ଟିଭି ଦର୍ଶକରେ ପୂର୍ବର କୀର୍ତ୍ତିମାନ ଭାଙ୍ଗିଲା

ଦୁବାଇ: ଟେଲିଭିଜନ୍ ଦର୍ଶକ ସଂଖ୍ୟାରେ ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣ ପୂର୍ବର ସବୁ ସଂସ୍କରଣକୁ ଟପି ଯାଇଛି। ପ୍ରଥମ ସପ୍ତାହରେ ହିଁ ଭାରତରେ ଆଇପିଏଲ୍ ଦର୍ଶକ ସଂଖ୍ୟା ୨୬୩ ନିୟୁତ ଛୁଇଁଛି। ଦର୍ଶକଙ୍କ ଆଇପିଏଲ୍ ମ୍ୟାଚ୍ ଦେଖିବା ସମୟ ମଧ୍ୟ ପୂର୍ବବର୍ଷ ତୁଳନାରେ ୧୫ ପ୍ରତିଶତ ବୃଦ୍ଧି ପାଇଛି। ପ୍ରଥମ ସପ୍ତାହରେ ୮୭ ନିୟୁତ ପରିବାର ଆଇପିଏଲ୍ ଦେଖିଛନ୍ତି ଅର୍ଥାତ୍ ମୋଟ ଦର୍ଶକ ସଂଖ୍ୟାରେ ପ୍ରତି ତିନି ଜଣଙ୍କ ମଧ୍ୟରେ ଜଣେ ଆଇପିଏଲ୍ ଦେଖିଛନ୍ତି। ସେଥିମଧ୍ୟରୁ ୩୯ ପ୍ରତିଶତ ଅର୍ଥାତ୍ ୧୪୭ ନିୟୁତ ସହରାଞ୍ଚଳ ଦର୍ଶକ ହୋଇଥିଲା ବେଳେ ୩୪ ପ୍ରତିଶତ ବା ୧୪୫ ନିୟୁତ ହେଉଛନ୍ତି ଗ୍ରାମାଞ୍ଚଳ ଦର୍ଶକ। ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବାର ଯଥେଷ୍ଟ ସମ୍ଭାବନା ଥିବା ଟେଲିଭିଜନ ଦର୍ଶକ ଗଣନା କାର୍ଯ୍ୟ କରୁଥିବା ବାର୍କ ସଂସ୍ଥା କହିଛି।

କୋଭିଡ୍-୧୯ ସଙ୍କଟ ପାଇଁ ହେଉଥିବା ଲକଡାଉନ୍, ସଟଡାଉନ୍ ଓ ବାହାରକୁ ଯିବା କଟକଣା ଲାଗି ଟେଲିଭିଜନ୍ ସମ୍ମୁଖରେ ଦର୍ଶକମାନେ କଟାଉଥିବା ସମୟ ୨୭ ପ୍ରତିଶତ ବଢ଼ିଛି। ଆଇପିଏଲ୍ ବେଳେ ଏହା ୩୭ ପ୍ରତିଶତ ବୃଦ୍ଧି ପାଇଛି। ଦୈନିକ ଦର୍ଶକ ସଂଖ୍ୟାକୁ ବିଚାରକୁ ନେଲେ ଚଳିତ ବର୍ଷ ଆଇପିଏଲ୍‌ର ମ୍ୟାଚ୍ ପିଛା ଟେଲିଭିଜନ୍ ଦର୍ଶକ ସଂଖ୍ୟା ପୂର୍ବବର୍ଷ ତୁଳନାରେ ୧୧ ନିୟୁତ ବଢ଼ିଛି। ହିନ୍ଦୀ ଭାଷାଭାଷୀ ଦର୍ଶକ ଏଥିରେ ପ୍ରମୁଖ ଭୂମିକା ତୁଲାଇଛନ୍ତି। ଟେଲିଭିଜନ୍ ଦର୍ଶକଙ୍କ ସହ ବିଜ୍ଞାପନ ମାତ୍ରା ବି ଉପରମୁହାଁ ରହିଛି। ୨୦୧୯ ତୁଳନାରେ ୨୦୨୦ରେ ଆଇପିଏଲ୍ ବିଜ୍ଞାପନ ମାତ୍ରା ୧୫ ପ୍ରତିଶତ ବଢ଼ିଛି। ଦ୍ବିତୀୟ, ଚତୁର୍ଥ ଓ ପଞ୍ଚମ ମ୍ୟାଚ୍‌ରେ ଏହା ସର୍ବାଧିକ ରହିଛି। ବିଜ୍ଞାପନଦାତାଙ୍କ ସଂଖ୍ୟା ୧୯ ପ୍ରତିଶତ ଏବଂ ବିଜ୍ଞାପନ ଦେଉଥିବା ବ୍ରାଣ୍ଡ ସଂଖ୍ୟାରେ ୨୨ ପ୍ରତିଶତ ବୃଦ୍ଧି ଘଟିଛି। ଏପରିକି ଆଇପିଏଲ୍‌ର ପ୍ରଥମ ସପ୍ତାହରେ ସ୍ମାର୍ଟଫୋନ୍ ବ୍ୟବହାର ୮ ପ୍ରତିଶତ ବଢ଼ିଥିଲା ବେଳେ ଭିଡିଓ ଷ୍ଟ୍ରିମିଂ ୧୩ ପ୍ରତିଶତ ଉଚ୍ଚକୁ ଯାଇଛି। ବାର୍କ-ନେଲସନ୍ ରିପୋର୍ଟ ଅନୁସାରେ ପ୍ରଥମ ୭ ମ୍ୟାଚ୍ ପ୍ରସାରିତ ହୋଇଥିବା ୨୧ ଚ୍ୟାନେଲ୍‌ରେ ଟେଲିଭିଜନ୍ ଦେଖିବା ମିନିଟ୍ ୬୦.୬ ବିଲିୟନ୍ ମିନିଟ୍‌ ବା ୬୦୬୦ କୋଟି ମିନିଟ୍‌ରେ ପହଞ୍ଚିଛି। ଆଇପିଏଲ୍‌ର ଗତ ତିନି ସଂସ୍କରଣରେ ଦର୍ଶକ/ମିନିଟ୍ ମାତ୍ରା ୨୦୧୮ରେ ୨୫.୫ ନିୟୁତ, ୨୦୧୯ରେ ୩୨.୨ ନିୟୁତ ଏବଂ ୨୦୨୦ରେ ୩୯ ନିୟୁତ ବଢ଼ିଛି। ଯାହା ୨୧ ପ୍ରତିଶତ ବୃଦ୍ଧିକୁ ଦର୍ଶାଉଛି। ଚେନ୍ନାଇ ସୁପରକିଙ୍ଗ୍ସ-ମୁମ୍ବାଇ ଇଣ୍ଡିଆନ୍ସ ଉଦଘାଟନୀ ମ୍ୟାଚ୍ ସର୍ବାଧିକ ୫୨ ନିୟୁତ ଛାପ ଏବଂ ଅନ୍ୟ ମ୍ୟାଚ୍‌ଗୁଡ଼ିକ ହାରାହାରି ୩୪ ନିୟୁତ ଛାପ ଛାଡ଼ିଛନ୍ତି।

ସମ୍ବନ୍ଧିତ ଖବର