ଟୋକିଓ, ୧୪ା୭: ଏଥର ଟୋକିଓ ଅଲିମ୍ପିକ୍ସର ପଦକ ବିତରଣୀ ଉତ୍ସବରେ ନୂଆ କଥା ଦେଖିବାକୁ ମିଳିବ। ପଦକ ବିଜେତା ପୋଡିୟମ୍ ଉପରେ ଛିଡ଼ା ହୋଇ ସମ୍ମାନିତ ଅତିଥିଙ୍କଠାରୁ ପଦକ ଗ୍ରହଣ କରିବା, ସେମାନଙ୍କ ସହ କରମର୍ଦ୍ଦନ କରିବା କିମ୍ବା ନିଜ ମନର ଆବଗପୂର୍ଣ୍ଣ ଭାବନା ପ୍ରକାଶ କରୁଥିବାର ଦୃଶ୍ୟ ଏଥର ଦେଖିବାକୁ ମିଳିବନି। ବରଂ ବିଜେତାଙ୍କୁ ଏକ ଟ୍ରେ’ରେ ତିନିଟି ପଦକ ପରଷାଯିବ ଏବଂ ସେମାନେ ନିଜେ ସେଥିରୁ ପଦକ ଉଠାଇ ପ୍ରଦର୍ଶନ କ୍ରମରେ ନିଜ ନିଜ ଗଳାରେ ପିନ୍ଧିବେ। କରମର୍ଦ୍ଦନ କିମ୍ବା ଆଲିଙ୍ଗନ ଉପରେ ସଂପୂର୍ଣ୍ଣ କଟକଣା ଲାଗୁ କରାଯିବ। ବୁଧବାର ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ପରିଷଦ ମୁଖ୍ୟ ଥୋମାସ୍ ବାକ୍ ଏହି ଘୋଷଣା କରିଛନ୍ତି।
ଟୋକିଓ: ବ୍ରାଜିଲ ଅଲିମ୍ପିକ୍ସ ଦଳ ରହୁଥିବା ଟୋକିଓର ଏକ ହୋଟେଲରେ କରୋନା ସଂକ୍ରମଣ ମାମଲା ପଦାକୁ ଆସିବା ଆୟୋଜକଙ୍କ ନିଦ ହଜାଇ ଦେଇଛି। ୩୨ତମ ଅଲିମ୍ପିକ୍ସର ଉଦ୍ଘାଟନୀକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ଥିଲା ବେଳେ ଟୋକିଓର ଦକ୍ଷିଣପଶ୍ଚିମ ଭାଗରେ ଥିବା ହାମାମାତୁ ସହରସ୍ଥିତ ଏହି ହୋଟେଲର ୭ ଜଣ କର୍ମଚାରୀ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଏହି ହୋଟେଲରେ ସ୍ଥାପିତ ଜୈବ ବଳୟରେ ସଂପ୍ରତି କେତେକ ଜୁଡୋ ତାରକାଙ୍କ ସହ ୩୧ ଜଣିଆ ବଡ଼ ବ୍ରାଜିଲ ଦଳ ରହୁଛି। ଏହାକୁ ନେଇ ଟୋକିଓର କିଛି ସ୍ବାସ୍ଥ୍ୟ ବିଶେଷଜ୍ଞ ଗଭୀର ଚିନ୍ତା ଜାହିର କରିଛନ୍ତି। ବ୍ରାଜିଲ କ୍ରୀଡ଼ା ଅଧିକାରୀମାନେ ମଧ୍ୟ ଭୟଭୀତ ଅଛନ୍ତି।
ସେପଟେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସମିତିର ମୁଖ୍ୟ ଥୋମାସ ବାକ୍ ଆୟୋଜକ ଏବଂ ଜାପାନ ଜନସାଧାରଣଙ୍କୁ ପ୍ରଶଂସା କରିଛନ୍ତି। ମହାମାରୀ ଭିତରେ ଅଲିମ୍ପିକ୍ସ ଭଳି ବୃହତ୍ ପ୍ରତିଯୋଗିତା ଆୟୋଜନ କରିବାର ଦମ୍ଭ ଦେଖାଇଥିବାରୁ କ୍ରୀଡ଼ା ଜଗତ ସେମାନଙ୍କ ନିକଟରେ ଋଣୀ ରହିବ ବୋଲି କହିଛନ୍ତି। ‘‘ଏଥରର ଅଲିମ୍ପିକ୍ସ ଅନେକ ଦିଗରୁ ଐତିହାସିକ ହେବ। ଗତ ଦୁଇବର୍ଷ ଭିତରେ ଜାପାନବାସୀ ଭୂମିକମ୍ପ, କରୋନା ମହାମାରୀ ଭଳି ବଡ଼ ଆହ୍ବାନ ଓ ପ୍ରତିବନ୍ଧକର ସମ୍ମୁଖୀନ ହୋଇଛନ୍ତି। ଏସବୁ ସତ୍ତ୍ବେ ଏଠାରେ ଏବେ ଅଲିମ୍ପିକ୍ସ ଆୟୋଜନ ହେବାକୁ ଯାଉଛି। ଯାହା ଜାପାନର ମହାନ ଐତିହ୍ୟ ଓ ପରମ୍ପରାକୁ ଦର୍ଶାଉଛି’’ ବୋଲି ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗାଙ୍କ ସହ ସାକ୍ଷାତକାର ପରେ ବାକ୍ କହିଛନ୍ତି। ଅନ୍ୟପକ୍ଷରେ ବୁଧବାର ଟୋକିଓରେ ୧୧୪୯ କରୋନା ସଂକ୍ରମଣ ମାମଲା ପଦାକୁ ଆସିଛି। ଗତ ୬ ମାସ ଭିତରେ ଏହା ହେଉଛି ଏହି ସହରର ସର୍ବାଧିକ ସଂକ୍ରମଣ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/f56h456sf4h56sfh456fsh56fshhfs.jpg)