ନୂଆଦିଲ୍ଲୀ: ଆଇପିଏଲ୍ର ବିଗତ ୧୨ଟି ସଂସ୍କରଣ ମଧ୍ୟରେ ଆମେ ବହୁ ଖେଳାଳିଙ୍କୁ ଗୋଟିଏ ଦଳରୁ ଅନ୍ୟ ଦଳକୁ ଯିବାର ଦେଖିଛେ। ୮ଟି ଯାକ ଦଳ ପ୍ରତି ବର୍ଷ କିଛି ଖେଳାଳିଙ୍କୁ ନିଜ ପାଖରେ ରଖିଥିଲା ବେଳେ କେତେକଙ୍କୁ ଛାଡ଼ି ଥାଆନ୍ତି। ଏମିତି ପ୍ରାୟ ପ୍ରତି ବର୍ଷ ଚାଲିଥାଏ। ଦଳ ଛାଡ଼ିଥିବା ଖେଳାଳିମାନେ ପୁଣି ନିଲାମରେ ଭାଗ ନେଇଥା'ନ୍ତି। ଏମାନଙ୍କ ମଧ୍ୟରୁ ଶ୍ରେଷ୍ଠ ଖେଳାଳିଙ୍କୁ ଫ୍ରାଞ୍ଚାଇଜ୍ ମାଲିକମାନେ ନିଜ ଦଳରେ ନେବା ପାଇଁ ପ୍ରତିଦ୍ବନ୍ଦ୍ବିତା କରିଥା'ନ୍ତି। ପୁରୁଣା ଦଳ ଛାଡ଼ି ନୂଆ ଦଳରେ ଯୋଗ ଦେଇ ଭଲ ପ୍ରଦର୍ଶନ କରିଥିବା ଶ୍ରେଷ୍ଠ ୫ ଖେଳାଳିଙ୍କ ଉପରେ ନଜର ପକାଇବା।
ମାର୍କସ ଷ୍ଟୋଇନିସ (ଆର୍ସିବିରୁ ଡିସି)
ଚଳିତ ଆଇପିଏଲ୍ରେ ଅଲ୍ରାଉଣ୍ଡର ଭାବେ ଅଷ୍ଟ୍ରେଲିଆର ମାର୍କସ ଷ୍ଟୋଇନିସଙ୍କ ପ୍ରଦର୍ଶନ ଭଲ ରହିଛି। ଉଭୟ ବଲ୍ ଓ ବ୍ୟାଟ୍ରେ ସେ ଦଳକୁ ବିଜୟ ଦେବାରେ ପ୍ରମୁଖ ଭୂମିକା ନେଉଛନ୍ତି। ଚମତ୍କାର ପ୍ରଦର୍ଶନ ବଳରେ ସେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)ର ପ୍ରମୁଖ ଖେଳାଳି ହୋଇପାରିଛନ୍ତି। ଗତବର୍ଷ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ପକ୍ଷରୁ ଖେଳିଥିବା ଷ୍ଟୋଇନିସ (୧୦ ମ୍ୟାଚ୍, ୨୧୧ ରନ୍, ୨ ୱିକେଟ୍)ଙ୍କ ପ୍ରଦର୍ଶନ ଭଲ ନଥିବାରୁ ତାଙ୍କୁ ଦଳ ଛାଡ଼ିଦେଇଥିଲା। ନିଲାମରେ ଡିସି ଏହି ୩୧ ବର୍ଷୀୟ ଅଲ୍ରାଉଣ୍ଡରଙ୍କୁ ୪.୮ କୋଟି ଟଙ୍କାରେ କିଣିଥିଲା। ତାଙ୍କ ଉପରେ ଥିବା ଦଳର ଭରସାକୁ ମଧ୍ୟ ସେ ନିଜ ପ୍ରଦର୍ଶନ ବଳରେ ପ୍ରମାଣିତ କରିସାରିଲେଣି। ସେ ଚଳିତ ଆଇପିଏଲ୍ରେ ୮ ମ୍ୟାଚ୍ ଖେଳି ୧୬୨ ଷ୍ଟ୍ରାଇକ୍ ରେଟ୍ରେ ୧୯୩ ରନ୍ କରିଥିଲା ବେଳେ ୬ ୱିକେଟ୍ ମଧ୍ୟ ଅକ୍ତିଆର କରିଛନ୍ତି।
କ୍ବିଣ୍ଟନ ଡି’କକ୍ (ଆର୍ସିବିରୁ ଏମ୍ଆଇ)
ଆଇପିଏଲ୍ର ସବୁଠୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ) ଠିକଣା ସମୟରେ ଶ୍ରେଷ୍ଠ ଖେଳାଳିଙ୍କୁ ନିଜ ଦଳରେ ନେଇଛି। ଯିଏ କି ନିଜର ପ୍ରଦର୍ଶନ ବଳରେ ଆଗରେ ରହିଛନ୍ତି। ସେ ହେଉଛନ୍ତି ଦକ୍ଷିଣ ଆଫ୍ରିକୀୟ ୱିକେଟ୍ରକ୍ଷକ-ବ୍ୟାଟ୍ସମ୍ୟାନ୍ କ୍ବିଣ୍ଟନ ଡି'କକ୍। ୨୦୧୮ରେ ଆର୍ସିବିରେ ଯୋଗ ଦେଇଥିବା ଏହି ଖେଳାଳିଙ୍କ ପ୍ରଦର୍ଶନ ଖରାପ ଥିଲା। ସେ ୨୫.୧୨ ହାରରେ ରନ୍ ସଂଗ୍ରହ କରିଥିଲେ। ୨୦୧୯ ଆଇପିଏଲ୍ ପୂର୍ବରୁ ଏମ୍ଆଇ ତାଙ୍କୁ କିଣିଥିଲା। ନୂଆ ଦଳ ପକ୍ଷରୁ ଖେଳି ସେହିବର୍ଷ ଡି'କକ୍ ୧୬ ମ୍ୟାଚ୍ ଖେଳି ୫୨୯ ରନ୍ କରିବା ସହ ତୃତୀୟ ସର୍ବାଧିକ ରନ୍ ହାସଲକାରୀ ହୋଇଥିଲେ। ତାଙ୍କର ଏହି ସଫଳତା ମୁମ୍ବାଇକୁ ଚତୁର୍ଥ ଥର ଲାଗି ଟ୍ରଫି ଦେବାରେ ସହାୟତା କରିଥିଲା। ଚଳିତ ବର୍ଷ ସେ ୭ ମ୍ୟାଚ୍ ଖେଳି ୧୯୧ ରନ୍ ସଂଗ୍ରହ କରିସାରିଲେଣି। ୱିକେଟ୍ରକ୍ଷକ ଭାବେ ୭ କ୍ୟାଚ୍ ନେବା ସହ ଗୋଟିଏ ଷ୍ଟମ୍ପିଂ ମଧ୍ୟ କରିଛନ୍ତି।
ଟ୍ରେଣ୍ଟ ବୋଲ୍ଟ (ଡିସିରୁ ଏମ୍ଆଇ)
ଆଇପିଏଲ୍-୨୦୨୦ରେ ସୋମବାର ସୁଦ୍ଧା ଯୁଗ୍ମ ଭାବେ ଦ୍ବିତୀୟ ସର୍ବାଧିକ ୱିକେଟ୍ ହାସଲକାରୀ ତାଲିକାରେ ଥିବା ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ (୧୧ ୱିକେଟ୍) ନିଜ ନୂଆ ଦଳ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ) ପାଇଁ ମୂଲ୍ୟବାନ ସାବ୍ୟସ୍ତ ହୋଇଛନ୍ତି। ଦୁଇ ବର୍ଷ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପକ୍ଷରୁ ଖେଳିବା ପରେ ୨୦୧୯ ନିଲାମ ପୂର୍ବରୁ ଦଳ ତାଙ୍କୁ ଛାଡ଼ିଥିଲା। ସେ ୨୦୧୮ରେ ୧୮ ୱିକେଟ୍ ଅକ୍ତିଆର କରିଥିଲା ବେଳେ ୨୦୧୯ରେ ମାତ୍ର ୫ ମ୍ୟାଚ୍ ଖେଳି ୫ ୱିକେଟ୍ ପାଇଥିଲେ। ଫଳରେ ଦିଲ୍ଲୀ ତାଙ୍କୁ ବାଧ୍ୟ ହୋଇ ବିଦା କରିଥିଲା। ଯାହା ମୁମ୍ବାଇ ପାଇଁ ବଡ଼ ସୁଯୋଗ ହୋଇଥିଲା। ଯଶପ୍ରୀତ ବୁମ୍ରା ଓ ଜେମ୍ସ ପାଟିନସନଙ୍କ ସହ ସେ ମୁମ୍ବାଇର ଦ୍ରୁତ ବୋଲିଂ ବାହିନୀକୁ ଆହୁରି ଶକ୍ତିଶାଳୀ କରିଛନ୍ତି। ସେ ନୂଆ ବଲ୍ରେ ଚମତ୍କାର ବୋଲିଂ କରୁଥିଲା ବେଳେ ଡେଥ୍ ଓଭରରେ ମଧ୍ୟ ବୁମ୍ରାଙ୍କ ସହ ଭାର ସମ୍ଭାଳୁଛନ୍ତି। ଯାହା ଅଧିନାୟକ ରୋହିତ ଶର୍ମାଙ୍କ ଚିନ୍ତା କମାଇ ଦେଉଛି।
କ୍ରିସ୍ ମୋରିସ୍ (ଡିସିରୁ ଆର୍ସିବି)
ଦକ୍ଷିଣ ଆଫ୍ରିକା ଅଲ୍ରାଉଣ୍ଡର କ୍ରିସ ମୋରିସ୍ ଗତ ଦୁଇଟି ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ପାଇଁ ବଡ଼ ସକାରାତ୍ମକ ପ୍ରଭାବ ପକାଇଛନ୍ତି। ଆହତ କାରଣରୁ ପ୍ରଥମ ୫ ମ୍ୟାଚ୍ରୁ ବଞ୍ଚିତ ହୋଇଥିବା ମୋରିସଙ୍କ ଦଳକୁ ଫେରିବା ଆର୍ସିବି ପାଇଁ ବରଦାନ ହୋଇଛି। ଚୂଡ଼ାନ୍ତ ଏକାଦଶରେ ସେ ସ୍ଥାନ ପାଇବା ପରେ ବିରାଟ କୋହଲିଙ୍କ ଦଳର ସନ୍ତୁଳନ ଆସିଯାଇଛି। ଏ ପର୍ଯ୍ୟନ୍ତ ଖେଳିଥିବା ଦୁଇଟି ମ୍ୟାଚ୍ରେ ତାଙ୍କ ବୋଲିଂ ପ୍ରଦର୍ଶନ ଯଥାକ୍ରମେ ୩/୧୯ (ଚେନ୍ନାଇ ସୁପର କିଙ୍ଗ୍ସ) ଓ ୨/୧୭ (କୋଲ୍କାତା ନାଇଟ୍ ରାଇଡର୍ସ) ରହିଛି। ୩ ବର୍ଷ ଡିସି (ଦିଲ୍ଲୀ କ୍ୟାପିଟାଲ୍ସ) ପକ୍ଷରୁ ଖେଳିଥିବା ମୋରିସଙ୍କ ମୂଳ ଦର ୧.୫ କୋଟି ଥିଲା ବେଳେ ୨୦୧୯ ନିଲାମରେ ବାଙ୍ଗାଲୋର ୧୦ କୋଟି ଟଙ୍କାରେ କିଣିଥିଲା। ୨୦୧୯ ସଂସ୍କରଣରେ ସେ ଡିସି ପକ୍ଷରୁ ୯ ମ୍ୟାଚ୍ ଖେଳି ୧୩ ୱିକେଟ୍ ଓ ୩୨ ରନ୍ କରିଥିଲେ। ଏଭଳି ଖରାପ ପ୍ରଦର୍ଶନ ଯୋଗୁଁ ଦିଲ୍ଲୀ ତାଙ୍କୁ ଛାଡ଼ିଥିଲା। କନ୍ତୁ ଚଳିତ ବର୍ଷ ପ୍ରଥମ ଆଇପିଏଲ୍ ଟ୍ରଫି ଜିତିବାର ସ୍ବପ୍ନ ଦେଖିଥିବା ବିରାଟଙ୍କ ପାଇଁ ସେ ଏବେ ପ୍ରମୁଖ ଖେଳାଳି ରହିଛନ୍ତି।
ମହମ୍ମଦ ସାମି (ଡିସିରୁ କିଙ୍ଗ୍ସ ଇଲେଭେନ ପଞ୍ଜାବ)
ଗତ କିଛି ବର୍ଷ ହେବ ଭାରତୀୟ ଦଳର ପ୍ରମୁଖ ଖେଳାଳିଙ୍କ ମଧ୍ୟରେ ମହମ୍ମଦ ସାମି ରହିଛନ୍ତି। ତାଙ୍କ ଦ୍ରୁତ ବୋଲିଂ ବିପକ୍ଷ ବ୍ୟାଟ୍ସମ୍ୟାନ୍ଙ୍କୁ ଅଡ଼ୁଆରେ ପକାଇଥାଏ। ଦୁଇ ବର୍ଷ ହେଲା କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ପାଇଁ ତାଙ୍କ ପ୍ରଦର୍ଶନ ସମାନ ରହିଛି। ଏହା ପୂର୍ବରୁ ସେ ୪ ବର୍ଷ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପକ୍ଷରୁ ଖେଳିଥିଲେ। ହେଲେ ଶେଷ ୩ ବର୍ଷରେ ସାମି ମୋଟ ୨୦ ମ୍ୟାଚ୍ ଖେଳି ମାତ୍ର ୧୩ ୱିକେଟ୍ ନେବାରେ ସଫଳ ହୋଇଥିଲେ। କିନ୍ତୁ ୨୦୧୯ ସଂସ୍କରଣ ପୂର୍ବ ନିଲାମରେ ପଞ୍ଜାବ ଦଳ ତାଙ୍କ ଉପରେ ଭରସା ରଖିଥିଲା ଏବଂ କିଣିଥିଲା। ସେହି ସଂସ୍କରଣରେ ସାମି ୧୪ ମ୍ୟାଚ୍ ଖେଳି ୧୯ ୱିକେଟ୍ ନେଇ ଯୁଗ୍ମ ଭାବେ ସର୍ବାଧିକ ୱିକେଟ୍ ହାସଲକାରୀଙ୍କ ମଧ୍ୟରେ ପଞ୍ଚମ ସ୍ଥାନ ପାଇଥିଲେ। ଚଳିତ ସଂସ୍କରଣରେ ୩୦ ବର୍ଷୀୟ ସାମି ଭଲ ଲୟରେ ରହିଛନ୍ତି। ଏପର୍ଯ୍ୟନ୍ତ ସେ ୭ ମ୍ୟାଚ୍ ଖେଳି ୧୦ ୱିକେଟ୍ ଅକ୍ତିଆର କରିଛନ୍ତି। କିନ୍ତୁ ତାଙ୍କ ଦଳ ପଞ୍ଜାବ ୭ ମ୍ୟାଚ୍ ଖେଳି ୬ ପରାଜୟ ସହ ପଏଣ୍ଟ୍ ଟେବୁଲର ଶେଷ ସ୍ଥାନରେ ରହିଛି।