ଭୁବନେଶ୍ବର: ଜନ୍ମରୁ ଗୋଟିଏ ଆଖି ପୂରା ନଷ୍ଟ, ଅନ୍ୟ ଆଖିକୁ ମଧ୍ୟ ଠିକ୍ରେ ଦେଖାଯାଉନି। କିନ୍ତୁ ଏହାକୁ ଖାତିର ନକରି ଖେଳ ଦୁନିଆରେ ନାଁ କମାଇଛନ୍ତି ଓଡ଼ିଶାର ଦୃଷ୍ଟିବାଧିତ କ୍ରିକେଟର୍ ପଙ୍କଜ ଭୁଏ। ଖାଲି କ୍ରିକେଟ୍ ନୁହେଁ ଖେଳ ରୁଚି ତାଙ୍କ ଅନ୍ତର୍ଜାତୀୟ ଆଥ୍ଲେଟ୍ ଭାବେ ମଧ୍ୟ ଗଢ଼ିଛି। କ୍ରିକେଟ୍ରେ ଭାରତ ପକ୍ଷରୁ ଅନେକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ଗୌରବ ପାଇଥିବା ପଙ୍କଜ ଦୁଇ ଦୁଇଟି ବିଶ୍ବକପ୍ରେ ଭାରତକୁ ପ୍ରତିନିଧିତ୍ବ କରିବାର ସୁଯୋଗ ମଧ୍ୟ ପାଇଛନ୍ତି। ଅବସର ପରେ ପ୍ରଶିକ୍ଷକ ହେବାକୁ ଇଚ୍ଛା ରଖିଛନ୍ତି ଏହି ଅନ୍ତର୍ଜାତୀୟ ଖେଳାଳି।
ଦୌଡ଼କୁଦରେ ରୁଚି ରଖିଥିବା ବରଗଡ଼ ବରପାଲି ବ୍ଲକ୍ର ଫୁଲପାଲି ଗାଁର ଅଞ୍ଜଳି ଓ ଶିବଲାଲ ଭୁଏଙ୍କ ପୁଅ ପଙ୍କଜଙ୍କ ଖେଳ ଜୀବନ ବାପୁଜୀ ସ୍ବତନ୍ତ୍ର ବିଦ୍ୟାଳୟରୁ ଆରମ୍ଭ ହୋଇଥିଲା। ୨୦୦୫ରେ ପ୍ରଥମ ଥର ରାଜ୍ୟସ୍ତରୀୟ ଦୃଷ୍ଟିବାଧିତ କ୍ରିକେଟ୍ ପ୍ରତିଯୋଗିତାରେ ବରଗଡ଼ରୁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଥିଲେ। ଏଠାରେ ତାଙ୍କ ଚମତ୍କାର ପ୍ରଦର୍ଶନରେ ବରଗଡ଼ ଉପବିଜେତା ହୋଇଥିଲା ଏବଂ ସେ ରାଜ୍ୟ ଦଳରେ ସ୍ଥାନ ପାଇଥିଲେ। ଜାତୀୟ ପ୍ରତିଯୋଗିତାରେ ସେ ରାଜ୍ୟରୁ ଖେଳି ଶ୍ରେଷ୍ଠ ୱିକେଟ୍କିପର ପୁରସ୍କାର ପାଇଥିଲେ। ଏହି ସଫଳତା ତାଙ୍କୁ ଆଗକୁ ବଢ଼ିବାକୁ ରାହା ଦେଇଥିଲା। ଏହାପରେ ୱିକେଟ୍କିପିଂ ଛାଡ଼ି ଅଲ୍ରାଉଣ୍ଡର ଭାବେ ଖେଳିବା ଆରମ୍ଭ କରିଥିଲେ। ୨୦୧୧ରେ ସେ ପ୍ରଥମ ଥର ଭାରତୀୟ ଦଳରେ ସ୍ଥାନ ପାଇବା ସହ ଏହା ପରବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍ ଦଳରେ ଜାଗା ଜମାଇଥିଲେ। ଏହି ବିଶ୍ବକପ୍ ଫାଇନାଲ୍ରେ ତାଙ୍କ ୩ ୱିକେଟ୍ ସଫଳତା ବଳରେ ଭାରତ ଚିରପ୍ରତିଦ୍ବନ୍ଦୀ ପାକିସ୍ତାନକୁ ହରାଇ ଟ୍ରଫି ଜିତିଥିଲା। ଫାଇନାଲ୍ରେ ଏକ ଡାଇଭ୍ ମାରି ସେ ଆହତ ହୋଇଥିଲେ। ଆହତ ସମସ୍ୟା ଏତେ ଅଧିକ ଥିଲା ସେ ଦଳର ବିଜୟ ଉତ୍ସବରେ ସେ ସାମିଲ ହୋଇପାରି ନଥିଲେ। ଏହି ସମସ୍ୟା ତାଙ୍କୁ ପ୍ରାୟ ୪ ବର୍ଷ ଖେଳଠୁ ଦୂରେଇ ରଖିଥିଲା। ୨୦୧୬ରେ ସେ ଖେଳ ଦୁନିଆକୁ ପ୍ରତ୍ୟାବର୍ତ୍ତନ କଲେ। କ୍ରିକେଟ୍ ପାଇଁ ଫିଟ୍ ନଥିବାରୁ ଦୌଡ଼କୁଦରେ ମନୋନିବେଶ କରି ସେହି ବର୍ଷ ଜାତୀୟ ପାରା ଦୌଡ଼କୁଦରେ ଭାଗ ନେଇ ୨ଟି ସ୍ବର୍ଣ୍ଣ ଜିତିଲେ। ଏହାପରେ ଲଗାତାର ୩ ବର୍ଷ ଦୌଡ଼କୁଦରେ ରହି ଅନେକ ଜାତୀୟ ପଦକ କରାୟତ୍ତ କରିଛନ୍ତି। କ୍ରିକେଟ୍ ପ୍ରତି ଦୁର୍ବଳତା ଥିବାରୁ ଫିଟ୍ ହେବା ଲାଗି ପରିଶ୍ରମ ମଧ୍ୟ ଜାରି ରଖିବା ସହ ଜାତୀୟ ପ୍ରତିଯୋଗିତାରେ ଭାଗନେଉଥିଲେ। ୨୦୧୮ରେ ଦିନିକିଆ ବିଶ୍ବକପ୍ ଦଳରେ ତାଙ୍କୁ ସ୍ଥାନ ମିଳିଥିଲା। ଏହି ବିଶ୍ବକପ୍ରେ ସେ ଗୋଟିଏ ମ୍ୟାଚ୍ରେ ମଧ୍ୟ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ସଂପ୍ରତି ସେ ଭାରତୀୟ ଦୃଷ୍ଟିବାଧିତ କ୍ରିକେଟ୍ ଦଳର ନିୟମିତ ସଦସ୍ୟ ହୋଇଯାଇଛନ୍ତି। ଏଥିସହ ଦୌଡ଼କୁଦରେ ମଧ୍ୟ ନିଜର ଚମକ ଜାରି ରଖିଛନ୍ତି। ୨୦୨୩ ଇଣ୍ଡିଆନ୍ ଓପନ୍ ଦୌଡ଼କୁଦରେ ୩ ପଦକ ଜିତି ଅନ୍ତର୍ଜାତୀୟ ସଫଳତା ପାଇଛନ୍ତି ସେ।
‘‘ପିଲାବେଳୁ ମୋର ଖେଳ ପ୍ରତି ରୁଚି ଥିଲା। ବରଗଡ଼ସ୍ଥିତ ବାପୁଜୀ ସ୍ବତନ୍ତ୍ର ବିଦ୍ୟାଳୟର ତତ୍କାଳୀନ ଖେଳ ଶିକ୍ଷକ ଲକ୍ଷ୍ମଣ ପ୍ରଧାନ ହିଁ ମୋର କ୍ରୀଡ଼ା ଜୀବନକୁ ଆଗକୁ ବଢ଼ାଇଥିଲେ। ବଡ଼ଭାଇ ଯଶୋବନ୍ତ ଫୁଟ୍ବଲ୍ ଖେଳାଳି ଥିବାରୁ ସେ ମୋତେ ଦୌଡ଼କୁଦ ପ୍ରଶିକ୍ଷଣ ଦେଇ ଶାଣିତ କରିଥିଲେ। ଖେଳ ପ୍ରତି ମୋର ମୋହ ଏତେ ଥିଲା ଯେ ସବୁ ଖେଳିବାକୁ ମନ ବଳାଇଥିଲି। ଚେସ୍ ମଧ୍ୟ କିଛି ଦିନ ଖେଳିଛି। ଚେସ୍ର ଦୁଇ ତାରକା ଖେଳାଳି ସୌନ୍ଦର୍ଯ୍ୟ ଓ ପ୍ରାଚୁର୍ଯ୍ୟ ପ୍ରଧାନଙ୍କୁ ମଧ୍ୟ ହରାଇଛି। କ୍ରିକେଟ୍ରେ ଆଗକୁ ବଢ଼ିବାରେ ସାଥୀ ଖେଳାଳି ମହମ୍ମଦ ଜାଫର ଇକ୍ବାଲ୍ଙ୍କ ଅବଦାନ ମଧ୍ୟ ରହିଛି। ଭାରତୀୟ ଡାକ ବିଭାଗରେ ମୁଁ ଖେଳ କୋଟାରେ ଚାକିରି କରି ନଥିଲେ ମଧ୍ୟ ଖେଳିବା ପାଇଁ ବହୁ ସହଯୋଗ ମିଳିଛି। ଯାହା ପାଇଁ ମୋ ଖେଳକୁ ଆଗକୁ ନେଇପାରିଛି। ପୂର୍ବରୁ ଦୃଷ୍ଟିହୀନ କ୍ରିକେଟ୍ ଖେଳାଳିଙ୍କୁ ରାଜ୍ୟ ସରକାର ଚାକିରି ଦେଉ ନଥିଲେ କିନ୍ତୁ ସହାୟତା ରାଶି ପ୍ରଦାନ କରୁଥିଲେ। ଏବେ ଚାକିରି ଦେଉଛନ୍ତି। ମୋତେ ଏବେ ରାଜ୍ୟ ସରକାରଙ୍କ ଅଧୀନରେ ଚାକିରି ମିଳିଛି। ଏହା ଖେଳ ପ୍ରତି ଅନ୍ୟ ଯୁବକ ଯୁବତୀଙ୍କୁ ଆକୃଷ୍ଠ କରିବ’’ ବୋଲି କହିଛନ୍ତି ପଙ୍କଜ।