ଟାଇଟନ୍ସ-ରୟାଲ୍ସ କ୍ବାଲିଫାୟାର୍‌ ଆଜି: ବାଧା ସୃଷ୍ଟି ହେ‌ଲେ ‘ସୁପର୍‌ ଓଭର’

କୋଲକାତା: ଶାଣିତ ବୋଲିଂ ଆକ୍ରମଣ ସହ କ୍ବାଲିଟି ଫିନିସର୍‌ଙ୍କୁ ପାଇଥିବା ପ୍ରଥମ ପଦାର୍ପଣକାରୀ ଗୁଜରାଟ ଟାଇଟନ୍ସ ମଙ୍ଗଳବାର ସ୍ପିନ୍‌ ଉପରେ ନିର୍ଭରଶୀଳ ରାଜସ୍ଥାନ ରୟାଲ୍‌ସକୁ ପ୍ରଥମ କ୍ବାଲିଫାୟାର୍‌ରେ ଭେଟିବ। କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଗୁଜରାଟ ନିଶ୍ଚିତ ଫେବରିଟ୍ ରହିବ। ପ୍ରଥମ ଥର ପାଇଁ ଏକ ଆଇପିଏଲ୍‌ ଦଳର ନେତୃତ୍ବ ନେଇଥିବା ହାର୍ଦିକ ପାଣ୍ଡ୍ୟା ଉ‌େଲ୍ଲେଖନୀୟ ଅଗ୍ରଗତି କରିଛନ୍ତି। ବ୍ୟକ୍ତିଗତ ଭାବେ ମଧ୍ୟ ଅଲରାଉଣ୍ଡ୍‌ ପ୍ରଦର୍ଶନ କରି ଉଦାହରଣ ଛାଡ଼ିଛନ୍ତି। ରସିଦ୍‌ ଖାନ୍‌ଙ୍କ ଡେଥ୍ ବୋଲିଂ ଏବଂ ଉପ‌ଯୋଗୀ ଫିନିସିଂ ଭୂମିକା ଦଳକୁ ଫାଇଦା ଦେଇଛି। ଶୀର୍ଷକ୍ରମରେ ଶୁବମନ ଗିଲ, ଋଦ୍ଧିମାନ ସାହାଙ୍କ ଠାରୁ ଭଲ ଆରମ୍ଭ ପାଇଥିବା ଦଳକୁ ଡେଭିଡ୍ ମିଲର୍‌, ରାହୁଲ ତିୱାତିଆ, ମାଥ୍ୟୁ ୱେଦ୍ ପ୍ରମୁଖ ସନ୍ତୁଳିତ ଓ ଶକ୍ତିସମ୍ପନ୍ନ କରିଛନ୍ତି। ଇଡେନ୍ ଗାର୍ଡେନ୍ସର ନୂଆ ଟ୍ରାକ୍‌ରେ ଏହି ମ୍ୟାଚ୍‌ ଖେଳାଯିବାକୁ ଥିବାରୁ ପାଣ୍ଡ୍ୟା ପେସ୍‌ ବୋଲିଂ ଉପରେ ଅଧିକ ନିର୍ଭର କରିବା ଯୋଜନା ରଖିଛନ୍ତି। ଲୋକି ଫର୍ଗୁସନ୍‌, ମହମ୍ମଦ ସାମିଙ୍କ ସହିତ ଅଲଜାରି‌ ଯୋସେଫଙ୍କୁ ଯୋଡ଼ିବା ଯୋଜନା କରିଛି। ଲିଗ୍ ପର୍ଯ୍ୟାୟରେ ପରସ୍ପରକୁ‌ ଥରେ ଭେଟିଥିବା ଟାଇଟନ୍ସ ୩୭ ରନ୍‌ରେ ସଞ୍ଜୁ ସାମସନଙ୍କ ଦଳକୁ ହରାଇଥିଲା। ଟାଇଟନ୍ସ ମଧ୍ୟ ନିଜ ଶେଷ ୫ଟିରୁ ୩ଟି ହାରିଥିବାରୁ ଚାପରେ ପଡ଼ିଛି। ଟାର୍ଗେଟ ସେଟ୍ କରି ଉଭୟ ଦଳ ଜିତିବାରେ ଏ ବର୍ଷ ସକ୍ଷମ ହୋଇନାହାନ୍ତି। ଟାଇଟନ୍ସର ୪ ପରାଜୟରୁ ୩ଟି ଏବଂ ରୟାଲ୍ସର ୫ ପରାଜୟରୁ ୪ଟି ଏଭଳି ପରିସ୍ଥିତିରେ ଆସିଛି।

ସଞ୍ଜୁ ସାମସନଙ୍କ ଦଳ ମଧ୍ୟ ଏବେ ଅଗ୍ରଣୀ ରନ୍‌ ସଂଗ୍ରହକାରୀ (ଜୋସ୍ ବଟଲର୍‌) ଏବଂ ଅଗ୍ରଣୀ ବୋଲର (ୟୁଝବେନ୍ଦ୍ର ଚହଲ)ଙ୍କ ସେବା ବଳରେ ଆଗକୁ ବଢ଼ିଛି। ମଙ୍ଗଳବାର ଉଭୟ ଛାପ ଛାଡ଼ିଲେ ରୟାଲ୍ସ ଫାଇନାଲ୍ ପହଞ୍ଚିବା ଥୟ। ବଟଲର୍‌ କିନ୍ତୁ ଗତ ୩ ମ୍ୟାଚ୍‌ରେ ୨,୨,୭ ରନ୍‌ କରି ନିରାଶ କରିଛନ୍ତି। ପୂର୍ବରୁ ୩ ଶତକ ଓ ୩ ଅର୍ଦ୍ଧଶତକ ଜମାଇଥିବା ବଟଲର୍‌ ଫର୍ମକୁ ଫେରିବା ରୟାଲ୍ସ ଆଶା କରିବ। ସାମସନ ଓ ‌ହେଟମାୟରଙ୍କ ବ୍ୟାଟିଂ ଫର୍ମ ମଧ୍ୟ ଦଳ ପାଇଁ ଚିନ୍ତାର କାରଣ ରହିଛି।
ଗୁଜରାଟ ଟାଇଟନ୍ସ (ସମ୍ଭାବ୍ୟ ୧୧): ହାର୍ଦିକ ପାଣ୍ଡ୍ୟା (ଅଧିନାୟକ), ଡେଭିଡ୍‌ ମିଲର୍‌, ଅଭିନବ ମନୋହର, ଶୁବମନ ଗିଲ୍‌, ଋଦ୍ଧିମାନ ସାହା, ମାଥ୍ୟୁ ୱେଦ୍‌, ଅଲଜାରି ଯୋସେଫ, ଲୋକି ଫର୍ଗୁସନ୍‌, ମହମ୍ମଦ ସାମି, ରସିଦ୍ ଖାନ୍‌, ଆର୍‌ ସାଇ କିଶୋର।

ରାଜସ୍ଥାନ ରୟାଲ୍‌ସ (ସମ୍ଭାବ୍ୟ ୧୧): ସଞ୍ଜୁ ସାମସନ୍ (ଅଧିନାୟକ), ଜୋସ ବଟଲର୍‌, ଯଶସ୍ବୀ ଜୟସ୍ବାଲ, ରବିଚନ୍ଦ୍ରନ ଅଶ୍ବିନ, ଟ୍ରେଣ୍ଟ ବୋଲ୍ଟ, ସିମ୍ରନ ହେଟମାୟର୍‌, ଦେବଦତ୍ତ ପଡ଼ିକଲ, ପ୍ରସିଦ୍ଧ କୃଷ୍ଣ, ୟୁଝବେନ୍ଦ୍ର ଚହଲ, ରିୟାନ୍ ପରାଗ, ଓବିଦ୍ ମ୍ୟାକୟ।

ନୂଆଦିଲ୍ଲୀ: ମଙ୍ଗଳବାରଠାରୁ ଆଇପିଏଲ୍‌-୧୫ର ପ୍ଲେ ଅଫ୍ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। କ୍ବାଲିଫାୟାର୍‌-୧, ଏଲିମିନେଟର୍‌, କ୍ବାଲିଫାୟାର୍‌-୨ ପାଇଁ କୌଣସି ସଂରକ୍ଷିତ ଦିବସ ରଖାଯାଇ ନାହିଁ। ମେ’୨୯ ତାରିଖ ଫାଇନାଲ୍ ଦିବସ ପାଇଁ ମଇ ୩୦ ତାରିଖକୁ ସଂରକ୍ଷିତ ଦିବସ ରଖାଯାଇଛି। ପ୍ଲେ ଅଫ୍‌ର ପ୍ରଥମ ଦୁଇ ମ୍ୟାଚ୍‌ କୋଲକାତା ସ୍ଥାନାନ୍ତର ହୋଇଥିବା ବେଳେ ସହରରେ ଅଦିନିଆ ବର୍ଷା ଏହାକୁ ପ୍ରଭାବିତ କରିବା ଆଶଙ୍କା ରହିଛି। ବର୍ଷା କାରଣରୁ ନିର୍ଧାରିତ ସମୟରେ ମ୍ୟାଚ୍‌ ସମ୍ଭବ ନ ହେଲେ ଅନ୍ୟୁନ ୫ ଓଭର ବିଶିଷ୍ଟ କରାଯିବାକୁ ଚେଷ୍ଟା କରାଯିବ। ସେହିଦିନ ଯଦି ଅନ୍ୟୁନ ୫ ଓଭର ସମ୍ଭବ ହେଉନାହିଁ ତେବେ ସୁପର୍‌ ଓଭର ଖେଳାଯିବ। ଫାଇନାଲ୍ ମ୍ୟାଚ୍‌ ଅଧାରୁ ଅଟକିଥିଲେ ପରବର୍ତୀ ଦିନ ସେହିଠାରୁ ପୁନଃ ଆରମ୍ଭ ହେବ। ଫାଇନାଲ୍ ମ୍ୟାଚ୍‌ରେ ଅନ୍ୟୁନ ସୁପର୍‌ ଓଭର ‌ଖେଳାଯିବା ସ୍ଥିତି ନ ଆସିଲେ ଲିଗ୍ ପର୍ଯ୍ୟାୟ (୭୦ ମ୍ୟାଚ୍‌ ପର୍ଯ୍ୟନ୍ତ) ପଏଣ୍ଟ୍‌ ଟେବୁଲ୍‌ରେ ଉପରେ ଥିବା ଦଳକୁ ବିଜେତା ଘୋଷଣା କରାଯିବ।

ସମ୍ବନ୍ଧିତ ଖବର