କିଂବଦନ୍ତି ଧାବକ ଉସେନ ବୋଲ୍ଟଙ୍କ ଯାଆଁଳା ପୁଅ

କିଙ୍ଗଷ୍ଟନ: ଜାମାଇକାର କିଂବଦନ୍ତି ଧାବକ ଉସେନ ବୋଲ୍ଟ ରବିବାର ‘ପିତୃତ୍ବ ‌ଦିବସ’ ଅବସରରେ ଯାଆଁଳା ପୁତ୍ରର ଜନକ ହୋଇଥିବା ସାମାଜିକ ଗଣମାଧ୍ୟମରେ ଘୋଷଣା କରିଛନ୍ତି। ଏଥିସହ ନିଜ ପୂରା ପରିବାରର ଫଟୋକୁ ମଧ୍ୟ ପୋଷ୍ଟ କରିଛନ୍ତି। ଏହି ଫଟୋରେ ତାଙ୍କ ସାଥୀ କାସି ବେନେଟ ଏବଂ ଝିଅ ଅଲିମ୍ପିଆ ଲାଇଟିଂ ବୋଲ୍ଟଙ୍କ ସହ ଦୁଇ ନବଜାତ ଶିଶୁ ପୁତ୍ର ରହିଛନ୍ତି। ଏହି ୩ ବିଶ୍ବ କୀର୍ତ୍ତିମାନଧାରୀ ଶିଶୁ ପୁତ୍ର ଜଣଙ୍କ ନାଁ ଝିଅର ନାମ ସହ ଯୋଡ଼ି ଥଣ୍ଡର ବୋଲ୍ଡ ଦେଇଥିଲା ବେଳେ ନିଜର ମଝି ନାଁ ଅନୁଯାୟୀ ଅନ୍ୟ ଜଣକ ନାମ ସେଣ୍ଟ ଲିଓ ରଖିଛନ୍ତି।

ବେନେ‌ଟ ଏହି ଇନ୍‌ଷ୍ଟାଗ୍ରାମ ପୋ‌ଷ୍ଟରେ ଲେଖିଛନ୍ତି, ‘‘ତୁମେ ଏହି ପରିବାରର ଚଟାଣ ଏବଂ ଶିଶୁମାନଙ୍କ ଭଲ ବାପା’’। ୨୦୧୭ରେ ଅବସର ନେଇଥିବା ବୋଲ୍ଟଙ୍କୁ ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଦେଖିବାକୁ ମିଳିବନି। ହେଲେ ତାଙ୍କୁ ଦୁଇ ପୁତ୍ର ୨୦୪୦ ଅଲିମ୍ପିକ୍ସରେ ଭାଗନେବା ଲାଗି ନିଜକୁ ଯୋଗ୍ୟ କରିଥିବେ ବୋଲି ଆଶା ରହିଛି। ୧୧ ଥରର ଏହି ବିଶ୍ବ ବିଜେତା ୨୦୦୯ରେ ବର୍ଲିନ୍ ବିଶ୍ୱ ଚାମ୍ପିଅନସିପ ୧୦୦ ମିଟର ଦୌଡ଼କୁ ୯.୫୮ ସେକେଣ୍ଡରେ ଏବଂ ୨୦୦ ମିଟର ଦୌଡ଼କୁ ୧୯.୧୯ ସେକେଣ୍ଡରେ ଶେଷ କରି ବିଶ୍ବ କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ୨୩ ପ୍ରମୁଖ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଥିବା ବୋଲ୍ଟ ‌ଖେଳ ଜୀବନ ଶେଷ କରିବା ବେଳେ ବୃତ୍ତିଗତ ଫୁଟ୍‌ବଲ୍‌ ଆଡ଼କୁ ଯିବାକୁ ଚେଷ୍ଟା କରିଥିଲେ। ହେଲେ କୌଣସି ଚୁକ୍ତି ନ ମିଳିବାରୁ ୨୦୧୯ରେ ସମସ୍ତ କ୍ରୀଡ଼ାରୁ ଅବସର ନେଇଥି‌ଲେ।

ସମ୍ବନ୍ଧିତ ଖବର