ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌, ମାର୍ସ ‌ମୋଡ଼ ବଦଳାଇଲେ

ଦୁବାଇ: ରବିବାର ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍‌ଙ୍କ ଅତୁଳନୀୟ ବ୍ୟାଟିଂକୁ ଫିକା କରି ଦେଇଥିଲେ ମିଚେଲ ମାର୍ସ। ତାଙ୍କ ସହ ଡେଭିଡ୍ ୱାର୍ଣ୍ଣର (୫୩)ଙ୍କ ପାଇଁ ଅଷ୍ଟ୍ରେଲିଆ ବହୁ ପ୍ରତୀକ୍ଷିତ ବିଜୟ ହାସଲ କରିଥିଲା। ତେବେ ମାର୍ସ ମାତ୍ର ୩୧ ବଲ୍‌ରୁ ୫୦ ଛୁଇଁବା ପରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର କୀର୍ତ୍ତିମାନ କରି ନେଇଥିଲେ। ଏହା କରି ସେ ପ୍ରତିପକ୍ଷ ଅଧିନାୟକ ୱିଲିୟମସନ୍‌ଙ୍କୁ ହିଁ ଟପିଥିଲେ। ୱିଲିୟମସନ୍ ଆଜି ୩୨ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ପୂର୍ବରୁ ୨୦୧୪ ଫାଇନାଲରେ କୁମାର ସାଙ୍ଗାକାରା‌ ୩୩, ୨୦୧୬ରେ ଜୋ ରୁଟ୍ ୩୩ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲ୍‌ରେ ରବିବାର ଡେଭିଡ୍ ୱାର୍ଣ୍ଣର ୩୪ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ଗ୍ଲେନ୍ ମ୍ୟାକ୍ସୱେଲ୍ (୨୮*) ମଧ୍ୟ ଉପଯୋଗୀ ପାଳି ଖେଳିଥିଲେ। ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଫାଇନାଲ୍ ମୁକାବିଲାରେ ନ୍ୟୁଜିଲାଣ୍ଡ ରବିବାର ଅଷ୍ଟ୍ରେଲିଆ ସମ୍ମୁଖରେ ୧୭୩ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏଥିରେ ୧୫ ଚୌକା ଓ ୬ ଛକା ଦେଖିବାକୁ ମିଳିଥିଲା। ଅଧିନାୟକ କେନ୍ ୱିଲିୟମସନ୍ ଅର୍ଦ୍ଧଶତକୀୟ ପାଳି ଖେଳିଥିଲା ବେଳେ ମାର୍ଟିନ ଗପ୍ଟିଲ ୨୮, ଗ୍ଲେନ୍ ଫିଲିପ୍ସ ୧୮ ଓ ଜିମ୍ମି ନୀସାମ ୧୩ ରନ୍ କରିଥିଲେ।

ଫାଇନାଲ୍‌ରେ ସର୍ବୋଚ୍ଚ ଦଳଗତ ସ୍କୋର
ପ୍ରଥମ ବିଶ୍ବକପ୍ ଲକ୍ଷ୍ୟରେ ଥିବା ନ୍ୟୁଜିଲାଣ୍ଡ ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିଲା। ସାହସିକ ବ୍ୟାଟିଂର ପରିଚୟ ଦେଇ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୭୨ ରନ୍‌ର ଆହ୍ବାନପୂର୍ଣ୍ଣ ସ୍କୋର କରି ନେଇଥିଲା। ନ୍ୟୁଜିଲାଣ୍ଡର ଏହି କୀର୍ତ୍ତିମାନଭରା ସ୍କୋରକୁ ଦୁଇଟି ପାଳିରେ ବିଭକ୍ତ କରାଯାଇପାରେ। ପ୍ରଥମ ୧୦ ଓଭର ଏବଂ ଶେଷ ୧୦ ଓଭର। ପ୍ରଥମ ୧୦ ଓଭରରେ ଏହି ଦଳ ଗୋଟିଏ ୱିକେଟ୍ ହରାଇ ମାତ୍ର ୫୭ ରନ୍ କରିଥିଲା। ହେଲେ ଶେଷ ୧୦ ଓଭରରେ ୩ ୱିକେଟ୍‌ ହରାଇ ୧୧୫ ରନ୍ ଯୋଡ଼ି ନେଇଥିଲା। ଆଉ ଏହି ନାଟକୀୟ ପରିବର୍ତ୍ତନରେ ଅଧିନାୟକ କେନ୍ ୱିଲିୟମସନ୍ (୮୫) ପ୍ରମୁଖ ଭୂମିକା ତୁଲାଇଥିଲେ। ଠିକଣା ସମୟରେ ତାଙ୍କ ବ୍ୟାଟ୍ କଥା କହିଥିଲା। ଯାହା ଫଳରେ ନ୍ୟୁଜିଲାଣ୍ଡ ଟ୍ବେଣ୍ଟି-୨୦ ଫାଇନାଲ୍‌ର ସର୍ବୋଚ୍ଚ ଦଳଗତ ରନ୍ କରିନେଇଥିଲା। ଏହା କରି ୨୦୧୬ରେ କୋଲକାତାଠାରେ ଇଂଲଣ୍ଡ ବିପକ୍ଷରେ ୱେଷ୍ଟଇଣ୍ଡିଜ୍ କରିଥିବା ୧୬୧/୬କୁ ଟପି ଯାଇଥିଲା।

ଅତୁଳନୀୟ ୱିଲିୟମସନ୍
ନ୍ୟୁଜିଲାଣ୍ଡ ଭଳି ତା ଅଧିନାୟକ କେନ୍ ୱିଲିୟମସନ୍‌ଙ୍କ ପାଳିକୁ ମଧ୍ୟ ଦୁଇ ଭାଗରେ ବିଭକ୍ତ କରାଯାଇପାରେ। ଡା‌ରେଲ ମିଚେଲ (୧୧)ଙ୍କ ଆଉଟ୍ ପରେ ଚତୁର୍ଥ ଓଭରରେ ବ୍ୟାଟିଂ ପାଇଁ ଆସିଥିବା ୱିଲିୟମସନ୍ ପ୍ରଥମେ ପରିସ୍ଥିତି ଓ ପରିବେଶକୁ ବୁଝିଥିଲେ। ତା ପରେ ଆକ୍ରମଣ କରିଥିଲେ। ନିଜ ସ୍ମରଣୀୟ ଓ ଧମାକାଦାର ପାଳିର ପ୍ରଥମ ୧୯ ବଲ୍‌ରେ ୱିଲିୟମସନ୍ ମାତ୍ର ୧୮ ରନ୍ କରିଥିଲେ। ପରବର୍ତ୍ତୀ ୨୯ ବଲ୍‌ରେ କିନ୍ତୁ ୬୭ ରନ୍ ଯୋଡ଼ି ନେଇଥିଲେ। ମୃଦୁ ପାନୀୟ ବିରତିର ଉଭୟାର୍ଦ୍ଧରେ ତାଙ୍କର ଏହି ଶ୍ରେଷ୍ଠ ବ୍ୟାଟିଂ ଦେଖିବାକୁ ମିଳିଥିଲା। ୱିଲିୟମସନ୍‌ଙ୍କ ଏହି ଅସାଧାରଣ ପାଳିରେ ୧୦ ଚୌକା ଓ ୩ ଛକା ସାମିଲ ଥିଲା। ଟ୍ବେଣ୍ଟି-୨୦ ବିଶ୍ବକପ୍ ଫାଇନାଲ୍‌ରେ ସର୍ବୋଚ୍ଚ ବ୍ୟକ୍ତିଗତ ରନ୍ କରିବାରେ ୱିଲିୟମସନ୍ ଦୁଇଥର ବିଜେତା ୱେଷ୍ଟଇଣ୍ଡିଜ୍‌ର ମାର୍ଲନ ସାମୁଏଲ୍ସଙ୍କ ସମକକ୍ଷ ହୋଇଥିଲେ। ସାମୁଏଲ୍ସ ୨୦୧୬ କୋଲକାତା ଫାଇନାଲ୍‌ରେ ଇଂଲଣ୍ଡ ବିପକ୍ଷରେ ୮୫ ରନ୍‌ର ଅପରାଜିତ ପାଳି ଖେଳି ୱେଷ୍ଟଇଣ୍ଡିଜ୍‌କୁ ଦ୍ବିତୀୟ ଥର ବିଶ୍ବବିଜେତା କରାଇଥିଲେ।

ସମ୍ବନ୍ଧିତ ଖବର