ଟୋକିଓ ଅଲିମ୍ପିକ୍ସ ଆଉ ୯ ଦିନ: ଦୂତିଙ୍କ ମନୋବଳ ବଢ଼ାଇଲେ ମୋଦୀ ‘ପୋଡିୟମ୍‌ରେ ସାରା ଦେଶ ତୁମକୁ ଦେଖିବାକୁ ଚାହେଁ’

ମହିଳାଙ୍କ ବିକାଶରେ ହିଁ ଦେଶର ପ୍ରଗତି ସମ୍ଭବ ବୋଲି ଦେଖାଇଦେବାକୁ ଚାହୁଁଛି: ଦୂତି

ନୂଆଦିଲ୍ଲୀ: ଆଶା, ଆକାଂକ୍ଷାର ଅଦୃଶ୍ୟ ବୋଝ ତଳେ ଦବିବା ଆଦୌ ଦରକାର ନାହିଁ। ଆପଣ ଏହି ଦେଶ ପାଇଁ ଏକାଧିକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଦେଶ ଆପଣଙ୍କୁ ଅଲିମ୍ପିକ୍ସ ପୋଡିୟମ‌ରେ ଦେଖିବାକୁ ଆଶା ରଖିଛି। ଏଣୁ ସମସ୍ତ ଚିନ୍ତା, କଷ୍ଟ ଓ ଚାପକୁ ପଛରେ ପକାଇ ଅଲିମ୍ପିକ୍ସରେ ଅଂଶଗ୍ରହଶ କର। ସାରା ଦେଶ ଆପଣଙ୍କ ସହ ଅଛି’’। ଟୋକିଓ ଅଲିମ୍ପିକ୍ସ ପାଇଁ ଜାପାନ ଯାତ୍ରା‌ କରିବା ପୂର୍ବରୁ ଭାରତୀୟ ଦଳର ବଛା ବଛା ୧୫ ଜଣ କ୍ରୀଡ଼ା ତାରକାଙ୍କ ସହ ମଙ୍ଗଳବାର ଭର୍ଚୁଆଲି ଭାବ ବିନିମୟ କଲାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୌଡ଼ରାଣୀ ଦୂତି ଚାନ୍ଦଙ୍କୁ ଏଭଳି ମନୋବଳ ବୃଦ୍ଧିକାରୀ ମନ୍ତ୍ର ଦେଇଛନ୍ତି।

ଦୂତିଙ୍କୁ ଦୂତି ଜୀ ଭାବେ ସମ୍ବୋଧନ କରିବା ସହ ପ୍ରଧାନମନ୍ତ୍ରୀ ତାଙ୍କୁ ଦେଶର ଗର୍ବ ଓ ଗୌରବ ଭାବେ ବର୍ଣ୍ଣନା କରିଥିଲେ। ସେହିଭଳି ନିଜ ନାମକୁ ସାର୍ଥକ କରି କ୍ରମାଗତ ଭାବେ ସେ କ୍ରୀଡ଼ା ଚମକରେ ସମସ୍ତଙ୍କୁ ପ୍ରଭାବିତ କରି ଚାଲିଛନ୍ତି ବୋଲି ପ୍ରଶଂସା କରିଥିଲେ। ଜାଭେଲିନ୍ ତାରକା ନୀରଜ ଚୋପ୍ରାଙ୍କ ପରେ ପରେ ଡାକି ମୋଦି କହିଥିଲେ ଯେ ଦୂତି ଜୀ ନମସ୍ତେ। ଦୂତିର ଅର୍ଥ ହିଁ ହେଉଛି ଚମକ ବା ଆଭା। ଖେଳକୁ ମାଧ୍ୟମ କରି ତୁମେ ଏହି ଚମକକୁ ଚାରିଆଡ଼େ ବିଚ୍ଛୁରିତ କରି ଚାଲିଛ। ଏବେ ତୁମେ ଅଲିମ୍ପିକ୍ସରେ କମାଲ କରିବାକୁ ପ୍ରସ୍ତୁତ ହେଉଛ। ସେହିଭଳି ଅଲିମ୍ପିକ୍ସ ଭଳି ବୃହତ୍ ଓ ବିଶ୍ବସ୍ତରୀୟ ପ୍ରତିଯୋଗିତାକୁ ସେ କିଭଳି ଭା‌ବେ ଦେଖୁଛନ୍ତି ବୋଲି ମୋଦୀ ନିଜ ସ୍ବାଭାବିକ ଶୈଳୀରେ ଦୂତିଙ୍କୁ ଏହି ଅବସରରେ ପ୍ରଶ୍ନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ନିଜ ସଂଘର୍ଷମୟ କ୍ରୀଡ଼ା ଜୀବନ ବିଷୟରେ ସୂଚନା ଦେବାକୁ ଯାଇ ଦୂତି ପ୍ରତ୍ୟୁତ୍ତରରେ କହିଥିଲେ ଯେ ସମ୍ମାନାସ୍ପଦ ପ୍ରଧାନମନ୍ତ୍ରୀ ଆପଣଙ୍କୁ ପ୍ରଣାମ। ନାରୀ ଦୁର୍ବଳା କିମ୍ବା‌ ଅବଳା ନୁହେଁ, ମହିଳାଙ୍କ ବିକାଶରେ ହିଁ ଦେଶର ପ୍ରଗତି ସମ୍ଭବ ବୋଲି ମୁଁ ଟୋକିଓ ଅଲିମ୍ପିକ୍ସରେ ଦେଖାଇ ଦେବାକୁ ଚାହୁଛି। ମୋର ତିନି ଜଣ ଉଭଣୀ ଓ ଜଣେ ଭାଇ ଅଛନ୍ତି। ଏତେ ଜଣ ଝିଅଙ୍କୁ ଜନ୍ମ ଦେଇଥିବାରୁ ଲୋକମାନେ ମୋ ମା’ଙ୍କୁ ଅନେକ କଥା କହି କଟାକ୍ଷ କରୁଥିଲେ। ଆମ ପାଖରେ ଗଣ୍ଡେ ଖାଇବାକୁ ନଥିଲା ଏବଂ ମୋ ପିତାଙ୍କ ରୋଜଗାର ବି ବହୁତ କମ୍ ଥିଲା। ମୁଁ ଭାବୁଥିଲି ଯଦି ମୁଁ ଖେଳାଖେଳି କରେ ତାହେଲେ ସରକାରୀ ଚାକିରି ଟିଏ ପାଇଯିବି।

ଏବେ ମୋ ପରିବାର ଭଲରେ ଅଛନ୍ତି। ସେମାନଙ୍କୁ ଏକ ଭଲ ଜୀବନଶୈଳୀ ଦେବାକୁ ମୁଁ ସକ୍ଷମ ହୋଇଛି। ଏହି ସଫଳତା ଲାଭ କରିବାରେ ମୋତେ ସମର୍ଥନ ଦେଇଥିବା ଆପଣ ଏବଂ ଅନ୍ୟସମସ୍ତଙ୍କୁ ମୁଁ ହୃଦୟର ଗଭୀରତମ କୋଣରୁ ଧନ୍ୟବାଦ ଅର୍ପଣ କରୁଛି। ମୋ ଜୀବନ ସବୁବେଳେ ବାଦ ବିବାଦ ଘେରରେ ରହି ଆସିଛି। ଅନେକ ଘାତ ପ୍ରତିଘାତ ଦେଇ ମୁଁ ଗତି କରିଛି। ଏଠାରେ ପହଞ୍ଚିବା ଲାଗି ମୋତେ ସେସବୁକୁ ସାହସର ସହ ପ୍ରତିହତ କରିବାକୁ ପଡ଼ିଛି। ଦ୍ବିତୀୟ ଥର ପାଇଁ ଅଲିମ୍ପିକ୍ସ ଖେଳିବାକୁ ଯାଉଥିବା ଦୂତି ଦେଶ ପାଇଁ ଦୌଡ଼କୁଦରୁ ପ୍ରଥମ ପଦକ ଜିତିବାର ସଙ୍କଳ୍ପକୁ ପୁଣି ଥରେ ଦୋହରାଇଥିଲେ। ‘‘ମୁଁ ଦ୍ବିତୀୟ ଥର ଅଲିମ୍ପିକ୍ସ ଖେଳିବାକୁ ଯାଉଛି। ମୁଁ ଖାଲି ଏତିକି ଦେଖାଇ ଦେବାକୁ ଚାହୁଛି ଯେ ଭାରତରେ କୌଣସି ମହିଳା ହେୟ କିମ୍ବା ଦୁର୍ବଳ ନୁହନ୍ତି। ମହିଳା ଆଗେଇବେ ଏବଂ ଦେଶ ପାଇଁ ଗର୍ବ ଓ ‌ଗୌରବ ଆଣିବେ। ମୁଁ ଏହାହିଁ ଦେଖାଇବାକୁ ଆଶା ରଖିଛି। ଦେଶ ପାଇଁ ପଦକ ଜିତିବାକୁ ଲକ୍ଷ୍ୟ ରଖିଛି। ୧୦୦ ମିଟରରେ ଆମ ପ୍ରତିଯୋଗିତା ୧୦ରୁ ୧୧ ସେକେଣ୍ଡ ଭିତରେ ଶେଷ ହୋଇଯାଇଥାଏ। ଏଥିଲାଗି ଆମକୁ ବହୁବର୍ଷ ଧରି ନିରନ୍ତର ଭାବେ କଠିନ ପରିଶ୍ରମ କରିବାକୁ ପଡ଼ିଥା‌ଏ। ଆମେ ଯେଭଳି କୌଣସି କାରଣ ପାଇଁ ଅଯୋଗ୍ୟ ଘୋଷିତ ହୋଇନଯାଉ, ସେ ଦିଗକୁ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ବ୍ୟକ୍ତିଗତ ଜୀବନ ଭଳି ଟ୍ରାକ୍ ଉପରେ ମଧ୍ୟ ମୁଁ ଏହି ସବୁ ଆହ୍ବାନକୁ ସାହସର ସହ ମୁକାବିଲା କରିବାକୁ ସବୁବେଳେ ଚେଷ୍ଟା କରିଥାଏ’’ ବୋଲି ହିନ୍ଦୀରେ କହିଥିଲେ। ମୋଦି ଶେଷରେ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।

ନିଜର ଶତପ୍ରତିଶତ ଦେବାକୁ ଭାରତୀୟ ଦଳକୁ ଆହ୍ବାନ

ପ୍ରଧାନମନ୍ତୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦୂତିଙ୍କ ସହ ତୀରନ୍ଦାଜ ଦୀପିକା କୁମାରୀ, ଜାଭେଲିନ୍ ତାରକା ନୀରଜ ଚୋପ୍ରା, ମହିଳା ମୁଷ୍ଟିଯୋଦ୍ଧା ଏମ୍‌ସି ମେରିକମ୍, ରିଓ ଅଲିମ୍ପିକ୍ସ ପଦକ ବିଜୟିନୀ ପିଭି ସିନ୍ଧୁ, ଅସି ଚାଳନାରେ ପ୍ରଥମ ଥର ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଥିବା ସିଏ ଭାବନୀ ଦେବୀ, ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଥିବା ଦେଶର ପ୍ରଥମ ମହିଳା ସେଲର୍‌ ନେତ୍ରା କୁମାନନ୍, ସନ୍ତରଣ ତାରକା ସଜନ ପ୍ରକାଶ, ଶ୍ରୀହରି ନଟରାଜ, ବନ୍ଧୁକଚାଳକ ସୌରଭ ତିୱାରୀ, ଏଲାଭେନିଲ ଭାଲେରିଭାନ, ଟେବୁଲ ଟେନିସ୍ ତାରକା ଶରଥ କମଲ, ମନିକା ବାତ୍ରା, ହକି ଅଧିନାୟକ ମନପ୍ରୀତ ସିଂହ, କୁସ୍ତି ତାରକା ଭିନେଶ ଭୋଗଟଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ସେମାନଙ୍କ ଏକାଗ୍ରତା ଓ ପରିବାର ବର୍ଗଙ୍କ ତ୍ୟାଗକୁ ଭୂୟସୀ ପ୍ରଶଂସା କରିଥିଲେ। ଖେଳାଳିମାନେ ମଧ୍ୟ ନିଜ ନିଜ ପ୍ରସ୍ତୁତି ଏବଂ ଲକ୍ଷ୍ୟ ବିଷୟରେ ମୋଦୀଙ୍କୁ ସିଧାସଳଖ ଜଣାଇଥିଲେ। ଚାପଗ୍ରସ୍ତ ନ ହୋଇ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ‌ଦେଇଥିଲେ।

କିଛି ଖେଳାଳିଙ୍କ ପ୍ରିୟ କ୍ରୀଡ଼ାବିତଙ୍କ ନାଁ ବି ମୋଦି ପଚାରି ବୁଝିଥିଲେ। ସେହିଭଳି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କଠାରୁ ପ୍ରେରଣା ନେବାକୁ ପରାମର୍ଶ ଦେଇଥିଲେ। ସିନ୍ଧୁଙ୍କୁ ମୋଦି ଦେଇଥିବା ପ୍ରତିଶ୍ରୁତି କିନ୍ତୁ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା। ସିନ୍ଧୁଙ୍କ ପିତାମାତାଙ୍କ ସହ କଥାହେବା ପରେ ତାଙ୍କ ଖାଇବା ଡାଏଟ୍ ବିଷୟରେ ପଚାରି ବୁଝିଥିଲେ ମୋଦି। ରିଓ ଅଲିମ୍ପିକ୍ସ ବେଳେ ଆଇସକ୍ରିମ୍ ଖାଇବା ଉପରେ ଲାଗିଥିବା କଟକଣାକୁ ମନେ ପକାଇ ମୋଦୀ ମଜାକିଆ ଛଳ‌ରେ ଟୋକିଓ ଅଲିମ୍ପିକ୍ସ ପରେ ତାଙ୍କ ସହ ଆଇସକ୍ରିମ୍ ଖାଇବେ ବୋଲି କଥା ଦେଇଥିଲେ। ଏହି ଅବସରରେ ନୂଆ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର, ପୁରୁଣା କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ଏବଂ ଭାରତୀୟ ଅଲିମ୍ପିକ୍ସ ସଂଘର ସଭାପତି ନରିନ୍ଦର ବାତ୍ରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର