା'ର ପ୍ରମୁଖ ଅସ୍ତ୍ର ବେନ୍ ‌ଷ୍ଟୋକ୍ସଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଦ୍ବିତୀୟ ଟେଷ୍ଟ୍‌କୁ ଜିତି ନେଇ ସ୍ଥିତି ସମାନ ସ୍ତରକୁ ନେଇଆସିଥିଲା। ୱେଷ୍ଟଇଣ୍ଡିଜ୍ ତା'ର ପ୍ରଥମ ଟେଷ୍ଟ୍ ସଫଳତାକୁ ଦୋହରାଇ ଓଲ୍ଡ ଟ୍ରାଫର୍ଡରେ ବିଜୟୀ ହେଲେ ଦୀର୍ଘ ୩୨ ବର୍ଷ ପରେ ଇଂଲଣ୍ଡକୁ ଇଂଲଣ୍ଡରେ ହରାଇବାର ସୌଭାଗ୍ୟ ଲାଭ କରିବ। ତେବେ ଏହା ସେତେଟା ସହଜ ମନେ ହେଉନି। ତେବେ ଉଭୟ ଦଳର କିଛି ନା କିଛି ସମସ୍ୟା ରହିଛି।

Advertisment

ଇଂଲଣ୍ଡ ପାଖରେ ପର୍ଯ୍ୟାପ୍ତ ବିକଳ୍ପ ଥିବାରୁ କାହାକୁ ନେବ କାହାକୁ ଛାଡ଼ିବ, ସେ ଦ୍ବନ୍ଦ୍ବ ରହିଛି। ଏହା ମଧ୍ୟ ଅଧିନାୟକ ଜୋ ରୁଟ୍‌ଙ୍କ ପାଇଁ ଚୂଡ଼ାନ୍ତ ଦଳ ଚୟନ କରିବା କଷ୍ଟକର କରିଛି। ବିଶେଷ କରି ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ନେଇ ଅଧିକ ଦ୍ବନ୍ଦ୍ବ ରହିଛି। ଆର୍ଚର ଜଣେ ଚମତ୍କାର ବୋଲର ହୋଇଥିଲେ ମଧ୍ୟ କରୋନା ନିୟମ ଉଲ୍ଲଂଘନ କରି ଶେଷ ମୁହୂର୍ତରେ ଦ୍ବିତୀୟ ଟେଷ୍ଟ୍‌ରୁ ବାଦ ପଡ଼ିଥିଲେ। ଦଳକୁ ଫେରିବା ପରେ ବର୍ଣ୍ଣବୈଷମ୍ୟ ଅଭିଯୋଗ ଆଣି ବିବାଦୀୟ ହୋଇ ପଡ଼ିଥିଲେ। ଏଣୁ ତୃତୀୟ ଟେଷ୍ଟ୍‌ରେ ସେ ଖେଳିବା ନେଇ ଆଶଙ୍କା‌ ବି ରହିଛି। ଇଂଲଣ୍ଡ କିନ୍ତୁ ତାଙ୍କୁ ୧୪ ଜଣିଆ ସମ୍ଭାବ୍ୟ ଦଳରେ ସାମିଲ କରିଛି। ଆର୍ଚର ଚୂଡ଼ାନ୍ତ ଦଳରେ ନ ରହିଲେ ମାର୍କ ଉଡ୍‌ଙ୍କୁ ସୁଯୋଗ ମିଳିବ। ତେବେ ଇଂଲଣ୍ଡ ପାଇଁ ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଲା ‌ଷ୍ଟୋକ୍ସଙ୍କ ଫିଟନେସ୍‌। ଶତ ପ୍ରତିଶତ ଫିଟ୍ ନଥିବାରୁ ସେ ହୁଏତ ବୋଲିଂ କରିନପାରନ୍ତି। ସେପଟେ ବ୍ୟାଟିଂ ହିଁ ଇଣ୍ଡିଜ୍ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। ବିଶେଷ କରି ଶୀର୍ଷକ୍ରମ ବିଫଳତା ପାଇଁ ଦଳ ଚିନ୍ତାରେ ରହିଛି।

ଇଂଲଣ୍ଡ ସମ୍ଭବତଃ ତା'ର ବ୍ୟାଟିଂ ବାହିନୀରେ କୌଣସି ପରିବର୍ତ୍ତନ କରିନପାରେ। ଜ୍ୟାକ୍ କ୍ରଲି ତୃତୀୟ ସ୍ଥାନରେ ବ୍ୟାଟିଂ କରିବା ସହ ୱିକେଟ୍ ରକ୍ଷକ ଜୋସ୍ ବଟଲର ସପ୍ତମ ସ୍ଥାନରେ ଖେଳିପାରନ୍ତି। ଇଂଲଣ୍ଡ ତିନି ଜଣ ଦ୍ରୁତ ବୋଲର ଓ ଜଣେ ସ୍ପିନରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇପାରେ ବୋଲି ପ୍ରଶିକ୍ଷକ କ୍ରିସ୍ ସିଲଭରଉଡ୍ ସଙ୍କେତ ଦେଇଛନ୍ତି। ଏହା ହେଲେ ଷ୍ଟୁଆର୍ଟ ବ୍ରଡ୍‌ ଓ ଜେମ୍ସ ଆଣ୍ଡରସନଙ୍କ ସହ ଆର୍ଚର ଚୂଡ଼ାନ୍ତ ଦଳରେ ରହିପାରନ୍ତି। ୱେଷ୍ଟଇଣ୍ଡିଜ୍ ଅଫ୍ ସ୍ପିନର ରାଖିମ କର୍ନୱାଲଙ୍କୁ ସାମିଲ କରିପାରେ। ସାନନ ଗାବ୍ରିଏଲ ଓ ଆଲଜାରି ଯୋସେଫ ଆଘାତ ଜନିତ ସମସ୍ୟାରୁ ମୁକୁଳି ନପାରିଲେ ନବାଗତ ଚେମାର ହୋଲ୍ଡର ଓ ରେମନ ରେଫର ଦ୍ରୁତ ବୋଲିଂ ଦାୟିତ୍ବ ତୁଲାଇ ପାରନ୍ତି। ଜନ୍ କ୍ୟାମ୍ପବେଲ୍ ଓ ସାଇ ହୋପ୍ ଓପନର୍‌ ଭାବେ ଚାରିଟି ପାଳିରୁ ମିଳିତ ଭାବେ ମାତ୍ର ୧୦୯ ରନ୍‌ ଅମଳ କରିଛନ୍ତି। ଏଣୁ ଜୋସୁଆ ଡା'ସିଲଭା ଓ ସେନ୍ ମୋସେଲିଙ୍କ ଭିତରୁ ଜଣଙ୍କ ହାତରେ ପାଳି ଆରମ୍ଭ କରିବାର ବିକଳ୍ପ ଇଣ୍ଡିଜ୍ ପାଖରେ ରହିବ।

ସମ୍ଭାବ୍ୟ ଇଂଲଣ୍ଡ: ରୋରି ବର୍ନସ, ଡମ୍ ସିବଲେ, ଜ୍ୟାକ୍ କ୍ରଲି, ଜୋ ରୁଟ୍ (ଅଧିନାୟକ), ବେନ୍ ‌ଷ୍ଟୋକ୍ସ, ଓଲି ପୋପ୍, ଜୋସ୍ ବଟଲର, ଡମ୍‌ ବେସ୍‌, ଜୋଫ୍ରା ଆର୍ଚର, ଷ୍ଟୁଆର୍ଟ ବ୍ରଡ୍, ଜେମ୍ସ ଆଣ୍ଡରସନ୍।
ସମ୍ଭାବ୍ୟ ଇଣ୍ଡିଜ୍: ଜନ୍ କ୍ୟାମ୍ପବେଲ୍, କ୍ରେଗ୍ ବ୍ରାଥୱେଟ୍, ସାଇ ହୋପ୍, ସମାରା ବ୍ରୁକ୍ସ, ରସ୍ତନ ଚେଜ୍, ଜର୍ମାଇନ୍ ବ୍ଲାକଉଡ୍, ଜାସନ ହୋଲ୍ଡର (ଅଧିନାୟକ), ସେନ୍ ଦାଓରିଚ୍, ରାଖିମ କର୍ନୱାଲ, କେମର ରୋଚ୍, ସାନନ ଗାବ୍ରିଏଲ।