ଟୋକିଓ ଅଲିମ୍ପିକ୍ସ ଆଉ ୧୦ ଦିନ, ଏଥର ପଦକ ସୁଯୋଗ ଅଛି: ଦିଲୀପ

ଅଲିମ୍ପିକ୍ସ ପାଇଁ ବିଳମ୍ବିତ ହୋଇପାରେ ଜାତୀୟ କ୍ରୀଡ଼ା ପୁରସ୍କାର ଚୟନ

ବେଙ୍ଗାଲୁରୁ/ଭୁବନେଶ୍ବର: ମାତ୍ର ୧୦ ଦିନ ପରେ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଯାଉଥିବା ବେଳେ ଭାରତୀୟ ହକି ଦଳ ୪ ଦଶନ୍ଧି ପରେ ପଦକ ଜିତିବାର ସୁବର୍ଣ୍ଣ ସୁଯୋଗ ପାଇଛି। ଏଭଳି ଆତ୍ମବିଶ୍ବାସ ଭରା ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଅଲିମ୍ପିକ ଅଧିନାୟକ ଦିଲୀପ ତିର୍କି। ଏକମାତ୍ର ଆଦିବାସୀ ଖେଳାଳିଭାବେ ତିନୋଟି ଅଲିମ୍ପିକ୍ସରେ ପ୍ରତିନିଧିତ୍ବ କରିବାର ବିରଳ କୀର୍ତ୍ତିମାନ ରଖିଥିବା ଦିଲୀପ କହିଛନ୍ତି ଭାରତୀୟ ପୁରୁଷ ଦଳ ଏଥର ପୋଡିୟମ୍‌ରେ ଛିଡ଼ା ହେବାର ସମସ୍ତ କ୍ବାଲିଟି ରଖିଛି। ‘ମନପ୍ରୀତ୍ ସିଂହଙ୍କ ଦଳ ଉପରେ ମୋର ବଡ଼ ଆଶା ରହିଛି। ଦଳରେ ଅନେକ କ୍ବାଲିଟି ରହିଛି। ଟୋକିଓରେ ସେମାନେ ଭଲ ପ୍ରଦର୍ଶନ କରିବେ ବୋଲି ମୁଁ ଶୁଭକାମନା ଜଣାଉଛି’ ବୋଲି ୧୯୯୬ ଅଟଲାଣ୍ଟା, ୨୦୦୦ ସିଡନି ଏବଂ ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ଖେଳିଥିବା ଦିଲୀପ ପ୍ରକାଶ କରିଛନ୍ତି। ନିଜ ସମୟର ଏହି ମହାନ ଡିଫେଣ୍ଡର ମଧ୍ୟ ଏଥେନ୍ସରେ ଭାରତୀୟ ଦଳର ଅଧିନାୟକତ୍ବ କରିଥିଲେ।

‘ପ୍ରତି ଖେଳାଳିର ଜୀବନରେ ଅଲିମ୍ପିଆନ୍‌ ହେବାର ସ୍ବପ୍ନ ଥାଏ। ୧୯୯୬ରେ ଆଟଲାଣ୍ଟାରେ ମୁଁ ପଦାର୍ପଣ ବେଳେ ପର୍ଗତ ସିଂହ ଥିଲେ ଅଧିନାୟକ। ଅଲିମ୍ପିକ୍ସରେ‌ ଖେଳିବା ନେଇ ମୁଁ ଉଲ୍ଲସିତ ଥିଲି।’ ବୋଲି ଦିଲୀପ ପ୍ରକାଶ କରିଥିଲେ। ୨୦୦୦ ସିଡନି ଅଲିମ୍ପିକ୍ସରେ ପୋଲାଣ୍ଡ୍ ବିପକ୍ଷ ଦ୍ବିତୀୟାର୍ଦ୍ଧ ଗୋଲ୍ ବରଣ କାରଣରୁ ଅମୀମାଂସିତ (୧-୧) ଫଳ ପାଇବା ମୋ ପାଇଁ ଜୀବନସାରା ଅନୁତାପ ହୋଇ ରହିଛି। ସେଥର ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ ଓ ସ୍ପେନ୍‌ ବିପକ୍ଷରେ ଭଲ ଖେଳିବା ପରେ ଶେଷ ଲିଗ୍‌ରେ ପୋଲାଣ୍ଡ୍‌କୁ ହରାଇ ସେମିଫାଇନାଲ୍ ଯିବାର ଥିଲା। ଆଗୁଆ ରହିଥିଲେ ମଧ୍ୟ ଜିତି ପାରିନଥିଲୁ। ୫୩ତମ ମିନିଟରେ ଗୋଲ୍‌ ବରଣ କରିବା ପରେ ସବୁ ଆଶା ମଉଳିଯାଇଥିଲା। ଏହା ମୋ ପାଇଁ ଦୁଃଖଦ ସ୍ମୃତି ହୋଇ ରହିଛି। ୧୯୯୬ ଅଟଲାଣ୍ଟା ଅଲିମ୍ପିକ୍ସରେ ଲିଆଣ୍ଡର୍‌ ପେସଙ୍କ କାଂସ୍ୟ ବିଜୟ ଅଲିମ୍ପିକ୍ସ ମଇଦାନରେ ମୋ ପାଇଁ ସ୍ମରଣୀୟ ମୁହୂର୍ତ ହୋଇରହିଥିଲା। ଲିଆଣ୍ଡର୍‌ ଭାରତ ପାଇଁ ଏକମାତ୍ର ଏବଂ ବହୁ ପ୍ରତୀକ୍ଷିତ ବ୍ୟକ୍ତିଗତ ପଦକ ଜିତି ଇତିହାସ ରଚିଥିଲେ। କ୍ରୀଡ଼ା ଗ୍ରାମରେ ଆମେରିକା ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନଙ୍କୁ ଦେଖିବା ସହିତ ଦୌଡକୁଦ ଓ ଫୁଟ୍‌ବଲ୍‌ ପ୍ରତିଯୋଗିତା ଉପଭୋଗ କରିବା ମଧ୍ୟ ସ୍ମରଣୀୟ ରହିଛି‌ ବୋଲି ଦିଲୀପ ପ୍ରକାଶ କରିଥିଲେ।

ଅଲିମ୍ପିକ୍ସ ପାଇଁ ବିଳମ୍ବିତ ହୋଇପାରେ ଜାତୀୟ କ୍ରୀଡ଼ା ପୁରସ୍କାର ଚୟନ

ନୂଆଦିଲ୍ଲୀ: ଚଳିତ ବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ଚୟନ ପ୍ରକ୍ରିୟା ସାମାନ୍ୟ ବିଳମ୍ବିତ ହୋଇପାରେ। ଟୋକିଓ ଅଲିମ୍ପିକ୍ସରେ ଘରୋଇ ଖେଳାଳିଙ୍କ ପ୍ରଦର୍ଶନକୁ ଚୟନ ପ୍ରକ୍ରିୟାରେ ସାମିଲ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ବର୍ଗର ଜାତୀୟ କ୍ରୀଡ଼‌ା‌ ପୁରସ୍କାର ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖ (ଜାତୀୟ କ୍ରୀଡ଼ା ଦିବସ ଅବସରରେ) ପ୍ରଦାନ କରାଯାଇଥାଏ। ଅଲିମ୍ପିକ୍ସ ଚଳିତ ସାମ ୨୩ରୁ ଆରମ୍ଭ ହୋଇ ଅଗଷ୍ଟ ୮ରେ ଶେଷ ହେଉଥିବାରୁ ଅଗଷ୍ଟ ୧୫ରୁ ୨୫ ଭିତରେ ବିଜେତାଙ୍କ ନାମ ଘୋଷଣା କରାଯାଇପାରେ। ପୂର୍ବରୁ ଏହି ପ୍ରକ୍ରିୟା ସାଧାରଣତଃ ଜୁଲାଇ ଶେଷ ସୁଦ୍ଧା ସରିଯାଇଥାଏ। ‘‘ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଆମେ ସୁପା‌ରିସ ପତ୍ର ପାଇସାରିଛୁ। ଏହାର ଶେଷ ତାରିଖ ଅତିବାହିତ ହୋଇ ସାରିଛି। ହେଲେ ଗତ ବୈଠକରେ ଆମେ ଜାତୀୟ ପୁରସ୍କାର ଲାଗି ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ମଧ୍ୟ ବିଚାରକୁ ନେବୁ ବୋଲି ନିଷ୍ପତ୍ତି ନେଇ ସାରିଛୁ। ଅଲିମ୍ପିକ୍ସ ଅଗଷ୍ଟ ୮ରେ ଶେଷ ହେଉଛି। ଏଣୁ ଚଳିତବର୍ଷର ଚୟନ ପ୍ରକ୍ରିୟା‌ ବିଳମ୍ବିତ ହୋଇପାରେ। ଚୟନ ସମିତି ଯଦି ଅଲିମ୍ପିକ୍ସ ସରିବାର ୧୦ ଦିନ ଭିତରେ ପୁରସ୍କାର ବିଜେତାଙ୍କ ନାମ ଚୂଡ଼ାନ୍ତ କରି ନପାରେ, ତାହେଲେ ପୁରସ୍କାର ବିତରଣ ଉତ୍ସବ ମଧ୍ୟ କିଛି ଦିନ ଆଗକୁ ଘୁଞ୍ଚିଯାଇପାରେ। ଆମେ ଏହି ବିଷୟରେ ଆଗାମୀ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନେବୁ’’ ବୋଲି କ୍ରୀଡ଼ା ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ ଯେ ଦୁଇ ଥର ଘୁଞ୍ଚିବା ପରେ ଜାତୀୟ କ୍ରୀଡ଼ା ପୁରସ୍କାର ଲାଗି ସୁପାରିସ ପତ୍ର ପଠାଇବା ଚଳିତ ମାସ ୫ ତାରିଖରେ ‌ଶେଷ ହୋଇ ଯାଇଛି। କରୋନା ମହାମାରୀ ପାଇଁ ଖେଳାଳିମାନଙ୍କୁ ଅନଲାଇନ୍‌ରେ ନିଜ ନାମ ପଠାଇବାକୁ ଅନୁମତି ପ୍ରଦାନ କରାଯାଇଛି। ଜାତୀୟ କ୍ରୀଡ଼ା ମହାସଂଘ ମଧ୍ୟ ନିଜ ନିଜ ପସନ୍ଦର ଖେଳାଳିଙ୍କ ନାଁ ମନୋନୟନ ପାଇଁ ପଠାଇ ସାରିଛନ୍ତି।

‘ଗର୍ବ ହୈ ’ ପ୍ରୟାସରୁ ୭ ଅଲିମ୍ପିଆନ୍‌

ଭୁବନେଶ୍ବର: ଚାମ୍ପିଅନ୍‌ କ୍ରୀଡ଼ାବିତ୍‌ ସୃଷ୍ଟି ଲାଗି ଆଦାନି ଗ୍ରୁପ୍‌ ପକ୍ଷରୁ ଆରମ୍ଭ କରାଯାଇଥିବା ‘ଗର୍ବ ‌‌‌‌ହୈ’ କାର୍ଯ୍ୟକ୍ରମର ପ୍ରୟାସରୁ ୭ ଜଣ ଖେଳାଳି ଟୋକିଓ ଅଲିମ୍ପିକ୍ସ ଅଭିମୁଖେ ଯାଉଛନ୍ତି। ମୋଟ ୧୦ ଜଣ ପ୍ରମୁଖ କ୍ରୀଡ଼ାବିତ୍‌ଙ୍କୁ ଆଦାନି ଗ୍ରୁପ୍‌ ସହାୟତା ଓ ସହଯୋଗ କରି ଆସିଥିବାବ‌େ ବେଳ‌େ ସେମାନଙ୍କ ମଧ୍ୟରୁ ୭ ଜଣ ଯୋଗ୍ୟତା ଅର୍ଜନ କରିଛନ୍ତି। ସେମାନେ ହେଲେ-ମୁଷ୍ଟିଯୋଦ୍ଧା ଅମିତ‌ ପୋଙ୍ଗଲ୍‌, ଭାରତୀୟ ହକି ଦଳ ଅଧିନାୟକ ରାଣୀ ରାମପଲ୍, ଫ୍ରିଷ୍ଟାଇଲ୍ କୁସ୍ତିଯୋଦ୍ଧା ଦୀପକ ପୁନିଆ, ରବି କୁମାର, ରେସ୍‌ୱାକର୍‌ କେଟି ଇର୍ଫାନ୍‌, ଟେନିସ୍‌ ଖେଳାଳି ଅଙ୍କିତା ରାଇନା ଏବଂ ଜାଭଲିନ୍‌ ଫିଙ୍ଗାଳି ଶିବପାଲ୍ ସିଂହ।

ବିଭିନ୍ନ ସମୟରେ ଆଦାନି ଏହି ୭ ଜଣଙ୍କୁ ପ୍ରାୟୋଜିତ ଏବଂ ସହାୟତା ପ୍ରଦାନ କରିଥିବାରୁ ସେମାନଙ୍କ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ମୋ ପାଇଁ ଗର୍ବର ବିଷୟ‌ ବୋଲି ପ୍ରକାଶ କରିଛନ୍ତି ଆଦାନି ଗ୍ରୁପ୍‌ର ଅଧ୍ୟକ୍ଷ‌ ଗୌତମ ଆଦାନି। ଏହା ବ୍ୟତୀତ କମ୍ପାନି ପକ୍ଷରୁ ଭବିଷ୍ୟତର ବିଜେତା ଗଢ଼ି ତୋଳିବା ଲାଗି ୧୦ ଜଣ କନିଷ୍ଠ ବର୍ଗର କ୍ରୀଡ଼ାବିତ୍‌ଙ୍କୁ ବିଶ୍ବସ୍ତରୀୟ ପ୍ରତିଯୋଗିତା ଲାଗି ତାଲିମ ପ୍ରଦାନ କରାଯାଉଛି। ପ୍ରତି ଖେଳାଳି ଅତି ସାଧାରଣ ପରିବାରରୁ ଆସିଛନ୍ତି ଏବଂ ସେମାନଙ୍କ ଯାତ୍ରାର କାହାଣୀ ମଧ୍ୟ ହୃଦୟସ୍ପର୍ଶୀ। ପଦକ ଜିତିବା ମୋ ପାଇଁ କମ୍ ଗୁରୁତ୍ବପୂର୍ଣ୍ଣ, ସେମାନଙ୍କ କାହାଣୀ ମୋତେ ବି ପ୍ରେରଣା ଯୋଗାଇଛି ବୋଲି ଆଦାନି ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ, ଆଦାନିର ପାଇଲଟ୍ ପ୍ରକଳ୍ପ ‘ଗର୍ବ ‌‌ହୈ’ କାର୍ଯ୍ୟକ୍ରମ ୨୦୧୬ ରିଓ ଅଲିମ୍ପିକ୍ସ ବେଳଠାରୁ ଆରମ୍ଭ ହୋଇଥିଲା। ଚଳିତ ବ‌ର୍ଷ ମେ’ ୧୫ ତାରିଖରୁ ଖେଳାଳି, ପ୍ରଶିକ୍ଷକ ଏବଂ ଏକାଡେମିରୁ ଆବେଦନ ଗ୍ରହଣ କରାଯାଇଥିଲା। ଦେଶବ୍ୟାପୀ ୫୦୦୦ କେନ୍ଦ୍ରରୁ ୧୫ ଜଣ ଚୂଡ଼ାନ୍ତ କରାଯାଇଛି। ସେମାନଙ୍କୁ ୨୦୨୦ରୁ ୨୦୨୨ ମସିହା ମଧ୍ୟରେ ଥିବା ଏସୀୟ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଲାଗି ତାଲିମ ପ୍ରଦାନ କରାଯାଉଛି।

ସମ୍ବନ୍ଧିତ ଖବର