ଟୋକିଓ ଅଲିମ୍ପିକ୍ସ ଆଉ ୭ ଦିନ: ଭାରତୀୟ ଦୌଡ଼କୁଦ ପ୍ରବନ୍ଧକଙ୍କୁ ନେଇ ବିବାଦ

ଜେଲ ଫେରନ୍ତାଙ୍କ ନିଯୁକ୍ତିକୁ ନେଇ ବାତ୍ରାଙ୍କୁ ତୀବ୍ର ସମାଲୋଚନା କଲେ ମିତ୍ତଲ

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ଆୟୋଜିତ ୩୪ତମ ଜାତୀୟ କ୍ରୀଡ଼ାରେ କୋଟି କୋଟି ଟଙ୍କାର ହେରଫେର କରି ଜେଲ୍‌ ଯାଇଥିବା ଦୁର୍ନୀତିଖୋର କ୍ରୀଡ଼ା ସଂଗଠକ ମଧୁକାନ୍ତ ପାଠକଙ୍କୁ ଭାରତୀୟ ଟୋକିଓ ଅଲିମ୍ପିକ୍ସ ଦୌଡ଼କୁଦ ଦଳର ପ୍ରବନ୍ଧକ କରାଯିବା ପରେ ଏକ ବଡ଼ ବିବାଦ ମୁଣ୍ଡ ଟେକିଛି। ତୁରନ୍ତ ତାଙ୍କୁ ଏହି ପଦରୁ ହଟାଇବାକୁ ଦାବି ହୋଇଛି। ଖୋଦ୍ ଭାରତୀୟ ଅଲିମ୍ପିକ୍ସ ସଂଘର ଉପସଭାପତି ପାଠକଙ୍କ ନିଯୁକ୍ତିକୁ ବିରୋଧ କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

ବିବାଦର କେନ୍ଦ୍ରବିନ୍ଦୁରେ ଥିବା ଝାଡ଼ଖଣ୍ଡ ଦୌଡ଼କୁଦ ସଂଘର ସଭାପତି ମଧୁକାନ୍ତ ପାଠକ ୩୪ତମ ଜାତୀୟ କ୍ରୀଡ଼ା ଆୟୋଜନ ସମିତିର କୋଷାଧ୍ୟକ୍ଷ ଥିଲେ। ସେତେବେଳେ ସେ ଏହି କ୍ରୀଡ଼ା ଲାଗି ଖର୍ଚ୍ଚ ‌ହୋଇଥିବା ଶହ ଶହ କୋଟି ଟଙ୍କା ମଧ୍ୟରୁ ୨୮.୩୮ କୋଟି ଟଙ୍କାର ହିସାବ କିତାବ ଦେଇପାରିନଥିଲେ। ଏହି ଅର୍ଥ ସେ ହଡ଼ପ କରି ନେଇଥିବା ଅଭିଯୋଗ ହୋଇଥିଲା। ମାମଲା ଅଦାଲତକୁ ବି ଯାଇଥିଲା। ଫଳରେ ୨୦୧୮ ମସିହାରେ ମାମଲାର ବିଚାର ଲାଗି ଗଠିତ ସ୍ବତନ୍ତ୍ର ଅଦାଲତ‌ରେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥି‌ଲେ ପାଠକ। ଜାମିନ ନାମଞ୍ଜୁର ହେବା ପରେ ଏଥିଲାଗି ସେ ଢେର କିଛି ଦିନ ଜେଲ୍‌ରେ ବି ରହିଥିଲେ। ଏଭଳି ଜଣେ ଦାଗୀ ବ୍ୟକ୍ତିଙ୍କୁ ଟୋକିଓ ଅଲିମ୍ପିକ୍ସ ଲାଗି ପ୍ରବନ୍ଧକ ଭାବେ ବାଛିଥିବାରୁ ଭାରତୀୟ ଅଲିମ୍ପିକ୍ସ ସଂଘର ବରିଷ୍ଠ ଉପସଭାପତି ସୁଧାଂଶୁ ମିତ୍ତଲ ସଭାପତି ନରିନ୍ଦର ବାତ୍ରାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ନିଜ କଳା କାରନାମାକୁ ଘଣ୍ଟ ଘୋଡ଼ାଇବା ଲାଗି ବାତ୍ରା ଜାଣିଶୁଣି ଏଭଳି ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ଦୌଡ଼କୁଦ ଭଳି ଗୁରୁତ୍ବପୂର୍ଣ୍ଣ ଖେଳର ପ୍ରବନ୍ଧକ କରିଛନ୍ତି। ଜଣେ ଜେଲ୍ ଫେରନ୍ତା କେମିତି ଭାରତୀୟ ଦଳର ପ୍ରବନ୍ଧକ ହୋଇପାରିବେ ବୋଲି ସେ ପ୍ରଶ୍ନ କରିଛନ୍ତି।

ଏଥିରେ ଖେଳାଳିଙ୍କର କି ଲାଭ ହେବ। ଦଳର ପ୍ରଦର୍ଶନ ଯାହା ହେଉ ପଛେ ପାଠକ କେବଳ ‌ଟୋକିଓ ଯାଇ ବୁଲାବୁଲି କରି ଫେରିଆସିବେ ବୋଲି ମିତ୍ତଲ କହିଛନ୍ତି। ସେପଟେ ଦେଶର ପ୍ରଥମ ମହିଳା ଅସିଚାଳକ ଭାବେ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଥିବା ସିଏ ଭାବନୀ ଦେବୀଙ୍କ ମା’ଙ୍କୁ ଭାରତୀୟ ଅସିଚାଳନା ଦଳର ପ୍ରବନ୍ଧକ କରାଯାଇଛି। ଭାବନୀଙ୍କ ସହ ତାଙ୍କ ମା’ ଦୀର୍ଘ ଦିନ ହେବ ଅଭ୍ୟାସ କରୁଥିବାରୁ ତାଙ୍କୁ ପ୍ରବନ୍ଧକ ନିଯୁକ୍ତ କରାଯିବାରେ ଅସୁବିଧା ନାହିଁ। ତେବେ ପାଠକଙ୍କ ଭଳି ଲୋକଙ୍କୁ ବିଦା କରି ଅଧିକ ପ୍ରଶିକ୍ଷକ, ଫିଜିଓ ଓ ଡାଏଟିସିଆନଙ୍କୁ ଟୋକିଓ ପଠାଇବାକୁ ମିତ୍ତଲ ଦାବି କରିଛନ୍ତି। ବାତ୍ରାଙ୍କ ଚାପରେ ପାଠକଙ୍କୁ ନିଯୁକ୍ତି ମିଳିଛି। ବାତ୍ରା ହିଁ ଏଭଳି ଲୋକଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି। ଏମାନେ ସବୁ ତାଙ୍କ ଚେଲା। ମୁଁ ଏହି ବିଷୟରେ ପ୍ରଧାନମନ୍ତ୍ରୀଙ୍କ ଧ୍ୟାନ ଆକର୍ଷଣ କରିବି ବୋଲି ମିତ୍ତଲ ଆହୁରି କହିଛନ୍ତି। ସୂଚନାଯୋଗ୍ୟ ଯେ ଓଡ଼ିଆ ଝିଅ ଦୂତି ଚାନ୍ଦଙ୍କ ସହ ଟୋକିଓ ଅଲିମ୍ପିକ୍ସରେ ୨୬ ଜଣିଆ ଭାରତୀୟ ଦୌଡ଼କୁଦ ଦଳ ଅଂଶଗ୍ରହଣ କରିବାକୁ ଯାଉଛି।

ମାସ୍କ ପିନ୍ଧିବେ, ପୋଡିୟମ୍‌ରେ ଗ୍ରୁପ୍ ଫଟୋ ମନା

ଟୋକିଓ ଅଲିମ୍ପିକ୍ସ ପଦକ ଉତ୍ସବ ଲାଗି ଆୟୋଜକମାନେ ଗୁରୁବାର ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ତଦନୁଯାୟୀ ପଦକ ବିଜେତା ଏବଂ ଉପସ୍ଥାପକ ସବୁବେଳେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ସେହିଭଳି ପଦକ ବିତରଣ ବେଳେ ସାମାଜିକ ଦୂରତା ଅବଲମ୍ବନ କରାଯିବ। ପ୍ରତ୍ୟେକ ପଦକ ଷ୍ଟାଣ୍ଡ ଭିତରେ ଏକ ଅତିରିକ୍ତ ଷ୍ଟାଣ୍ଡ ରଖାଯାଇ ଏହି ନିୟମର କଡ଼ା‌କଡ଼ି ଭାବେ ପାଳନ କରାଯିବ। ସବୁ ଉପସ୍ଥାପକଙ୍କ ଟିକାକରଣ କରାଯିବ। ସେମାନଙ୍କର ମଧ୍ୟ ନିୟମିତ ବ୍ୟବଧାନରେ କୋଭିଡ୍ ପରୀକ୍ଷା ହେବ। ପୋଡିୟମ୍ ଉପରେ ଖେଳାଳିମାନେ ମିଳିତ ଭାବେ ଫଟୋ ଉଠାଇ ପାରିବେ ନାହିଁ। ପ୍ରତ୍ୟେକ ଇଭେଣ୍ଟର ପୁରସ୍କାର ବିତରଣୀ ଉତ୍ସବ ପୂର୍ବରୁ ଉପସ୍ଥାପକ, ସ୍ବେଛାସେବୀ, ଖେଳାଳି ଓ ଅନ୍ୟମାନଙ୍କୁ ବିଭିନ୍ନ ନିର୍ଦ୍ଦେଶାବଳୀ ବିଷୟରେ ଅବଗତ କରାଇ ଦିଆଯିବ।

ସମ୍ବନ୍ଧିତ ଖବର