ଟୋକିଓ ଅଲିମ୍ପିକ୍ସ ଆଜିଠାରୁ: ଭାରତୀୟ ଗଡ଼ର ସୁରକ୍ଷା ଭାର ସୁନ୍ଦରଗଡ଼ ଉପରେ

ଅଲିମ୍ପିକ ଯାଇଥିବା ଉଭୟ ମହିଳା ଓ ପୁରୁଷ ଦଳର ଡିଫେଣ୍ଡର୍ ସୁନ୍ଦରଗଡ଼ିଆ

ରାଉରକେଲା: ଶୁକ୍ରବାର ବିଶ୍ବ କ୍ରୀଡ଼ାର ମହାକୁମ୍ଭ ଅଲିମ୍ପିକ୍ସ ଉଦ୍‌ଘାଟନ ହେବା ପରେ ତା’ପର ଦିନଠାରୁ ଭାରତୀୟ ହକି ଦଳ ଅଭିଯାନ ଆରମ୍ଭ କରିବେ। ପୁରୁଷ ଦଳ ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ଭେଟିବାକୁ ଯାଉଥିଲା ବେଳେ ମହିଳା ଦଳ ଭେଟିବେ ନେଦରଲାଣ୍ଡକୁ। ବିଶ୍ବ ହକି ଦରବାରରେ ବର୍ତ୍ତମାନ ମାନ୍ୟତା ଅନୁସାରେ ଆମ ପୁରୁଷ ଦଳ ଚତୁର୍ଥ ସ୍ଥାନରେ ରହି ଥିବାବେଳେ ମହିଳା ଦଳ ନବମ ସ୍ଥାନରେ ରହିଛି। ଏହି ମାନ୍ୟତାକୁ ଦେଖିଲେ କୁହାଯାଇପାରେ ଯେ ପୁରୁଷ ଦଳର ପଦକ ହାସଲ ସମ୍ଭାବନା ଅଧିକ। ଏକଦା ବିଶ୍ବ ହକିରେ ରାଜୁତି କରିଥିବା ଭାରତୀୟ ଦଳ ୧୯୮୦ ମସ୍କୋ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଆଉ ପଦକ ଜିତିପାରିନାହିଁ। ପଦକ ଜିତିବା ତ ଦୂରର କଥା, ଅଲିମ୍ପିକ୍ସରେ ଭାରତ ସେମିଫାଇନାଲରେ ମଧ୍ୟ ପ୍ରଦେଶ କରିବାରେ ସମର୍ଥ ହୋଇନାହିଁ। କିନ୍ତୁ ଏଥର ସବୁ ହକି ବିଶେଷଜ୍ଞଙ୍କ ମତରେ ଭାରତୀୟ ଦଳର ପଦକ ଜିତିବା ସମ୍ଭାବନା ଯଥେଷ୍ଟ ଅଧିକ।

ଉଭୟ ପୁରୁଷ ଓ ମହିଳା ଦଳ ବିଗତ କିଛି ବର୍ଷ ଧରି ନିରନ୍ତର ଉନ୍ନତି ଜାରି ରଖିଛନ୍ତି। ଏକ ପରିସଂଖ୍ୟାନ ଅନୁସାରେ ୨୦୧୬ ରିଓ ଅଲିମ୍ପିକ୍ସ ପରେ ଭାରତୀୟ ପୁରୁଷ ଦଳ ପ୍ରାୟ ୧୨୬ଟି ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିସାରିଛି। ସେଥିରୁ ୭୬ଟି ମ୍ୟାଚ୍‌ରେ ବିଜୟ ଲାଭ କରିଛି। ୨୧ ମ୍ୟାଚ୍ ଅମୀମାଂସିତ ରହିଥିଲା ବେଳେ ଅବଶିଷ୍ଟ ୨୯ ମ୍ୟାଚ୍‌ରେ ପରାଜିତ ହୋଇଛି। ଏସବୁ ମ୍ୟାଚ୍‌ଗୁଡ଼ିକରେ ଭାରତ ୪୭୫ଟି ଗୋଲ୍‌ ଦେଇଥିବା ବେଳେ ୧୯୯ ଗୋଲ୍‌ ଖାଇଛି। ଏଇ ପରିସଂଖ୍ୟାନରୁ ବର୍ତ୍ତମାନର ଭାରତୀୟ ପୁରୁଷ ଦଳର ଶକ୍ତି ବୃଦ୍ଧି ସଂପର୍କରେ ପ୍ରମାଣ ମିଳୁଛି।
ଟୋକିଓ ଅଲିମ୍ପିକ୍ସରେ ସୁନ୍ଦରଗଡ଼ର ବିଶେଷ ଭୂମିକା ରହିବ। କାରଣ ଉଭୟ ମହିଳା ଓ ପୁରୁଷ ଦଳର ରକ୍ଷଣଭାଗରେ ସୁନ୍ଦରଗଡ଼ ଜିଲ୍ଲା ଖେଳାଳିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ। ଟୋକିଓ ଯାଇଥିବା ଉଭୟ ଦଳରେ ସୁନ୍ଦରଗଡ଼ ଜିଲ୍ଲାର ୨ ଜଣ ପୁରୁଷ ଓ ୨ ଜଣ ମହିଳା ଡିଫେଣ୍ଡର୍ ଅଛନ୍ତି। ପୁରୁଷ ଦଳରେ ଅଭିଜ୍ଞ ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସ ଥିବାବେଳେ ମହିଳା ଦଳରେ ଅଛନ୍ତି ଭରସାଯୋଗ୍ୟ ଓ ଅଭିଜ୍ଞ ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ। କହିବା ଅନାବଶ୍ୟକ ଯେ ସୁନ୍ଦରଗଡ଼ର ଏହି ୪ ଖେଳାଳି ପ୍ରାୟ ଏକ ଦଶକରୁ ଅଧିକ ସମୟ ହେଲା ଭାରତୀୟ ଦଳରେ ନିୟମିତ ସ୍ଥାନ ପାଇ ଆସୁଛନ୍ତି।

ଗୁରୁଣ୍ଡିଆ ବ୍ଲକ୍‌ର ଲଛଡ଼ା ଗାଁରେ ଜନ୍ମିତ ବୀରେନ୍ଦ୍ର ହକି ପ୍ରଶିକ୍ଷଣ ଆରମ୍ଭ କରିଥିଲେ ରାଉରକେଲାର ସେଲ୍ (ଷ୍ଟିଲ୍‌ ଅଥରିଟି ଅଫ୍ ଇଣ୍ଡିଆ) ହକି ଏକାଡ଼େମୀରୁ। ୨୦୦୭ରେ ପ୍ରଥମ ଥର ପାଇଁ ଭାରତୀୟ ଜର୍ସି ପିନ୍ଧିବାର ସୁଯୋଗ ପାଇଥିବା ୩୧ ବର୍ଷୀୟ ବୀରେନ୍ଦ୍ର ଏଯାଏ ୧୯୭ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ଖେଳିଥିବା ବୀରେନ୍ଦ୍ର ଆଘାତଜନିତ କାରଣରୁ ୨୦୧୬ ରିଓ ଅଲିମ୍ପିକ୍ସରେ ଭାଗ ନେବାରୁ ବଞ୍ଚିତ ହୋଇଥିଲେ। ଏଥର ସେ ଦଳର ଉପଅଧିନାୟକ ଅଛନ୍ତି। ସେ ଜଣେ ସୁଦକ୍ଷ ରକ୍ଷଣଭାଗ ଖେଳାଳି ହେବା ସହ ଆକ୍ରମଣ କରିବା ସମୟରେ ମଧ୍ୟ ସମାନ ଦକ୍ଷତା ପ୍ରଦର୍ଶନ କରୁଛନ୍ତି। ନିଷ୍ଠା ଓ ପରିଶ୍ରମ ପାଇଁ ମଧ୍ୟ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

ବୀରେନ୍ଦ୍ରଙ୍କ ସହିତ ଏହି ସୁନ୍ଦରଗଡ଼ର ୨୮ ବର୍ଷୀୟ ଅମିତ ରୋହିଦାସ ଭାରତୀୟ ଦଳର ରକ୍ଷଣଭାଗ ଦାୟିତ୍ବ ସମ୍ଭାଳିବେ। ଜୀବନ୍ତ କିମ୍ବଦନ୍ତୀ ଦିଲୀପ ତିର୍କିଙ୍କ ଗାଁ ସାଉନମାରା (ବାଲିଶଙ୍କରା ବ୍ଲକ)ରେ ଜନ୍ମିତ ଅମିତଙ୍କର ଏଥର ହେଉଛି ପ୍ରଥମ ଅଲିମ୍ପିକ୍ସ। ସେ ଓଡ଼ିଶାର ପ୍ରଥମ ଅଣ-ଆଦିବାସୀ ଅନ୍ତର୍ଜାତୀୟ ହକି ଖେଳାଳି। ୨୦୦୯ରେ ଭାରତୀୟ କନିଷ୍ଠ ଦଳ ସହ ଆନ୍ତର୍ଜାତିକ ହକି ଯାତ୍ରା ଆରମ୍ଭ କରି ଥିବା ଅମିତଙ୍କୁ ଜାତୀୟ ଦଳର ସ୍ଥାୟୀ ସଦସ୍ୟ ହେବାକୁ ଅନେକ ସଂଘର୍ଷ କରିବାକୁ ପଡିଥିଲା। ନିଜର ପରିଶ୍ରମ ବଳରେ ୨୦୧୭ ପରଠାରୁ ସେ ସେଥିରେ ସଫଳ ହୋଇଛନ୍ତି। ପେନାଲ୍‌ଟି କର୍ନରକୁ ରୋକିବାରେ ସଫଳ ଓ ଦକ୍ଷ ବିଶ୍ବର ଶ୍ରେଷ୍ଠ ଖେଳାଳିଙ୍କ ତାଲିକାରେ ସେ ଗଣାଯାଉଛନ୍ତି। ସେ ଏଯାଏ ୯୭ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି।

ଭାରତୀୟ ମହିଳା ଦଳରେ ମଧ୍ୟ ସୁନ୍ଦରଗଡ଼ ଜିଲ୍ଲାର ଦୁଇ ଖେଳାଳି ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବେ। ସେମାନେ ହେଉଛନ୍ତି ୨୦୧୧ରେ ଏକା ସମୟରେ ଅନ୍ତର୍ଜାତୀୟ ହକି ଯାତ୍ରା ଆରମ୍ଭ କରିଥିବା ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ। ଉଭୟ ଦଳର ସୁରକ୍ଷା ପଂକ୍ତିର ମୁଖ୍ୟ ଯୋଦ୍ଧା।
ଆହୁରି ଉଲ୍ଲେଖନୀୟ ହେଉଛି, ବୀରେନ୍ଦ୍ରଙ୍କ ପରି ଦୀପଗ୍ରେସ୍‌ଙ୍କୁ ଦଳର ଉପ-ଅଧିନାୟିକା ନିଯୁକ୍ତ କରାଯାଇଛି। ବାଲିଶଙ୍କରା ବ୍ଲକର ବାହାମନୀ ପଡ଼ା ଲୁଲୁକି ଡିହି ଗାଁରେ ଜନ୍ମିତ ଦୀପ୍‌ଗ୍ରେସ ସୁନ୍ଦରଗଡ଼ ସାଇ କ୍ରୀଡ଼ା ଛାତ୍ରାବାସରୁ ବାହାରିଥିବା ଏକମାତ୍ର ଅନ୍ତର୍ଜାତୀୟ ମହିଳା ଖେଳାଳି। ତାଙ୍କ ଖେଳ ଶୈଳୀ, ଅକ୍ଲାନ୍ତ ପରିଶ୍ରମ କରିବାର ଆଗ୍ରହ ଓ ପ୍ରତିପକ୍ଷ ଦଳର ଆକ୍ରମଣକୁ ଏକୁଟିଆ ପ୍ରତିହତ କରିବାର ଦକ୍ଷତା ଦେଖିଲେ ତାଙ୍କୁ ‘ଲେଡି ଦିଲୀପ ତିର୍କି’ କହି‌ଲେ ଅତ୍ୟୁକ୍ତି ହେବନାହିଁ। ଦ୍ବିତୀୟ ଥର ଅଲିମ୍ପିକ୍ସ ଖେଳୁଥିବା ଦୀପଗ୍ରେସ୍ ଏଯାଏ ୨୦୨ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି।
ମଧ୍ୟପଂକ୍ତିରେ ସେଣ୍ଟର୍‌ହାଫ୍ ଭଳି ଗୁରୁତ୍ବପୂର୍ଣ୍ଣ ସ୍ଥାନର ସୁରକ୍ଷା ଭାର ରହିଛି ନମିତା ଟପ୍ପୋଙ୍କ କାନ୍ଧରେ। ରାଜଗାଙ୍ଗପୁର ନିକଟସ୍ଥ ଯାଉରୁମାଲ ଗାଁରେ ଜନ୍ମିତ ଏବଂ ପାନପୋଷ କ୍ରୀଡା ଛାତ୍ରାବାସରୁ ପ୍ରଶିକ୍ଷିତ ନମିତା ୨୦୧୧ରେ ଭାରତୀୟ କନିଷ୍ଠ ଦଳରେ ସ୍ଥାନ ପାଇବା ପରଠାରୁ ଆଉ ପଛକୁ ଅନାଇ ନାହାନ୍ତି। ସେ ୧୬୫ ଥର ଆନ୍ତର୍ଜାତିକ ମ୍ୟାଚ୍‌ରେ ଦେଶର ପ୍ରତିନିଧିତ୍ବ କରିଛନ୍ତି।

ତେବେ କେବଳ ଏଇ ଟୋକିଓ ଅଲିମ୍ପିକ୍ସ ନୁହେଁ, ଏହା ପୂର୍ବରୁ ଅନେକ ସମୟରେ ସୁନ୍ଦରଗଡ଼ ଜିଲ୍ଲାର ଖେଳାଳିଙ୍କ କାନ୍ଧ ଉପରେ ଭାରତୀୟ ଦଳର ରକ୍ଷଣ ଦାୟିତ୍ବ ନିୟୋଜିତ କରାଯାଇଛି। ଏହି ଭାଗର ଖେଳାଳି ତଥା ଏହି ଜିଲ୍ଲାର ଦିଲୀପ ତିର୍କି ୧୯୯୬ ଆଟଲାଣ୍ଟା ଅଲିମ୍ପିକ୍ସରେ ପ୍ରଥମ ଓଡ଼ିଆ ଅଲିମ୍ପିଆନ୍ ହେବାର ଗୌରବ ଅର୍ଜନ କରିଥିଲେ। ସେ ପରେ ୨୦୦୦ ସିଡ୍‌ନି ଓ ୨୦୦୪ ଏଥେନ୍ସ ଅଲିମ୍ପିକରେ ମଧ୍ୟ ଦେଶର ପ୍ରତିନିଧିତ୍ବ କରିଥିଲେ। ୨୦୦୪ରେ ସେ ଦଳର ଅଧିନାୟକ ଥିଲେ। ୨୦୦୦ରେ ଲାଜରୁସ ବାର୍ଲା, ୨୦୦୪ରେ ଇଗ୍ନେସ ତିର୍କି ଓ ୱିଲିୟମ୍ ଖାଲ୍‌ଖୋ, ୨୦୧୨ରେ ପୁଣି ଇଗ୍ନେସ ତିର୍କି ଓ ବୀରେନ୍ଦ୍ର ଲାକ୍ରା ଭାରତୀୟ ଅଲିମ୍ପିକ ଦଳରେ ଥିଲେ। ୨୦୧୬ ରିଓ ଅଲିମ୍ପିକରେ ଭାରତୀୟ ମହିଳା ଦଳରେ ଥିଲେ ଜିଲ୍ଲାର ୪ ଜଣ ଝିଅ-ସୁନୀତା ଲାକ୍ରା, ଦୀପଗ୍ରେସ ଏକ୍କା, ଲିଲିମା ମିଞ୍ଜ ଓ ନମିତା ଟପ୍ପୋ। ଏ ସମସ୍ତେ ହେଉଛନ୍ତି ରକ୍ଷଣ ଭାଗର ଖେଳାଳି।

ମନରେ ପ୍ରଶ୍ନ ଉଠିବ, ଫୁଟ୍‌ବଲ୍‌ ଭଳି ସ୍କୋର୍‌ କରିଥିବା ହକିରେ ମଧ୍ୟ ଗୋଲ୍‌ର ସଂଖ୍ୟାରୁ ପ୍ରାୟତଃ ଜଣେ ଖୋଳାଳିର ମୂଲ୍ୟାଙ୍କନ କରାଯାଉଥିବା ବେଳେ ସୁନ୍ଦରଗଡ଼ରୁ କାହିଁକି କେବଳ ରକ୍ଷଣଭାଗର ଅନ୍ତର୍ଜାତୀୟ ଖେଳାଳି ବାହାରୁଛନ୍ତି!! ଏହାର ଉତ୍ତର ବୋଧହୁଏ ହେବ- ଆଦିବାସୀ ଖେଳାଳିଙ୍କ ଅକ୍ଲାନ୍ତ ପରିଶ୍ରମ କରିବାର କ୍ଷମତା, ଷ୍ଟାମିନା, କ୍ଷୀପ୍ରତା, ଶୃଙ୍ଖଳା ମନୋଭାବ, ଅନାବଶ୍ୟକ ରିସ୍କ ନ ନେବାର ଅଭ୍ୟାସ ଓ ସର୍ବୋପରି ଲୋକଦେଖାଣିଆ ଖେଳ ଅପେକ୍ଷା ଦଳର ସ୍ବାର୍ଥକୁ ଗୁରୁତ୍ବ ଦେବା ସେମାନଙ୍କୁ ଆଦର୍ଶ ରକ୍ଷଣ ଭାଗର ଖେଳାଳି ଭାବେ ଗଢ଼ି ଆସିଛି।

ସମ୍ବନ୍ଧିତ ଖବର