ଆଇପିଏଲ୍‌ ଆୟୋଜନ ପାଇଁ ବିସିସିଆଇକୁ ପ୍ରସ୍ତାବ ଦେଲା ୟୁଏଇ

ଦୁବାଇ: କୋଭିଡ୍‌-୧୯ ମହାମାରୀ ଯୋଗୁଁ ଭାରତ ଚଳିତ ବର୍ଷ ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌) ଆୟୋଜନ କରିବା ନେଇ ନିଶ୍ଚିତ ହୋଇପାରୁନି। ଦେଶରେ କରୋନା କଟକଣା ଯୋଗୁ ମାର୍ଚ୍ଚରେ ହେବାକୁ ଥିବା ଏହି ଲୋଭନୀୟ ଲିଗ୍‌ ଅନିର୍ଦିଷ୍ଟ ସମୟ ପାଇଁ ସ୍ଥଗିତ ରହିଛି। ‌ସେପଟେ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବାତିଲ ଉପରେ ନଜର ରଖିଛି ବିସିସିଆଇ (ଭାରତୀୟ କ୍ରିକେଟ୍‌ ବୋର୍ଡ)। ଯାହାକି ଏବେ ବି କୌଣସି ସ୍ପଷ୍ଟ ଚିତ୍ର ମିଳୁନି। ତେଣୁ ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣକୁ କୌଣସି ପ୍ରକାରେ ଆୟୋଜନ କରିବାକୁ ବିସିସିଆଇ ବିକଳ୍ପ ଯୋଜନା କଥା ଚିନ୍ତା କରୁଛି। ଏଥିପାଇଁ ଆବଶ୍ୟକ ପଡ଼ିଲେ ଦେଶ ବାହାରେ ମଧ୍ୟ କରିବାକୁ ଯୋଜନା ମୁଣ୍ଡରେ ରଖିଛି। ଏହି ଦୃଷ୍ଟିରୁ ୟୁଏଇ (ୟୁନାଇଟେଡ୍‌ ଆରବ ଏମିରେଟ୍‌ସ) ଆଇପିଏଲ୍‌ ଆୟୋଜନ କରିବାକୁ ଆଗ୍ରହ ପ୍ରକାଶ କରିଛି। ଏଥିପାଇଁ ସେହି ଦେଶର କ୍ରିକେଟ୍‌ ବୋର୍ଡ ମଧ୍ୟ ବିସିସିଆଇକୁ ପ୍ରସ୍ତାବ ଦେଇଛି।

ଯଦି ଭାରତ ଆଇପିଏଲ୍‌କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଯୋଜନା ରଖିବ ତାହାଲେ ଆମେ ଆୟୋଜନ କରିବାକୁ ପ୍ରସ୍ତୁତ ବୋଲି ଦି ଏମିରେଟ୍‌ସ କ୍ରିକେଟ୍‌ ବୋର୍ଡ ଶନିବାର ସ୍ପଷ୍ଟ କରିଛି। କାରଣ ପୂର୍ବରୁ ମଧ୍ୟ ୟୁଏଇରେ ଏମିରେଟ୍‌ସ କ୍ରିକେଟ୍‌ ବୋର୍ଡ ସଫଳତାର ସହ ଆଇପିଏଲ୍‌ ଆୟୋଜନ କରିଛି। ଏହା ବ୍ୟତୀତ ଆମେ ମଧ୍ୟ ସଂଖ୍ୟାଧିକ ଥର ନିରପେକ୍ଷ ଭେନ୍ୟୁ ଭାବେ ବିଭିନ୍ନ ଦ୍ବିପାକ୍ଷିକ ଓ ବହୁଦଳୀୟ କ୍ରିକେଟ୍‌ କାର୍ଯ୍ୟକଳାପ ସୂଚାରୁରୂପେ ପରିଚାଳନା କରିଛୁ। ଏହି ଦୃଷ୍ଟିରୁ ବିସିସିଆଇ ଚାହିଁଲେ ଆମେ ଏଥରର ଆଇପିଏଲ୍‌ ମଧ୍ୟ ଖୁବ୍‌ ସଫଳତାର ସହ ଆୟୋ‌ଜନ କରିପାରିବୁ ବୋଲି ଏମିରେଟ୍‌ସ ବୋର୍ଡର ସାଧାରଣ ସଂପାଦକ ମୁବାସ୍‌ସିର ଉସ୍‌ମାନି କହିଛନ୍ତି। ଆମେ ଉଭୟ ଭାରତ ଓ ଇଂଲଣ୍ଡକୁ ଆମର ଭେନ୍ୟୁ ପ୍ରସ୍ତାବ ଦେବାକୁ ଆଗଭର ରହିଛୁ। ପୂର୍ବରୁ ମଧ୍ୟ ଆମେ ଇଂଲଣ୍ଡ ଦଳ ସଂପୃକ୍ତ ଥିବା ମ୍ୟାଚ୍‌ ବହୁବାର ଆୟୋଜନ କରିସାରିଛୁ। ପୁଣିଥରେ ଇଂଲଣ୍ଡ ବୋର୍ଡ ଚାହିଁଲେ ଆମେ ମ୍ୟାଚ୍‌ ଆୟୋଜନ କରିବାକୁ ଆଗ୍ରହୀ ବୋଲି ଉସ୍‌ମାନି କହିଛନ୍ତି। ଅନ୍ୟପକ୍ଷରେ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ମଧ୍ୟ ଆଇପିଏଲ୍‌-୧୩ ଆୟୋଜନ କରିବାର ଆଗ୍ରହ ପ୍ରକାଶ କରିଛି। ତଥାପି ବିସିସିଆଇ ଜୁନ୍‌ ୧୦ ତାରିଖରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସଂପର୍କିତ ବୋର୍ଡ ବୈଠକର ନିଷ୍ପତ୍ତିକୁ ଅପେକ୍ଷା କରିଛି।

ସମ୍ବନ୍ଧିତ ଖବର