ବିନା ଦର୍ଶକରେ ହୋଇପାରେ ଟୋକିଓ ଅଲିମ୍ପିକ୍ସ, ଜାପାନ ସ୍ବାସ୍ଥ୍ୟ ସୁବିଧା ଭୁଶୁଡ଼ିଯିବା ଆଶଙ୍କା

୧ ଲକ୍ଷ ୬୧ ହଜାର କୋଟିର କ୍ଷତି ସହିବ ଜାପାନ

ଟୋକିଓ: କରୋନା ସଙ୍କଟ ପାଇଁ ପ୍ରଥମ ଥର ବିଶ୍ବର ସର୍ବବୃହତ୍ କ୍ରୀଡ଼ା ମହୋତ୍ସବ ଅଲିମ୍ପିକ୍ସ ବିନା ଦର୍ଶକରେ ଖେଳାଯିବାର ଆଶଙ୍କା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆୟୋଜକ ଜାପାନ ମଧ୍ୟ ମାନସିକ ସ୍ତରରେ ଏଥିଲାଗି ପ୍ରସ୍ତୁତ ହେଉଛି। ‘‘ଆମେ ଦର୍ଶକଙ୍କ ବିନା ଅଲିମ୍ପିକ୍ସ ଆୟୋଜନ କରିବାକୁ ପ୍ରସ୍ତୁତ’’ ବୋଲି ମଧ୍ୟ ଟୋକିଓ ଅଲିମ୍ପିକ୍ସ ଆୟୋଜନ ସମିତିର ସଭାପତି ସେଇକୋ ହାସିମୋତୋ କହି ସାରିଛନ୍ତି। ଯାହା କ୍ରୀଡ଼ାପ୍ରେମୀଙ୍କ ସହ ଜାପାନ ସରକାରଙ୍କ ପାଇଁ ମଧ୍ୟ ଏକ ଶକ୍ତ ଧକ୍କା ହେବାକୁ ଯାଉଛି। ପାଖାପାଖି ଦେଢ଼ ବର୍ଷର ବ୍ୟବଧାନ ପରେ ଖେଳ ପଡ଼ିଆକୁ ଧୀରେ ଧୀରେ ଦର୍ଶକ ଫେରିବା ଆରମ୍ଭ ‌ହୋଇଥିଲା। କେତେକ ସ୍ଥାନରେ ଏବେ ଦର୍ଶକଙ୍କ ଷ୍ଟାଡିୟମ୍ ପ୍ରବେଶକୁ ଅନୁମତି ମିଳି ସାରିଲାଣି। କୋଭିଡ୍ ନିୟମ ମାନି କିଛି ଭାଗ୍ୟଶାଳୀ ଦର୍ଶକ ଷ୍ଟାଡିୟମରେ ବସି ଖେଳ ଦେଖିବାର ମଜା ନେଉଛନ୍ତି। ହେଲେ ୨୦୨୦ରୁ ୨୦୨୧କୁ ସ୍ଥଗିତ ହୋଇଥିବା ଟୋକିଓ ଅଲିମ୍ପିକ୍ସ ବେଳେ ଏଭଳି କୌଣସି ସମ୍ଭାବନା ସୃଷ୍ଟି ହେବାର ଆଶା ଏକବାର କମ୍। କାରଣ ଜାପାନ ଏବେବି କରୋନାର ଚତୁର୍ଥ ଲହରର ମୁକାବିଲା କରୁଥିଲା ବେଳେ ଭାରତ ଭଳି ଅନ୍ୟ ଦେଶ ଦେଶ ମଧ୍ୟ କରୋନା ଲଢ଼େଇରୁ ସଂପୂର୍ଣ୍ଣ ମୁକ୍ତ ହୋଇ ପାରି ନାହାନ୍ତି। ଯେଉଁଦେଶ ଏ‌ହି ମହାମାରୀରୁ ମୁକୁଳିଛନ୍ତି ସେଠାକୁ ପୁଣି ଥରେ କରୋନା ଫେରିବାର ଆଶଙ୍କା ଅଛି।

ଏଭଳି ସ୍ଥିତିରେ ଅଲିମ୍ପିକ୍ସ ଆୟୋଜନ ଏବଂ ଲକ୍ଷ ଲକ୍ଷ ବିଦେଶୀ ଦର୍ଶକ ତଥା ଅଧିକାରୀଙ୍କୁ ନିଜ ଦେଶକୁ ସ୍ବାଗତ କରିବାକୁ ଜାପାନବାସୀ ଅନାଗ୍ରହୀ ଅଛନ୍ତି। କରୋନା ମହାମାରୀର ଅସ୍ବାଭାବିକ ସମୟ ମଧ୍ୟରେ ଅଲିମ୍ପିକ୍ସ ଆ‌ୟୋଜନକୁ କେବଳ ସେଠାକାର ସାଧାରଣ ଜନତା ନୁହଁ, ଡାକ୍ତର ସଂଘ ଓ ବ୍ୟବସାୟୀ ସଂଘ ମଧ୍ୟ ଆନୁଷ୍ଟାନିକ ଭାବେ ବିରୋଧ କରି ଆସୁଛି। ବିଦେଶୀ ଦର୍ଶକଙ୍କ ଉପରେ ବାସନ୍ଦାଦେଶ ଜାରି କରି ଘରୋଇ ଦର୍ଶକଙ୍କୁ ଅନୁମତି ହେବାକୁ ଆୟୋଜନ ସମିତି ଏକ ବିକଳ୍ପ ଭାବେ ଦେଖୁଛି। ତେବେ ଏହାକୁ ନେଇ ମଧ୍ୟ ବିରୋଧ ଆରମ୍ଭ ‌‌ହୋଇ ଗଲାଣି। ଏହି ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ଆସନ୍ତାମାସରେ ନିଆଯିବ। ଘରୋଇ ଦର୍ଶକଙ୍କ ଉପରେ କଟକଣା ଜାରି କରିବା କିନ୍ତୁ ଆ‌ୟୋଜନ ସମିତି ପାଇଁ ଏକ ଶକ୍ତ ଆର୍ଥିକ ଧକ୍କା ‌ହୋଇପାରେ।

ଅଲିମ୍ପିକ୍ସ ଗୋଟିଏ ବର୍ଷ ସ୍ଥଗିତ ହେବା ପରେ କୋଟି କୋଟି ଟଙ୍କାର ଆର୍ଥିକ କ୍ଷତି ସହି ସାରିଥିବା ଆୟୋଜନ ସମିତି ପାଇଁ ଏହା ଏକ ବଡ଼ ଚିନ୍ତାର କାରଣ ହୋଇଛି। ଦର୍ଶକଙ୍କ ବିନା ପ୍ରାୟୋଜକ ରାଶି କମିବ, ହେଲେ ଚାପରେ ଥିବା ଜାପାନ ସ୍ବାସ୍ଥ୍ୟ ବିଭାଗ ସାଧାରଣ ଜନତାଙ୍କ ସେବାରେ ନିଜକୁ ଅଧିକ ବିନିଯୋଗ କରି ପାରିବ। ବିନା ଦର୍ଶକରେ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ଥିବା ହାସିମୋତୋ କହିଥିଲେ ମଧ୍ୟ ଦର୍ଶକ ଷ୍ଟାଡିୟମ୍‌ ଆସନ୍ତୁ ବୋଲି ଆୟୋଜନ ସମିତି ଚହୁଥିବା ମତ ଦେଇଛନ୍ତି। ସେପଟେ ଜାପାନରେ ଏବେବି ଜରୁରୀକାଳୀନ ସ୍ଥିତି ଜାରି ରହିଛି। ଏହାକୁ ତୃତୀୟ ଥର ପାଇଁ ବଢ଼ାଇ ଦିଆଯାଇଛି। କିଛି ବିଦେଶୀ ଖେଳାଳି ମଧ୍ୟ ନିଜ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରି ସାରିଛନ୍ତି। ଏପରିକି ଆମେରିକା ଟ୍ରାକ୍ ଆଣ୍ଡ ଫିଲ୍ଡ ଦଳ ନିଜ ପ୍ରାକ୍ ଅଲିମ୍ପିକ୍ସ ପ୍ରସ୍ତୁତି ଶିବିରକୁ ବାତିଲ କରି ଦେଇଛି। ନିକଟରେ କରାଯାଇଥିବା ଏକ ଗଣନା‌ରେ ୫୯ ପ୍ରତିଶତ ଜାପାନବାସୀ ଦର୍ଶକଙ୍କ ଷ୍ଟାଡିୟମ ପ୍ରବେଶକୁ ବିରୋଧ କରିଛନ୍ତି। ଏପ୍ରିଲ ମାସରେ ଏହା ମାତ୍ର ୪୫ ପ୍ରତିଶତ ଥିଲା। ଆୟୋଜକମାନେ କିନ୍ତୁ ଟିକେଟ ବିକ୍ରିରୁ ୮୦୦ ନିୟୁତ ଡଲାର ରାଜସ୍ବ ସଂଗ୍ରହ କରିବା ଲକ୍ଷ୍ୟରେ ଥିଲେ। ଯାହା ଏବେ ଅସମ୍ଭବ ମନେ ହେଉଛି।

ଜାପାନ ସ୍ବାସ୍ଥ୍ୟ ସୁବିଧା ଭୁଶୁଡ଼ିଯିବା ଆଶଙ୍କା
ପ୍ରାଥମିକ ଆକଳନ ଅନୁସାରେ ଟୋକିଓ ଅଲିମ୍ପିକ୍ସ ଦେଖିବାକୁ ଟୋକିଓ ଅଲିମ୍ପିକ୍ସ ଦେଖିବାକୁ ପାଖାପାଖି ୬,୦୦,୦୦୦ ବିଦେଶୀ ଦର୍ଶକ ଜାପାନ ଆସିଥା‌’ନ୍ତେ। ହେଲେ ଗତ ମାର୍ଚରେ ହିଁ ଆୟୋଜକମାନେ ବିଦେଶୀ ଦର୍ଶକଙ୍କୁ ଅନୁମତି ନଦେବାର ନିଷ୍ପତ୍ତି ନେଇ ସାରିଥିଲେ। ସେହିଭଳି ଜୁନ୍ ମାସରେ ଘରୋଇ ଦର୍ଶକଙ୍କୁ ନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଥିଲେ। ତେବେ ଏହା ଟୋକିଓ ସହରର ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ମୁଖ୍ୟତଃ ନିର୍ଭରଶୀଳ ରହିବ। ବାସ୍କେଟବଲ୍ ଓ ଫୁଟବଲ୍ ମ୍ୟାଚ୍‌ଗୁଡ଼ିକ ଲାଗି ମ୍ୟାଚ୍ ପିଛା ୫,୦୦୦ ଦର୍ଶକଙ୍କୁ ଅନୁମତି ଦେବାକୁ ଆୟୋଜନ ସମିତି ନିଷ୍ପତ୍ତି ନେଇଛି। ତେବେ ଏହା ମଧ୍ୟ ସହରର ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଅତିରିକ୍ତ ଚାପ ସୃଷ୍ଟି କରିବ ବୋଲି ସେଠାକାର ଡାକ୍ତର ସଂଘ ସ୍ପଷ୍ଟ ଭାବେ କହିଛି। ଏପରିକି ଅଲିମ୍ପିକ୍ସ ନକରିବାକୁ ଦାବି କରି ସଂଘ ଜାପାନ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପତ୍ର ବି ଲେଖିଛି। ପ୍ରଶଂସକଙ୍କୁ ସଠିକ୍ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ସମ୍ଭବ ହେବନି ବୋଲି ୧୯୯୮ ଶୀତକାଳୀନ ଅଲିମ୍ପିକ୍ସର ସ୍ବାସ୍ଥ୍ୟ ସେବା ଦାୟିତ୍ବରେ ଥିବା ପ୍ରସିଦ୍ଧ ଚିକିତ୍ସକ ହିରୋସି ଓକୁଡେରା କହିଛନ୍ତି। ଏପରିକି ଟୋକିଓ ସ୍ବାସ୍ଥ୍ୟ ବ୍ୟବସ୍ଥା ଏଥିଲାଗି ସଂପୂର୍ଣ୍ଣ ଭୁଣୁଡ଼ି ଯାଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି।

୧ ଲକ୍ଷ ୬୧ ହଜାର କୋଟିର କ୍ଷତି ସହିବ ଜାପାନ
କରୋନା ମହାମାରୀ ପାଇଁ ଟୋକିଓ ଅଲିମ୍ପିକ୍ସ ଯଦି ବିନା ଦର୍ଶକରେ ଆୟୋଜିତ ହୁଏ, ତାହେଲେ ଜାପାନ ଅର୍ଥନୀତିକୁ ୨୨ ବିଲିୟନ୍ ଡଲାର ବା ପାଖାପାଖି ୧ ଲକ୍ଷ ୬୧ ହଜାର କୋଟି ଟଙ୍କାର କ୍ଷତି ହେବ। କାନସାଇ ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସର ଏଭଳି ଆକଳନ କରିଛନ୍ତି। ଦର୍ଶକଙ୍କ ଉପରେ ବାସନ୍ଦାଦେଶ ଲାଗିଲେ ଅଲିମ୍ପିକ୍ସରୁ ମିଳିବାକୁ ଥିବା ରାଜସ୍ବ ଢେର କମିବ। ଟୋକିଓ ସହରର ଛୋ‌ଟ ଛୋଟ ବ୍ୟବସାୟୀ ହିଁ ଏଥିନେଇ ଅଧିକ ପ୍ରଭାବିତ ହେବେ। ଅଲିମ୍ପିକ୍ସ ପାଇଁ ଗତବର୍ଷ ୪୫ ଲକ୍ଷ ଜାପାନ ନାଗରିକ ଟିକେଟ କିଣିଥିଲେ। ସେଥିମଧ୍ୟରୁ ୮ ଲକ୍ଷ ଲୋକ ନିଜ ଟିକେଟକୁ ପ୍ରତ୍ୟାହାର କରି ଦେଇଥିଲେ। ଆୟୋଜନ ସମିତି ସହ ସହରର ସେଲୁନ, ରେଷ୍ଟୁରାଣ୍ଟ, ସିନେମା ହଲ୍ ଆଦି ବ୍ୟାପକ କ୍ଷତି ସହିବେ। ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିଲେ ବି ପାଖାପାଖି ୧ ଲକ୍ଷ କୋଟି ଟଙ୍କାର ରାଜସ୍ବ ହରାଇବେ ଜାପାନ ସରକାର।

ସମ୍ବନ୍ଧିତ ଖବର