ଇପିଏଲ (ଇଣ୍ଡିଆନ୍ ପ୍ରିମିୟର ଲିଗ୍)ର ତ୍ରୟୋଦଶ ସଂସ୍କରଣ ଖେଳାଯିବା ନେଇ କ୍ଷେତ୍ର ପ୍ରସ୍ତୁତି ହୋଇସାରିଛି। ଏଭଳି ଅବସରରେ ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର୍ ଡିନ୍ ଜୋନ୍ସ ସମସ୍ତଙ୍କ ନଜରକୁ ଆସୁଛନ୍ତି। ଜୋନ୍ସ ଏଭଳି ଜଣେ ବ୍ୟକ୍ତି ଯିଏକି ମଧ୍ୟ-ପୂର୍ବରେ ଖେଳାଯାଉଥିବା ଟ୍ବେଣ୍ଟି-୨୦ କ୍ରିକେଟ୍ ସଂପର୍କରେ ପ୍ରଚୁର ଜ୍ଞାନ ରଖିଛନ୍ତି। କ୍ରିକେଟ୍ ସମୂହ ମଧ୍ୟରେ 'ଡିନୋ' ନାମରେ ସମସ୍ତଙ୍କ ପ୍ରିୟ ଜୋନ୍ସ ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ୍) ସହ ଜଣେ କ୍ରିକେଟ୍ ପଣ୍ଡିତ ଏବଂ ବର୍ଷ ବର୍ଷ ଧରି ପ୍ରଶିକ୍ଷକ ଭାବେ ସଂପର୍କ ରଖି ଆସିଛନ୍ତି। ପୁଣି ଗତବର୍ଷ ଆଇପିଏଲ୍ରେ ମଧ୍ୟ କ୍ରିକେଟ୍ ପଣ୍ଡିତ କାର୍ଯ୍ୟ କରିଥିଲେ ଏବଂ ଷ୍ଟାର୍ ସ୍ପୋର୍ଟସରେ ଡଗ୍ଆଉଟ୍ ବ୍ରଡ୍କାଷ୍ଟ୍ (ଟେଲର ମେଡ୍ ଫର୍ କ୍ରିକେଟ୍ ପ୍ୟୁରିଷ୍ଟ)ର ଅଂଶବିଶେଷ ଥିଲେ। ଡଗ୍ଆଉଟ୍ ତାଙ୍କ ପାଇଁ ବଡ଼ ଅଭିଜ୍ଞତା ରହିଛି ଏବଂ ଚଳିତ ବର୍ଷର ଆଇପିଏଲ୍ରେ ମଧ୍ୟ ଅଂଶବିଶେଷ ରହିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦୃଷ୍ଟିରୁ ଆଗାମୀ ଆଇପିଏଲ୍ ଅବସରରେ ଜଣେ କ୍ରିକେଟ୍ ପଣ୍ଡିତ ଭାବେ ଟ୍ବେଣ୍ଟି-୨୦ ଦେଖିବାରେ ତାଙ୍କ ଅଭିଜ୍ଞତା ୟୁଏଇରେ ଜୋନ୍ସଙ୍କୁ ଆକର୍ଷଣରେ ରଖିବ। ୟୁଏଇରେ ପରିବେଶ ଉତପ୍ତ ରହିବ ଏବଂ ସେହି ପରିବେଶରେ ପିଚ୍ଗୁଡ଼ିକ ଅତ୍ୟଧିକ ମ୍ୟାଚ୍ ପରେ କ୍ଲାନ୍ତ ହୋଇଯିବାର ଆଶଙ୍କା ରହିବ। ଏପରିସ୍ଥଳେ ସ୍ପିନ୍କୁ ଭଲ ଖେଳିପାରୁଥିବା ବ୍ୟାଟ୍ସମ୍ୟାନ୍ଙ୍କୁ ଫାଇଦା ମିଳିବ ବୋଲି ଅଷ୍ଟ୍ରେଲିଆରୁ ଫୋନ୍ ଜରିଆରେ କହିଛନ୍ତି ଡିନ୍ ଜୋନ୍ସ।
ତେବେ ସବୁଠାରୁ ଭଲ କଥା ହେଲା, ଏମିରେଟ୍ସ କ୍ରିକେଟ୍ ବୋର୍ଡ (ଇସିବି) ଦୁବାଇ, ସାର୍ଜା ଓ ଆବୁଧାବିର ସମସ୍ତ ତିନି ପଡ଼ିଆକୁ ଆଇପିଏଲ୍ରେ ବ୍ୟବହାର କରିବ। ମୁଁ ପିଏସ୍ଏଲ୍ ବେଳେ ଯେହେତୁ ଜଣେ ଭାଷ୍ୟକାର ହେଉ ଅବା ପ୍ରଶିକ୍ଷକ ଭାବେ ସେଠାକୁ ଯାଇଛି ସେହି ତିନିଟିଯାକ ଷ୍ଟାଡିୟମ୍ ବିଷୟରେ ଅଭିଜ୍ଞତା ସାଉଁଟିଛି। ସେହିସବୁ ଷ୍ଟାଡିୟମ୍ ନିଜ ନିଜର ଭିନ୍ନ ଭିନ୍ନ ସ୍ବତନ୍ତ୍ରତା ଦେଖାଇଥା'ନ୍ତି। ସେଥିପାଇଁ ତୁମକୁ ଠିକଣା ପଥରେ ମ୍ୟାଚ୍କୁ ପରିଚାଳନା କରିବା ନିହାତି ଆବଶ୍ୟକ ପଡ଼ିବ। ସମସ୍ତ ଦଳମାନଙ୍କ ପାଇଁ ପ୍ରମୁଖ ପ୍ରସଙ୍ଗ ରହିବ ଯେ ୟୁଏଇର ସେହିସବୁ ଷ୍ଟାଡିୟମ୍ରେ ଅସଂଖ୍ୟ କ୍ରିକେଟ ଖେଳାଯାଉଥିବାରୁ କ୍ରମେ କ୍ରମେ ପିଚ୍ଗୁଡ଼ିକ କ୍ଲାନ୍ତ ହୋଇପଡ଼ନ୍ତି। ଆଉ ତାହାହିଁ ସ୍ବାଭାବିକ। ସେହିଦୃଷ୍ଟିରୁ ଦେଖିଲେ ସ୍ପିନ୍କୁ ଯେଉଁ ଦଳ ଭଲ ଖେଳୁଥିବ ସେହି ଦଳ ହିଁ ଫାଇଦା ହାସଲ କରିପାରିବ ବୋଲି ନିଜ ଅଭିଜ୍ଞତାରୁ ବଖାଣିଛନ୍ତି ଜୋନ୍ସ। କେତେକ ଦଳ ତିନି ସ୍ପିନର ଏବଂ ଦୁଇ ଜଣ ଦ୍ରୁତ ବୋଲରଙ୍କୁ ଖେଳାଇବାକୁ ଚାହିଁବେ। ଆରମ୍ଭରୁ ପିଚ୍ଗୁଡ଼ିକ ବ୍ୟାଟିଂ ଅନୁକୁଳ ରହିବ। କିନ୍ତୁ ମ୍ୟାଚ୍ ସଂଖ୍ୟା ବଢ଼ିଚାଲିଲା ପରେ ନିସନ୍ଦେହରେ ସେଗୁଡ଼ିକ କ୍ଲାନ୍ତ ହୋଇପଡ଼ିବ ଏବଂ ବୋଲରଙ୍କୁ ଫାଇଦା ଦେବ ବୋଲି କହିଛନ୍ତି ଏହି ପୂର୍ବତନ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍।
ଆଇପିଏଲ୍ରେ ମ୍ୟାଚ୍ଗୁଡ଼ିକ ୩ ଭେନ୍ୟୁରେ ଖେଳାଯିବ। ମାତ୍ର ସଂପୃକ୍ତ ତିନି ପଡ଼ିଆର ଆକାର ପରସ୍ପରଠାରୁ ଭିନ୍ନ। କିନ୍ତୁ ମୋ ମତରେ ବିସିସିଆଇ ସେହି ତିନି ପଡ଼ିଆର ପ୍ରକୃତ ଆକାରରେ ମ୍ୟାଚ୍ ପରିଚାଳନା କରିବା ଭଲ ହେବ। ବରଂ ବାଉଣ୍ଡାରିକୁ ଟାଣି ପ୍ରତ୍ୟେକ ପଡ଼ିଆର ଆକାର ସମାନ କରିବା ଠିକ୍ ହେବ ନାହିଁ। ଷ୍ଟାଡିୟମ୍ଗୁଡ଼ିକର ନିଜସ୍ବ ଆକାର ମଧ୍ୟରେ ମ୍ୟାଚ୍ ଖେଳାଗଲେ ଉତ୍ସାହଜନକ କ୍ରିକେଟ୍ ଦେଖିବାକୁ ମିଳିବ ଏବଂ ଦଳଗୁଡ଼ିକ ସେମାନଙ୍କ ଭିନ୍ନ ଆବଶ୍ୟକତା ପ୍ରଣୟନ କରିବାକୁ ବାଧ୍ୟ ହେବେନି ବୋଲି ଜୋନ୍ସ ମତ ଦେଇଛନ୍ତି। ମୁଖ୍ୟତଃ ସାର୍ଜା ଛୋଟ ପଡ଼ିଆ ହୋଇଥିଲା ବେଳେ ଦୁବାଇ ଓ ଆବୁଧାବି ପଡ଼ିଆ ବଡ଼ ଆକାରର। ଏପରିସ୍ଥଳେ ବିସିସିଆଇ ପଡ଼ିଆର ଆକାରକୁ କିପରି ପରିଚାଳନା କରିବ ତାହା ମଜାଦାର ହେବ। କିନ୍ତୁ ମୋ ମତରେ ପଡ଼ିଆର ପ୍ରକୃତ ଆକାରରେ ହିଁ ମ୍ୟାଚ୍ ଖେଳାଯାଉ। ଆବୁଧାବି ବଡ଼ ପଡ଼ିଆ ହୋଇଥିବାରୁ ତାହା ବିଶେଷତଃ ସ୍ପିନରଙ୍କୁ ସହାୟତା କରିବ ଏବଂ ବ୍ୟାଟ୍ସମ୍ୟାନ୍ ୱିକେଟ୍ ମଝିରେ ଦୌଡ଼ିବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। ସମାନ ଘଟଣା ଦୁବାଇରେ ଦେଖିବାକୁ ମିଳିବ ଏବଂ ବାଉଣ୍ଡାରିରେ କ୍ୟାଚ୍ ନେବା ମଧ୍ୟ ସହଜ ହୋଇପାରିବ। କିନ୍ତୁ ସାର୍ଜାରେ ଏହାର ବ୍ୟତିକ୍ରମ ଘଟିବ। ପଡ଼ିଆ ଅପେକ୍ଷାକୃତ ଅନ୍ୟ ଦୁଇ ଷ୍ଟାଡିୟମ୍ଠାରୁ ଛୋଟ ଥିବାରୁ ବୋଲରଙ୍କୁ ନିୟଂତ୍ରଣରେ ବୋଲିଂ କରିବାକୁ ପଡ଼ିବ। ନହେଲେ ବ୍ୟାଟ୍ସମ୍ୟାନ୍ଙ୍କ ମିସ୍ହିଟ୍ ବି ଛକାରେ ପରିଣତ ହୋଇପାରିବ ବୋଲି ଜୋନ୍ସ କହିଛନ୍ତି।
ଏହି ଅବସରରେ ୟୁଏଇରେ ଆଇପିଏଲ୍ ବେଳେ କେଉଁ ଖେଳାଳିମାନଙ୍କ ଖେଳ ଦେଖିବାକୁ ବ୍ୟାକୁଳ ବୋଲି ଜୋନ୍ସଙ୍କୁ ପଚରା ଯାଇଥିଲା ବେଳେ ସେ ବିଶେଷକରି ଦୁଇ ଭାରତୀୟ ଯୁବ ତାରକା ଶୁବମନ୍ ଗିଲ୍ ଏବଂ ଋଷଭ ପନ୍ଥ୍ଙ୍କ ନାମ ନେଇଥିଲେ। ଏହି ଦୁଇ ଜଣଙ୍କ ଖେଳ ଦେଖିବାକୁ ମୁଁ ବ୍ୟଗ୍ର ବୋଲି ସେ କହିଛନ୍ତି। ଗିଲ୍ କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍) ପାଇଁ ପାଳି ଆରମ୍ଭ କରିବା ମୁଁ ଦେଖିବାକୁ ଚାହେଁ। ଉପରକ୍ରମରେ ବ୍ୟାଟିଂ କରିବାରେ ତାଙ୍କ ପାଇଁ ଏଥର ଆଇପିଏଲ୍ ସୁବର୍ଣ୍ଣ ସୁଯୋଗ ଆଣିଦେବ ବୋଲି ମୁଁ ଭାବୁଛି। ସେହିପରି ପନ୍ତ୍ଙ୍କ ଖେଳ ଦେଖିବାକୁ ମଧ୍ୟ ବ୍ୟଗ୍ର ରହିଛି। ସେ ଉତ୍ଥାନ ଓ ପତନ ଦେଇ ଗତି କରୁଥିଲା ବେଳେ ଏଥର ଆଇପିଏଲ୍ରେ କିପରି ଚାପକୁ ସମ୍ଭାଳି ପାରୁଛନ୍ତି ତାହା ଦେଖିବାକୁ ଚାହିଁରହିଛି। ପୁଣି ଧୋନି ଖେଳକୁ ଫେରିଥିବା କଥା ଜାଣିପାରିଥିବାରୁ ଜାତୀୟ ଦଳ କଥା ଭାବି ତାଙ୍କ ଉପରେ ଚାପ ତ ନିଶ୍ଚୟ ଅଧିକ ରହିବ ବୋଲି ଜୋର୍ଦେଇ କହିଛନ୍ତି ଜୋନ୍ସ।