ଭାରତରେ ଅନୁଷ୍ଠିତ ହେବ ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ୱକପ୍

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ଫୁଟବଲ ମହାସଂଘ (ଫିଫା)ର ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ୨୦୨୨ ଭାରତରେ ଆୟୋଜିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରତିଯୋଗିତା ଆୟୋଜନ ପାଇଁ ଗ୍ୟାରେଣ୍ଟିରେ ସ୍ୱାକ୍ଷର ପ୍ରସ୍ତାବକୁ ମଞ୍ଜୁରି ମିଳିଛି।

୧୭ ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ୱକପ୍ ୧୧ରୁ ୩୦ ଅକ୍ଟୋବର ୨୦୨୨ରେ ଭାରତରେ ଅନୁଷ୍ଠିତ ହେବ। ଏହି ଦ୍ୱିବାର୍ଷିକ ଯୁବ ପ୍ରତିଯୋଗିତାର ସପ୍ତମ ସଂସ୍କରଣ ପ୍ରଥମ ଥର ପାଇଁ ଭାରତରେ ଆୟୋଜନ କରାଯାଉଛି। ଏହା ହେବ ଭାରତରେ ଆୟୋଜିତ ଫିଫାର ସର୍ବପ୍ରଥମ ମହିଳା ବିଶ୍ୱ ପ୍ରତିଯୋଗିତା। ଏଥିପୂର୍ବରୁ ୧୭ ବର୍ଷରୁ କମ୍ ପୁରୁଷ ଫିଫା ବିଶ୍ୱକପକ ୨୦୧୭ ମସିହାରେ ଭାରତରେ ଅନୁଷ୍ଠିତ ହୋଇଥିଲା। ଏହି ପରମ୍ପରାକୁ ଆଗେଇ ନେଇ ମହିଳା ଫୁଟବଲର ସମ୍ମାନଜନକ ପ୍ରତିଯୋଗିତା ବିଶ୍ୱକପ୍ ଆୟୋଜନ ପାଇଁ ଦେଶ ପ୍ରସ୍ତୁତ ହେଉଛି। ଏଥିରେ ବିଶ୍ୱର ଶ୍ରେଷ୍ଠ ମହିଳା ଫୁଟବଲ ପ୍ରତିଭାମାନେ ସେମାନଙ୍କର କୌଶଳ ପ୍ରଦର୍ଶନ କରି ଏହି ସମ୍ମାନଜନକ ଟ୍ରଫି ପାଇଁ ପରସ୍ପର ସହ ମୁକାବିଲା କରିବେ।

ଖେଳପଡ଼ିଆ ରକ୍ଷଣାବେକ୍ଷଣ, ଷ୍ଟାଡିୟମ କ୍ଷମତା ବିକାଶ, ବିଦ୍ୟୁତ୍ ସଂଯୋଗ ଓ କେବଲିଂ, ଷ୍ଟାଡିୟମ ଏବଂ ପ୍ରଶିକ୍ଷଣ କ୍ଷେତ୍ରର ବିକାଶ ଆଦି ପାଇଁ ସର୍ବଭାରତୀୟ ପୁଟବଲ ମହାସଂଘ (ଏଆଇଏଫଏଫ)କୁ ୧୦ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଜାତୀୟ କ୍ରୀଡ଼ା ସଂଘମାନଙ୍କୁ ସହାୟତା ଯୋଜନା ପାଇଁ ଆବଣ୍ଟିତ ବଜେଟକୁ ଏହି ଅର୍ଥ ବରାଦ କରାଯାଇଛି।

ଭାରତରେ ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ୨୦୨୨ ଆୟୋଜନ ହେବା ଦ୍ୱାରା ଦେଶରେ ମହିଳା ଫୁଟବଲ କ୍ଷେତ୍ରରେ ରହିଥିବା ସମ୍ଭାବନା ସୁଦୃଢ଼ ହେବ। ଫୁଟବଲ ନେତୃତ୍ବ ଏବଂ ନୀତି ନିର୍ଦ୍ଧାରକ ସଂସ୍ଥାରେ ମହିଳାମାନଙ୍କର ପ୍ରତିନିଧିତ୍ବ ବୃଦ୍ଧି ପାଇବ। ଏହା ଭାରତରେ ଫୁଟବଲ ଖେଳିବା ଲାଗି ଅଧିକ ଝିଅମାନଙ୍କୁ ଅନୁପ୍ରାଣିତ କରିବ।
ଫିଫା ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ୱକପ୍ ଏକ ସମ୍ମାନଜନକ କ୍ରୀଡ଼ା ପ୍ରତିଯୋଗିତା ଏବଂ ଏହା ପ୍ରଥମ ଥର ପାଇଁ ଭାରତରେ ଆୟୋଜିତ ହେବାକୁ ଯାଉଛି। ଏହା କ୍ରୀଡ଼ା କ୍ଷେତ୍ରକୁ ଆସିବା ଲାଗି ଯୁବପିଢ଼ିଙ୍କୁ ଅଧିକ ଅନୁପ୍ରାଣିତ କରିବ ଏବଂ ଭାରତରେ ଫୁଟବଲ ଖେଳର ବିକାଶ ପାଇଁ ସହାୟକ ହେବ। ଏହି ପ୍ରତିଯୋଗିତା ଫୁଟବଲକୁ ଏକ କ୍ରୀଡ଼ା ଭାବେ ଗ୍ରହଣ କରିବା ଲାଗି ଭାରତୀୟ ବାଳିକାମାନଙ୍କୁ ଅନୁପ୍ରାଣିତ କରିବ। ଖାଲି ସେତିକି ନୁହେଁ, ଦୀର୍ଘସ୍ଥାୟୀ ଭିତ୍ତିରେ ଏହା ଦେଶର ଝିଅ ଓ ମହିଳାମାନଙ୍କୁ ଫୁଟବଲ ଏବଂ କ୍ରୀଡ଼ାକୁ ଆପଣାଇବା ପାଇଁ ପ୍ରୋତ୍ସାହିତ କରିବ।

ସମ୍ବନ୍ଧିତ ଖବର