ଟୋକିଓ ଅଲିମ୍ପିକ୍ସ ଆଉ ୧୮ ଦିନ: ଦୂତି, ଭବାନୀ, ଶିବପାଲ, ସୁଦୀପଙ୍କୁ ଅଲିମ୍ପିକ୍ ଶୁଭେଚ୍ଛା‌

ଇଟାଲିରୁ ଯୋଡ଼ି‌ହେଲେ ଭବାନୀ, ପଦକ ଆଶାୟୀ ଶିବପାଲ୍‌

ଭୁବନେଶ୍ବର: ଦେଶର ଅନନ୍ୟ ବିଶ୍ବବିଦ୍ୟାଳୟ ଭାବେ କିଟ୍‌ରୁ ୪ ଜଣ ପ୍ରତିନିଧିତ୍ବ କରିବେ ଟୋକିଓ ଅଲିମ୍ପିକ୍ସରେ। ଦେଶର ଦ୍ରୁତତମ ଧାବିକା ଦୂତି ଚାନ୍ଦ, ଅସିଚାଳିକା ସିଏଏସ୍‌ ଭବାନୀ ଦେବୀ, ଜାଭଲିନ୍‌ ଫିଙ୍ଗାଳି ଶିବପାଲ୍‌ ସିଂହ ଏବଂ ଭାରତୀୟ ହକି ଦଳର ଡାକ୍ତର ନିଯୁକ୍ତ ସୁଦୀପ ଶତପଥୀଙ୍କ ଅଲିମ୍ପିକ୍ସ ସମ୍ପୃକ୍ତିକୁ ନେଇ କେବଳ କିଟ୍‌ ବିଶ୍ବବିଦ୍ୟାଳୟ ନୁହେଁ ‌ଓଡ଼ିଶା ଓ ଦେଶ ବି ଗର୍ବିତ ହୋଇଛି। ଉପରୋକ୍ତ ୩ ଖେଳାଳି ଓ ଜଣେ ଡାକ୍ତରଙ୍କୁ ରବିବାର ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ଅବସରରେ କିଟ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ କହିଥିଲେ, ‘ଖୁସି ଓ ଗର୍ବର କଥା ଓଡ଼ିଶାର ଏକ ବିଶ୍ବବିଦ୍ୟାଳୟରୁ ଏତେ ଜଣ ‌ଅଲିମ୍ପିକ୍ସ ମଇଦାନକୁ ଯାଉଛନ୍ତି। କିଟ୍‌ ଆଇନ ଛାତ୍ରୀ ଦୂତି ଦୁଇଟି ଇଭେଣ୍ଟ୍‌ (୧୦୦ ଓ ୨୦୦ ମିଟର୍‌)ରେ ଅଂଶଗ୍ରହଣ କରିବା ସହ ଏଥିଲାଗି ଲଗାତର ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନରେ ପ୍ରଥମ ଖେଳାଳି। କିଟ୍‌ରେ ପିଏଚ୍‌ଡି କରୁଥିବା ଭବାନୀ ଦେବୀ ଦେଶର ପ୍ରଥମ ମହିଳା ଭାବେ ‌ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରି ଗୌରବ ଆଣିଛନ୍ତି। ବାରଣାସୀ ଯୁବକ ଶିବପାଲ୍‌ ସିଂହ କିଟ୍‌ର ବିବିଏ ଛାତ୍ର ଅଛନ୍ତି। ଡାକ୍ତର ସୁଦୀପ ଏବେ କିମ୍ସରେ ନିଯୁକ୍ତ ରହିଛନ୍ତି।

କିଟ୍‌ ଓ କିସ୍‌ ସର୍ବଦା ଶିକ୍ଷା ସହ କ୍ରୀଡ଼ାକୁ ସ୍ବତନ୍ତ୍ର ଅଗ୍ରାଧିକାର ଦେବାର କାରଣ ଦର୍ଶାଇବା ସମ୍ପର୍କରେ ପ୍ରଶ୍ନ ହେବାରୁ ଡକ୍ଟର ସାମନ୍ତ କହିଥିଲେ ‘ପିଲାଦି‌ନେ ଦରିଦ୍ର ଥିବାରୁ ଭଲରେ ଖେଳିପାରିନଥିଲି, ସେହି ଅବସୋସ ଅନ୍ୟ କାହାରି ନରହୁ ବୋଲି ମୁଁ ବିଶ୍ବାସ କରେ। କିଟ୍‌ ଓ କିସ୍‌ ବିଶ୍ବବିଦ୍ୟାଳୟ ପରିସରରେ ଏବେ ଦେଶର ସର୍ବାଧିକ କ୍ରୀଡ଼ା ଭିତ୍ତିଭୂମି ରହିବା ଏବଂ‌ ଦେଶର ସର୍ବାଧିକ କ୍ରୀଡ଼ାବିତ୍‌ ଏଠାରୁ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିବା କିଛି କମ ଗୌରବର କଥା ନୁହେଁ। ଓଡ଼ିଶା ସରକାର ମଧ୍ୟ କ୍ରୀଡ଼ାକୁ ବିଶେଷ ଗୁରୁତ୍ବ ଦେବା ଫଳରେ ଭୁବନେଶ୍ବର ଦେଶର ସମ୍ଭାବ୍ୟ କ୍ରୀଡ଼ା ରାଜଧାନୀ ଭାବେ ଉଭା ହେଉଛି’’। ୨୦୨୪ ‌ଅଲିମ୍ପିକ୍ସ ପାଇଁ ନିଶ୍ଚିତ କିଟ୍ ଓ କିସ୍‌ରୁ ଅଧିକ ଅଲିମ୍ପିଆନ୍‌ ସୃଷ୍ଟି ହୋଇଥିବେ ବୋଲି ଆଶା ପ୍ରକଟ କରିଥିଲେ ଏହି କନ୍ଧମାଳ ସାଂସଦ। ଟୋକିଓରୁ ଫେରିଲେ ଦୂତିଙ୍କ ପାଇଁ ଦୁଇଟି ବଡ଼ ଉପହ‌ାର ରହିଛି ବୋଲି ଡକ୍ଟର ସାମନ୍ତ ମଧ୍ୟ ଘୋଷଣା କରିଥିଲେ।

ଏହି ଶୁଭେଚ୍ଛା ପର୍ବରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଟ୍‌ ଅଲିମ୍ପିଆନ୍‌ଙ୍କ ସହ ୩ ହକି ତାରକା ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପ୍ ଗ୍ରେସ୍‌ ଏକ୍କାଙ୍କୁ ମଧ୍ୟ ଶୁଭକାମନା ଜଣାଇ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ ବୋଲି ଆଶା ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କିଟ ରେଜିଷ୍ଟ୍ରାର୍‌ ସସ୍ମିତା ସାମନ୍ତ ଏବଂ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ପ୍ରମୁଖ ସଚିବ ବିଶାଲ କୁମାର ଦେବ ମଧ୍ୟ ଅଂଶଗ୍ରହଣ କରିଥିଲେ।

ପାଣ୍ଡିଆନ୍‌ଙ୍କ ନିଷ୍ଠାରୁ ପ୍ରେରଣା
ସମସ୍ତଙ୍କ ଆଶୀର୍ବାଦ, ଭଲ ପାଇବା ଏବଂ ମୋ ଅକ୍ଲାନ୍ତ ପରିଶ୍ରମ କାରଣରୁ ଲଗାତାର ଦ୍ବିତୀୟ ଥର ପାଇଁ ମୁଁ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛି। ହଜାର ହଜାର ଲୋକଙ୍କ ଆଶୀର୍ବାଦରୁ ସଫଳତା ମିଳିଥାଏ। ଗତ ବର୍ଷ ଟୋକିଓ ଅଲିମ୍ପିକ୍ସ ସ୍ଥଗିତ ରହିବା ବେଳେ ମୋ ଦ୍ବିତୀୟ ପଦାର୍ପଣ ନେଇ ଆଶଙ୍କାରେ ରହିଥିଲି। ଚଳିତ ବ‌ର୍ଷ ପ୍ରାରମ୍ଭରେ ଜାତୀୟ ମୁକୁଟ ହରାଇବା ପରେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି। ପ୍ରଶିକ୍ଷକ ରମେଶ ସାର ଓ ଶିବ ସାର ମୋତେ ବୁଝାଇଥିଲେ। ସରକାର ଓ କିଟ୍‌ ମୋତେ ସ୍ବତନ୍ତ୍ର ତାଲିମର ବ୍ୟବସ୍ଥା କରିବାରୁ ଏହା ସମ୍ଭବ ହୋଇପାରିଥିଲା ବୋଲି ଦୂତି ଚାନ୍ଦ ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ‌ଭିକେ ପାଣ୍ଡିଆନ୍‌ଙ୍କ ନିଷ୍ଠା ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗ ପ୍ରମୁଖ ସଚିବ ବିଶାଲ କୁମାର ଦେବଙ୍କ ଉତ୍ସାହ ମୋତେ ଅଲିମ୍ପିକ୍‌ ଯୋଗ୍ୟତା ଅର୍ଜନରେ ସହାୟକ ହୋଇଥିଲା ବୋଲି କହିଥିଲେ ଦୂତି। ଜଣେ ଅଣକ୍ରୀଡ଼ାବିତ୍‌ ହୋଇ ପାଣ୍ଡିଆନ୍ ସାର୍‌ କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରତ୍ୟେହ ସକାଳ ୬.୩୦ରେ ପହଞ୍ଚିଯାଉଥିଲେ। ମୁଁ ଖେଳାଳି ହୋଇ ଏହା କାହିଁକି କରିପାରିବି ନାହିଁ ବୋଲି ନିଜକୁ ପଚାରିଥିଲି। ସେହିଭଳି ବିଶାଲ ସାର୍‌ ମୋତେ ସବୁବେଳେ କହୁଥିଲେ ଦୂତି ତୁମକୁ ଯେତେ କୋ‌ଟି ଦରକାର ଅଛି ମିଳିଯିବ କିନ୍ତୁ ଅଲିମ୍ପିକ୍‌ ଯା‌ଅ।

ଜୁନ୍‌ ଦୂତିଙ୍କ ସଫଳ ମାସ
ମୋ ଖେଳ ଜୀବନରେ ସବୁବେଳେ ଜୁନ୍‌ ଏକ ସଫଳ ମାସ ବୋଲି ଖୋଲି କହିଥିଲେ ଦୂତି ଚାନ୍ଦ। ରିଓ ଅଲିମ୍ପିକ୍ସ ଯୋଗ୍ୟତା ଓ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଦୂ୍ତିଙ୍କୁ ଜୁନ୍‌ ମାସରେ ମିଳିଛି। ୨୦୧୮ ଜୁନ୍‌-ଜୁଲାଇରେ ଏସୀୟ କ୍ରୀଡ଼ାରୁ ୨ଟି ରୌପ୍ୟ ପଦକ ଏବଂ ଗତ ଜୁନ୍‌ ମାସରେ ଦୂତି ୧୦୦ ମିଟର୍‌ ଜାତୀୟ କୀର୍ତ୍ତିମାନ (୧୧.୧୭ ସେକେଣ୍ଡ୍) ପ୍ରତିଷ୍ଠା କରିଥିଲେ। ୨୦୧୯ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ା ସ୍ବର୍ଣ୍ଣ ପଦକ ମଧ୍ୟ ମୁଁ ଜୁନ୍‌ ମାସରେ ହାସଲ କରିଥିଲି ବୋଲି ଦୂତି କହିଥିଲେ। ସମସ୍ତଙ୍କ ଆଶୀର୍ବାଦ ରହିଲେ ମୁଁ ଟୋକିଓ ଅଲିମ୍ପିକ୍ସର ସେମିଫାଇନାଲ୍ ଯିବାର ସୁଯୋଗ ରହିବ। ମୁଁ ସେଠାରେ ୧୧.୧୦‌ ସେକେଣ୍ଡ୍ ଟାଇମିଂ କରିପାରିଲେ ଏହା ସମ୍ଭବ ହେବ ବୋଲି ସେ କହିଥିଲେ।

ବିବାଦ କାରଣରୁ ସଫଳତା
ଅନେକ ସମୟରେ ମୋର ବିଫଳତା ଓ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ସମାଲୋଚନା କରିଥା’ନ୍ତି। ଏହା ମୋତେ ବିଚଳିତ କରିପାରେନା, ବରଂ ଅଧିକ ଦୃଢ଼ମନା ଓ ଜିଦ୍‌ଖୋର କରିଦିଏ। ଦୂତି ପ୍ରେମ କରୁଛନ୍ତି, ହେଲେ ମୁଁ ପ୍ରେମ କଲେ ବି ଖେଳକୁ ଅଧିକ ଗୁରୁତ୍ବ ଦିଏ। ମୋର ସୌଭାଗ୍ୟ ଯେତେ ଅଧିକ ବିବାଦ ଓ ସମାଲୋଚନା ହୁଏ ମୁଁ ଅଧିକ ସଫଳତା ପାଏ। ଏଥିପାଇଁ ମୁଁ ବିଗତ କିଛି ବର୍ଷ ହେବ ଲଗାତାର ଭାବେ ବଡ଼ ପ୍ରତିଯୋଗିତାରେ ସଫଳ ହୋଇ ଚାଲିଛି। ଏସୀୟ ଦୌଡ଼କୁଦ, ଏସୀୟ କ୍ରୀଡ଼ା, ବିଶ୍ବବିଦ୍ୟାଳୟ କ୍ରୀଡ଼ା ଆଦି ପୂର୍ବରୁ ମୋତେ ବିବାଦରେ ଫସାଇବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ପ୍ରତିଥର ମୁଁ ବିଜୟିନୀ ହୋଇଛି। ୧୧.୨୨ ସେକେଣ୍ଡରୁ ୧୧.୧୭ ସେକେଣ୍ଡ୍‌ ସମୟ ପହଞ୍ଚିବା ଶୁଣିବାକୁ ସହଜ ଲାଗିପାରେ, କିନ୍ତୁ କରିବା କଷ୍ଟକର। ପ୍ରତିଟି ଅସୁବିଧା ବେଳେ ମୋ‌ ନିକଟରେ କିଟ୍‌ ଛିଡ଼ା ହୋଇଥାଏ। କୌଣସି ଅଭାବ ଅସୁବିଧା ଆସିଲେ ମୁଁ କଲ୍ କରିବାର ୫ ମିନିଟ୍ ଭିତରେ ଏହା ପୂର୍ଣ୍ଣ ହୋଇଯାଇଥାଏ। କିଟ୍‌ର କ୍ରୀଡ଼ା ଭିତ୍ତିଭୂମି ଦେଶରେ ଶ୍ରେଷ୍ଠ ବୋଲି କହିଥିଲେ ୨୫ ବର୍ଷୀୟା ଏହି ଅର୍ଜୁନ ପୁରସ୍କାର ବିଜୟିନୀ।

ପଦକ ଆଶାୟୀ ଶିବପାଲ୍‌
ଟୋକିଓ ଅଲିମ୍ପିକ୍ସରେ ଭାରତକୁ ଜାଭଲିନ୍‌ରୁ ପଦକ ମିଳିବାର ନିଶ୍ଚିତ ସମ୍ଭାବନା ରହିଛି ବୋଲି ଦୃଢ଼ତାର ସହ କହିଛନ୍ତି ଶିବପାଲ୍‌ ସିଂହ। ରିଓ ଅଲିମ୍ପିକ୍ସରେ ୮୫.୩୮ ମିଟର ପ୍ରଦର୍ଶନରେ ତ୍ରିନିଦାଦ ଓ ଟବାଗୋକୁ କାଂସ୍ୟ ପଦକ ମିଳିଥିଲା। ଏବେ ନୀରଜ ଚୋପ୍ରା ୮୮.୦୭ ମିଟର୍‌ ଏବଂ ମୋ ବ୍ୟକ୍ତିଗତ ଶ୍ରେଷ୍ଠ ୮୬.୨୩ ମିଟର୍‌ ଯଦି ଟୋକିଓରେ ଦୋହରାଇ ହୁଏ ତେବେ ପଦକ ସମ୍ଭାବନା ରହିବ। ଆମେ ୧୧୦ ପ୍ରତିଶତ ଦେଇ ପାରିଲେ ଏହା ହେବ। ତଥାପି ପ୍ରତିଯୋଗିତା ଦିନ ସବୁକିଛି ନିର୍ଭର କରିବ। ୮୯-୯୦ ମିଟର୍‌ ବିନା ପଦକ ଜିତିହେବ ବୋଲି ବାରଣାସୀର ଏକ ଜାଭଲିନ୍ ପରିବାରରୁ ଆସିଥିବା ୨୬ ବର୍ଷୀୟ ଶିବପାଲ୍ କହିଥିଲେ। ଆମ ଭିତରୁ କେହି ପଦକ ଜିତିଲେ ଭାରତରେ ଜାଭଲିନ୍‌ ସମସ୍ତଙ୍କ ନଜରକୁ ଆସିବ’ ବୋଲି ଶିବପାଲ୍ ପ୍ରକାଶ କରିଥିଲେ।

ଇଟାଲିରୁ ଯୋଡ଼ି‌ହେଲେ ଭବାନୀ
ନିଜ ଅଲିମ୍ପିକ୍ସ ପ୍ରସ୍ତୁତି ଲାଗି ସମ୍ପ୍ରତି ଇଟାଲିରେ ଥିବା ଭାବନୀ ଦେବୀ ସେଠାରୁ ଭର୍ଚୁଆଲ୍‌ ମାଧ୍ୟମରେ ରବିବାରର ଶୁଭେଚ୍ଛା କାର୍ଯ୍ୟକ୍ରମରେ ସାମିଲ‌ ହୋଇଥିଲେ। ଟୋକିଓ ଅଲିମ୍ପିକ୍ସ ପାଇଁ ଲମ୍ବା ଯାତ୍ରା ଓ ଯନ୍ତ୍ରଣା ଭିତରେ ଗତି କରିବାକୁ ପଡ଼ିଛି ବୋଲି ପ୍ରକାଶ କରିଥିଲେ। ଦୂତି ଚାନ୍ଦଙ୍କଠାରୁ ବି ମୁଁ ପ୍ରେରଣା ପାଇଛି‌। ତାଙ୍କ ସହ ଅଲିମ୍ପିକ୍ ଯିବା ନିଶ୍ଚିତ ଏକ‌ ଗୌରବମୟ ମୁହୂର୍ତ ବୋଲି ୨୭ ବର୍ଷୀୟା ଏହି ଚେନ୍ନାଇ ସାବ୍ରେ ଆସିଚାଳିକା ପ୍ରକାଶ କରିଥିଲେ। ଭବାନୀଙ୍କ ପିତା ଚେନ୍ନାଇରେ ଜଣେ ପୂଜକ ଥିବାବେଳେ ମା’ ଗୃହିଣୀ। ମା’ଙ୍କ ପ୍ରେରଣାରେ କିନ୍ତୁ ଭବାନୀ ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ) କେନ୍ଦ୍ରରେ ନିଜ‌ ଖେଳ ଜୀବନ ଗଢ଼ିଥି‌ଲେ। ଏବେ ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରି ଭାରତୀୟ କ୍ରୀଡ଼ା ଇତିହାସରେ ନୂଆ ଫର୍ଦ ଯୋଡ଼ିଛନ୍ତି। ୧୫ ବର୍ଷର ଯାତ୍ରା ସହଜ ନଥିଲା, ମୋ ଅଲିମ୍ପିକ୍ସ ସ୍ବପ୍ନ ସାକାର ହେବାକୁ ଯାଉଛି। ଦେଶରେ ବି ଅସିଚାଳନାର ଲୋକପ୍ରିୟତା ବଢ଼ିବାକୁ ଯାଉଛି, କିଟ୍‌ରେ ବି ଏକ କେନ୍ଦ୍ର ହେବାକୁ ଯାଉଥିବାରୁ ଓଡ଼ିଶାକୁ ଫାଇଦା ମିଳିବ ବୋଲି ଭବାନୀ‌ କହିଥିଲେ। ଟୋକିଓରେ ମୁଁ ମୋ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପଦକ ପାଇଁ ଚେଷ୍ଟା କରିବି। ‘ମନ କି ବାତ୍‌’ କାର୍ଯ୍ୟକ୍ରମରେ ‌ପ୍ରଧାନମନ୍ତ୍ରୀ ମୋତେ ଉତ୍ସାହିତ କରିବା ଖୁସି ଦେଇଛି ଏବଂ ଭବିଷ୍ୟତରେ ଅନେକଙ୍କୁ ଅସିଚାଳନା ପ୍ରତି ପ୍ରେରିତ କରିବ ବୋଲି କହିଥିଲେ ଭବାନୀ।। ଓଡ଼ିଶାର କ୍ରୀଡ଼ା ସସ୍କୃତିକୁ ବିକଶିତ କରିବାରେ ମୁଖ୍ୟମନ୍ତ୍ରୀଙ୍କ ଭୂମିକାକୁ ମଧ୍ୟ ଭବାନୀ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର