ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆଜିଠୁ: ବିଶ୍ବକପ୍ ପୂର୍ବରୁ ୧୫ ଟ୍ବେଣ୍ଟି-୨୦

ରୋହିତ ଫେରିବେ, ପରୀକ୍ଷା ନିରୀକ୍ଷାର ସମୟ ଶେଷ

ହାମ୍ପସାୟାର: ଇଂଲଣ୍ଡ ବିପକ୍ଷ ନିର୍ଣ୍ଣାୟକ ପଞ୍ଚମ ଟେଷ୍ଟ୍‌ର ପ୍ରଥମ ତିନି ଦିନ ପ୍ରାଧାନ୍ୟ ବିସ୍ତାର କରିବା ସତ୍ତ୍ବେ ଭାରତ ଶେଷରେ ୭ ୱିକେଟ୍‌ର ଲଜ୍ଜାଜନକ ପରାଜୟ ବରଣ କରିଥିଲା। ସ୍ଥିତି ୨-୨ ରହିବାରୁ ଇଂଲଣ୍ଡ ମାଟିରେ ଆଉ ଏକ ଟେଷ୍ଟ୍‌ ଶୃଙ୍ଖଳା ଜିତିବାର ସୁବର୍ଣ୍ଣ ସୁଯୋଗ ମଧ୍ୟ ହାତଛଡ଼ା କରିଥିଲା ଟିମ୍‌ ଇଣ୍ଡିଆ। ଏହି ପରାଜୟର ମାତ୍ର କିଛି ଘଣ୍ଟା ପରେ କିନ୍ତୁ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଆଉ ଏକ ମହାଯୁଦ୍ଧ ଲଢ଼ିବାକୁ ଯାଉଛି। ତାହା ପୁଣି ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ।
ଭାରତ-ଇଂଲଣ୍ଡ ତିନି ଟିକିଆ ଟ୍ବେଣ୍ଟି-୨୦ର ପ୍ରଥମ ମ୍ୟାଚ୍ ଗୁରୁବାର ହାମ୍ପସାୟାରର ଏଜେସ୍ ବାୱେଲଠାରେ ଖେଳାଯିବ। ଏଥିରେ ନିୟମିତ ଅଧିନା‌ୟକ ରୋହିତ ଶର୍ମା ଭାରତୀୟ ଦଳକୁ ଫେରିବେ। କରୋନା ସଂକ୍ରମଣ ହେବା ପରେ ରୋହିତ ଇଂଲଣ୍ଡ ବିପକ୍ଷ ପଞ୍ଚମ ‌ଟେଷ୍ଟ୍ ଖେଳି ପାରିନଥିଲେ। ଏବେ କିନ୍ତୁ କରୋନା ମୁକ୍ତ ହୋଇ ଦଳର ନେତୃତ୍ବ ନେବାକୁ ପୂରା ପ୍ରସ୍ତୁତ ଅଛନ୍ତି।

ରୋହିତ ଫେରିବା ନିଶ୍ଚିତ ଭାବେ ଭାରତ ପାଇଁ ଏକ ବଡ଼ ମନୋବଳ ବୃଦ୍ଧିକାରୀ ଖବର। ତେବେ ଆସନ୍ତା ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ‌ଟ୍ବେଣ୍ଟି-୨୦ ବିଶ୍ବକପ୍‌ କଥା ବିଚାରକୁ ନେଲେ ଭାରତୀୟ ଦଳ ପାଖରେ ଏବେ ପରୀକ୍ଷା ନିରୀକ୍ଷା କରିବାର ସମୟ ଶେଷ ହୋଇଯାଇଛି। ଅବଶ୍ୟ ଟେଷ୍ଟ୍‌ଠାରୁ ଆପାତତଃ ଏକ ଭିନ୍ନ ଦଳ ଟ୍ବେଣ୍ଟି-୨୦ ଖେଳିବ। କେଏଲ୍ ରାହୁଲଙ୍କ ଅନୁପସ୍ଥିତିରେ ଈଶାନ କିଶନ ପୁଣି ଥରେ ପାଳି ଆରମ୍ଭ କରିବେ। ବିରାଟ କୋହଲି ନଥିବାରୁ ଦୀପକ ହୁଦା ତୃତୀୟ ଏବଂ ସୂର୍ଯ୍ୟକୁମାର ଯାଦବ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବେ। ହାର୍ଦିକ ପାଣ୍ଡ୍ୟା ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବା ପରେ ଅଭିଜ୍ଞ ଦୀନେଶ କାର୍ତ୍ତିକ ଷଷ୍ଠ ସ୍ଥାନରେ ଆସିବେ। ଅଲରାଉଣ୍ଡର ଅକ୍ଷର ପଟେଲ ବି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି। ୟୁଝବେନ୍ଦ୍ର ଚହଲ ଏକମାତ୍ର ବିଶେଷଜ୍ଞ ସ୍ପିନର ଭାବେ ଦଳରେ ରହିବେ। ଭୁବନେଶ୍ବର କୁମାର ଓ ଅଭେସ୍ ଖାନ୍ ଦ୍ରୁତ ବୋଲିଂ ଭାର ସମ୍ଭାଳିବେ। ତେବେ ଦ୍ରୁତ ବୋଲର ଉମ୍ରାନ ମଲ୍ଲିକଙ୍କୁ ସୁଯୋଗ ମିଳିବ କି ନାହିଁ ତାହା କେବଳ ସମୟ କହିବ। ଭାରତୀୟ ଦଳ ଗତ ୬ ମାସ ଭିତରେ ୮ ଜଣ ଅଧିନାୟକଙ୍କୁ ପରୀକ୍ଷା ନିରୀକ୍ଷା କରିଛି। ଏବେ ସେହି ସମୟ ସମ୍ଭବତଃ ଶେଷ ହୋଇଯାଇଛି।

ବିଶ୍ବକପ୍ ପୂର୍ବରୁ ଭାରତ ୧୫ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବ। ଇଂଲଣ୍ଡ ଶୃଙ୍ଖଳା ପରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପାଞ୍ଚ ଟିକିଆ ଶୃଙ୍ଖଳା ଖେଳିବ। ଏହା ପରେ ଏସିଆ କପ୍ (ଅଗଷ୍ଟ-ସେପ୍ଟେମ୍ବର)ରେ ୫ ଏବଂ ଅଷ୍ଟ୍ରେଲିଆ (ସେ‌ପ୍ଟେମ୍ବର) ବିପକ୍ଷରେ ୩ଟି ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବ। ଇଂଲଣ୍ଡ ଟ୍ବେଣ୍ଟି-୨୦ ଦଳ କଥା ବିଚାରକୁ ନେଲେ ଜୋସ୍ ବଟଲର ଏବଂ ଲିୟାମ ଲିଭିଂଷ୍ଟୋନ୍ ଭାରତ ପାଇଁ ମୁଖ୍ୟ ସମସ୍ୟା ହେବେ। ଉଭୟ ଆଇପିଏଲ୍‌ରେ ନିଜ ନିଜ ଦମ୍ ଦେଖାଇ ସାରିଛନ୍ତି। ବଟଲର ମଧ୍ୟ ଇଂଲଣ୍ଡ ଦଳର ନେତୃତ୍ବ ନେବେ। ମୋଇନ ଅଲ୍ଲୀ, ଦାୱିଦ ମଲାନ, ଜାସନ୍ ରୟ ଓ ଡେଭିଡ୍ ୱିଲିଙ୍କ ଭଳି ଖେଳାଳି ଥିବାରୁ ଇଂଲଣ୍ଡକୁ ହରାଇବା ଭାରତ ପାଇଁ ଆଦୌ ସହଜ ହେବନି।
ଶେଷ ଥର ପାଇଁ ଇଂଲଣ୍ଡ ଓ ଭାରତ ଖେଳିଥିବା‌ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୩-୨ରେ ଜିତିଥିଲା। ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଟ୍ବେଣ୍ଟି-୨୦ ମ୍ୟାଚ୍‌କୁ ବିଚାରକୁ ନେଲେ ସ୍ପଷ୍ଟ ହୁଏ ଯେ ଉଭୟ ଦଳ ୧୯ ମ୍ୟାଚ୍‌ରେ ପରସ୍ପରର ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ଭାରତ ୧୦ ଏବଂ ଇଂଲଣ୍ଡ ୯ ମ୍ୟାଚ୍ ଜିତିଛି। ରୋଜ ବାୱେଲରେ ଏପର୍ଯ୍ୟନ୍ତ ସର୍ବମୋଟ ୯ଟି ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଖେଳାଯାଇଛି। ସେଥିମଧ୍ୟରୁ ପ୍ରଥମେ ବ୍ୟାଟିଂ କରିବା ଦଳ ୫ ଏବଂ ଦ୍ବିତୀୟ ବ୍ୟାଟିଂ କରିବା ଦଳ ୪ ମ୍ୟାଚ୍ ଜିତିଛନ୍ତି। ଏଠାକାର ହାରାହାରି ପ୍ରଥମ ପାଳି ସ୍କୋର ୧୬୮ ଥିଲା ବେଳେ ହାରାହାରି ଦ୍ବିତୀୟ ପାଳି ସ୍କୋର ରହିଛି ମାତ୍ର ୧୪୩।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା (ଅଧିନାୟକ), ଈଶାନ କିଶନ, ଦୀପକ ହୁଦା, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ଅକ୍ଷର ପଟେଲ, ୟୁଝବେନ୍ଦ୍ର ଚହଲ, ଭୁବନେଶ୍ବର କୁମାର, ହର୍ଷଲ ପଟେଲ, ଅଭେସ ଖାନ୍/ଉମ୍ରାନ ମଲ୍ଲିକ।

ସମ୍ଭାବ୍ୟ ଇଂଲଣ୍ଡ: ଜୋସ୍ ବଟଲର (ଅଧିନାୟକ), ମୋଇନ ଅଲ୍ଲୀ, ସାମ୍ କୁରାନ, କ୍ରିସ୍ ଜୋର୍ଡାନ୍, ଲିୟାମ ଲିଭିଂଷ୍ଟୋନ୍, ଦାୱିଦ ମଲାନ, ଜାସନ ରୟ, ରେସି ଟପଲେ, ଡେଭିଡ୍ ୱିଲି, ରିଚାର୍ଡ ଗ୍ଲିସନ୍, ମାଥ୍ୟୁ ପାର୍କିନସନ୍, ଟାଇମଲ ମିଲ୍ସ।

ସମ୍ବନ୍ଧିତ ଖବର