ଟୋକିଓ ଅଲିମ୍ପିକ୍ସ ଆଉ ୧୧ ଦିନ: ଫାଇନାଲିଷ୍ଟ କୋଭିଡ୍ ପାଇଁ ଓହରିଲେ ହକି କାଂସ୍ୟ ପଦକ ମ୍ୟାଚ୍ ହେବନି

ଭାରତୀୟ ମୁଷ୍ଟିଯୋଦ୍ଧା ୧୭ରେ ଇଟାଲିରୁ ଟୋକିଓ ଯିବେ

ଟୋକିଓ: ଟୋକିଓ ଅଲିମ୍ପିକ୍ସ ଉପରେ କୋଭିଡ୍ ରୂପକ ଧାରୁଆ ଖଣ୍ଡା ଅହରହ ଝୁଲି ରହିଥିଲା ବେ‌ଳେ ଏଥିପାଇଁ ଦଳଗତ ଖେଳ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଣୁ ଆୟୋଜକମାନେ ହକି ଭଳି ଦଳଗତ ଖେଳର ଅନ୍ତିମ ପର୍ଯ୍ୟାୟ ମୁକାବିଲା ନିୟମରେ କିଛିଟା ଅଦଳ ବଦଳ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତଦନୁଯାୟୀ ହକିର ଉଭୟ ମହିଳା ଓ ପୁରୁଷ ବର୍ଗର ଦୁଇ ଫାଇନାଲିଷ୍ଟଙ୍କ ଭିତରୁ କୌଣସି ଗୋଟିଏ ଦଳ ଯଦି ‌କୋଭିଡ୍ ପାଇଁ ଟ୍ରଫି ଲଢ଼େଇରୁ ଓହରିବାକୁ ବାଧ୍ୟ ହୁଏ, ତାହେଲେ ସଂପୃକ୍ତ ଦଳଠାରୁ ସେମିଫାଇନାଲ୍‌ରେ ପରାଜିତ ହୋଇଥିବା ଦଳ ସ୍ବତଃସ୍ପୃତ ଭାବେ ଫାଇନାଲ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ। ସେମିଫାଇନାଲ୍‌ରେ ପରାଜିତ ହୋଇଥିବା ଅନ୍ୟ ଦଳକୁ କାଂସ୍ୟ ପଦକ ପ୍ରଦାନ କରାଯିବ। ଏଭଳି ସ୍ଥିତିରେ କାଂସ୍ୟ ପଦକ ମୁକାବିଲାର ଦରକାର ପଡ଼ିବ ନାହିଁ। ସେହିଭଳି କୋଭିଡ୍ ପାଇଁ ଫାଇନାଲ୍‌ରୁ ବାଦ ପଡ଼ିବା ଦଳ କିନ୍ତୁ ଅଯୋଗ୍ୟ ଘୋଷିତ ହେବନି। ସେହି ଦଳକୁ ଡିଏନ୍‌ଏସ୍ (ଡିଡ୍ ନଟ୍ ଷ୍ଟାର୍ଟ) ଭାବେ ବିବେଚନା କରାଯିବ।

ଯଦି କୌଣସି ଦଳ ନକଆଉଟ୍ ପର୍ଯ୍ୟାୟରେ କୋଭିଡ୍ ପାଇଁ ଓହରିବାକୁ ବାଧ୍ୟ ହୁଏ, ସେଭଳି ସ୍ଥିତିରେ ସଂପୃକ୍ତ ଦଳ ହାସଲ କରିଥିବା ସର୍ବନିମ୍ନ ମାନ୍ୟତାକୁ ଅକ୍ଷୁଣ୍ଣ ରଖାଯିବ। ଯଦି ସମୟ ଅନୁମତି ଦିଏ, ତାହେଲେ ଏହି ଦଳର ପ୍ରତିପକ୍ଷ ଦଳ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବ। ରବିବାର ଟୋକିଓ ଅଲିମ୍ପିକ୍ସର କ୍ରୀଡ଼ା ସଂପର୍କିତ ନିୟମାବଳୀ (ଏସଏସ୍‌ଆର୍‌)ରେ ଏହି କଥା‌ ସ୍ପଷ୍ଟ କରି ଦିଆଯାଇଛି। ଏହି ନିୟମାବଳିକୁ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ପରିଷଦ ଏବଂ ବିଭିନ୍ନ ଅନ୍ତର୍ଜାତୀୟ କ୍ରୀଡ଼ା ମହାସଂଘ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି। ତେବେ ଏହି ନୂଆ ନିୟମାବଳିରେ ଯଦି ଉଭୟ ଫାଇନାଲିଷ୍ଟ ଓ ସେମିଫାଇନାଲିଷ୍ଟ କୋଭିଡ୍ ସଂକ୍ରମିତ ହୁଅନ୍ତି, ସେଭଳି ସ୍ଥିତିରେ କ’ଣ କରାଯିବ ସେ ବିଷୟରେ କିଛି କୁହାଯାଇ ନାହିଁ। ତେବେ କୋଭିଡ୍ ସଂକ୍ରମଣ ପାଇଁ କୌଣସି ଖେଳାଳି କିମ୍ବା ଦଳକୁ ଅଯୋଗ୍ୟ ଘୋଷିତ କରାଯିବନି। ବରଂ ସେମାନଙ୍କୁ ଡିଏନ୍‌ଏସ୍ ବର୍ଗରେ ରଖାଯିବ ବୋଲି ଆୟୋଜକ କହିଛନ୍ତି।

ନୂଆଦିଲ୍ଲୀ: ଭାରତର ଅଲିମ୍ପିକ୍‌ଯୋଗ୍ୟ ମୁ‌ଷ୍ଟିଯୋଦ୍ଧାମାନେ ଏବେ ଇଟାଲିରେ ପ୍ରସ୍ତୁତି ଚଳାଇଛନ୍ତି। ଏହି ମୁଷ୍ଟିଯୋଦ୍ଧା ଦଳ ଆସନ୍ତା ୧୭ ତାରିଖରେ ସେମାନଙ୍କ ପ୍ରଶିକ୍ଷଣସ୍ଥଳ ଆସିସିରୁ ଟୋକିଓ ଅଭିମୁଖେ ଯାତ୍ରା କରିବ। ଏନେଇ ଭ୍ରମଣ ଯୋଜନା ଚୂଡାନ୍ତ ହୋଇସାରିଛି ବୋଲି ଜନୈକ ଅଧିକାରୀ କହିଛନ୍ତି। ଭାରତର ପ୍ରଥମ ଦଫା ଆଥ୍‌ଲେଟ୍‌ ମଧ୍ୟ ସେହିଦିନ ଟୋକିଓ ଯାତ୍ରା କରିବେ।

ଭାରତର ୯ ମୁଷ୍ଟିଯୋଦ୍ଧା ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିଛନ୍ତି। ଏଥିରେ ୫ ପୁରୁଷ ଓ ୪ ମହିଳା ସାମିଲ ଅଛନ୍ତି। ଟୋକିଓ ଅଲିମ୍ପିକ୍ସ ଚଳିତ ମାସ ୨୩ରୁ ଆରମ୍ଭ ହେବାକୁ ଯାଉଥିଲା ବେଳେ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା ୨୪ରୁ ଆରମ୍ଭ ହେବ। ପୁରୁଷଙ୍କ ମଧ୍ୟରେ ବିଶ୍ବ ମାନ୍ୟତାର ଏକ ନମ୍ବର ତଥା ଏସୀୟ କ୍ରୀଡ଼ା ବିଜେତା ଅମିତ ପଂଘଲ (୫୨ କେଜି), ମନୀଷ କୌଶିକ (୬୩ କେଜି), ବିକାଶ କୃଷ୍ଣନ୍‌ (୬୯ କେଜି), ଆଶିଷ କୁମାର (୭୫ କେଜି) ଓ ସତୀଶ କୁମାର (୯୧+ କେଜି) ରହିଥିଲା ବେଳେ ମହିଳାଙ୍କ ମଧ୍ୟରେ ୬ ଥର ବିଶ୍ବ ବିଜୟିନୀ ଏମ୍‌ସି ମେରିକମ୍‌ (୫୧ କେଜି), ସିମ୍ରନଜିତ୍‌ କୌର (୬୦ କେଜି), ଲଭ୍‌ଲିନା ବୋaର୍ଗୋହେଁ (୬୯ କେଜି) ଓ ପୂଜା ରାଣୀ (୭୫ କେଜି) ରହିଛନ୍ତି।

ଏଠାରେ ସୂଚନାଯୋଗ୍ୟ, ଗତ ରିଓ ଅଲିମ୍ପିକ୍ସରେ ଭାରତର କୌଣସି ମୁଷ୍ଟିଯୋଦ୍ଧା ପଦକ ଜିତିବାକୁ ସମର୍ଥ ହୋଇନଥିଲେ। ତେବେ ଏହି କ୍ରୀଡ଼ାରେ ଭାରତକୁ ପ୍ରଥମ ପଦକ ୨୦୦୮ ବେଜିଂରେ ବିଜେନ୍ଦର ସିଂହ (ମିଡିଲୱେଟ୍‌ କାଂସ୍ୟ) ଭେଟି ଦେଇଥିଲା ବେଳେ ୨୦୧୨ରେ ମେରିକମ୍‌ ପଦକ ହାସଲ କରିଥିଲେ। ତେଣୁ ଟୋକିଓରେ ଏକାଧିକ ପଦକ ଜିତିବାକୁ ଏଥର ମୁଷ୍ଟିଯୋଦ୍ଧାମାନେ ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର