ୟୁଏଇ ପହଞ୍ଚିଲେ ୩ ଆଇପିଏଲ୍‌ ଦଳ

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଖେଳିବା ଲାଗି ୩ଟି ଆଇପିଏଲ୍‌ ଦଳ ଗୁରୁବାର ୟୁଏଇ ପହଞ୍ଚିଯାଇଛନ୍ତି। ପ୍ରଥମେ ପହଞ୍ଚିଥିବା ଏହି ୩ ଦଳ ହେଲେ କିଙ୍ଗସ ଇଲେଭେନ୍‌ ପଞ୍ଜାବ, କୋଲକାତା ନାଇଟ୍ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ। ଆଇପିଏଲ୍‌ ଜୈବ ସୁରକ୍ଷିତ ବ୍ୟବସ୍ଥା ନିୟମ ଅନୁସାରେ ପଞ୍ଜାବ ଏବଂ ରାଜସ୍ଥାନ ଦଳ ସ୍ବତନ୍ତ୍ର ଚାଟାର୍ଡ ବିମାନରେ ଦୁବାଇ ପହଞ୍ଚିଥିଲେ। ପରେ ପରେ କୋଲକାତା ନାଇଟ୍ ରାଇଡର୍ସ ନିଜର ବେସ୍‌ ଆବୁଧାବିରେ ଅବତରଣ କରିଥିଲା। ଖେଳାଳିମାନେ ପହଞ୍ଚିବା ପରେ ୬ ଦିନିକିଆ ସଂଗରୋଧରେ ରହିବେ। ପ୍ରଥମ, ତୃତୀୟ ଏବଂ ଷଷ୍ଠ ଦିବସରେ କରୋନା ପରୀକ୍ଷାର ସମ୍ମୁଖୀନ ହେବେ। ସପୋର୍ଟ ଷ୍ଟାଫମାନେ ପ୍ରତି ୫ ଦିନରେ ପରୀକ୍ଷା ଦେବେ। ଶୁକ୍ରବାର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପର୍ କିଙ୍ଗସ ଏବଂ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ଦଳ ୟୁଏଇ ଗସ୍ତ କରିବାକୁ ଥିବାବେଳେ ଅବଶିଷ୍ଟ ଦୁଇ ଦଳ ‌ସନ୍‌ରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଆସନ୍ତା ସପ୍ତାହରେ ଯାତ୍ରା କରିବେ।

ଗୁରୁବାର ବିମାନରେ ୟୁଏଇ ଗସ୍ତ କରୁଥିବାର ଏକ ଫଟୋକୁ ପଞ୍ଜାବ ଦ୍ରୁତ ବୋଲର ମହମ୍ମଦ ସାମି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ଯାହାର ଶ‌ିରୋନାମା ‘ଆପ୍‌ନେ ମୁଣ୍ଡେ ଅଫ୍‌ ଟୁ ଦୁବାଇ’ ରଖିଛନ୍ତି। ରାଜସ୍ଥାନ ରୟାଲ୍ସ ମଧ୍ୟ ୟୁଏଇ ଗସ୍ତ କରିଥିବା ନିଜ ଟ୍ବିଟର୍‌ ପୃଷ୍ଠାରେ ସୂଚନା ଦେଇଛି। ଦଳ ଏହାର ଖେଳାଳି ୟୁଏଇ ଯିବାକୁ ପ୍ରସ୍ତୁତ ହେଉଥିବା ବେଳର ଏକ ଫଟୋ ପୋଷ୍ଟ କରିଛି। ଏହାର ଶିରୋନାମା ‘ୟୁଏଇ ପ୍ରସ୍ତୁତ’ ବୋଲି ରଖିଛି। ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଶୁକ୍ରବାର ୟୁଏଇ ଗସ୍ତ କରିବ ବୋଲି ଏହାର ସିଇଓ କାଶୀ ବିଶ୍ବନାଥନ ସୂଚନା ଦେଇଥିଲେ। ଆଇପିଏଲ୍‌ର ୧୩ତମ ସଂସ୍କରଣ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ୟୁଏଇର ଆବୁଧାବି, ସାରଜା ଓ ଦୁବାଇରେ ୫୩ ଦିନ ଧରି ଖେଳାଯିବ।

ପିପିଇ କିଟ୍ ପିନ୍ଧି ବିମାନ ବନ୍ଦର ଆସିଲେ ଖେଳାଳି
ୟୁଏଇ ଅଭିମୁଖେ ଯାତ୍ରା କରିବା ପୂର୍ବରୁ ରାଜସ୍ଥାନ ରୟାଲ୍ସ ଖେଳାଳିଙ୍କୁ ପିପିଇ କିଟ୍ ପିନ୍ଧି ବିମାନ ବନ୍ଦରରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା। ସେମାନଙ୍କ ମଧ୍ୟରୁ ରବିନ ଉଥାପ୍ପା ଓ ଜୟଦେବ ଉନାଦକଟ୍ ଫଟୋ ପାଇଁ ପୋଜ୍ ଦେଇଥିଲେ। ଉନାଦକଟ୍ ମଧ୍ୟ ନିଜର ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ।

ସମ୍ବନ୍ଧିତ ଖବର