ଟୋକିଓ: ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବହୁ ପ୍ରତୀକ୍ଷିତ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ପାଇଁ ପ୍ରଥମ ଦଫା ଭାରତୀୟ ଆଥ୍ଲେଟ୍ ରବିବାର ସକାଳେ ଟୋକିଓରେ ପହଞ୍ଚିଛନ୍ତି। ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାର ଉଚ୍ଚ ଆଶା ନେଇ ଟୋକିଓ ପହଞ୍ଚିଥିବା ଏହି ଦଫାରେ ମୋଟ ୮୮ ଆଥ୍ଲେଟ୍ ସାମିଲ ଅଛନ୍ତି। ବିଶେଷକରି ତୀରନ୍ଦାଜ, ବ୍ୟାଡ୍ମିଣ୍ଟନ, ଟେବୁଲ ଟେନିସ୍, ହକି, ଜୁଡୋ, ଜିମ୍ନାଷ୍ଟିକ୍, ସନ୍ତରଣ ଓ ଭାରୋତ୍ତୋଳନ ଭଳି ୮ ଶୃଙ୍ଖଳରୁ ଆଥ୍ଲେଟ୍ ଓ ଅଧିକାରୀମାନେ ଏକ ଚାର୍ଟର୍ଡ ଏୟାର ଇଣ୍ଡିଆ ବିମାନରେ ନୂଆଦିଲ୍ଲୀରୁ ଯାଇ ଟୋକିଓରେ ଅବତରଣ କରିଛନ୍ତି। ଏହି ୮୮ ଜଣିଆ ଦଳରେ ସପୋର୍ଟ ଷ୍ଟାଫ୍ ଏବଂ ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ପ୍ରତିନିଧିଙ୍କ ବ୍ୟତୀତ ୫୪ ଆଥ୍ଲେଟ୍ ରହିଛନ୍ତି। ଏଥର ଅଲିମ୍ପିକ୍ସ ପାଇଁ ପ୍ରଥମ ଦଫାରେ ଯାଇଥିବା ଆଥ୍ଲେଟ୍ଙ୍କ ମଧ୍ୟରେ ହକି (ଉଭୟ ପୁରୁଷ ଓ ମହିଳା)ରେ ସବୁଠୁ ଅଧିକ ପ୍ରତିନିଧିତ୍ବ ରହିଛି। ଟୋକିଓ ପହଞ୍ଚିବା ପରେ କୁରୋବେ ସିଟି ପ୍ରତିନିଧିମଣ୍ଡଳି ଭାରତୀୟ ଆଥ୍ଲେଟ୍ଙ୍କୁ ବିମାନ ବନ୍ଦରରେ ସ୍ବାଗତ ଜଣାଇଥିଲେ। ସେମାନେ ‘‘କୁରୋବେ ସପୋର୍ଟସ ଇଣ୍ଡିଆନ୍ ଆଥ୍ଲେଟ୍ସ!! #ଚିଅର୪ଇଣ୍ଡିଆ’’ ବ୍ୟାନର ଧରି ସ୍ବାଗତ କରିଥିଲେ।
ଶନିବାର ରାତିରେ ଦେଶ ଛାଡ଼ିବା ପୂର୍ବରୁ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରେ ଭାରତୀୟ ଦଳକୁ ଉତ୍ସାହିତ କରିବା ସହିତ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ବିମାନ ବନ୍ଦରରେ ଟୋକିଓଗାମୀ ଆଥ୍ଲେଟ୍ଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଆଥ୍ଲେଟଙ୍କ ପାଇଁ ରେଡ୍ କାର୍ପେଟ ବିଛା ଯାଇଥିଲା ଏବଂ ତା’ ଉପରେ ଆଥ୍ଲେଟ୍ମାନେ ଯାଉଥିବାର ମନୋରମ ଦୃଶ୍ୟର ସାକ୍ଷୀ ପାଲଟିଥିଲା ବିମାନ ବନ୍ଦର। ବିମାନ ବନ୍ଦରରେ ଆଥ୍ଲେଟ୍ମାନଙ୍କୁ ବିଦାୟକାଳୀନ ଉତ୍ସବ ଅବସରରେ ଠାକୁରଙ୍କ ବ୍ୟତୀତ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ନୀତୀଶ ପ୍ରମାଣିକ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ମହାସଚିବ ସନ୍ଦୀପ ପ୍ରଧାନ ଏବଂ ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ)ର ସଭାପତି ନରିନ୍ଦର ବାତ୍ରା ଓ ମହାସଚିବ ରାଜୀବ ମେହେତାଙ୍କ ସହିତ ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ।
ଏଥର ଅଲିମ୍ପିକ୍ସରେ ୧୧୯ (୬୭ ପୁରୁଷ ଓ ୫୨ ମହିଳା) ଆଥ୍ଲେଟ୍ଙ୍କ ସହିତ ମୋଟ ୨୨୮ ଜଣ ଭାରତରୁ ପ୍ରତିନିଧିତ୍ବ କରୁଛନ୍ତି। ରବିବାର ପ୍ରଥମ ଦଫା ଭାରତୀୟ ଟୋକିଓରେ ପହଞ୍ଚିବା ପୂର୍ବରୁ ଅନ୍ୟ ଦେଶରେ ପ୍ରଶିକ୍ଷଣ ଓ ପ୍ରସ୍ତୁତି ଚଳାଇଥିବା ଅନ୍ୟ କିଛି ଭାରତୀୟ ଆଥ୍ଲେଟ୍ ପହଞ୍ଚି ସାରିଛନ୍ତି। ସେମାନଙ୍କ ମଧ୍ୟରୁ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିଥିବା ଏକମାତ୍ର ଭାରୋତ୍ତୋଳିକା ମୀରାବାଇ ଚାନୁ ତାଙ୍କ ପ୍ରଶିକ୍ଷଣ ସ୍ଥଳ ଆମେରିକାର ସେଣ୍ଟ୍ ଲୁଇସ୍ରୁ ଶୁକ୍ରବାର ଟୋକିଓରେ ପହଞ୍ଚିସାରିଥିଲା ବେଳେ ମୁଷ୍ଟିଯୁଦ୍ଧ ଓ ବନ୍ଧୁକଚାଳକମାନେ ଯଥାକ୍ରମେ ଇଟାଲି ଓ କ୍ରୋଏସିଆରୁ ଯାଇ ସେଠାରେ ପହଞ୍ଚି ସାରିଛନ୍ତି। ତେବେ ୪ ଜଣିଆ ପାଲଟଣା ନୌକା ଦଳ (ନେତ୍ର କୁମାରନ୍ ଓ ବିଷ୍ଣୁ ସର୍ବନନ୍, କେସି ଗଣପତି ଓ ବରୁଣ ଠକ୍କର) ପ୍ରଥମ ଭାରତୀୟ ଭାବେ ଟୋକିଓରେ ପାଦ ଥାପିଛନ୍ତି। ସେମାନେ ସେମାନଙ୍କ ପ୍ରଶିକ୍ଷଣ ସ୍ଥଳ ୟୁରୋପରୁ ଯାଇ ସେଠାରେ ପହଞ୍ଚିବା ପରେ ଗୁରୁବାରଠୁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ସେହିପରି ନୌଚାଳନା ଦଳ ମଧ୍ୟ ଟୋକିଓରେ ପହଞ୍ଚିସାରିଛି। ବଜରଙ୍ଗ ପୂନିଆ ଓ ଭିନେଶ ଫୋଗଟଙ୍କ ନେତୃତ୍ବରେ କୁସ୍ତିଯୋଦ୍ଧା, ମହିଳା ଟେନିସ୍ ତାରକା ସାନିଆ ମିର୍ଜା, ପଦକ ଆଶାୟୀ ଜାଭ୍ଲିନ୍ ଫିଙ୍ଗାଳି ନୀରୋଜ ଚୋପ୍ରାଙ୍କ ଭଳି ପ୍ରମୁଖ ଖେଳାଳିଙ୍କ ସହିତ ଅବଶିଷ୍ଟ ଆଥ୍ଲେଟ୍ମାନେ ଦ୍ବିତୀୟ ଦଫାରେ ଟୋକିଓ ପହଞ୍ଚିବେ ବୋଲି ଆଇଓଏ ପକ୍ଷରୁ କୁହାଯାଇଛି।
ଭାରତୀୟ ନୌଚାଳକଙ୍କ ଅଭ୍ୟାସ ଆରମ୍ଭ
ଟୋକିଓ ପହଞ୍ଚିବା ପରେ ଭାରତୀୟ ନୌଚାଳକ ଅର୍ଜୁନ ଲାଲ ଓ ଅରବିନ୍ଦ ସିଂହ ପ୍ରଥମ ଥର ପାଇଁ ରବିବାର କ୍ରୀଡ଼ାଗ୍ରାମରେ ଅଭ୍ୟାସ ଆରମ୍ଭ କରିଛନ୍ତି। ବହୁ ପ୍ରତୀକ୍ଷିତ ଅଲିମ୍ପିକ୍ସ ପୂର୍ବରୁ ଏହି ଦୁଇ ଜଣ ଅଭ୍ୟାସ ଚଳାଇଥିବା ଫଟୋକୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ସେୟାର କରିଛି। ସେମାନଙ୍କ ପାଇଁ ଚିଅର୪ଇଣ୍ଡିଆ ଲେଖି ଦେଶବାସୀ ଶୁଭେଚ୍ଛା ପଠାଇବା ପାଇଁ ଏହି ଅବସରରେ ସାଇ ପକ୍ଷରୁ ଟ୍ବିଟ୍ କରାଯାଇଛି।
୩ ଦକ୍ଷିଣଆଫ୍ରିକୀୟ କୋଭିଡ୍ ପଜିଟିଭ୍, ଅଷ୍ଟ୍ରେଲିଆ ଦୌଡ଼କୁଦ ଦଳ ସମ୍ପୂର୍ଣ୍ଣ ସଙ୍ଗରୋଧ
ଟୋକିଓ: ଟୋକିଓ ଅଲିମ୍ପିକ୍ସ ଯେତିକି ପାଖେଇ ଆସୁଛି କୋଭିଡ୍ ସଂକ୍ରମଣ ସେତିକି ଡରାଉଛି। ଶନିବାର କ୍ରୀଡ଼ା ଗ୍ରାମରୁ ପ୍ରଥମ କ୍ରୀଡ଼ାବିତ୍ଙ୍କ କୋଭିଡ୍ ପଜିଟିଭ୍ ମାମଲା ଆସିଥିଲା। ରବିବାର ଆଉ ୩ ଜଣ ଖେଳାଳି ଏଥିରେ ସାମିଲ ହୋଇଛନ୍ତି। ଏହି ୩ ଜଣଙ୍କ ମଧ୍ୟରୁ ଦୁଇ କ୍ରୀଡ଼ାବିତ୍ କିନ୍ତୁ କ୍ରୀଡ଼ାଗ୍ରାମରେ ରହୁନାହାନ୍ତି। ସଂକ୍ରମିତ ଉଭୟ ଖେଳାଳି ଗୋଟିଏ ଦେଶର ଏବଂ ଗୋଟିଏ ଖେଳର ବୋଲି କୁହାଯାଇଛି। ଏମାନେ ଦକ୍ଷିଣ ଆଫ୍ରିକା ଫୁଟ୍ବଲ୍ ଦଳର ଦୁଇ ଖେଳାଳି ଥାବିସୋ ମୋନାନେ ଓ କାମୋହେଲୋ ମାହାଲତସି ଏବଂ ଭିଡିଓ ଆନାଲିଷ୍ଟ୍ ମାରିଓ ମାଶା ବୋଲି ଜଣାପଡ଼ିଛି। ଦଳର ଅନ୍ୟମାନେ ଦୁଇଟି ପରୀକ୍ଷାରେ ନେଗେଟିଭ୍ ଆସିଛନ୍ତି। ଦକ୍ଷିଣ ଆଫ୍ରିକା ଅଲିମ୍ପିକ୍ସ ଦଳର ଚତୁର୍ଥ ସଦସ୍ୟ ମଧ୍ୟ ପଭିଟିଭ୍ ବାହାରିଛନ୍ତି। ରଗ୍ବି ସେଭେନ୍ସ ଦଳର ପ୍ରଶିକ୍ଷକ ନିଲ୍ ପାୱେଲ୍ ପଜିଟିଭ୍ ଥିବା ଦଳ ପକ୍ଷରୁ କୁହାଯାଇଛି। ସବୁଠାରୁ ବଡ଼ ଚିନ୍ତାର କାରଣ ହେଉଛି ଟୋକିଓ ଅଲିମ୍ପିକ୍ସ ସହ ଜଡ଼ିତ ଅନ୍ୟ କିଛି ବ୍ୟକ୍ତିଙ୍କ ମଧ୍ୟରୁ ରବିବାର ସକାଳେ ୧୦ ଜଣ ପଜିଟିଭ୍ ବାହାରିଛନ୍ତି। ଦକ୍ଷିଣ କୋରିଆର ଜଣେ ଅନ୍ତର୍ଜାତୀୟ ଅଲିମ୍ପିକ୍ ସମିତି ସଦସ୍ୟ ରିଉ ସିଉଙ୍ଗ ମିନ୍ କୋଭିଡ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେ ଜଣେ ପୂର୍ବତନ କ୍ରୀଡ଼ାବିତ ଏବଂ ଉଭୟ ଡୋଜ୍ ଟିକା ନେଇଥିଲେ। ଅନ୍ୟ ଖେଳାଳିମାନଙ୍କୁ ସେ ସଂକ୍ରମିତ କରିଥିବା ଆଶଙ୍କା ଜାତ ହୋଇଛି।
ଅନ୍ୟପକ୍ଷରେ ଜାପାନରେ ଲଗାତର ପଞ୍ଚମ ଦିନ ପାଇଁ ସଂକ୍ରମଣ ମାମଲା ୧୦୦୦ରୁ ଊର୍ଧ୍ବରେ ରହିଛି। ଦେଶବାସୀଙ୍କ ବିରୋଧ ସତ୍ତ୍ବେ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ନିଜ ରାଜନୈତିକ ଭବିଷ୍ୟତକୁ ବେଟ୍ ଲଗାଇ କୋଭିଡ୍ ସଂକ୍ରମଣକୁ ଭ୍ରୁକ୍ଷେପ କରୁନାହାନ୍ତି। ତାଙ୍କ କ୍ୟାବିନେଟ୍କୁ ମାତ୍ର ୩୫.୯ ପ୍ରତିଶତ ସମର୍ଥନ ମିଳିଛି ଯାହାକି ଗତ ସେପ୍ଟେମ୍ବରରେ ସେ କ୍ଷମତାକୁ ଆସିବା ପରଠାରୁ ସର୍ବନିମ୍ନ। ଟୋକିଓରେ ଚତୁର୍ଥ ଭାଇରସ୍ ଇମର୍ଜେନ୍ସି ଫଳପ୍ରଦ ହେବ ବୋଲି ମାତ୍ର ୨୯.୪ ପ୍ରତିଶତ ମତ ଦେଉଛନ୍ତି। ସବୁକିଛି ସୁଗାଙ୍କ ବିରୋଧରେ ରହିଥିବା ବେଳେ ସେ ଅଲିମ୍ପିକ୍ସ ଆୟୋଜନକୁ ଦୃଢ଼ ସମର୍ଥନ ଦେଇଆସୁଛନ୍ତି। ଶୁକ୍ରବାରଠାରୁ ଟୋକିଓରେ ବର୍ଷା ଋତୁ ଶେଷ ହେବା ସହ ନୀଳ ଆକାଶ ଓ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି। ଏଭଳି ପରିସ୍ଥିତିରେ ମୁଖା ପରିଧାନ କରିବା ସମସ୍ତଙ୍କ ପାଇଁ ବିରକ୍ତିକର ହୋଇଛି।
ଅଷ୍ଟ୍ରେଲିଆ ଦୌଡ଼କୁଦ ଦଳ ସମ୍ପୂର୍ଣ୍ଣ ସଙ୍ଗରୋଧ
ଟୋକିଓ: ଟୋକିଓ ଅଲିମ୍ପିକ୍ସ ପାଇଁ ଆସିଥିବା ଅଷ୍ଟ୍ରେଲିଆର ଦୌଡ଼କୁଦ ଦଳ କେର୍ଣ୍ଣସସ୍ଥିତ ପ୍ରାକ୍ ଅଭ୍ୟାସ ଶିବିର ଅବସରରେ ସମ୍ପୂର୍ଣ୍ଣ ସଙ୍ଗରୋଧ ହୋଇଛି। ମେଲବର୍ଣ୍ଣରୁ ଆସିଥିବା ଜଣେ ଅଫିସିଆଲଙ୍କ କୋଭିଡ୍ ପରୀକ୍ଷା ଅସ୍ପଷ୍ଟ ଆସିବାରୁ ସତର୍କତାମୂଳକ ପଦକ୍ଷେପ ଲାଗି ସଙ୍ଗରୋରେ ରହିଛନ୍ତି। ପର୍ଯ୍ୟାପ୍ତ ସତର୍କତା ରହିବାକୁ ସବୁ ଖେଳାଳିଙ୍କୁ ନିଜ ନିଜ ରୁମ୍ରେ ରହିବାକୁ କୁହାଯାଇଛି ବୋଲି କହିଛନ୍ତି ଅଷ୍ଟ୍ରେଲିଆ ଅଲିମ୍ପିକ୍ ସମିତିର ମୁଖ୍ୟ ଚିକିତ୍ସାଧିକାରୀ ଡେଭିଡ୍ ହ୍ୟୁଗ୍ସ। କୋଭିଡ୍ର ଗୋଡ଼ ନାହିଁ, ଲୋକମାନେ ବାହାରକୁ ନ ବାହାରିଲେ ସେ ବି ଗତି କରିପାରିବ ନାହିଁ ବୋଲି ମଧ୍ୟ ହ୍ୟୁଗ୍ସ ଚେତାଇ ଦେଇଛନ୍ତି।