ଗୋଟିଏ ଟେଷ୍ଟ୍‌ର ହତଭାଗ୍ୟ ହିରୋ

ଶାହବାଜ ନଦୀମ
ୱିକେଟ୍ ୪: ବ୍ୟକ୍ତିଗତ ଶ୍ରେଷ୍ଠ ୨/୧୮
ଝାଡ଼ଖଣ୍ଡର ଶାହବାଜ ନଦୀମ ଘରୋଇ କ୍ରିକେଟ୍‌ରେ ନିଜ ବାମହାତୀ ସ୍ପିନ୍ ବୋଲିଂର ଯାଦୁ ଦେଖାଇବା ପରେ ଘରୋଇ ସହର ରାଞ୍ଚିରେ ଟେଷ୍ଟ୍ ପଦାର୍ପଣ କରିଥିଲେ। ୨୦୧୯ ମସିହା ଅକ୍ଟୋବର ମାସରେ ସେ ଏଠାରେ ନିଜ ଜୀବନର ଏକମାତ୍ର ଓ ଶେଷ ଟେଷ୍ଟ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ। ଭାରତୀୟ ଦଳକୁ ଡାକରା ପାଇବା ପାଇଁ ଦୀର୍ଘ ବର୍ଷ ଅପେକ୍ଷା କରିଥିବା ଶାହବାଜ ଏହି ମ୍ୟାଚ୍‌ରେ କେବଳ ଚାରିଟି ୱିକେଟ୍ କରାୟତ କରିଥିଲେ। ଭାରତ ମଧ୍ୟ ଏହି ମ୍ୟାଚ୍‌କୁ ଗୋଟିଏ ପାଳି ଓ ୨୦୨ ରନ୍‌ରେ ଜିତି ନେଇଥିଲା। ତେବେ ଆହୁରି ଅନେକ ଯୋଗ୍ୟ ଓ ପ୍ରତିଭାବାନ ସ୍ପିନର ଭାରତୀୟ ଦଳକୁ ଯିବା ଲାଗି ଅପେକ୍ଷା କରି ରହିଥିବାରୁ ତାଙ୍କୁ ଆଉ ଦ୍ବିତୀୟ ସୁଯୋଗ ମିଳିନଥିଲା। ଘରୋଇ କ୍ରିକେଟ୍‌ରେ କିନ୍ତୁ ଶାହବାଜ ୧୧୭ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ୪୪୩ ୱିକେଟ୍ ନେଇଛନ୍ତି।

କର୍ଣ୍ଣ ଶର୍ମା
ୱିକେଟ୍ ୪: ବ୍ୟକ୍ତିଗତ ଶ୍ରେଷ୍ଠ ୨/୯୫
ଉତ୍ତର ପ୍ରଦେଶର ବାମହାତୀ ସ୍ପିନର କର୍ଣ୍ଣ ଶର୍ମା ୨୦୧୪ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଆଡିଲେଡ୍‌ଠାରେ ଟେଷ୍ଟ୍ ଜୀବନ ଆରମ୍ଭ କରିଥିଲେ। ସେହି ମ୍ୟାଚ୍‌ରେ ଲେଗ୍‌ସ୍ପିନର କର୍ଣ୍ଣ ୪ ୱିକେଟ୍ ଅକ୍ତିଆର କରିଥିଲେ। ପ୍ରଥମ ପାଳିରେ ତାଙ୍କ ବୋଲିଂ ପ୍ରଦର୍ଶନ ୨/୯୫ ରହିଥିଲା। ସେ ଡେଭିଡ୍ ୱାର୍ନର (୧୪୫) ଓ ମାଇକେଲ୍ କ୍ଲାର୍କ (୧୨୮)ଙ୍କ ଭଳି ଖେଳାଳିଙ୍କୁ ଆଉଟ୍ କରିଥିଲେ। କର୍ଣ୍ଣ ଦ୍ବିତୀୟ ପାଳିରେ କ୍ରିସ୍ ରୋଜର୍ସ (୨୧) ଓ ପୁଣି ଡେଭିଡ୍ ୱାର୍ନର (୧୦୨)ଙ୍କ ୱିକେଟ୍ ନେଇଥିଲେ। ଅସୁସ୍ଥତା ପାଇଁ ମହେନ୍ଦ୍ର ସିଂହ ଧୋନି ଖେଳି ନପାରିବାରୁ ଅଧିନାୟକ ଭାବେ ବିରାଟ କୋହଲିଙ୍କର ଏହା ପ୍ରଥମ ଅନ୍ତର୍ଜାତୀୟ ଟେଷ୍ଟ୍ ମ୍ୟାଚ୍ ଥିଲା। ଘରୋଇ କ୍ରିକେଟ୍‌ରେ ୧୯୬ ୱିକେଟ୍ ନେଇଥିବା କର୍ଣ୍ଣ କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ଆଉ କେବେ ବି ଭାରତୀୟ ଟେଷ୍ଟ୍ ଦଳରେ ସ୍ଥାନ ପାଇନଥିଲେ।

ନମନ ଓଝା
ରନ୍ ୫୬, ସର୍ବୋଚ୍ଚ ୩୫, ହାରାହାରି ୨୮
୨୦୧୫ ମସିହାରେ ଭାରତର ଶ୍ରୀଲଙ୍କା‌ ଗସ୍ତରେ ନମନ ଓଝା ଟେଷ୍ଟ୍ ଟୋପି ପାଇଥିଲେ। କଲମ୍ବୋରେ ଖେଳା ଯାଇଥିବା ଶୃଙ୍ଖଳାର ତୃତୀୟ ମୁକାବିଲାରେ ସେ ପଦାର୍ପଣ କରିଥିଲେ। ମଧ୍ୟପ୍ରଦେଶର ଏହି ତାରକା ଖେଳାଳି ୱିକେଟ୍‌ରକ୍ଷକ ବ୍ୟାଟ୍ସମ୍ୟାନ୍ ଭାବେ ଭାରତୀୟ ଚୂଡ଼ାନ୍ତ ଦଳରେ ସାମିଲ ହୋଇଥିଲେ। ଋଦ୍ଧିମାନ ସାହ ଆହତ ହେବା ପରେ ତାଙ୍କୁ ଏହି ସୁବର୍ଣ୍ଣ ସୁଯୋଗ ମିଳିଥିଲା। ହେଲେ ନମନ ଏହି ସୁଯୋଗରୁ ଫାଇଦା ଉଠାଇ ପାରିନଥିଲେ। ପ୍ରଥମ ପାଳିରେ ସେ ମାତ୍ର ୩୫ ରନ୍ କରିବା ପରେ ଦ୍ବିତୀୟରେ ୨୧ ରନ୍ ଆଗକୁ ବଢ଼ି ପାରିନଥିଲେ। ସେଥିପାଇଁ ତାଙ୍କ ଟେଷ୍ଟ୍ ଖେଳିବା ସେହିଠାରେ ସୀମିତ ରହି ଯାଇଥିଲା। ନମନ କିନ୍ତୁ ଘରୋଇ କ୍ରିକେଟ୍‌ରେ ଜଣେ ଆଗଧାଡ଼ିର ବ୍ୟାଟ୍ସମ୍ୟାନ୍। ୧୪୬ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୨୧୯* ରନ୍‌ର ବ୍ୟକ୍ତିଗତ ସର୍ବୋଚ୍ଚ ସ୍କୋର ସହ ସେ ମୋଟ ୯୭୫୩ ରନ୍ କରିଥିଲେ।

ଜୟଦେବ ଉନାଦକଟ
ୱିକେଟ୍ ୦
ସୌରାଷ୍ଟ୍ର ଦ୍ରୁତ ବୋଲର ଜୟଦେବ ଉନାଦକଟଙ୍କୁ ଭାରତୟ କନିଷ୍ଠ କ୍ରିକେଟ୍‌ର ଅନ୍ୟତମ ପ୍ରତିଭାଶାଳୀ ବୋଲରର ମାନ୍ୟତା ମିଳିଥିଲା। ଭାରତ ପକ୍ଷରୁ ସେ ଢେର କିଛି ବର୍ଷ ‌ଖେଳିବେ ବୋଲି ମଧ୍ୟ ବିଶେଷଜ୍ଞମାନେ ଭବିଷ୍ୟବାଣୀ କରିଥିଲେ। ହେଲେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଉନାଦକଟ ଏକବାର ବିଫଳ ସାବ୍ୟସ୍ତ ହୋଇଥିଲେ। ୨୦୧୦ ମସିହାରେ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତରେ ସେ ଟେଷ୍ଟ୍ ପଦାର୍ପଣ କରିଥିଲେ। ସେଞ୍ଚୁରିଅନର ସେହି ମ୍ୟାଚ୍‌କୁ ମହେନ୍ଦ୍ର ସିଂହ ଧୋନିଙ୍କ ଭାରତୀୟ ଦଳ ଗୋଟିଏ ପାଳି ଓ ୨୫ ରନ୍‌ରେ ହାରିଯାଇଥିଲା। ଉନାଦକଟ ମଧ୍ୟ ବ୍ୟକ୍ତିଗତ ଭାବେ ଅତ୍ୟନ୍ତ ଦୟନୀୟ ପ୍ରଦର୍ଶନ କରିଥିଲେ। ଏପରିକି ଉଭୟ ପାଳିରେ ସେ ୱିକେଟ୍ ଶୂନ୍ୟ ରହିଥିଲେ। ତେବେ ଘରୋଇ କ୍ରିକେଟ୍‌ରେ ତାଙ୍କ ଚମତ୍କାର ପ୍ରଦର୍ଶନ ଏବେ ବି ଜାରି ରହିଛି। ୮୯ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ସେ ୩୨୭ ୱିକେଟ୍ ନେଇଛନ୍ତି।

ଆର. ବିନୟ କୁମାର
ୱି‌କେଟ୍ ୧: ବ୍ୟକ୍ତିଗତ ଶ୍ରେଷ୍ଠ ୧/୭୯
କର୍ଣ୍ଣାଟକର ଡାହାଣହାତୀ ବୋଲର ଆର ବିନୟ କୁମାର ୨୦୧୨ ମସିହାରେ ପର୍ଥଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ୍ ପଦାର୍ପଣ କରିଥିଲେ। ହେଲେ ଚୟନକର୍ତ୍ତାଙ୍କ ଆଶା ପୂରଣ କରି ପାରିନଥିଲେ। ସେହି ମ୍ୟାଚ୍‌ରେ ବିନୟ ମାତ୍ର ଗୋଟିଏ ୱିକେଟ୍ ନେବାକୁ ସକ୍ଷମ ହୋଇଥିଲେ ଏବଂ ଭାରତ ଗୋଟିଏ ପାଳି ଓ ୩୭ ରନ୍‌ରେ ହାରିଥିଲା। ଅବଶ୍ୟ ପର୍ଥରେ ସେ ମାତ୍ର ୧୩ ଓଭର ବୋଲିଂ କରିବାର ସୁଯୋଗ ପାଇଥିଲେ। ସେଥିମଧ୍ୟରେ ମାଇକେଲ୍ ହସିଙ୍କୁ ଆଉଟ୍ କରିଥିଲେ। ଏହା ପରେ କିନ୍ତୁ ଚୟନକର୍ତ୍ତା ଆଉ କେବେ ବି ତାଙ୍କ ଉପରେ ଆସ୍ଥା ପ୍ରକଟ କରିନଥିଲେ କିମ୍ବା ପୁନର୍ବାର ଭାରତୀୟ ଟେଷ୍ଟ୍ ଦଳରେ ତାଙ୍କୁ ସାମିଲ କରି ନଥିଲେ। ଘରୋଇ କ୍ରିକେଟ୍‌ରେ କିନ୍ତୁ ବିନୟ କୁମାର ଜଣେ ଅତ୍ୟନ୍ତ ସଫଳ ବୋଲର। ୧୩୯ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ସେ ୫୦୪ ୱିକେଟ୍ ନେଇଛନ୍ତି। ସେ ମଧ୍ୟ ୩୧ ଦିନିକିଆ ଓ ୯ ଟ୍ବେଣ୍ଟି-୨୦ରେ ଭାରତର ପ୍ରତିନିଧିତ୍ବ କରିଛନ୍ତି।

ନିଖିଳ ଚୋପ୍ରା
ୱିକେଟ୍ ୦
ପୂର୍ବତନ ଭାରତୀୟ କ୍ରିକେଟର ନିଖିଳ ଚୋପ୍ରା ୨୦୦୦ ମସିହାରେ ବେଙ୍ଗାଲୁରୁଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜ ଏକମାତ୍ର ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ। ଘରୋଇ ପରିବେଶରେ ଖେଳିବା ସତ୍ତ୍ବେ ଜଣେ ହେଲେ ବି ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିବାକୁ ସେ ସକ୍ଷମ ହୋଇନଥିଲେ। ଚୋପ୍ରା ମାତ୍ର ଗୋଟିଏ ପାଳିରେ ବୋଲିଂ କରିବାର ସୁଯୋଗ ପାଇଥିଲେ। ଭାରତ ମଧ୍ୟ ଲଜ୍ଜାଜନକ ଭାବେ ଗୋଟିଏ ପାଳି ଓ ୭୧ ରନ୍‌ରେ ମ୍ୟାଚ୍ ହାରିଥିଲା। ୨୪ ଓଭର ବୋଲିଂ କରି ୭୮ ରନ୍ ବ୍ୟୟ କରିଥିବା ଚୋପ୍ରାଙ୍କ ଟେଷ୍ଟ୍ ଜୀବନ ୱିକେଟ୍ ଶୂନ୍ୟ ଭାବେ ଅକାଳରେ ଶେଷ ହୋଇଯାଇଥିଲା। ଚୟନକର୍ତ୍ତା ଆଉ ତାଙ୍କ ଉପରେ ଆଦୌ ଆସ୍ଥା ପ୍ରକଟ କରି ନଥିଲେ।

ସବା କରିମ
ରନ୍ ୧୫, ବ୍ୟକ୍ତିଗତ ସର୍ବୋଚ୍ଚ ୧୫
ପୂର୍ବତନ ଭାରତୀୟ ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ତଥା ବିସିସିଆଇର ପୂର୍ବତନ ମହାପ୍ରବନ୍ଧକ ସବା କରିମ ୨୦୦୦ ମସିହାରେ ବାଂଲାଦେଶ ବିପକ୍ଷରେ ଜୀବନର ଏକମାତ୍ର ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ। ଏହି ବେଙ୍ଗଲ ବୀର ସେହି ମ୍ୟାଚ୍‌ରେ ଗୋଟିଏ ପାଳିରେ ବ୍ୟାଟିଂ କରି ମାତ୍ର ୧୫ ରନ୍ କରିଥିଲେ। ସେହି ମ୍ୟାଚ୍‌ରେ ସେ ଷ୍ଟମ୍ପିଂ ହୋଇ ଯାଇଥିଲେ। କରିମ ଅବଶ୍ୟ ଭାରତ ପକ୍ଷରୁ ୩୪ ଦିନିକିଆ ଖେଳିଥିଲେ। ୧୨୦ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ସେ ମଧ୍ୟ ୭୩୧୦ ରନ୍ କରିଥିଲେ।

ରବିନ ସିଂହ
ରନ୍ ୨୭: ବ୍ୟକ୍ତିଗତ ସର୍ବୋଚ୍ଚ ୧୫
ତ୍ରିନିଦାଦରେ ଜନ୍ମଗ୍ରହଣ କରିଥିବା ରବିନ ସିଂହ ନିଜ ଅଲରାଉଣ୍ଡ ଦକ୍ଷତା ପାଇଁ ପରିଚିତ ଥିଲେ। ସେ କିନ୍ତୁ ଜଣେ ସୀମିତ ଓଭର କ୍ରିକେଟର ଭାବେ ଅଧିକ ସଫଳତା ଲାଭ କରିଥିଲେ। ଜୀବନର ଏକମାତ୍ର ଟେଷ୍ଟ୍ ରବିନ ୧୯୯୮ ମସିହାରେ ଜିମ୍ବାୱେ ବିପକ୍ଷରେ ଖେଳିଥିଲେ। ହରାରେଠାରେ ଖେଳାଯାଇଥିବା ଏହି ମୁକାବିଲାରେ ବାମହାତୀ ବ୍ୟାଟ୍ସମ୍ୟାନ୍ ରବିନ ଚୟନକର୍ତ୍ତାଙ୍କୁ ଅତ୍ୟନ୍ତ ନିରାଶ କରିଥିଲେ। ସେ ଉଭୟ ବୋଲିଂ ଓ ବ୍ୟାଟିଂରେ ବିଫଳ ହୋଇଥିଲେ। ଭାରତ ମଧ୍ୟ ମ୍ୟାଚ୍‌କୁ ୬୧ ରନ୍‌ରେ ହାରି ଯାଇଥିଲା। ଉଭୟ ପାଳିରେ ମାତ୍ର ୨୭ ରନ୍ କରିଥିବା ରବିନ ଗୋଟିଏ ହେଲେ ବି ୱିକେଟ୍ ନେଇ ପାରିନଥିଲେ। ଅନ୍ୟପକ୍ଷରେ ଭାରତ ପକ୍ଷରୁ ୧୩୬ ଦିନିକିଆ ଖେଳି ସେ ଗୋଟିଏ ଶତକ ଓ ୯ ଅର୍ଧଶତକ ବଳରେ ୨୩୩୬ ରନ୍ କରିବା ସହ ୬୯ ୱିକେଟ୍‌ କରାୟତ୍ତ କରିଥିଲେ।

ସଲିଲ ଆଙ୍କୋଲା
ୱିକେଟ୍ ୨: ବ୍ୟକ୍ତିଗତ ଶ୍ରେଷ୍ଠ ବୋଲିଂ ୧/୩୫
ଚକଲେଟି ଚେହେରାର ଅଧିକାରୀ ସଲିଲ ଆଙ୍କୋଲା ନିଜ ପ୍ରଥମ ଓ ଶେଷ ଟେଷ୍ଟ୍ କରାଚିଠାରେ ୧୯୮୯ ମସିହାରେ ଖେଳିଥିଲେ। ପାକିସ୍ତାନ ବିପକ୍ଷ ଏହି ମ୍ୟାଚ୍‌ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ଟେଷ୍ଟ୍ ପଦାର୍ପଣ କରିଥିଲେ। ଆଙ୍କୋଲା ଉଭୟ ପାଳିରେ ଗୋଟିଏ ଲେଖାଏଁ ଏହିପରି ମୋଟ ଦୁଇଟି ୱିକେଟ୍ ଅକ୍ତିଆର କରିଥିଲେ। ସଲିମ ମଲ୍ଲିକ ଓ ସଲିମ ୟୁସୁଫଙ୍କୁ ସେ ଆଉଟ୍ କରିଥିଲେ। ଏହି ମ୍ୟାଚ୍‌ ଅମୀମାଂସିତ ଭାବେ ଶେଷ ହୋଇଥିଲା। ଆଙ୍କୋଲାଙ୍କ ଟେଷ୍ଟ୍ ଜୀବନ କିନ୍ତୁ ସେଥିପାଇଁ ସେହିଠାରେ ସରିଯାଇଥିଲା। ତେବେ ସେ ଭାରତ ପକ୍ଷରୁ ୨୦ ଦିନିକିଆ ଖେଳି ୧୩ ୱିକେଟ୍ ନେଇଥିଲେ।

ଇକବାଲ ସିଦ୍ଦିକି
ରନ୍ ୨୯: ବ୍ୟକ୍ତିଗତ ସର୍ବୋଚ୍ଚ ୨୪
ମହାରାଷ୍ଟ୍ର କ୍ରିକେଟ୍‌ର ଇକବାଲ ସିଦ୍ଦିକି ୨୦୦୧ ମସିହାରେ ଇଂଲଣ୍ଡ ବିପକ୍ଷରେ ମୋହଲିଠାରେ ନିଜ ଟେଷ୍ଟ୍ କ୍ରିକେଟ୍ ଜୀବନ ଆରମ୍ଭ କରିଥିଲେ। ବଡ଼ କଥା ହେଲା ଏହି ମ୍ୟାଚ୍‌ର ଦ୍ବିତୀୟ ପାଳିରେ ସେ ଭାରତ ପାଇଁ ଉଭୟ ବ୍ୟାଟିଂ ଓ ବୋଲିଂରେ ପାଳି ଆରମ୍ଭ କରିଥିଲେ। ତେବେ ଉଭୟ କ୍ଷେତ୍ରରେ ପ୍ରଭାବଶାଳୀ ପ୍ରଦର୍ଶନ ଦେବାରେ ପୂରା ବିଫଳ ହୋଇଥିଲେ। ଏହି ମ୍ୟାଚ୍‌ରେ ତିନି ଜଣ ଭାରତୀୟ ବୋଲର ପଦାର୍ପଣ କରିଥିଲେ। ଇକବାଲଙ୍କ ଛଡ଼ା ଅନ୍ୟ ଦୁଇ ଜଣ ଥିଲେ ସଞ୍ଜୟ ବାଙ୍ଗର ଓ ଟିନୁ ୟୁହାନ୍ନା। ଏହି ମ୍ୟାଚ୍‌କୁ ଭାରତ ୧୦ ୱିକେଟ୍‌ରେ ଜିତି ନେଇଥିଲା। ଇକବାଲ କିନ୍ତୁ ଏହା ପରେ ଆଉ କେବେ ବି ଭାରତୀୟ ଦଳକୁ ଡାକରା ପାଇନଥିଲେ।

ସମ୍ବନ୍ଧିତ ଖବର