ଆଇପିଏଲ୍‌: ଖେଳାଳି ରିଟେନସନ୍ ପ୍ରକ୍ରିୟା ଶେଷ କରିବା ଲାଗି ଦୁଇ ନୂଆ ଦଳକୁ ୨୨ ପର୍ଯ୍ୟନ୍ତ ସମୟ

ମୁମ୍ବାଇ: ଆଇପିଏଲ୍‌ର ଦୁଇଟି ନୂଆ ଦଳ ଅହମ୍ମଦାବାଦ ଓ ଲକ୍ଷ୍ନୌ ଫ୍ରାଞ୍ଚାଇଜକୁ ଖେଳାଳି କିଣିବା ଲାଗି ବିସିସିଆଇ ଅନୁମତି ପ୍ରଦାନ କରିଛି। ବୁଧବାର ସକାଳେ ମେଲ୍ କରି ବିସିସିଆଇ ଏକଥା ଜଣାଇଛି। ତଦନୁଯାୟୀ ଖେଳାଳି ରିଟେନସନ୍ ପ୍ରକ୍ରିୟା ଶେଷ କରିବା ଲାଗି ସେମାନଙ୍କୁ ଚଳିତ ମାସ ୨୨ ତାରିଖ ପର୍ଯ୍ୟନ୍ତ ସମୟ ମିଳିଛି। ଏହି ସମୟ ଭିତରେ ଦୁଇଟି ଯାକ ନୂଆ ଦଳ ନିଜ ନିଜ ପସନ୍ଦର ସର୍ବାଧିକ ୩ ଖେଳାଳି (ଜଣେ ବିଦେଶୀ ଖେଳାଳିଙ୍କୁ ମିଶାଇ)ଙ୍କୁ ବାଛି ସେମାନଙ୍କ ସହମତିରେ ଚୁକ୍ତି ସ୍ବାକ୍ଷର କରିପାରିବେ। ପୂର୍ବରୁ ଏଥିଲାଗି ଉଭୟ ଦଳକୁ ଦୁଇ ସପ୍ତାହର ସମୟ ମିଳିବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଏହି କାର୍ଯ୍ୟ ‌ଶେଷ କରିବା ଲାଗି ୧୦ ଦିନର ସମୟ ପର୍ଯ୍ୟାପ୍ତ ହେବ ବୋଲି ହୃଦୟଙ୍ଗମ କରିବା ପରେ ବିସିସିଆଇ ନିଜ ନିଷ୍ପତ୍ତିର ପୁନର୍ବିଚାର କରିଥିଲା। ଏବେ ଅହମ୍ମଦାବାଦ ଓ ଲକ୍ଷ୍ନୌ ଦଳକୁ ୨୨ ତାରିଖ ସଂଧ୍ୟା ୫ଟା ସୁଦ୍ଧା ଖେଳାଳିଙ୍କ ସହ ଚୁକ୍ତି ସ୍ବାକ୍ଷର କରି ବିସିସିଆଇକୁ ଜଣାଇବାକୁ ହେବ। ୩ ଆଇକୋନିକ୍ ଖେଳାଳିଙ୍କୁ ନିଜ ଦଳରେ ନେବା ଲାଗି ଅହମ୍ମଦାବାଦ ଓ ପୁଣେକୁ ସର୍ବାଧିକ ୪୮ କୋଟି ଟଙ୍କା ଖର୍ଚ୍ଚ କରିବାର ଅନୁମତି ମିଳିବ। ସୂଚନା ଅନୁସାରେ ଲକ୍ଷ୍ନୌ ଭାରତୀୟ ଦିନିକିଆ ଦଳର ଉପଅଧିନାୟକ ତଥା ପଞ୍ଜାବ କିଙ୍ଗର ପୂର୍ବତନ ଅଧିନାୟକ କେଏଲ୍ ରାହୁଲଙ୍କୁ ନିଜ ଦଳର ଅଧିନାୟକ ନିଯୂୁକ୍ତ କରିବାର ସମ୍ଭାବନା ଅଧିକ। ସେହିଭଳି ଅହମଦାବାଦ ଦଳ ଭାରତୀୟ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିପାରେ।

ସମ୍ବନ୍ଧିତ ଖବର