ଅକ୍ଟୋବରରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଅସମ୍ଭବ

ମୁମ୍ବାଇ: କରୋନା ଆତଙ୍କ ପାଇଁ ଅଷ୍ଟ୍ରେଲିଆରେ ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଭାଗ୍ୟ ସୂତାଖିଅରେ ଝୁଲୁଛି। ସଂକ୍ରମଣ ଭୟରେ କ୍ରିକେଟ୍ ଅଷ୍ଟ୍ରେଲିଆ ଏଭଳି ଏକ ବଡ଼ ପ୍ରତିଯୋଗିତା ନିର୍ଧାରିତ ସମୟରେ ଆୟୋଜନ କରିବା ନେଇ ଡରୁଥିଲା ବେଳେ ଆସନ୍ତା ୬ ମାସ ପର୍ଯ୍ୟନ୍ତ ସେଠାକାର ସରକାର ନିଜ ସୀମାକୁ ସିଲ୍ କରିବା ମାମଲାକୁ ଆହୁରି ଗୋଳମାଳିଆ କରି ଦେଇଛି। ବିଶ୍ବ କ୍ରିକେଟ୍‌ର ସର୍ବୋଚ୍ଚ ପରିଚାଳନା ସଂସ୍ଥା ଆଇସିସି ମଧ୍ୟ ଏହି ବିଷୟରେ କଣ କରିବ କଣ ନ କରିବ, ତାହା ବୁଝି ପାରୁ ନାହିଁ। କରୋନା ମହାମାରୀ ପାଇଁ ଘୋର ସଂଶୟ ଭିତରେ ରହିଛି। ଏହି ବିଷୟରେ ସାରମର୍ମକ ଓ ପୁଙ୍ଖାନୁପୁଙ୍ଖ ଆଲୋଚନା ପାଇଁ ଗତ ଗୁରୁବାର ଆଇସିସି ବିଭିନ୍ନ ସଦସ୍ୟ ବୋର୍ଡଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଥିଲା। ହେଲେ ଏହି ବୈଠକରେ ମଧ୍ୟ କୌଣସି ସହମତି ପ୍ରକାଶ ପାଇନି। ତା’ ସହ ଯେ ପର୍ଯ୍ୟନ୍ତ କରୋନାଭୂତାଣୁର ଭୟ ସଂପୂର୍ଣ୍ଣ ଦୂର ହୋଇନି, ସେ ପର୍ଯ୍ୟନ୍ତ କ୍ରିକେଟ୍ କିମ୍ବା ଏହି ଲୋକପ୍ରିୟ ଖେଳର କୌଣସି ବଡ଼ ପ୍ରତିଯୋଗିତା ଆୟୋଜନ କରିବାତ ବିପଜ୍ଜନକ ବୋଲି ଧାରଣା ପ୍ରକାଶ ପାଇଛି। କ୍ରିକେଟ୍‌ର ସବୁଠାରୁ ଧନୀ ତଥା ପ୍ରଭାବଶାଳୀ ରାଷ୍ଟ୍ରୀୟ ବୋର୍ଡ ‘ବିସିସିଆଇ’ ମଧ୍ୟ କରୋନା ଭୟ ଦୂର ନହେବା ପର୍ଯ୍ୟନ୍ତ, ବିଶ୍ବକପ୍‌ ଖେଳାଯିବା ସପକ୍ଷରେ ନାହିଁ। ଏପରିକି ସାଂପ୍ରତିକ ପରିସ୍ଥିତିକୁ ଦେଖିଲେ ଅକ୍ଟୋବର-ନଭେମ୍ବରରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଆୟୋଜନ ହେବା ଅସମ୍ଭବ ଏବଂ ଏହା ଅବ୍ୟବହାରିକ ବୋଲି ମଧ୍ୟ ସୋମବାର ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। କରୋନା ଦିନକୁ ଦିନ ତାର କାୟା ବଢ଼ାଇ ଚାଲିଥିବାରୁ ଦେଶ-ଦେଶ ମଧ୍ୟରେ ଯାତାୟତ ଉପରେ ଜାରି ହୋଇଥିବା ଅଙ୍କୁଶ ଆହୁରି କଡ଼ା କଡ଼ି ହୋଇପାରେ। ଏଣୁ ନିକଟ ଭବିଷ୍ୟତରେ କ୍ରିକେଟ୍ ତା’ର ସ୍ବଭାବିକ ସ୍ଥିତିକୁ ଫେରିବାର ଆଶା କମ୍ ବୋଲି ସେ ଆଶଙ୍କା ଜାହିର କରିଛନ୍ତି। ପୂର୍ବରୁ ବିସିସିଆଇ ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ମଧ୍ୟ ଏକଥା କହି ସାରିଛନ୍ତି। ଆଇପିଏଲ୍ ଆୟୋଜନ ହେବା ପରିପ୍ରେକ୍ଷୀରେ ଗାଙ୍ଗୁଲି ଚଳିତ ବର୍ଷ କିମ୍ବା ଆଗାମୀ କିଛି ଦିନ ଓ ମାସ ଭିତରେ ଭାରତରେ କ୍ରିକେଟ୍ ଆରମ୍ଭ ହେବାର ସମ୍ଭାବନା ନାହିଁ ବୋଲି ସିଧା ସିଧା କହିଥିଲେ। ଗାଙ୍ଗୁଲିଙ୍କ ଭବିଷ୍ୟବାଣୀ ଉପରେ ମୋହର ମାରି ବିସିସିଆଇର ସଂପୃକ୍ତ ଅଧିକାରୀ ଜଣକ କହିଛନ୍ତି, ସତ କହିବାକୁ ଗଲେ, ଅକ୍ଟୋବରରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଆୟୋଜନ ହେବା ଅସମ୍ଭବ। ଏପରିକି ବିଶ୍ବକପ୍ ଭଳି ଏକ ବଡ଼ ପ୍ରତିଯୋଗିତାରେ କେତେ ଲୋକ ଏକାଠି ହେବେ, ତାହା ଆକଳନ କରିବା ମଧ୍ୟ ନିର୍ବୋଧତା ହେବ। ଏବେକାର ସ୍ଥିତିରେ ଅନ୍ତର୍ଜାତୀୟ ଯାତ୍ରା କେବେ ସୁରକ୍ଷିତ ହେବ, ତାହା କହି ହେବନି। କିଏ କହୁଛି ଜୁନ୍ ତ ଆଉ କିଏ କହୁଛି ସେପ୍ଟେମ୍ବର। ହେଲେ ଯେ‌ତେବେଳେ ଯାତାୟାତ ଆରମ୍ଭ ହେବ ସେତେବେଳେ ହିଁ ଆମେ ଜାଣି ପାରିବା ଯେ କରୋନା ନିୟନ୍ତ୍ରଣ ହେଲା କି ନହେଲା। ଏଭଳି ଏକ ପ୍ରତିଯୋଗିତାରେ ସାମିଲ ହେଉଥିବା ଲୋକଙ୍କ ଜୀବନର କିଏ ଗ୍ୟାରେଣ୍ଟି ନେବ? ଆଇସିସି ଓ କ୍ରିକେଟ୍ ଅଷ୍ଟ୍ରେଲିଆ କ’ଣ ଏହି ଦାୟିତ୍ବ ନେବେ? ସେହିଭଳି ଅନ୍ୟ ଦେଶର ସରକାର ନିଜ ଖେଳାଳିଙ୍କୁ ବିଦେଶ ଯାତ୍ରା କରିବାକୁ ଅନୁମତି କ’ଣ ଦେବେ? ଶେଷରେ ସେହି ଅଧିକାରୀ ଜଣକ ପ୍ରଶଂସକଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଥିଲେ।

ସମ୍ବନ୍ଧିତ ଖବର